Unknown

 

 

 

 

 

 

 

 

 

 

 

ଏକ ଅଶ୍ଳୀଳ ସନ୍ଧ୍ୟାର କାହାଣୀ

ଶୈଳେନ୍ଦ୍ର ମହାପାତ୍ର

 

ଉତ୍ସର୍ଗ

 

ବାପା ଓ ବୋଉଙ୍କ ହାତରେ

 

(ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଶ୍ରୀମତୀ ନେତ୍ରମଣୀ ଦେଈ)

 

ସୂଚୀପତ୍ର

 

୧.

ଏକ ଅଶ୍ଳୀଳ ସନ୍ଧ୍ୟାର କାହାଣୀ

୨.

ବାଲି କଙ୍କଡ଼ା

୩.

କଲି

୪.

ରୌଦ୍ରର ଅଭିଶାପ

୫.

ସାଗର ତୃଷ୍ଣା

୬.

ଏକ ପୌଷ ରାତ୍ରିର ସଙ୍ଗୀତ

୭.

ପ୍ରତିଦ୍ଵନ୍ଦ୍ୱୀ

୮.

ବର୍ଷା: ମନର ମୃଗ

୯.

ଶେଷ ସୂର୍ଯ୍ୟାସ୍ତ

୧୦.

ବୁଲା କୁକୁର ପୋଷା କୁକୁର

୧୧.

ତନ୍ଦ୍ରାଳସା

୧୨.

ନାଲି ଶାଢ଼ି

୧୩.

ପଳାତକ

୧୪.

ଚମ୍‌ସକି

୧୫.

ଶୋକ ସମ୍ବାଦ

Image

 

ଏକ ଅଶ୍ଳୀଳ ସନ୍ଧ୍ୟାର କାହାଣୀ ମୋ ଦୃଷ୍ଟିରେ

 

ଶ୍ରୀଯୁକ୍ତ ଶୈଳେନ୍ଦ୍ର ମହାପାତ୍ରଙ୍କ ଗଳ୍ପ ସୃଷ୍ଟି ଉପରେ କିଛି ଲେଖିବାକୁ ଗଲାବେଳେ କେମିତି ଭୟ ଲାଗେ । ଶ୍ରୀଯୁକ୍ତ ମହାପାତ୍ର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ । ଗୋଟିଏ ସ୍କୁଲରେ ଛୁଆ ବେଳୁ ପଢ଼ିଛୁ, ବର୍ତ୍ତମାନ ଏକା କଲେଜରେ ସହକର୍ମୀ ଭାବେ କାମ କରୁଛୁ । ତେଣୁ ଭୟ ଲାଗେ ଏଇଥିପାଇଁ ଯେ, ତାଙ୍କ ଗଳ୍ପ ଉପରେ ମନ୍ତବ୍ୟ ଦେଲାବେଳେ ସେହି ଦୂରତାଟା କ’ଣ ରକ୍ଷା କରିବା ମୋ’ପକ୍ଷରେ ସମ୍ଭବ ଯା’କି ଜଣେ ସମାଲୋଚକ ପାଖରେ ନିହାତି ପ୍ରୟୋଜନୀୟ । ଏହି ଭୟ ସହ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ମନକୁ ଆସେ । ଗପ ଶୁଣି କେମିତି ଲାଗିଲା କହିବାକୁ ଗଲାବେଳେ ଏପରି ଦୂରତା କ’ଣ ନିହାତି ପ୍ରୟୋଜନ ? ଯେତେବେଳେ ଆମେ ଆମ ଠାକୁମା’ ବା ଆଉ କାହା ପାଖରୁ ଗପ ଶୁଣି ସେ ଗପର ଅଜବତା ଭିତରେ ହଜିଯାଉଥିଲୁ, ପୁଣିଆଉ ସେତେବେଳେ ଆଉ କେଉଁ ସାଙ୍ଗ ପାଖରେ ଲାଗିଲା ତା’ କହିବାକୁ ଚେଷ୍ଟା କରୁଥିଲୁ ସେତେବେଳେ ଆମେ କ’ଣ ଏପରି ଦୂରତା ରକ୍ଷା କରୁଥିଲୁ, ନା ସେ ଗପ ଆଉ ଠାକୁମା’ର ଉଷୁମ୍‌ କୋଳ ଭିତରେ ନିଜକୁ ପୂରା ହଜାଇ ଦେଉଥିଲୁ ? ପିଲାମାନଙ୍କ ପରି ଗଳ୍ପ ଭିତରେ ପୂରା ହଜିଯିବା ହୁଏତ ଏକ ଅକପଟ ଉପଭୋଗ ହୋଇପାରେ; ମାତ୍ର ତା’ କେବେ ସମାଲୋଚନା ହେଵ ନାହିଁ, କାରଣ ଶିଶୁ ସୁଲଭ ସରଳତା ନେଇ ସମାଲୋଚନା କରାଯାଏନା । ଏହା ପାଇଁ ଦର୍କାର ଏକ ଜଟିଳ ମନ–ଏକ ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀ । ମାତ୍ର ଏ ଜଟିଳତା, ଏ ଦୃଷ୍ଟିଭଙ୍ଗୀ କେବେ ଆଲୋଚିତ ଅକପଟ ଉପଭୋଗ ବିନା ସମ୍ଭବ ନୁହେଁ । ସରଳ ଉପଭୋଗ ସବୁବେଳେ ଜଟିଳ ବିଶ୍ଳେଷଣର ଅଗ୍ରଗାମୀ । ଏହା ବିନା ଜଟିଳତା ଅସପୂର୍ଣ୍ଣ ରସସ୍ୱାଦନର ପଥ ପ୍ରଦର୍ଶକ ହେବା ପରିବର୍ତ୍ତେ ନିରସ ଯୁକ୍ତି ବା ମତବାଦର ପ୍ରାଣହୀନ ପ୍ରତିଧ୍ଵନିରେ ପରିଣତ ହୁଏ । ଆମ ସାଂପ୍ରତିକ ସମାଲୋଚନା ଏହି ଦୋଷରେ ଦୁଷ୍ଟ । ଆଜିର ସମାଲୋଚନା ଉଦାସୀନତାର ଶିକାର ହୋଇଛି । ମୋର ଏ ଲେଖା ମତବାଦର ଡାଆଣୀ ଆଲୁଅ ପଛରେ ଧାଇଁ ଧାଇଁ ସ୍ଵଚ୍ଛନ୍ଦ ଆନନ୍ଦଟିକୁ ହରାଇ ବସୁଥିବା ଆଜିର ସମାଲେଚନା ବିରୁଦ୍ଧରେ ଏକ ମୃଦୁ ପ୍ରତିବାଦ ।

ମୋର ଏ ଲେଖା ସରଳ ଶିଶୁର ଅକପଟ ହଜିଯିବାର ବିକାଶ । ଏହା ଏକ ଅକପଟ ଗ୍ରହଣ–ନାନ୍ଦନିକ ବିଶ୍ଳେଷଣ ନୁହେଁ । ଏହା ସେହି ସହଜ ଉପଭୋଗର କଥା, ତା’ରି ସୂଚନା । ଜଣେ ସାଧାରଣ ପାଠକର ପ୍ରତିକ୍ରିୟା । ଏହା ପ୍ରକୃତ ସମାଲୋଚନାର କେବଳ ପୂର୍ବରାଗ ମାତ୍ର । ପ୍ରକୃତ ସମାଲୋଚନା ପୂର୍ବର ଉପଭୋଗର ଅର୍ଥହୀନ କାକଳୀ ମାତ୍ର । ତେଣୁ ଶ୍ରୀଯୁକ୍ତ ମହାପାତ୍ରଙ୍କ ସୃଷ୍ଟିକୁ ମୁଁ ସମାଲୋଚନାର ଦୃଷ୍ଟିରେ ଆଲୋଚନା କରୁନାହିଁ; କାରଣ ତାଙ୍କ ସହ ମୋର ଅନ୍ତରଙ୍ଗତା ଏହା କରିବାରେ ବାଧା ଦେବ । ପୁଣି ସମାଲୋଚନା ସହ ଆଉ ଏକ ଭାନ୍ତ ଧାରଣା ଆମ ମନ ଭିତରେ ଦାନା ବାନ୍ଧୁଛି । ସମାଲେଚନା ଗୁଣର ମାନଦଣ୍ଡ, ପ୍ରତିଷ୍ଠାର ସିଂହ ଦ୍ୱାର–ଏହି ଧାରଣା ଦାନା ବାନ୍ଧୁଛି । ମୋର ଏ ଲେଖା ଏହାର ସୂଚକ ନୁହେଁ । ଏହା ପୁଣି ପରିଚୟ ପତ୍ର ନୁହେଁ । ଏହା ବେବଳ ଏକ ନିଷ୍କପଟ ପ୍ରତିକ୍ରିୟା ଯହିଁରେ ବ୍ୟବଚ୍ଛେଦୀୟ ମନୋବୃତ୍ତି‌ ପରିବର୍ତ୍ତେ କୋଳେଇ ନେବାର ବ୍ୟକ୍ତିଗତ ଆନନ୍ଦଟି ବିଦ୍ୟମାନ ।

ରସ ସ୍ଵାଦନରେ ଏହି ବ୍ୟକ୍ତିଗତ ଆନନ୍ଦଟା ହିଁ ସବୁଠାରୁ ବଡ଼କଥା–ପ୍ରକୃତ ମଞ୍ଜ କଥା ବି । ଏହି ସହୃଦୟତାର ସବୁ ଆନନ୍ଦ ପାଇବାର ମୂକ । ଆଜି ସମାଲୋଚନାରେ ଏହି ସହୃଦୟତାର ଅଭାବ । ତେଣୁ ଏଥିରେ ନିଜସ୍ଵ ଆନନ୍ଦ ଯେତେ ଦୂର ନୁହେଁ; ବିଭିନ୍ନ ମତବାଦର ସଫଳ ପ୍ରତିପାଦନ ହିଁ ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଯାଉଛି । ମାତ୍ର ମୋର ଏ ଲେଖା ନିଚ୍ଛକ ଆନନ୍ଦର ଉଚ୍ଚାରଣ ମାତ୍ର । ଏହା ସବୁ ଉଦାସୀନ; ଅଥଚ ରସଗ୍ରାହୀ ପାଠକମାନଙ୍କୁ ଏକ ମନ୍ତ୍ର । କେବଳ ପ୍ରତିଷ୍ଠା ଯେ ଗୁଣର ମାପ କାଠି ନୁହେଁ ତା’ର ଟିକିଏ ସୂଚନା ଦେବା । ଅନେକ ଶିଳ୍ପୀ ଆଛନ୍ତି ଯେଉଁମାନେ ଏବେ ବି ଅପ୍ରତିଷ୍ଠିତ, ଅବହେଳିତ । କିନ୍ତୁ ସେମାନଙ୍କ ସୃଷ୍ଟିରେ ଶିଶୁମାନଙ୍କ ପରି ହଜିଯାଇହୁଏ, କ୍ଷଣିକ ପାଇଁ ନିଜକୁ ଭୁଲିଯାଇହୁଏ । ଏହା ହିଁ ତ ସବୁ ଭଲ ଗପର ମୁଖ୍ୟ ଗୁଣ । ପ୍ରତ୍ୟେକ ଗପ ତା’ର କାହାଣୀ ଦ୍ୱାରା, ପୁଣି ସେ କାହାଣୀର କହିବାଭଙ୍ଗୀ ଦ୍ଵାରା ହିଁ ଆମକୁ ଆକୃଷ୍ଟ କରିଥାଏ । ଏ ଦୁଇଟି ତଥାକଥିତ ନୂତନ ପରୀକ୍ଷା ବା ନୂତନ ଧାରଣାର ପ୍ରକାଶ ଦ୍ୱାରା ଭାରକ୍ରାନ୍ତ ନ ହୋଇ ସାଧାରଣ ଅନୁଭୂତିକୁ ନିଜସ୍ଵ ଭାବରେ ପ୍ରକାଶ କରିଥାଏ । ତେଣୁ ସମସ୍ତ ସଫଳ ଗାଳ୍ପିକ ତା’ର ନିଜସ୍ଵ ସରଳତାରେ ହିଁ ଆମକୁ ମୋହିତ କରିଥାଏ । ଏ ସରଳତା ଜାତ ହୁଏ ସମସ୍ତ କୃତ୍ରିମତାର ତ୍ୟାଗରୁ । ଅର୍ଥାତ୍‌ ଗଳ୍ପଟି ଏକ ନିଜସ୍ୱ ସାବଲୀଳତାରେ ପାଠକର ମନକୁ ଛାଳଯାଏ । ଏ ସାବଲୀଳତା ଭିତରେ ହୁଏତ ଥାଇପାରେ ଅନେକ ପରୀକ୍ଷା, ପୁଣି ଅନେକ ନିରୀକ୍ଷା, ପୁଣି ଅନେକ ଅନେକ ଚିନ୍ତାଧାରର ପ୍ରକାଶ । ମାତ୍ର ସବୁ କିଛି ଛପିଯାଏ ସେଇ ସାବଲୀଳତା ଭିତରେ–ଅନୁଭବର ଗଭୀରତା ଭିତରେ । କିନ୍ତୁ ଏହା ନ ହୋଇ ଯଦି ପରୀକ୍ଷା, ଚିନ୍ତା, ଦର୍ଶନ ସବୁ ଉଗ୍ର ହୋଇ ଗଳ୍ପ ଭିତରେ ଉକୁଟି ଉଠନ୍ତି, ତେବେ ସେ ଗଳ୍ପ ଯାହା କିଛି ହେଉନା କାହିଁକି ମନକୁ ଛୁଏନା-। ତା’ଚିନ୍ତା ଦ୍ୱାରା ମୁଣ୍ଡକୁ ହୁଏତ ଭାରି କରି ପାରେ, କେବେ ମନକୁ ଭୁଲାଇପାରେନା । ଅର୍ଥାତ୍‌ ଅନ୍ୟ ଭାବରେ ପାଠକ ଶିଶୁପରି ନିଜକୁ ଭୁଲିଯାଇ ସେ କାହାଣୀ ଭିତରେ ହଜିଯାଇପାରେନା । ଏହି ସରଳତା ସବୁ ଉତ୍ତମ ସୃଷ୍ଟିର ଗୁଣ । ବିଶେଷତଃ ଏହି ପ୍ରକାର ସରଳତା କ୍ଷୁଦ୍ର ଗଳ୍ପର ପ୍ରଧାନ ଗୁଣ । ଏପ୍ରକାର ସରଳତା ଆମେ ପାଉଁ ଫକୀରମୋହନଙ୍କ ଗଳ୍ପରେ । ଏହି କାହାଣୀୟ ସରଳତା ତାଙ୍କ ଗଳ୍ପର ଜୀବନ । ତାଙ୍କ ଗଳ୍ପ ତ ସବୁ ପରୀକ୍ଷାର ପରୀକ୍ଷା । ଖାଲି ଗଳ୍ପରେ–ନୂଆ କଥା, ନୂଆ ଆଙ୍ଗିକରେ ପରୀକ୍ଷା ନୁହେଁ; ଗଳ୍ପ ଲେଖାର ସାମଗ୍ରୀକ ପରୀକ୍ଷା । ମାତ୍ର ତାଙ୍କର କୌଣସି ପରୀକ୍ଷାରେ ଏପରି ପରୀକ୍ଷା ମୁଖ୍ୟ ହୋଇ ଉଠୁନି ! ମୁଖ୍ୟ ହୋଇ ଉଠିଛି କାହାଣୀ । ତା’ର ଆନନ୍ଦ । ଏହା ପ୍ରଥମେ ମନକୁ ଛୁଏଁ । ତା’ପରେ ଚିନ୍ତାକୁ ଆଲୋକିତ କରେ । ତେଣୁ ଏହି ସରଳତା ସବୁ ଗଳ୍ପର ପ୍ରାଣଶକ୍ତି । ଏହା ସବୁ କିଛିକୁ ପ୍ରାଣବନ୍ତ କରିଥାଏ । ଶିଳ୍ପୀର ଅନୁଭୂତିକୁ ପାଠକର ଅନୁଭୂତି ସହ ଏକୀଭୂତ କରିଥାଏ । ଫଳରେ ଲେଖକ ଓ ପାଠକ ମଧ୍ୟରେ ଚିନ୍ତା ଆଉ ଆଙ୍ଗିକ ପାଚେରୀ ପରି ଛିଡ଼ା ନହୋଇ ପ୍ରକାଶ ଆଉ ଅବେଦନର ମାର୍ମିକ ସେତୁଟିଏ ହୋଇଉଠେ । ବ୍ୟବଧାନ ଧୀରେ ଧୀରେ ମିଳେଇ ଯାଏ । ପାଠକ କହି ଉଠେ ‘ଇଏ ତ ମୋ’ରି କଥା, ମୋର ଅନୁଭୂତି ।’

ଶୈଳେନ୍ଦ୍ର ବାବୁଙ୍କ ଗଳ୍ପଗୁଡ଼ିକରେ ଏହି ବ୍ୟବଧାନ–(ପାଠକ ଆଉ ଲେଖକ ମଧ୍ୟରେ ଥିବା ଚିନ୍ତା ଆଉ କଳାତ୍ମକ ପ୍ରକାଶର ବ୍ୟବଧାନ)ର ଅଭାବ ହିଁ ମୋ ପାଖରେ ପ୍ରଧାନ ଆକର୍ଷଣ । ଏପରି କହିବା ଦ୍ଵାରା ମୁଁ ପରୀକ୍ଷା ବିରୁଦ୍ଧରେ କହୁ ନାହିଁ ବା ଶୈଳେନ୍ଦ୍ର ବାବୁ ଯେକୌଣସି ପରୀକ୍ଷା କରୁ ନାହାନ୍ତି ତା’ କହୁ ନାହିଁ । କେବଳ ଏତିକି କହୁଛି ଯେ, ଏପରି ପରୀକ୍ଷା ତାଙ୍କ ଗଳ୍ପର ମଞ୍ଜି ଟିକକକୁ ପାଇବାରେ ବାଧା ଦେଉ ନାହିଁ । ଅର୍ଥାତ୍‌ ପାଚେରୀ ପରି ଆମ ମଝିରେ ଛିଡ଼ା ହେଉ ନାହିଁ-। ଆଜିର ପରୀକ୍ଷା ଦର୍ଶନ, ଚିନ୍ତା ପ୍ରତୀକ ସବୁ ଦେଉଛି । ଗଳ୍ପକୁ କେତେବେଳେ କବିତା କରିଛି, ମାତ୍ର ମନ ଭିତରେ ସେଇ ଆନନ୍ଦ ଟିକକ ଦେବାରେ ଅନେକ ସମୟରେ ଅସଫଳ ହେଉଛି-। ଫଳରେ ଏପରି ଗଳ୍ପରେ ନିଜକୁ ଭୁଲି ହୁଏନି । ଅର୍ଥାତ୍‌ ଏଗୁଡ଼ିକ ତା’ର ସାବଲୀଳ ସାମଗ୍ରୀକତାରେ ମନକୁ ଛୁଇଁପାରେନି । ଭଲ ଗଳ୍ପଟିଏ ଯେମିତି ଭଲପାଇବାଟା ଆପେ ଆପେ ହୋଇଯାଏ-। ଏହା ଭଲପାଇବା ବସ୍ତୁଟିକୁ ଅଜାଣତରେ ଆପଣାର କରାଇ ନିଏ । ଏହା ପଛରେ ଦର୍ଶନ, ଯୁକ୍ତି, ମୂଲ୍ୟବୋଧ ସାମାଜିକତା, ଯାହା ଥାଉନା କାହିଁକି ଭଲପାଇବା, ଭଲପାଇବା ସବୁ ଯୁକ୍ତି, ସବୁ ପରୀକ୍ଷାର ବାହାରେ । ଆଗରୁ କହିଛି ଗଳ୍ପଟି ଠିକ୍‌ ଏଇମିତି । ଖାଲି ଛଳଛଳ ଆନନ୍ଦଟିଏ । ଟିକିଏ ଶିହରିତ ଭୁଲଯିବା ।

ଶୈଳେନ୍ଦ୍ର ବାବୁଙ୍କ ଗଳ୍ପ ଏହି ଶିହରିତ ଭୁଲଯିବା । ଏଗୁଡ଼ିକ ଏହି ଭୁଲେଇଦେବାଧର୍ମୀ । ଅତି ସାବଲୀଳଭଙ୍ଗୀରେ ଗପଟିଏ ସେ କହିଯା’ନ୍ତି । ସେ ଗପଟି ପଢ଼ିଲା ବେଳେ ଖାଲି ‘ହୁଁ’ ମାରିବା ହିଁ ସମ୍ଭବ ହୁଏ । ତା’ର ଶିହରଣ ଭିତରେ ଖାଲି ହଜିଯାଇହୁଏ । କାରଣ ପ୍ରଥମ ପର୍ଯ୍ୟାୟରେ ଏହାର ଅନ୍ୟ କିଛି ଆବେଦନ ଥିଲା ବୋଲି ମନେହୁଏ ନାହିଁ । ମାତ୍ର ଗଳ୍ପଟି ଶେଷ ହେଲେ ସବୁ କିଛି ଓଲଟପାଲଟ ହୋଇଯାଏ । ଆମ ଆଗରେ ଗୋଟିଏ ନୂଆ ଅନୁଭୂତି ଦାନା ବାନ୍ଧେ । ଆଉ, ଏହି ନୂତନତା ଭିତରେ ଜୀବନର ରହସ୍ୟ ଟିକକ ହିଁ ବଡ଼ କରୁଣ ଭାବେ, ବଡ଼ ବାସ୍ତବ ଭାବେ ଉକୁଟି ଉଠେ । ସତ୍ୟ ରହସ୍ୟମୟୀ ହୋଇ ଅଧିକ ସତ୍ୟଶୀଳ ହୁଏ । ଏହି ପରିପ୍ରେକ୍ଷୀରେ ‘ବାଲି କଙ୍କଡ଼ା’ ଗଳ୍ପଟିକୁ ଆଲୋଚନା କରାଯାଇପାରେ । ନଗରୀରର ଅଣନିଃଶ୍ଵାସୀ ବାତାବରଣ ଭିତରୁ ସ୍ଵାସ୍ଥ୍ୟ ପରିବର୍ତ୍ତନ କରିବାପାଇଁ ନାୟକ ତାଙ୍କ ପତ୍ନୀଙ୍କ ସହ ପୁରୀ ଆସିଛନ୍ତି । ପୁରୀର ବେଳାଭୂମି, ନୀଳସାଗର ଆଉ ଆକାଶ ପତ୍ନୀଙ୍କ ଆଗରେ ଏକ ନୂଆ ପୃଥିବୀର ସନ୍ଧାନ ଦେଇଛି । ଧୀରେ ଧୀରେ ସ୍ଵାମୀଙ୍କ ଦେହ ଭଲ ହୋଇଯାଇଛି ଏବଂ ପୁଣି ନଗରୀକୁ ଫେରିଯିବାର ବେଳ ଆସିଛି । ଶେଷଥର ପାଇଁ ପତ୍ନୀ ନୋଳିୟା ଟୋକା ସହ ସମୁଦ୍ର ଭିତରକୁ ପଶିଛନ୍ତି । କୂଳରେ ଥାଇ ସ୍ଵାମୀ ଏ ଦୃଶ୍ୟ ଦେଖୁଛନ୍ତି । ବାଇନୋକୁଲାର ସାହାଯ୍ୟରେ ଦିଗ୍‍ବଳୟରେ ଚାହିଁଛନ୍ତି । ତାଙ୍କ ଦୃଶ୍ୟରୁ ଧୀରେ ଧୀରେ ହଟିଯାଇଛି ତାଙ୍କ ସ୍ତ୍ରୀ, ସେ ନୋଳିଆ ଯୁବକ । ରହିଯାଇଛି ଖାଲି ଅନନ୍ତ ସମୁଦ୍ର ଆଉ ତା’ର ଅଶାନ୍ତ ଢେଉ । ବେଳାଭୂମିରେ ଏକାକୀ ରହିଯାଇଛନ୍ତି ଗଳ୍ପର ନାୟକ । ଗଳ୍ପର ଶେଷରେ ଏ ବିଚ୍ଛେଦ କଅଣ ଆର୍ଦ୍ର ମନକୁ ନଛୁଏଁ, ପତ୍ନୀଙ୍କ ଚିରନ୍ତନ ଅପୂର୍ଣ୍ଣତା, ତାଙ୍କ ଜୀବନର ଅଶାନ୍ତ କ୍ଷୁଧା ଅଧିକ ଜୀବନ୍ତ ହୋଇଉଠେ । ନୋଳିଆ ଯୁବକ କୋଳରେ ସେ ସେମିତି ତାଙ୍କ ନାରୀତ୍ଵକୁ ପାଇ ପାରିଛନ୍ତି । ଜୀବନର ଲୁଣିଆ ସ୍ଵାଦ ସମୁଦ୍ର ଭିତରେ ପାଇ ଶେଷରେ ତା’ରି ଭିତରେ ସବୁଦିନ ପାଇଁ ହଜିଯାଇଛନ୍ତି । ଏ ସମୁଦ୍ର ନାରୀ ମନର ରହସ୍ୟ । ବେଳାଭୂମି ସାମାଜିକ ସମ୍ପର୍କ । ଲେଖକ ଏ ସମ୍ପର୍କକୁ ଟପି ମନର ସେ ନୀଳ ରହସ୍ୟକୁ ଭେଦ କରିବାର ଚେଷ୍ଟା କରିଛନ୍ତି । ଏହି ଗଳ୍ପଟି ତାଙ୍କର ମନନଶୀଳ ଦୃଷ୍ଟି । ଏ ଦୃଷ୍ଟିର ଗଭୀରତା ପାଠକକୁ ଅଭିଭୂତ କରେ । କାହାଣୀର ସରଳତା ଭିତରେ, ଏହା ସ୍ଵଚ୍ଛନ୍ଦ ଭାବେ ପ୍ରକାଶିତ ହୁଏ । ଠିକ୍ ସେମିତି ‘ନାଲିଶାଢ଼ି’ ଗଳ୍ପଟି । ଗଳ୍ପଟିର ନାୟିକା ଆସିଛନ୍ତି ଗୋଟିଏ ଶାଢ଼ି କିଣିବା ପାଇଁ । ତାଙ୍କ ଆଗରେ ଦୋକାନର ସବୁ ଦାମିକା ଶାଢ଼ି । କିନ୍ତୁ ସେ ଖୋଜୁଛନ୍ତି ଗୋଟିଏ ଗାଢ଼୍‌ ନାଲି ଶାଢ଼ି । ବହୁ ଖୋଜା ଖୋଜି ପରେ ସେ ଶାଢ଼ିଟିଏ ପାଇଛନ୍ତି । ଆଉ ସେ ଶାଢ଼ିଟି ଭିତରେ ସେ ଯେମିତି କ’ଣ ଖୋଜି ପାଇଛନ୍ତି । ସେ ଟଙ୍କା ଦେଇ ଚାଲି ଆସିଛନ୍ତି, ଅଧିକ ଟଙ୍କା । ସେ ଚେଞ୍ଜ୍‌ ନେବାକୁ ଆଉ ଫେରି ନାହାନ୍ତି । ଏ ଗଳ୍ପଟିରେ ଅତୀତର କିଛି ସୂଚନା ନାହିଁ । ଏହା ସେମିତି ସେଇ ରହସ୍ୟମୟୀ ନାରୀର ରହସ୍ୟମୟତାକୁ ଆହୁରି ରହସ୍ୟମୟ କରିଦେବ । ବଞ୍ଚିବାର ବାହ୍ୟକତାର ସଚ୍ଚୋଟ୍ଟ ଫଟୋଗ୍ରାମ ନୁହେଁ, ଡାଆଣୀ ଆଲୁଅ ମନର କ୍ଷଣିକ ଜ୍ଵଳନ; ଜହ୍ନ ଆଲୁଅରେ ଜଳିଉଠୁଥିବା ଦୂର ନଈପଠା ମନର ଟିକିଏ ଝଲକ-। ଏଠାରେ ବର୍ଣ୍ଣନା ଏ ମନକୁ ବିଶ୍ଳେଷଣ କରେ ନାହିଁ । ସବୁ ବର୍ଣ୍ଣନା ସେ ରହସ୍ୟର ସୂଚନା ଦିଏ କେବଳ ଗୋଟିଏ ଗୋଟିଏ ଘଟଣା ଜରିଆରେ–ଯେମିତି ‘ସାଗର ତୃଷ୍ଣା’, ‘ଶେଷ ସୂର୍ଯ୍ୟାସ୍ତ’ ଓ ‘ତନ୍ଦ୍ରାଳସା’ ଗଳ୍ପଗୁଡ଼ିକ । ସବୁ ଗଳ୍ପଗୁଡ଼ିକ ଜୀବନର ରହସ୍ୟକୁ ପ୍ରକାଶ କରିବାର ଚେଷ୍ଟା-। ଏହା କେତେବେଳେ କଳା ଓ ଶିଳ୍ପୀ ସମ୍ପର୍କ ବା କେତେବେଳେ ବଞ୍ଚିବା ଆଉ ମୁକ୍ତି ଆଶାର ସଂଘର୍ଷ ଭିତରେ । ‘ସାଗର ତୃଷ୍ଣା’ର ନାୟିକା ମୁକ୍ତି ପାଇଁ ଆସିଛନ୍ତି । ଠିକ୍ ଲଗ୍ନରେ ସମୁଦ୍ରରେ ବୁଡ଼ପକାଇ ଏ ପଙ୍କିଳ ଜୀବନରୁ ମୁକ୍ତି ପାଇବା ଆଶାରେ । ସମୁଦ୍ର, ଆକାଶ, ପକ୍ଷୀ ସହ ବିରୋଧାଭାଷ ସୃଷ୍ଟି କରିଛି ଆମହର୍ଷ୍ଟ ଷ୍ଟ୍ରିଟ୍‌ର ଫ୍ଲଟ୍‌ । ମଥୁରୀ ମା’ର ମୃତ୍ୟୁ ଯେମିତି ମୁକ୍ତି ଚେତନାକୁ ଆହୁରି ଶାଣିତ କରୁଛି ତୃଷ୍ଣାଙ୍କ ମନରେ । ମାତ୍ର ଏହାରି ଭିତରେ କେମିତି ସମୁଦ୍ର ପରି ଫୁଲି ଫୁଲି ଉଠୁଛି ବଞ୍ଚିବାର ମୋହ । ଜୀବନର ପୂର୍ଣ୍ଣତା–ଧରିତ୍ରୀର ସ୍ଵର୍ଗ । ସେ ପାଟିକରି ଉଠୁଛନ୍ତି ‘‘ନା, ନା, ମୁକ୍ତି, ମୋର ଦରକାର ନାହିଁ । ଏଇ ଧରିତ୍ରୀ ମୋର ସ୍ଵର୍ଗ–‘ଶେଷ ସୂର୍ଯ୍ୟାସ୍ତ’ର ଶିଳ୍ପୀ ଗୋଟିଏ ମୁହୂର୍ତ୍ତକୁ ଖୋଜି ବୁଲୁଛି ଯେଉଁଠି କି ସେ ତା’ କଳାର ପୂର୍ଣ୍ଣତା ଆଣିପାରିବ । ସମୟ ସୁଅରେ ସେଇ ସୃଷ୍ଟିଶୀଳ ମୁହୂର୍ତ୍ତର ଅନ୍ୱେଷା ଯେମିତି କଳାର ପ୍ରାଣ । ସେମିତି ଏହା ହିଁ ପ୍ରାଣର କଳା । ଏହି ଗଳ୍ପଟିରେ କଳାର ରହସ୍ୟ ସହ କେମିତି କାରୁଣ୍ୟ ବି ଅଙ୍ଗାଙ୍ଗୀ ହୋଇ ମାନବ ସମ୍ପର୍କକୁ ଏକ ଶାଣିତ ଦୃଷ୍ଟିରେ ପ୍ରକାଶ କରୁଛି । ଏହି ଶାଣିତ ଦୃଷ୍ଟି ପୁଣି ସୂଚିତ ହୁଏ ‘ତନ୍ଦ୍ରାଳସା’ ଗଳ୍ପଟିରେ, ଯେତେବେଳେ ସାଫଲ୍ୟର ଚରମ ମୁହୂର୍ତ୍ତରେ ଚରମ ବିଫଳତା ମଧ୍ୟ ଦେଖାଦିଏ । ଶିଳ୍ପର ସଫଳତା ଭିତରେ ତା’ର ପ୍ରାଣ ମୃତ୍ୟୁବରଣ କରେ । ପଦ୍ମା ଆତ୍ମହତ୍ୟା କରେ । ଶିଳ୍ପୀ ପାଖରେ ପ୍ରଶ୍ନ ଉଠେ–“ତାଙ୍କ ସୃଷ୍ଟି, ଧ୍ୱଂସର ଲୋଳ ଜିହ୍ୱା ନା ସୃଷ୍ଟିର ଅଭିଜ୍ଞାନ; ମୃତ୍ୟୁର ପ୍ରସାରିତ ହାତ ନା ନବ ଜାତକର ମେରୁ ପ୍ରଭା-!”

ଏ ଗଳ୍ପଗୁଡ଼ିକ ଯେମିତି ସ୍ଥିର ଜଳରାଶିରେ ସନ୍ଧ୍ୟାର ଛାୟାପରି ସୁନ୍ଦର, ସାବଲୀଳ । ମାତ୍ର ଏହାରି ଭିତରେ ଯେମିତି ଛପି ରହିଛି ଗଭୀର ଜଳର ଗଭୀରତା । ଏଗୁଡ଼ିକର ବର୍ଣ୍ଣନା ଚାତୁରୀ ବେଶୀ କିଛି ନାହିଁ । ଗୋଟିଏ ଛୋଟ ଘଟଣା–ବାଲି ଉପରେ ବାଇନୋକୁଲାର ଧରି ବସିଥିବା ସ୍ଵାମୀ, ଦୋକାନ ବନ୍ଦ ହେବା ବେଳକୁ ଜଣେ ସ୍ତ୍ରୀର ଗୋଟିଏ ନାଲି ଶାଢ଼ି ପାଇଁ ବ୍ୟସ୍ତତା, ମୁକ୍ତି ବା ସଫଳତାର ମୁହୂର୍ତ୍ତରେ ପାର୍ଥିବ ଆକର୍ଷଣ ବା ମୃତ୍ୟୁ ବା ଶେଷରେ ଅସଫଳତା ଦ୍ୱାରା ଶିକାର ହୋଇଥିବା ଶିଳ୍ପୀର ସଫଳତା । ସବୁ ଘଟଣା ଅତି ସରଳ, ମାତ୍ର ଏହା ଭିତରେ ଫୁଟିଉଠେ ନାଟକୀୟତା । ଏହି ନାଟକୀୟତା ପଳାତକ ଗଳ୍ପର ମଧ୍ୟରେ ଅତି ସ୍ପଷ୍ଟ ।

କିନ୍ତୁ ଏହି ଦୃଷ୍ଟିଭଙ୍ଗୀରେ ଯେତେବେଳେ ସାମାନ୍ୟ ବ୍ୟଙ୍ଗ ମିଶିଯାଏ ସେତେବେଳେ ଆମର ସ୍ଥିତି କେମିତି କରୁଣ ହୋଇଉଠେ । ମଣିଷର ଅସହାୟତା ଆହୁରି ବିକଟ ହୋଇଉଠେ । ଏହି ପ୍ରସଙ୍ଗରେ ‘ପ୍ରତିଦ୍ୱନ୍ଦ୍ୱୀ’ ଗଳ୍ପଟିକୁ ନିଆଯାଇପାରେ । ଗଳ୍ପର ନାୟକ କୌଣସି ତାନ୍ତ୍ରିକ ପାଖକୁ ଆସିଛି କବଚ ନେବା ପାଇଁ । ଏହି କବଚ ବଳରେ ସେ ତା’ର ପ୍ରେମିକାକୁ ନିହାତି ନିଜସ୍ଵ ଭାବେ ପାଇପାରିବ । ତା’ର ପ୍ରତିଦ୍ଵନ୍ଦ୍ୱୀ କେହି ରହିବେ ନାହିଁ । ମାତ୍ର ଯେତେବେଳେ ସେ ତାନ୍ତ୍ରିକ ପାଖରୁ କବଚ ନେଇ ଫେରିଛି ସେ ଦେଖୁଛି ଆଉ ଜଣେ ବି ସେହି ତାନ୍ତ୍ରିକ ପାଖକୁ ଯାଉଛି ସେହି ଏକ କବଚ ନେବା ପାଇଁ । ତା’ର ଉଦ୍ଦେଶ୍ୟ ବି ଠିକ୍ ସେଇ ଏକ । ଏହିଠାରେ ତା’ର ବିଶ୍ଵାସ ମରିଯାଇଛି-। ତାନ୍ତ୍ରିକର ସମସ୍ତ ରହସ୍ୟମୟୀ ଶକ୍ତି ବ୍ୟବସାୟ ଭିତରେ ହଜିଯାଇଛି ଆଉ ତା’ରି ଶିକାର ହୋଇଛି ଏହି ଗଳ୍ପର ନାୟକ । ଆମରି ଆଗରେ ଆମ ଅସହାୟତା, ଆମ ଭିତରେ ଲୁଚିରହିଥିବା ପୁଞ୍ଜିଭୂତ ଅନ୍ଧବିଶ୍ଵାସ ଏହି ଗଳ୍ପଟିରେ ଫୁଟି ଉଠେ । ଠିକ୍ ସେହିପରି ବ୍ୟଙ୍ଗାତ୍ମକ କାରୁଣ୍ୟ ଦେଖା ଦିଏ “ଗୋଟିଏ ଅଶ୍ଳୀଳ ସନ୍ଧ୍ୟାର କାହାଣୀ’’ ଗଳ୍ପଟିରେ । ଏ ଗଳ୍ପଟିର ଭୂମିକା ସାମାନ୍ୟ ଭିନ୍ନ-। ଏଠାରେ ଯାନ୍ତ୍ରିକ ସଭ୍ୟତା ଭିତରେ, ଦାରିଦ୍ର୍ୟର କଷାଘାତ ଆଉ ସେଇଥିପାଇଁ ମଣିଷ କେମିତି ଧୀରେ ଧୀରେ ତଳକୁ ତଳକୁ ଖସିଯାଉଛି–କେବଳ କଞ୍ଚା ମାଂସର ଦିଆ ନିଆରେ ବ୍ୟସ୍ତ ରହୁଛି ତା’ର ଏକ କରୁଣ ପ୍ରକାଶ । ଏ ଗଳ୍ପଟି ଆଜିର ବଞ୍ଚିବାର ଟ୍ରେଜେଡ଼ି ତା’ର ମୂଲ୍ୟବୋଧହୀନତାର ଟ୍ରେଜେଡ଼ି । ଏଠାରେ ଗାଳ୍ପିକଙ୍କ ଭୂମିକା ଭିନ୍ନ । ସେ ଯେମିତି ଏକ ନାଟକର ଅନୁଭବୀ ଦ୍ରଷ୍ଟା-। ଗଳ୍ପର ନାୟକର ବିକ୍ଷିପ୍ତ ଚିନ୍ତାଧାରା ଭିତରେ ଆମ ନର୍କର ଫର୍ଦ୍ଦ ମୁକୁଳି ଯାଏ । ଛିଡ଼ା ଛିଡ଼ା ମେଘ ପରି ଅସଂଲଗ୍ନ ଭାବନା ରାଶି ଭିତରେ ଆମ ବଞ୍ଚିବାର ଯେଉଁ ଆଭାସଟି ମିଳେ ତାହା ହିଁ ବାସ୍ତବତା-। ଆମର ଅନୁଭୂତି ଜୀବନ । ମଣିଷର ଅଶ୍ରୁଳ ସ୍ଥିତିଟି ଉକୁଟି ଉଠୁଛି । ଏଇ ଅଶ୍ରୁଳ ସ୍ଥିତିରେ ଅନ୍ୟ ଏକ ଦିଗ ବଡ଼ କ୍ରୂର, କରୁଣ, ଅଥଚ ବ୍ୟଙ୍ଗାତ୍ମକ ଭାବେ ଫୁଟିଉଠେ ‘ଏକ ପୌଷ ରାତ୍ରିର ସଙ୍ଗୀତ’ ଗଳ୍ପରେ । ‘ଏକ ଅଶ୍ଳୀଳ ସନ୍ଧ୍ୟାର କାହାଣୀ’ ଗଳ୍ପରେ ଆମେ ଦେଖୁ ବଞ୍ଚିବାର ବିକଟ ସାଧନା ଭିତରେ ମଣିଷର ସ୍ଵପ୍ନ, ମୂଲ୍ୟବୋଧ ସବୁ କେମିତି ହଜିଯାଏ । ମାତ୍ର ଏ ଗଳ୍ପର କ୍ୟାନ୍‌ଭାସ ଭିନ୍ନ-। ଏହାର ଚରିତ୍ର ଓ ପରିବେଶ ମଧ୍ୟ ଭିନ୍ନ । ଏହା ଆଭିଜାତ୍ୟ ଓ ବିଳାସ ଭିତରେ ମଣିଷର ଅସହାୟତାର ଏକ ଚମତ୍କାର ନାଟକୀୟ ପ୍ରକାଶ । ଏହା ବି ଆମ ତଳକୁ ଖସିଯିବାର କଥା । ବଡ଼ ଶାଣିତ ଭାବରେ ରୂପ ପାଇଛି ଆଧୁନିକ ସମ୍ପର୍କର ଶିଥିଳତାର କଥା । ଏହା ଯେମିତି ଆଧୁନିକ ଜୀବନର ନାଟକୀୟତାର ଏକ ନଗ୍ନ ବର୍ଣ୍ଣନା ।

ଏହା ବାଦ୍ ‘କଳି’, ଚମସ୍‍କି ଏବଂ ଶୋକ ସମ୍ବାଦ ତିନୋଟି ଭିନ୍ନ ସ୍ଵାଦର ଗଳ୍ପ । ଏଠାରେ ବ୍ୟଙ୍ଗ ସାମାନ୍ୟ ହାଲୁକା ଧରଣର, କାରଣ ଏହାର ସ୍ଵର ମୁଖ୍ୟତଃ ହାସ୍ୟରସାତ୍ମକ । ଏଠାରେ ବ୍ୟଙ୍ଗ ଉଭୟ ସମାଜର ବ୍ୟାହିକତା, ପୁଣି ମନର ରହସ୍ୟ ପ୍ରତି । ଶୋକ ସମ୍ବାଦରେ ଆମ ସମାଜରେ ଚାଲିଥିବା ବ୍ୟଭିଚାର–ସାମ୍ବାଦିକତାରେ ଚାଲିଥିବା ଆନ୍ତରିକହୀନତା, ପୁଣି ନିଜର ପ୍ରଚାର ପାଇଁ ଲାଳସା ଆଦି ଲେଖକଙ୍କର ଶରବ୍ୟ ହୋଇଛି । ମାତ୍ର ‘କଲି’ରେ ଫେସନ୍ ପ୍ରତି ଯେତେ ବ୍ୟଙ୍ଗ ନୁହେଁ–ଫେସନ୍ ପ୍ରତି ଆମ ଦୃଷ୍ଟିକୋଣର ବିଶେଷତଃ ବୟସ୍କମାନଙ୍କର ଦୃଷ୍ଟିକୋଣହିଁ ଆଲେଚ୍ୟ ବସ୍ତୁ । ଏହି ଦୁଇ ଗଳ୍ପରେ ମଣିଷ ମନର ସେଇ ଭିତିରି ସତ୍ୟଟି ଖୋଜି ପାଇବାର ଚେଷ୍ଠା–ବାହ୍ୟ ମୁଖାଟିକୁ ଖୋଲିଦେବାର ଚେଷ୍ଟା । ଗୋଟିକରେ ପ୍ରଚାର ଲୋଭ, ପୁଣି ଅନ୍ୟଟିରେ ସମୟ ସହ ଖାପ୍ ଖୁଆଇବାକୁ ଯାଇ ଚିରନ୍ତନ ସତ୍ୟଟିକୁ ବୁଝି ନ ପାରିବାର ଅସଫଳତା । ‘‘ଚମ୍‌ସି’’ ଗଳ୍ପଟି ଏକ “ଅଶ୍ଳିଳ ସନ୍ଧ୍ୟାର କାହାଣୀ’’ ପରି ଚେତନାପ୍ରବାହ ଶୈଳୀର ଆଶ୍ରୟ ନେଇଛି ।

ଏହି ଗଳ୍ପଗୁଡ଼ିକରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ହାସ୍ୟରସର ସମ୍ୟକ୍ ଧାରଣା ମିଳେ । ତାଙ୍କର ସବୁ ଗଳ୍ପଗୁଡ଼ିକ ପ୍ରାୟ ଗମ୍ଭୀର । ଜୀବନର କୌଣସି ଏକ ନିଚ୍ଛକ ଯନ୍ତ୍ରଣାକୁ ହିଁ ରୂପ ଦେବାରେ ଚେଷ୍ଟା କରିଥାଏ । ମାତ୍ର ଏ ଧରଣର ଗଳ୍ପଗୁଡ଼ିକରେ ହାସ୍ୟରସର ପୁଟ ବେଶ୍ ଉପଭୋଗ୍ୟ ପୁଣି ଏ ହସ ପଛରେ ଛପି ରହିଥିବା କାରୁଣ୍ୟଟି ମଧ୍ୟ ବେଶ୍ ସ୍ପଷ୍ଟ ।

ଆଲୋଚିତ ଗଳ୍ପଗୁଡ଼ିକୁ ପଢ଼ିଲେ ଗଳ୍ପ କହିବାର ସାବଲୀଳତା ପ୍ରଥମେ ମନକୁ ଛୁଏଁ । ଏକ ସାବଲୀନ ଭଙ୍ଗିରେ ଶ୍ରୀଯୁକ୍ତ ମହାପାତ୍ର ନିଜ କଥାକୁ କହିବାର ଚେଷ୍ଟା କରିଥାନ୍ତି–ବିଶେଷ କରି ଗୋଟିଏ ଘଟଣା ସୃଷ୍ଟିକରି । ଗୋଟିଏ ଘଟଣାକୁ ମାଧ୍ୟମ କରି ସେ ଚରିତ୍ରଗୁଡ଼ିକର ମନଗହନକୁ ବିଶ୍ଳେଷଣ କରନ୍ତି ନାହିଁ । ପୁଣି ବିଶ୍ଳେଷଣ କରିବାକୁ ଯାଇ ମନସ୍ତତ୍ଵର ବିଭିନ୍ନ ଥିଓରୀର ସାହାଯ୍ୟ ନେଇ ନ ଥା’ନ୍ତି । ଫଳରେ ତାଙ୍କ ଗଳ୍ପଗୁଡ଼ିକ ନିରସ ବିଶ୍ଳେଷଣ ହୁଏ ନାହିଁ; ହୁଏ ନାହିଁ ବି ମନସ୍ତତ୍ଵର ଦାନ୍ତନିକୁଟା ପ୍ରତିଧ୍ୱନି । ତାଙ୍କ ଦ୍ୱାରା ସୃଷ୍ଟ ଘଟଣା, ପରିବେଶ ବା ଚରିତ୍ର ହିଁ ଏହି ବିଶ୍ଳେଷଣ, ଏହି ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣର ପ୍ରତୀକ । ସ୍ଵୟଂ ସମ୍ପୂର୍ଣ୍ଣ–ମାଧ୍ୟମ ନୁହେଁ । ଏଇଥିପାଇଁ ତାଙ୍କ ଗଳ୍ପଗୁଡ଼ିକ ସାବଲୀଳ କାହାଣୀଟି କହେ ଆଉ ସେଇ କାହାଣୀଟି ବାସ୍ତବତାର ବିଭିନ୍ନ ସ୍ତରକୁ ସୂଚେଇ ଦେଇଥାଏ । ଯେମିତି ‘ଶେଷ ସୂର୍ଯ୍ୟାସ୍ତ’, ‘ବାଲିକଙ୍କଡ଼ା’ ଆଦି ଗଳ୍ପ । ଏଗୁଡ଼ିକରେ ଘଟଣାର ନାଟକୀୟତା ଅଛି ପୁଣି ନାଟକୀୟତାରେ ଚମତ୍କାରିତା ଅଛି ମାତ୍ର ଏହା ଗଳ୍ପର ସମାପ୍ତି ନୁହେଁ । ଏହି ନାଟକୀୟତା, ଘଟଣା ସବୁ କୌଣସି ଏକ ବୃହତ୍ତର, ରହସ୍ୟମୟୀର ସୂଚନା ଦେଇଯାଏ । ପୁଣି ବେଳେ ବେଳେ ସେ କେବଳ ଏକ ବାତାବରଣ ସୃଷ୍ଟି କରିଥା’ନ୍ତି । ‘ରୌଦ୍ରର ଅଭିଶାପ’ ବା ‘ବର୍ଷା: ମନର ମୃଗ’ ଆଦି ଗଳ୍ପ । ପ୍ରଥମ ଗଳ୍ପରେ ବାହାରେ ରୌଦ୍ର ଯେମିତି ନିଜେ ମୃତ୍ୟୁ ଏବଂ ତାହାରି ଶିକାର ହୋଇଛି ଗଳ୍ପର ଚରିତ୍ର । ଠିକ୍ ସେମିତି ବର୍ଷା ଆଣିଛି ଉନ୍ମାଦନା ଏବଂ ହଠାତ୍‌ ନାଚି ଉଠିଛି ହୁଏତ ଟିକିଏ ଖାପଛଡ଼ା ହୋଇ । ଅଚେତନ ମନର ଅବଦମିତ କାମନାଗୁଡ଼ିକ କେମିତି ମୁଣ୍ଡ ଟେକିଛି । ଅଚେତନ ମନର ଅନ୍ଧାର ଭିତରକୁ ଯେମିତି ଗାଳ୍ପିକ ଟର୍ଚ୍ଚ ଆଲୁଅ ପକାଇ ଦେଇଛନ୍ତି ଏବଂ ସେ ଆଲୁଅରେ ଚମକି ଉଡ଼ି ଯାଇଛନ୍ତି ଅବଚେତନ ମନର ଅନେକ ଚେମିଣି । ଏଠାରେ ବି ବିଶ୍ଳେଷଣ ନାହିଁ ଖାଲି ସୂଚନା । ରୌଦ୍ରର ଅଭିଶାପ ସେମିତି ଏକ ଖରାର କବିତା । ତୃଷ୍ଣାର ପ୍ରତୀକ । ଆକର୍ଷଣର, ଯନ୍ତ୍ରଣାର ପ୍ରତୀକ । ଏଠାରେ ଗଳ୍ପ ବାହ୍ୟତାର ପ୍ରକାଶ କରି ମନ ଭିତରର ସୂଚନା ଦେବାରେ ଚେଷ୍ଟିତ । ‘ବୁଲା କୁକୁର ପୋଷା କୁକୁର’ ଗଳ୍ପଟି ମଧ୍ୟ ଗୋଟିଏ ଛୋଟ ପିଲାଟିର ମନର ପ୍ରକାଶ । ତା’ ମନରେ ଦେଖା ଦେଇଥିବା ଦୁଃଖ ହିଁ ଏହାର ବିଷୟବସ୍ତୁ ।

ତେଣୁ ଶ୍ରୀଯୁକ୍ତ ମହାପାତ୍ର ଜୀବନର ବାହ୍ୟତାକୁ ବେଶୀ ପ୍ରକାଶ କରିବାର ଆଗ୍ରହୀ ନୁହନ୍ତି । ତାଙ୍କ ଗଳ୍ପରେ ବିଭିନ୍ନ ପରିସ୍ଥିତିରେ ଫୁଟି ଉଠୁଥିବା ସେଇ ଅବୁଝା ଛବିଟିକୁ ବୁଝିବାର ପ୍ରୟାସ । ଆଉ ଏ ପ୍ରୟାସ କୌଣସି ସଠିକ ରୂପ ନେଇ ନଥିଲେ ହେଁ ସାବଲୀଳତା ଏହାର ଏକ ବିଶେଷ ଦିଗ । ଗଳ୍ପ ଲେଖାର ପରବର୍ତ୍ତୀ ପର୍ଯ୍ୟାୟରେ ସେ ଏହି ସାବଲୀଳତା ଅର୍ଥାତ୍ କହିବାର ଅକୃତ୍ରିମତାକୁ ବେଶୀ ଅକ୍ତିୟାର କରିପାରିଛନ୍ତି । ଘଟଣା ଓ ଭାଷା ସବୁ କେମିତି ସୃଚ୍ଛନ୍ଦ ହୋଇ ଉଠୁଛି । ପରୀକ୍ଷା, ଥିଓରୀ ଗଳ୍ପ କହିବାକୁ ଆଚ୍ଛାଦିତ କରୁ ନାହିଁ । ବୌଦ୍ଧିକତା ରହିଛି ମାତ୍ର ଏକମାତ୍ର ପରିଣତିରେ, ପରିଣତ ହେଉ ନାହିଁ । ‘ବାଲି କଙ୍କଡ଼ା’ ଗଳ୍ପଟିକୁ ପୁଣି ନିଆଯାଇପାରେ । ଏଠାରେ ଆଙ୍ଗୀକର ଚକ୍ରବ୍ୟୂହ ନାହିଁ, ଚିନ୍ତାର ଗାମ୍ଭୀର୍ଯ୍ୟ ନାହିଁ ମାତ୍ର ଅତି ସହଜ ଭାବରେ ଜୀବନର ଚକ୍ରବ୍ୟୂହକୁ ଭେଦି ଯିବାର ପ୍ରୟାସ ରହିଛି । ଏହା ସେହି ସମୁଦ୍ର ପରି ସାବଲୀଳ ଅଥଚ ଗମ୍ଭୀର । ଗଳ୍ପ ଶୁଣିବା ଭିତରେ ଜୀବନର ସବୁ ରହସ୍ୟ ଫୁଟି ଉଠୁଛି । ଜାଣିବା ଆଗରୁ ଜୀବନ ସହ ମୁହାଁମୁହିଁ ହେବାକୁ ପଡ଼ୁଛି । ଏହା ହିଁ ଏହାର ବିଶେଷତ୍ଵ । ଆଜିର ଗଳ୍ପ କେମିତି ୬ଷ୍ଠ ଦଶକର କବିତା ପରି ଧୀରେ ଧୀରେ ବୌଦ୍ଧିକତାର ଶିକାର ହୋଇଯାଉଛି । ଫଳରେ ବୁଦ୍ଧିକୁ ଆଲୋଡ଼ିତ କରୁଥାଇପାରେ, ଚମକ୍ ଦେଉଥାଇପାରେ ମାତ୍ର ଅନେକ ସମୟରେ ମନକୁ ଛୁଇଁପାରୁ ନାହିଁ । ଶ୍ରୀଯୁକ୍ତ ମହାପାତ୍ରଙ୍କ ଗଳ୍ପ ଏହି ଧାରା ବିରୁଦ୍ଧରେ ଏକ କ୍ଷୀଣସ୍ଵର । ଏ ସ୍ଵର କ୍ଷୀଣ ହୋଇପାରେ ମାତ୍ର ଏହାର ମହକ ନିହାତି ନିଜସ୍ୱ ।

ଶ୍ରୀଯୁକ୍ତ ମହାପାତ୍ରଙ୍କ କାହାଣୀର ଏହି ନିଜସ୍ଵତା ହିଁ ତାଙ୍କ ବିଶେଷତ୍ଵ । ତାଙ୍କ ଗଳ୍ପ ଯେମିତି ସାଧାରଣ ବର୍ଷାର ଅସରା । ଆସେ, ତିନ୍ତାଇ ଦିଏ ପୁଣି ମନରେ ଭରି ଦିଏ ଭିଜା ମାଟିର ଗନ୍ଧ । ଆଈ ବୁଢ଼ୀର କାହାଣୀ ଶୁଣି ଶୁଣି ‘ହୁଁ’ ଟିଏ ମାରି ଶୋଇ ଯାଇହୁଏ । କେତେବେଳେ ଲୋମ ଟାଙ୍କୁରି ଉଠେ, କେତେବେଳେ ମନ ଚହଲିଯାଏ । ଆଉ ଚିନ୍ତା, ପ୍ରଜ୍ଞା ? ଆନ୍ଦୋଳିତ ହେଉଥିବ କିଏ ଜାଣିଛି ! ମନ ନ ଚହଲି ଯଦି ବୁଦ୍ଧି ଚହଲେ ସିଏ ତ ଗପ ହେବନି । ଆଉ କିଛି ହୋଇପାରେ-। ପୁଣି ଗପ ଶୁଣି ଶୁଣି ଖାଲି ଶୋଇଗଲେ ମଧ୍ୟ ମନ ମାନିବନି–ତାକୁ ସ୍ୱପ୍ନରେ ଦେଖିବାକୁ ହେବ–ପୁଣି ତାକୁ ଭାବିବାକୁ ପଡ଼ିବ । ଏଇଥିରେ ସଫଳତା । ଖାଲି ଗଳ୍ପର ନୁହେଁ ସବୁ କଳାର ।

ଏଇ ସାବଲୀଳ, ମନ ଚହଲା ଗୁଣ ଟିକକ ତାଙ୍କ ଗପ । ଆଜି ଆମେ ଏଇପରି ଗପ ଟିକକ ଶୁଣିବାକୁ ଚାହୁଁ । ଯା’କୁ ନେଇ ନିଜକୁ ଟିକିଏ ଭୁଲି ହେବ–ଆନନ୍ଦରେ ଭାବି ହେବ । ଖାଲି ଭାବନା, ଚିନ୍ତା, ଦର୍ଶନ ଗଳ୍ପର ଦେୟ କେବେ ନୁହେଁ । ସେଥିପାଇଁ ଅନ୍ୟ ଜିନିଷ ଅନେକ ଅଛି । ଶ୍ରୀଯୁକ୍ତ ମହାପାତ୍ରଙ୍କ ଗପରେ ସହଜ ଭାବରେ ନିଜକୁ ଭୁଲି ନିଜର ଭିନ୍ନ ରୂପକ ପାଇପାରୁଥିବାରୁ ତାଙ୍କ ପାଖରେ ମୁଁ ଋଣୀ । ଏତିକି ପ୍ରାର୍ଥନା, ତାଙ୍କ ଗପ ଆଜିର ଚହଳ ପକା ଯୁଗରେ ଏମିତି ବ୍ୟତିକ୍ରମଟିଏ ହୋଇ ସରଳ ଭାବେ ତାଙ୍କ କଥା କହିଯା’ନ୍ତୁ । ନିଜେ ଚହଳ ନ ପକାଇ ଆମ ମନକୁ ଚହଲାଇ ଦିଅନ୍ତୁ ।

ପୂର୍ବରୁ କହିଛି, ତାଙ୍କ ଗପ ପାଖରେ ମୁଁ ଋଣୀ । ଆଉ ମୋର ଏ ସାମାନ୍ୟ ଲେଖା ଏହି ଋଣର ସାମାନ୍ୟତମ ପରିଶୋଧର ଚେଷ୍ଟା–ଯା’ କେବେ ସମ୍ଭବ ହେବନି । ନହେବାହିଁ ମୋର ଗୌରବ ।

 

ସୌରୀନ୍ଦ୍ର ବାରିକ

ପ୍ରାଧ୍ୟାପକ, ଇଂରାଜୀ ବିଭାଗ, ଭଦ୍ରକ

Image

 

ଏକ ଅଶ୍ଳୀଳ ସନ୍ଧ୍ୟାର କାହାଣୀ

 

ଏକ ଲାଜବନ୍ତୀ ବଧୂର ଝୀନ ଉତ୍ତରୀ ଟାଣି ନଇଁ ଆସିଲା କାନ୍ତ କୋମଳ ସନ୍ଧ୍ୟା–ଫାଲ୍‌ଗୁନର ଏକ ଲଳିତ ନିଃଶବ୍ଦ ସ୍ଵର ।

 

ଚତୁର୍ଦ୍ଦିଗରେ ଗୋଧୂଳି ପ୍ରଲେପି ଦେଇଛି ଈଷତ୍ ଲୋହିତ ରଙ୍ଗ । ଏକ କୁଶଳୀ କଳାକାର ତା’ ପଟ୍ଟର ପୃଷ୍ଠଭୂମିରେ ଚିତ୍ରଟିକୁ ଅଧିକ ସାଫଲ୍ୟ କରି ପ୍ରକାଶିବା ପାଇଁ ଯେପରି ରଙ୍ଗ ଦେଉଛି ତୂଳୀରେ ।

 

ପଶ୍ଚିମାକାଶର ଚକ୍ରବାଳରେ ରକ୍ତଲାଲର ଛିଟା ଚୁମ୍ବନ ବେଳେ ପ୍ରେମିକାର ମୁଖ ହଠାତ୍ ରକ୍ତବର୍ଣ୍ଣ ଧାରଣ କରିବାପରି, ଆକାଶ ମୁହଁରେ ଜବାକୁସୁମର ରକ୍ତିମ ପ୍ରଶାନ୍ତି । ବିସ୍ତୃତ ନୀଳାକାଶ, ବୃକ୍ଷଲତା ଆଉ ସମୀରଣରେ ସଞ୍ଚାରଣ କରିଛି ଗୋଧୂଳିର ସ୍ୱଳ୍ପଲାଲ ଅବିରର ରେଣୁ ।

 

ବିଭୁ ଶରୀରରେ ମଧ୍ୟ ସନ୍ଧ୍ୟା-ସାଗର ଶାନ୍ତ ସ୍ନିଗ୍‌ଧ ଛାଇ ।

 

ଛାତ୍ର ଜୀବନରେ ଏକଦା ବିପ୍ଳବୀ ନେତା ଶୀର୍ଣ୍ଣକାୟ ବିଭୁ, ଯାହାର ପ୍ରଚକ୍ଷୁର କାଚତଳେ ଏବେ ବି ସିଗାରେଟରେ ଦପ୍ ଦପ୍ ନିଆଁ ପରି ଚକ୍ଷୁ ଦୁଇଟିରୁ ଅଗ୍ନିସ୍ପୁଲିଙ୍ଗ ବାହାରେ, କୀଟଦଂଷ୍ଟ୍ର ପତନୋନ୍ମୁଖୀ ସମାଜକୁ ଜାଳିପୋଡ଼ି ଧ୍ୱଂସ କରିଦେବା ପାଇଁ । ଏକ ପାତଳ ପଞ୍ଜାବି ପରିହିତ ସେଇ ବିଭୁ ସେତେବେଳେ ବଜ୍ର କଣ୍ଠରେ ଟେବୁଲ ବାଡ଼େଇ ପୁଞ୍ଜିବାଦ ଶାସନକୁ ଟାଉନହଲରେ ଖିନ୍‍ଭିନ୍ ଆକ୍ରମଣ କରେ, ଘନ ଘନ କରତାଳି ସହ ଜନତା ପାଟି କରି ଉଠେ–ହିଏର୍ ! ହିଏର୍ ! ଅଯତ୍ନ ଟାଆଁଶିଆ କେଶ, ମୁହଁରେ ଛୋଟ ଛୋଟ ଶ୍ମଶ୍ରୁ, ହାତରେ ଆଟେଚି ଚମଡ଼ା ବ୍ୟାଗ, ପାଦରେ ଶସ୍ତା ଦାମର ପୁରୁଣା ଚପଲ, ତା’ର ଯେଉଁ ବଳିଷ୍ଠ ବ୍ୟକ୍ତିତ୍ଵର ପ୍ରକାଶ କରନ୍ତି, ଦଳିତ ସର୍ବହରାଙ୍କର ସେ ଯେ ପ୍ରକୃତ ପ୍ରତିନିଧି ତାହା ସମସ୍ତେ ସ୍ଵୀକାର କରିବେ ।

 

ସେଇ ବିଭୁ । ସ୍ଥାନୀୟ ଦରଜି ସଂଘର ବାମପନ୍ଥୀ ବିପ୍ଳବୀ ନେତା ବିଭୁ ରାୟ ।

 

ଶେଷ ଫେବୃୟାରୀର ପ୍ରାଣବନ୍ତ ସନ୍ଧ୍ୟା । ବିଭୁ ଆସି ବସିଛି ସହର ଉପକଣ୍ଠର ଏକ ନିର୍ଜନ ସ୍ଥାନରେ–ଭବିଷ୍ୟତ ବିପ୍ଳବର ଏକ ନକ୍‌ସା ନେଇ । ଅନ୍ୟମାନଙ୍କ ପରି ଜୀବନର ଘାତ ପ୍ରତିଘାତରେ ରକ୍ତାକ୍ତ ହୋଇ ସେ ଏଠାକୁ ଧାଇଁ ଆସେ ନାହିଁ ସେ ସବୁର ଉପଶମ ପାଇଁ । ତା’ର ଉଦ୍ଦେଶ୍ୟ ଭିନ୍ନ । ସେ ସନ୍ଧ୍ୟାକୁ ଭଲପାଏ, କାରଣ ତାହା ଉନ୍ନତ ଚିନ୍ତାର ଖୋରାକ ଯୋଗାଏ ତାକୁ-

 

ସେ ଦିନ ରାସ୍ତାଧାରର ଏକ ଛୋଟ ସିମେଣ୍ଟ ପୋଲ ଉପରେ ଗୋଡ଼ ଓହଳାଇ ସେ ଉପଭୋଗ କରୁଥିଲା ମଧୁର ସନ୍ଧ୍ୟାଶ୍ରୀ । ଅନତି ଦୂରେ ଏକ ଅବୋଧ ଚପଳମତି ଶିଶୁ ବାଳିକା ପରି ଲମ୍ପ ଦେଇ ଦେଇ ବହି ଯାଉଛି କୋଏଲ ନଦୀ । ଭୀତତ୍ରସ୍ତ ସରୀସୃପଟିଏ ଯେପରି କ୍ଷିପ୍ର ଗତିରେ ଦଉଡ଼ି ଯାଇଛି କେଉଁ ଏକ ନିରାପଦ ସ୍ଥାନକୁ ଆତ୍ମଗୋପନ ପାଇଁ ।

 

ମନରେ ନୂତନ ଭାବନା ଉଜ୍ଜୀବିତ କରି ଅଦୂରର ଶ୍ୟାମଳ ପାହାଡ଼କୋଣରୁ ଆସୁଛି ମନ୍ଦଶୀତଳ ସମୀରଣ । ବିଭୁର ଅଯତ୍ନ କେଶକୁ ହଲାଇଦେଇ ଯାଉଛି ମଝିରେ ମଝିରେ–ଶସ୍ୟ କ୍ଷେତର ଲହଡ଼ି ପରି ।

 

ମୈନାବତୀ ବାସନ୍ତୀ ସନ୍ଧ୍ୟା ମୁହଁରେ ମଦାଳସୀ ଚାହାଣି । ବିଭୁ ଦୃଷ୍ଟିକ୍ଷେପ କଲା ଏକ କୋଣରେ ଥିବା କ୍ୟାଥୋଲିକ ଗିର୍ଜା ଆଡ଼େ । ସାତ ସମୁଦ୍ର ପାର ହୋଇ, ନିଜ ଦେଶର ମାୟାମମତା ଭୁଲି ମିସନାରୀ ଆସିଛନ୍ତି ତା’ପୈତୃକ ଭୂମିରେ ଯୀଶୁଙ୍କର ମହନୀୟବାଣୀ ପ୍ରଚାର ପାଇଁ । ଘଞ୍ଚ ପାହାଡ଼ ଜଙ୍ଗଲାବୃତ୍ତ ସ୍ଥାନଟିକୁ ପରିଷ୍କାର କରି ସେମାନେ ତୋଳିଛନ୍ତି ଏଇ ଚର୍ଚ୍ଚଟିକୁ । ହୃଦୟ କେଡ଼େ ମହାନ ତାଙ୍କର ! ଅଶିକ୍ଷିତ ଅସଭ୍ୟ ଭାରତୀୟଙ୍କୁ ଆଲୋକର ପଥ ଦର୍ଶାଇବା ପାଇଁ ପ୍ରାଣ ତାଙ୍କର କେତେ ବ୍ୟାକୁଳ ! ଭାରତୀୟଙ୍କୁ ଦେବେ ନୀତି ଶିକ୍ଷା, ଯାହାକି ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶୁଦ୍ଧପୂତ ଚିତ୍ତରେ ବିତରଣ କରିଥିଲେ ଏକ ପର୍ବତ ଶିଖରୁ । ତାଙ୍କର ଉଦାରବାଣୀ ପ୍ରଚାର କରି ପୃଥିବୀରେ ସେମାନେ ସ୍ଥାପିବେ ଶାନ୍ତି ଓ ଭ୍ରାତୃତ୍ଵ !

 

ବିଭୁ ମନେମନେ ଉତ୍ତେଜିତ ହୋଇଉଠିଲା । ଧର୍ମ, ଭଗବାନ ସବୁ ଅଫିମଗ୍ରସ୍ତ ରୋଗୀର କ୍ଳୀବ ମନର ଜୀର୍ଣ୍ଣ ସ୍ଵପ୍ନ । ଧର୍ମ ହେଉଛି ଏକ–ମାନବବାଦ । ବିପ୍ଳବ । ବିଦ୍ରୋହ....

 

ଗିର୍ଜା ଟାୱାରର କ୍ରସ୍‍ଟି ଉପରେ ଗୃହ ଫେରନ୍ତା କୁଆଟିଏ ବସି ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିଛି ଜଳକୁ, ନୂତନ ରାସ୍ତା ସର୍ଭେ ସମୟର ଏକ ଓଭରସିଅର ପରି ।

 

ବିଭୁ ଆବିଷ୍ଟ ଆଖିରେ ଚାହିଁଲା ସେଇ ଦିଗକୁ । ଆପାଦ ମସ୍ତକ ଶଙ୍ଖ ଶୁଭ୍ରବସ୍ତ୍ରାଚ୍ଛାଦିତା ନନ୍ ଦୁଇଜଣ ଫାଟକ ଉନ୍ମୁକ୍ତ କରି ବାହାରି ଆସୁଛନ୍ତି । ସ୍ଵପ୍ନାକ୍ରାନ୍ତ ସନ୍ଧ୍ୟାର ଦ୍ଵାର ଦେଶରେ ସ୍ଵପ୍ନହରା ଦୁଇ ପଥିକ ! ହାତରେ ତାଙ୍କର ମରୋକ ଚମଡ଼ା ବନ୍ଧାଇ ବାଇବଲ । ବକ୍ଷରେ କୃଷ୍ଣ ବର୍ଣ୍ଣର କ୍ରସ ଚିହ୍ନ । ସମସ୍ତ କାମନାର ବିନାଶ ପାଇଁ ସଂକଳ୍ପ କରି ସେମାନେ ହେଇଛନ୍ତି ସଂଘମିତ୍ତା-। ବରି ନେଇଛନ୍ତି ଆଜୀବନ ସନ୍ନ୍ୟାସିନୀର ଜୀବନ ।

 

କାମନାର ବିନାଶରେ ଦୁଃଖର ବିନାଶ । କଠୋର ବ୍ରତ ନେଇ ରାଜପୁତ୍ର ଶାକ୍ୟସିଂହ ଅବଶେଷରେ ଉପନୀତ ହେଲେ ଏଇ ସତ୍ୟର ସିଦ୍ଧାନ୍ତରେ ।

 

ଯଦି କାମନାର ପରିପୂର୍ଣ୍ଣତାରେ ଶୋକର ବିନାଶ ପାଇଁ ଚେଷ୍ଟା କରାଯାଏ, ଯଦି ସନ୍ଧ୍ୟାଶ୍ରୀର ରଙ୍ଗରେ ନିଜକୁ ରଙ୍ଗୀନ କରାଯାଇପାରେ...

 

ଶାକ୍ୟସିଂହ ଉତ୍ତର ଦେଇଛନ୍ତି ତା’ର ।

 

ସନ୍ଧ୍ୟା ଉତ୍ତର ଦେଉଛି ତା’ର ।

 

ନନ୍ ଦୁଇଜଣ ବିଭୁର ସମ୍ମୁଖ ଦେଇ ଚାଲି ଯାଉଛନ୍ତି । ପାଂଶୁଳ ଅଧରରେ ମରୁ ନଦୀପରି ଶୁଖିଯାଇଛି ତୃଷ୍ଣା । ଆଖି ଦୁଇଟି ଆପାତଃ ସ୍ଥିର । ସେଥିରୁ ଯେପରି କିଏ ଛାଣି ନେଇ ଯାଇଛି ଜୀବନର ସମସ୍ତ ଆନନ୍ଦୋଚ୍ଛ୍ଵାସ ।

 

ଏ କମନୀୟ ସନ୍ଧ୍ୟାର ସଙ୍ଗୀତ ଝଙ୍କାରରେ ସେମାନଙ୍କ ହୃଦୟ ତଳେ ପ୍ରଚ୍ଛନଭାବେ ଲୁକ୍‌କାୟିତ, ସେଇ ରମଣୀୟ ପ୍ରାଗୈତିହାସିକ କାମନା କ’ଣ ଉଜ୍ଜୀବିତ ହୁଏ ନାହିଁ ? ଚର୍ଚ୍ଚର ପଶ୍ଚାତରେ ଶିମୁଳି ଗଛ ଯେଉଁ ପୁଷ୍ପସମ୍ଭାର ଆଣି ଭେଟି ଦେଉଛି, ତାହା ଦେଖି ତାଙ୍କ ମନରେ କ’ଣ କାମନାର ଉଷ୍ଣ ପ୍ରସ୍ରବଣ ପ୍ରବାହିତ ହେଉ ନାହିଁ ? ସଂଯମ ଓ ନିଷ୍ଠାର ଶୃଙ୍ଖଳରେ ବନ୍ଧା ସେହି ପାଣ୍ଡୁର ଚକ୍ଷୁରେ କୋଏଲ ନଦୀର ଲମ୍ପିତ ଢେଉର ପ୍ରତିଫଳନ କ’ଣ ଆସେ ନାହିଁ ? ଝିଙ୍କାରୀର ଅନବରତ ନହବତ୍ ତାଙ୍କ ହୃଦୟତନ୍ତ୍ରୀକୁ କ’ଣ ସ୍ପର୍ଶ କରେ ନାହିଁ ? ଆଶ୍ଚର୍ଯ୍ୟ ଏ ସୃଷ୍ଟି ! ବିଭୁ ଭାବୁଚି ସେମାନଙ୍କ ହାତରେ ଥିବା ବାଇବଲ ଯଦି ହଠାତ୍ ଏ ସନ୍ଧ୍ୟାର ଯାଦୁକରୀ ସ୍ପର୍ଶରେ ଓମାର ଗୀତିକା ହୋଇଯାଏ ! ଯଦି ସେମାନେ ସାକୀ ପରି ମତୁଆଲା ହୋଇଯିବେ ମୁହୂର୍ତ୍ତକ ପାଇଁ–କେବଳ ଏଇ ସନ୍ଧ୍ୟାକ ପାଇଁ–ତେବେ.....ତେବେ ହୁଏତ ଚର୍ଚ୍ଚର ଫାଦର ପାଟି କରି ଗର୍ଜି ଉଠିବେ–ବ୍ୟଭିଚାର ! ...ବ୍ୟଭିଚାର ! ...ଭଗବାନ ସେମାନଙ୍କ ଦୋଷ ପାଇଁ କ୍ଷମା ଦିଅ । ଆଣ୍ଠୁମାଡ଼ି ପ୍ରାର୍ଥନା କରି କହିବେ–ଅଭିଶପ୍ତ ଅଧମ ସେମାନେ । ପ୍ରଭୁ କ୍ଷମା ଦିଅ । ଆମେନ୍ ! ଆମେନ୍ !

 

ନନ୍ ଦୁଇଜଣ ହସୁଛନ୍ତି ।

 

ସେମାନେ ବି ହସି ପାରନ୍ତି ! ଏ ହସ ସଦ୍ୟସ୍ନାତା ମୁହଁର ଜ୍ୟୋତି ନା ପୁଞ୍ଜୀଭୂତ କାମନାର ବକ୍ରୋକ୍ତି ? ମାର୍କସ-ଏନ୍‌ଜେଲସର ଛାତ୍ର ବିଭୁ ପକ୍ଷରେ ବଡ଼ ଦୁରୂହ ହୋଇ ପଡ଼ିଲା ତାହା ବୁଝିବାପାଇଁ । କିନ୍ତୁ ସେମାନେ ହସୁଛନ୍ତି । ହଁ, ତା’ରି ଦିଗକୁ ଲକ୍ଷ୍ୟ କରି ହସୁଛନ୍ତି । …ବିଭୁ ଅନ୍ୟମନସ୍କ ପରି ଚାହିଁଲା କ୍ରସଟି ଉପରେ ଥିବା କୁଆଟିକୁ । ... କାହିଁକି ସେମାନେ ହସୁଛନ୍ତି ? ତା’ ଅସହାୟତାର ବିଦ୍ରୂପ କରି ? ତା’ ନଗ୍ନମନର ପୃଷ୍ଠାସବୁକୁ ତେବେ ସେମାନେ ଅଧ୍ୟୟନ କରିପାରିଛନ୍ତି ?

 

ବହୁ ଦୂରକୁ ଚାଲିଗଲେଣି ସେମାନେ । ବିଭୁ ସାମାନ୍ୟ ଆଶ୍ଵସ୍ତି ଲାଭ କଲା । କ୍ରସ ଉପରୁ ଏହା ମଧ୍ୟରେ ଉଡ଼ିଗଲାଣି ସାଥିହରା କୁଆଟା ।

 

ରାତ୍ରର ଆଗମନ ପାଇଁ ସନ୍ଧ୍ୟା ପଥ ଛାଡ଼ି ଚାଲିଯିବାର ଉପକ୍ରମ କରୁଛି । ଏ ସନ୍ଧ୍ୟାର ଜୀବନ କେଡ଼େ ସଂକ୍ଷିପ୍ତ–ଏକ କ୍ଷୁଦ୍ର ଗଳ୍ପପରି ? କିନ୍ତୁ ଦାନ ତା’ର ଅଶେଷ, ଅନୁପମ ।

 

ଧୀରେ ଧୀରେ ପାତଳ ଅନ୍ଧକାରରର ଆସ୍ତରଣ ପଡ଼ି ଆସୁଛି ? ପଦ୍ମଭୁକ୍‌ର ଦେଶ ନୁହେଁ ତ ଏ ! ଅନୁଭୂତ ହେଉଛି ଯେପରି ସମସ୍ତ ସମ୍ମୋହିତ । ରଙ୍ଗମଞ୍ଚ ଉପରେ ଆଲୋକ ଧୀରେ ଧୀରେ ଲିଭି ଆସିବାପରି, ସନ୍ଧ୍ୟାର ଲୋହିତ ରଙ୍ଗ ଆସ୍ତେ ଆସ୍ତେ ଲିଭି ଆସୁଛି । ନିର୍ଜନ ସ୍ଥାନଟି ନିଜକୁ ସଜାଇ ଦେଇଛି ଏକ ନୂତନ ପୋଷକରେ–ସତେଯେପରି ଭ୍ରମଣପାଇଁ ବାହାରିଥିବା ନାରୀଟିଏ ସୁନ୍ଦର ପରିଧାନରେ ନିଜକୁ ମଣ୍ଡିତ କରୁଛି ।

 

ପୋଡ଼ା ସିଗାରେଟ୍‌ର ବାକି ଅଂଶଟିକୁ ଦୂରକୁ ଫିଙ୍ଗିଦେଇ ବିଭୁ ଚମଡ଼ା ବ୍ୟାଗ୍‌ର ଚେନ୍‍ଟିକୁ ଟାଣିଦେଲା । ତା’ ଭିତରୁ ବାହର କଲା ଏକ ନୋଟ୍‌ବୁକ୍ । ମନରେ ହଠାତ୍ ଧରା ଦେଇଛି ଏକ ସୁନ୍ଦର ଆଇଡ଼ିଆ । ଭୁଲିଯିବା ପୂର୍ବରୁ ନୋଟ୍ କରିଦେବା ଦରକାର । ତା’ ପାର୍ଟିର ମୁଖପତ୍ର ପାଇଁ ଜରୁରୀ ଲେଖା ଆବଶ୍ୟକ । ନୂତନ ଉପନିବେଶବାଦର ସ୍ଵପ୍ନ ନେଇ ଏଇ ପ୍ରତିକ୍ରିୟାଶୀଳ ମିଶନାରୀଗୁଡ଼ିକ ପଙ୍ଗପାଳ ପରି ବିଛେଇ ହେଇ ପୃଥୀବୀସାରା–ସାମ୍ରାଜ୍ୟବାଦର ଦଲାଲ ସବୁ । ତା’ ଆଶୁ ବିପ୍ଳବର ଶତ୍ରୁ । ... ପକେଟ୍‌ରୁ କଲମ ବାହାର କରି ଲେଖିବାକୁ ଉଦ୍ୟତ ହେଲା । ହୋପଲେସ୍... ଚିନ୍ତାଟା ଡାଇଭାର୍ଟ ହୋଇଗଲା । ଦୃଷ୍ଟି ତା’ର ଆକର୍ଷିତ ହୋଇଗଲା ଏକ କିଶୋରୀ ଓ ନାରୀ ଆଡ଼େ । ଥାଉ, ରୁମ୍‍କୁ ଯାଇ ଲେଖିବ ।

 

ଇସ୍ପାତ ହସପିଟାଲ ଓ ମାଉଣ୍ଟ କାରମେଣ୍ଟ କନଭେଣ୍ଟ ସ୍କୁଲ ଆଗ ଦେଇ ଯେଉଁ ରାସ୍ତାଟି ଆସନ୍ନପ୍ରସବା ନାରୀ ପରି ପଡ଼ିଛି, ତା’ର ଏକ ଉପପଥ ଉପରେ ଗଡ଼ି ଆସୁଛନ୍ତି ଏକ କିଶୋରୀ ଓ ତା’ ସହ ଜଣେ ମହିଳା । ସଂକୀର୍ଣ୍ଣ ପଥଟି ସରୁ ପାଣିଧାର ପରି ଗଡ଼ିଯାଇଛି ହମିଦପୁର କବରଖାନା ଆଡ଼କୁ ।

 

ବିଭୁର ନିକଟତର ହେଇ ଆସିଲେ ସେମାନେ । ସିଲ୍‌ହଟ ରୂପ ତାଙ୍କର ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଆସିଲା ।

 

ପଞ୍ଜାବିରେ ଚଷମାର ଲେନ୍‌ସ ପୋଛି କିଶୋରୀଟି ଆଡ଼େ ବିଭୁ ଫିଙ୍ଗିଲା ଏକ ତୀକ୍ଷ୍ଣ ଦୁଷ୍ଟି । ପଞ୍ଚଦଶ ବୟସରେ ପଦାର୍ପଣ କରିବାର ଅନୁମାନ ହୁଏ । ଏକ ସଦ୍ୟ ବୃନ୍ତଚ୍ୟୁତ ପୁଷ୍ପିତା କୁସୁମ ଭାସି ଭାସି ଆସୁଛି ନଦୀର ଜଳସ୍ରୋତରେ–ଚିପା ଫ୍ରକଟି ଜାନୁ ପର୍ଯ୍ୟନ୍ତ ପଡ଼ିଛି ବୃତ୍ତାକାର ତରଙ୍ଗ ସୃଷ୍ଟିକରି । ଶାଢ଼ି ହୁଏତ ତା’ର ରୂପଶ୍ରୀକୁ ବହୁ ଗୁଣରେ ବର୍ଦ୍ଧିତ କରିଦେଇଥାନ୍ତା, କିନ୍ତୁ ଫ୍ରକଟି ତା’ ବୟସକୁ କମେଇ ଦେଇଛି କିଛି । ହାତକଟା ଫ୍ରକ ଭିତରୁ ଝୁଲି ପଡ଼ିଥିବା ଗହମ ରଙ୍ଗର ସୁଗୋଲ ମାଂସଳ ଦୁଇ ନଗ୍ନ ବାହୁରେ ସ୍ଫୀତ ହେଇ ଉଠୁଛି କାମନା ସବୁ । ଅନାବୃତ୍ତ ଗୋଡ଼ ଦୁଇଟି ଅରଣ୍ୟ-ମରାଳର ଲୀଳାୟିତ ପାଦପରି ପଡ଼ୁଛି ଅପ୍ରଶସ୍ତ ପଥରେ । ନାଲି ଫ୍ରକର ବନ୍ଧଭାଙ୍ଗି ଉଦ୍ଦାମ ଯୌବନର ଉତ୍ତାଳ ଢେଉ ଯେପରି ଲମ୍ଫ ଦେବାକୁ ଚେଷ୍ଟା କରୁଛି । ଗାଢ଼ କଳା ଭ୍ରୂତଳେ ବତୁରା ବୁଟର ଭୀରୁ ଚକ୍ଷୁ ଦୁଇଟି ଚଳ ଚଞ୍ଚଳ–ପ୍ରଗଳ୍‌ଭା ନିର୍ଝିରିଣୀର ଦୁଇ ନୃତ୍ୟରତ ଉର୍ମ୍ମି । ଚବ୍‌କଟା କେଶଗୁଚ୍ଛ ଠୁଳ ହୋଇଯାଇଛି ସ୍କନ୍ଧ ଉପରେ, ଏକ ବହଳ ଗୁଳ୍ମ ପରି ।

 

ଏ ନିର୍ଜନ ଶାନ୍ତ ସନ୍ଧ୍ୟାରେ ଏଇ କୋମଳ ପ୍ରାଣା ସ୍ଵପ୍ନ ବିହ୍ୱଳା କିଶୋରୀଟିର ଆଗମନ ବିଭୁ ମନରେ ଟାଣିଦେଲା ପ୍ରଶ୍ନବାଚୀ । ସ୍ଵପ୍ନିଳ ସନ୍ଧ୍ୟାରେ ଇଏ ବି ସ୍ଵପ୍ନଭୁକ୍ ! କେବଳ ନନ୍ ଦୁଇଜଣ ସନ୍ଧ୍ୟାର ଧର୍ମରେ ବ୍ୟତିକ୍ରମ ! ସମାଜର ଯେଉଁ ସୋପାନରେ ତା’ର ସ୍ଥାନ ବୋଲି, ତା’ ଚେହେରା ବେଶଭୁଷା ଘୋଷଣା କରେ, ସେ ସ୍ଥାନର ଜନବସତି ତ ଏ ନୁହେଁ ! ତେବେ ତା’ର ଆବିର୍ଭାବ ଏଠି କାହିଁକି । କୋଏଲ ନଦୀର ଧାରରେ ସାମାନ୍ୟ କେତୋଟି ବସ୍ତି ମାତ୍ର । ଗୋଟିଏ ଧାଡ଼ିରେ ଗୁଆଲାମାନଙ୍କର ଆଉ ଅନ୍ୟ ପାର୍ଶ୍ଵରେ ରଜକମାନଙ୍କର ଜୀର୍ଣ୍ଣ ଶୀର୍ଣ୍ଣ କୁଟୀର ସବୁ ସନ୍ଧ୍ୟାଲୋକରେ ମ୍ଳାନ ହୋଇ ଆସୁଛି । ହମିଦପୁର କବରଖାନାଟା ଏ ଦୁଇ ବସ୍ତିକୁ ବିଭକ୍ତ କରି ଚିତ୍ ହୋଇ ଶୋଇ ପଡ଼ିଛି ବୀତସ୍ପୃହ ନିର୍ବିକାର ଚିତ୍ତରେ–ବୋଧହୁଏ ନନ୍‌ମାନଙ୍କ ପରି । ଗୋଟିଏ ପାର୍ଶ୍ଵରେ ଅସଂଖ୍ୟ ଇଟା ଭାଟିର କ୍ଷୁଦ୍ର ଖୋପଗୁଡ଼ିକ ଆଲୋକ ଚିତ୍ରରେ ଆକାଶଚୁମ୍ବୀ ପ୍ରାସାଦର ଗବାକ୍ଷ ପରି ଦେଖାଯାଉଛି । କୌଣସି କୌଣସି ଭାଟି ଉପରୁ ଆକାଶକୁ ଉଠୁଛି ଧୂମକୁଣ୍ଡଳୀ । ଗୁଆଲାମାନଙ୍କ ଗୁହାଳ ସମ୍ମୁଖରେ ଦୁଇଟି ବାଉଁଶ ଖୁଣ୍ଟ ଉପରେ ଉଡ଼ୁଛି ଦୁଇଟି ଚ୍ଛିନ୍ନ ଲୋହିତ ପତାକା । ଗୋଟିଏ କୋଣରେ ଯେଉଁଠି କୋଏଲ ନଦୀ ବୃଦ୍ଧପରି ପିଠିଭାଙ୍ଗି ମୋଡ଼ି ହୋଇ ପଡ଼ିଛି, ତା’ର ଉଚ୍ଚଢିପ ଉପରେ ଏକ ଝପରୁଲି ଆବାସସ୍ଥଳୀ । ସେପରି ଥକ୍‌କା ହୋଇ ପଥିକଟିଏ ବସିଯାଇଛି ସେଠି ।

 

ସଂକୀର୍ଣ୍ଣ ପିଚୁରସ୍ତା ତ୍ୟାଗକରି ପୋଲତଳକୁ ଅବତରଣ କଲେ କିଶୋରୀ ଓ ମହିଳାଟି-

 

ସେ ମହିଳା ଆୟା ହେବ ନିଶ୍ଚୟ । ବିଭୁ ଏ ବିଷୟରେ ନିଃସନ୍ଦେହ । ଶିଥିଳ ପାଣ୍ଡୁର ଗଣ୍ଡରେ ବୟସର କଷାଘାତ ଛାଡ଼ିଯାଇଛି ମର୍ମନ୍ତୁଦ ତିକ୍ତ ଚିହ୍ନ । ଅଥବା କୃଷ୍ଣବର୍ଣ୍ଣ ଶରୀରରେ ପଡ଼ିଆସୁଛି ଭଟ୍ଟା । ତଥାପି ଏବେ ବି ସ୍ତିମିତ ଚନ୍ଦ୍ରର ପରଳଢଳା ଆଖି କୋଣରେ କାମନାର ଶିଖା ଭସ୍ମରାଶି ଭିତରେ ଅଗ୍ନିକଣିକା ଭଳି ଜୁଳୁଜୁଳୁ ହେଇ ଜଳୁଛି । କହିବା ପାଇଁ ଚାହୁଁଛି–ପାନ୍ଥ ! ମୁଁ ବି ଥିଲି ଦିନେ ଏଇ କିଶୋରୀଟି ପରି । ମୋ ତନୁରେ ବି ଦିନେ ଖୁନ୍ଦି ହୋଇଥିଲା ଏଇ ଫାଲ୍‌ଗୁନ ସନ୍ଧ୍ୟାର ସମସ୍ତ ରୂପଶ୍ରୀ । ...ଏ କଥା ଭାବି ଏକ ଅନାହୂତ ଗର୍ବରେ ଫୁଲି ଫୁଲି ଉଠୁଥିଲା ଆଖି ଦୁଇଟି ତା’ର ।

 

ପାଦଚଲା ରାସ୍ତାଟିରେ ଖାଲଢିପ ଡେଇଁ ଚାଲିଛନ୍ତି ସେମାନେ । ବରଫମୁଣ୍ଡା ପରି ବିଭୁ ମନକୋଣରେ ଜମାଟ ବାନ୍ଧି ଆସିଲା ସନ୍ଦେହ ଓ କୌତୂହଳ । କୌଣସି ଡିଟେକ୍‌ଟିଭ ଉପନ୍ୟାସର ଗୋଇନ୍ଦା କିମ୍ବା ଭାବପ୍ରବଣ କଲେଜ ଛାତ୍ରର ଉତ୍ସୁକତା ନେଇ ଯଦି ସେମାନଙ୍କୁ ଅନୁସରଣ କରାଯାଏ.....

 

ପୋଲ ଉପରୁ ଉଠିଯାଇ ତଳକୁ ସେ ଗଡ଼ିଆସିଲା ମାଟିର ପାହାଚ ସାହାଯ୍ୟରେ । ଲକ୍ଷ୍ୟ କଲା ସେମାନଙ୍କ ଗତିପଥକୁ ।

 

‘‘ସଲାମ ସାହେବ ।”

 

ସାହେବ ! ଇସ୍, କି ବୁର୍ଜୁଆ ଡାକଟା ! ବିଦେଶୀ ଶାସନର ଅବସାନ ହୋଇଥିଲେ ମଧ୍ୟ ଅଫିସରେ, ରାସ୍ତାରେ, ହୋଟଲରେ, ଚାରିଆଡ଼େ ଅଧସ୍ତନର ଉପରିସ୍ଥଙ୍କୁ ଏଇ ଚାଟୁ ସମ୍ବୋଧନ । ରୁଗ୍‌ଣଭାବର ବୀଜାଣୁସବୁ ଏବେ ସୁଦ୍ଧା ଲୋକଙ୍କର ରକ୍ତରେ ବସା ବାନ୍ଧି ବସିଛନ୍ତି ।

 

ବିଭୁ ଚାହିଁଲା ପଛକୁ । ଏକ ଅଦ୍ଭୁତ ଲୋକ ସଲାମ ଜଣାଇ ହସଟିଏ ଟାଣି ଦେଇଛି ଖାମଖିଆଲ ଭାବେ । ହାତରେ ଏକ ଅଧା ଜଳନ୍ତା ପିକା, ଭିଣା ତୁଳା ପରି ମୁଣ୍ଡ ବାଳଗୁଡ଼ାକ ଝାପରା ଝାପରା । ତୈଳାକ୍ତ ଛିନ୍ନ ମଳିନ ଗାମୁଛା ଖଣ୍ଡିଏ ଏକମାତ୍ର ପରିଚୟ । ଆଶ୍ଚର୍ଯ୍ୟ ! ତା’ ମୁହଁରେ ବି ସନ୍ଧ୍ୟା ରାଗର ପାଟଳିମା । ଆଖିରେ ରକ୍ତଞ୍ଜନ ! ଦୁଇ ଆଖି ତା’ର ନିଷ୍ଠୁର ଭାବେ ନିଶା ନିବାରଣ ଆଇନକୁ ଉପହାସ କରୁଥାଏ । ତା’ ଦେଶର ସମସ୍ତ ଦରିଦ୍ରତାର ପ୍ରତିନିଧିତ୍ଵ କରି ଛିଡ଼ା ହୋଇଛି ସତେ କିଛି ଗୋଟାଏର ଅଭିଯୋଗ ନେଇ । ଏଇ ଲୋକମାନଙ୍କୁ ସଙ୍ଗଠିତ କରି ସେ ଆଣିବ ଏକ ନୂତନ ବିପ୍ଳବ । ପ୍ରଳୟ ଡମ୍ବରୁ ବଜାଇ ସେମାନଙ୍କ ଅଥର୍ବ ତନ୍ତ୍ରୀଗୁଡ଼ାକୁ କର୍ମ-ସଚେତନ କରାଇବ । ଏଇ ବସ୍ତିଗୁଡ଼ାକ ହେବ ବିଦ୍ରୋହର କେନ୍ଦ୍ର–ନୂତନ ବେଦମନ୍ତ୍ର ପ୍ରଚାର ପାଇଁ ସେଲ୍ । ଏମାନଙ୍କୁ ଜଣାନାହିଁ ଯେ ସେମାନଙ୍କ ଭିତରେ ଯେଉଁ ଅଣୁ ଶକ୍ତି ଲୁକ୍‌କାୟିତ ହୋଇ ରହିଛି ତାହା କେତେ ଭୟଙ୍କର, ଧ୍ଵଂସକାରୀ ଓ ସୃଜନଶୀଳ । ପଙ୍ଗୁ ସମାଜକୁ ଧ୍ଵଂସ କରିବା ପାଇଁ ଏଇମାନଙ୍କ ସାହଚର୍ଯ୍ୟ ଆବଶ୍ୟକ । ଇତିହାସକୁ ନୂଆ ଭାବେ ଲେଖିବାକୁ ହେବ । ଦରକାର ବିଦ୍ରୋହ ! ଲୋଡ଼ା ବିପ୍ଳବ ।

 

“ଏ ମକାନ୍ କିସ୍‌କା ହୈ ।” ଦୂରର ସେଇ ଟିଣ ଖପୁରୁଲି ଘରଆଡ଼େ ଆଙ୍ଗୁଳି ଦେଖାଇ ବିଭୁ ପଚାରିଲା ଲୋକଟିକୁ । ଇଆରି ପାଖରୁ କିଛି ଗୁପ୍ତ ତଥ୍ୟ ସଂଗ୍ରହ କରାଯାଇପାରେ ।

 

“ସାହେବ ! ଓ ଠିକାଦାର ସାହେବ ବୀର ସିଂହ କା ହୈ ।”

 

ସାହେବ ! ଇସ୍ ପୁଣି ସେଇ ସମ୍ବୋଧନ । ବିଭୁ ଭାବିଲା ତା’ କାନ୍ଧ ଉପରେ ଦୁଇ ହାତ ରଖି ଜୋରରେ ହଲାଇ ତାକୁ କହିବ–ସାହେବ ନୁହେଁ ବନ୍ଧୁ । ମୁଁ ତୁମପରି ଜଣେ ନିଷ୍ପେଷିତ ଅଭାଗା ମଣିଷ । ଡାକ ମୋତେ କମରେଡ୍–ଯେଉଁ ଡାକର ଶାଣିତ ଚୋଟରେ ଏକା ଥରକେ ଟଳି ପଡ଼ିବ ଏଇ ପଳିତ ଅଥର୍ବ ସମାଜ ।

 

ବିଭୁ ଦେଖିଲା ଲୋକଟି ଟଳମଳ ହେଉଛି । ଛିଡ଼ା ହେବା ଅବସ୍ଥାରେ ନ ଥିଲା ସେ ।

 

“ଉସ୍‌କା ଔେର କୋନ୍ ହୈ ?” –ବିଭୁ ପୁଣି ପଚାରିଲା ।

 

ରହି ରହି ଭଙ୍ଗା କଣ୍ଠରେ ଲୋକଟି ଉତ୍ତର ଦେଲା–‘‘ଅଭି ଉହ ଅକେଲା ହୈ । ଓରତ୍ ବଚୋଁ କୋ ଦେଶ ମେଁ ଛୋଡ୍ ଆୟେ ହେଁ ।”

 

ତା’ପରେ ଅନିମନ୍ତ୍ରିତ ଭାବେ ସେ କହି ଚାଲିଲା ବସ୍ତିଟିର ଭୌଗଳିକ ସ୍ଥିତି–ତା’ର ସାମାଜିକ ଓ ଅର୍ଥନୈତିକ ଇତିହାସ । ବିଭୁର ଧୈର୍ଯ୍ୟ ନଥିଲା ଶୁଣିବାପାଇଁ । ଲୋକଟିର ପାଟିରୁ ବାହାରୁଥାଏ ଏକ ତୀବ୍ର ଗନ୍ଧ । ନାକ ଆଗରେ ରୁମାଲଟି ଦେବାକୁ ଭାବୁଛି–ନା, ଲୋକଟି କିଛି ମନେ କରିପାରେ । ‘‘ଆଗ ହେଉ’’ କହି ଜବରଦସ୍ତ ସେ ଆଳାପରେ ଟାଣିଦେଲା ପୂର୍ଣ୍ଣଚ୍ଛେଦ । ଲୋକଟି ପାଖରୁ ବିଦାୟ ନେଇ ଚାହିଁଲା ଯେଉଁ ରାସ୍ତାଟି ଲକ୍ଷ୍ୟହୀନ ଯୁବକ ପରି ଗଡ଼ିଯାଇଛି କଣ୍ଟ୍ରାକ୍ଟର ବୀରସିଂହ ଘର ଆଡ଼େ, ସେଇ ପାଦଚଲା, ସଂକୀର୍ଣ୍ଣ ପଥ ଉପରେ ଚାଲିଛି ଆୟା ଓ ତା’ ପଛେ ପଛେ କିଶୋରୀଟି ।

 

ବେକଟାକୁ ସାମାନ୍ୟ ଲମ୍ବି ଦେଇ ବିସ୍ପାରିତ ଆଖିରେ ବିଭୁ ଚାହିଁଲା ସେଇ ଦିଗକୁ । ସେହି ଗୃହର ଧୂଳି ଧୂସରିତ ଉଦ୍ୟାନର ଫାଟକ ଉନ୍ମୁକ୍ତ କରି ଆୟାଟି ଛିଡ଼ା ହେଉଛି ବାରଣ୍ଡାର ସମ୍ମୁଖ ଦ୍ଵାରରେ । ପରଦା ଟେକି ଭିତରକୁ ଚାହିଁ ହସିଲା ମୁହଁରେ କିଶୋରୀଟାକୁ ସଂକେତ ଦେଲା-। କିଶୋରୀଟି ଚତୁର୍ଦ୍ଦିଗରେ ଏକ ଭୟାର୍ତ୍ତ ଦୃଷ୍ଟି ଟାଣି ଆଣିଲା । ତା’ପରେ ଓଠ ତଳେ ଈଷତ୍ ହସ ଚାପିଦେଇ ପଲକ ମାତ୍ରେ ଅନ୍ତର୍ଦ୍ଧାନ ହେଇଗଲା କକ୍ଷ ଭିତରକୁ ।

 

ଦପ୍‌କରି ରାସ୍ତାର ଆଲୋକମାଳା ଜଳି ଉଠିଲା । କେଉଁ ଗୁଳ୍ମଲତା ଭିତରୁ ପତଙ୍ଗଟିଏ କ୍ଷିପ୍ରଗତିରେ ତା’ କାନ ପାଖ ଦେଇ ଆଲୋକ ଆଡ଼କୁ ଛୁଟି ଯାଇ ତା’ ଚାରିପାଶେ ଘୂର୍ଣ୍ଣନ କରିବାକୁ ଲାଗିଲା । ଏକ ପ୍ରତୀକ୍ଷମାଣା ପରି ଜ୍ଵଳନ୍ତ ଆଲୋକର ଦୀପ୍ତିକୁ ସତୃଷ୍ଣ ନୟନରେ ସତେ ଚାହିଁ ବସିଥିଲା ସେ । ତା’ ଉତ୍ତାପରେ ଦଗ୍ଧ ହେବାପାଇଁ କି ଲୋଭନୀୟ କାମନା !

 

ଟିଣ ଖପୁରୁଲି ଘରର ସ୍କାଇଲାଇଟ୍ ଦେଇ ଛୁଟ୍‍କି ଆସିଲା ମ୍ଳାନ ଆଲୋକର ଏକ କ୍ଷୀଣ ରେଖା । ତୀକ୍ଷ୍‌ଣ ଶର ପରି ବିଦ୍ଧକଲା ଶେଷ ଫେବୃଆରୀର ତମସା ଛାତିରେ ।

 

ବିଭୁ ରାସ୍ତା ଉପରକୁ ଉଠି ଆସିଲା । ନିଃଶବ୍ଦ ସ୍ଵନ ଝଂକୃତ ମ୍ଳାନ ତାରକାଲୋକିତ ଶାନ୍ତ ସନ୍ଧ୍ୟାଟି ରାତ୍ରିର ଗୁରୁ ସ୍ପର୍ଶରେ ଉତ୍ସୃଙ୍ଖଳ ହୋଇ ଉଠୁଛି । ପତ୍ରହୀନ ଶାଳ୍ମଳୀ ବୃକ୍ଷର ରକ୍ତପୁଷ୍ପ ପାଖୁଡ଼ଗୁଡ଼ିକ ରାତ୍ରିର ସଂଘାତରେ ହେଇଯାଇଛନ୍ତି ଦୀପ୍ତିମାନ । ଅଦୂରର ଏକ ନାମହୀନ ପକ୍ଷୀ ରହି ରହି ଢାଳୁଛି କରୁଣା ମୂର୍ଚ୍ଛନା ।

 

ବିଭୁ ପୋଲ ଅତିକ୍ରମ କରି ଚାଲିଲା ସହର ଆଡ଼େ । ପଛକୁ ଚାହିଁ ଦେଖିଲା ରାସ୍ତା ଆଲୋକର ଚାପଡ଼ଘାତରେ ସନ୍ଧ୍ୟା ଲୋଟିଯାଉଛି ତଳେ । ରାଶି ରାଶି ଅନ୍ଧାର ଚାପରେ ଅଣନିଶ୍ଵାସୀ ହେଇ ଚିପି ହେଇ ପଡ଼ିଛି ଟିଣ ଖପୁରୁଲି ଘରଟି । ପତଙ୍ଗଟି ସୁଁ ସୁଁ ଶବ୍ଦକରି ଏବେ ସୁଦ୍ଧା ଅନବରତ ଘୂର୍ଣ୍ଣନ କରିବାରେ ଲାଗିଛି ଆଲୋକର ଚାରିପଟେ ।

 

ବିଭୁ ମୁହଁ ଫେରାଇଲା । ଇସ୍ ! ଏ ସନ୍ଧ୍ୟାଟା କେଡ଼େ ଅଶ୍ଳୀଳ । କେତେ ଅସଂଯତ ଆଉ !

Image

 

ବାଲି କଙ୍କଡ଼ା

 

“ମୁଁ ଯାଉଛି ବାର୍ଥ ପାଇଁ ରିଜରଭେସନ୍ କରି ଆସେ ।’’ ଦେହରୁ ବାଲିସବୁ ଝାଡ଼ୁ ଝାଡ଼ୁ କହିଲେ ସୁବ୍ରତ । ‘‘ତୁମର ଯିବା ଆବଶ୍ୟକତା ନାହିଁ, ତୁମେ ଏଇଠି ବସିଥାଅ ।” ଏହା କହି ସେ ଉଠି ଠିଆ ହେଲେ–ଯିବାକୁ ଉଦ୍ୟତ ହେଲେ ।

ସ୍ଵପ୍ନା ଚାହିଁ ରହିଥିଲେ ଦୂରକୁ–ଅଜସ୍ର ଛୋଟ ଛୋଟ ମାଛ ଧରା ଡଙ୍ଗାଗୁଡ଼ିକ ନାରଙ୍ଗୀ ସୂର୍ଯ୍ୟ କିରଣରେ ଚକ୍‍ଚକ୍ ମାରି ଉଡ଼ନ୍ତି ପ୍ରଜାପତି ପରି ନୀଳ ଲହରୀରେ ଭାସୁଥାନ୍ତି । ଆଙ୍ଗୁଳିରେ ବାଲି ଉପରେ ରେଖା ସବୁ ଟାଣୁ ଟାଣୁ କିପରି ଏକ କୋମଳ ସଲ୍ଲଜ କଣ୍ଠରେ କହିଲେ–“ଆଚ୍ଛା ଆଉ ଦିନ କେଇଟା ପରେ ଗଲେ ହୁଅନ୍ତା ନାହିଁ ?” ଛେପ ଢୋକି, ଅପେକ୍ଷା କରି କହିଲେ ସୁବ୍ରତଙ୍କୁ ପ୍ରତିକ୍ରିୟାର ସମ୍ଭାବ୍ୟ ଉଦ୍‌ଗୀରଣକୁ । –କ’ଣ ହେଲା ? ମୁଁ ପୁଣି ଛୁଟି ଏକ୍‌ସଟେଣ୍ଡ କରିବି-? ଚାକିରିଟା କ’ଣ...

–ଦେହଟା ବଡ଼ ନା ଚାକିରି ?

ସୁବ୍ରତ ଜାଣିଥିଲେ ଦେହ କଥାଟା କେବଳ ଏକ ଆଳ ମାତ୍ର । ଗତ ମାସକ ରହଣି ଭିତରେ ସ୍ଵପ୍ନା କିପରି ଏଇ ବେଳାଭୂମିଟା ସହ ଏକପ୍ରକାର ପ୍ରେମରେ ପଡ଼ି ଯାଇଛନ୍ତି ।

ଦେହଟା ମୋର ଭଲ ହୋଇଗଲାଣି–ଏଠି ରହିବା ଭିତରେ ଆଠ କିଲୋ ଓଜନ ବଢ଼ି ଗଲାଣି । ବେଶ୍‍ ଫୁର୍ତ୍ତି ବି ଲାଗୁଛି । ଆଉ ବେଶୀ ଦିନ ରହିବାର ଆବଶ୍ୟକତା ତ ମୁଁ ଅନୁଭବ କରୁନି । ଏହା କହି ସୁବ୍ରତ ଚାଲି ଯିବାକୁ ଉଦ୍ୟତ ହେଲେ । ସ୍ଵପ୍ନା ସୁବ୍ରତଙ୍କ ପଞ୍ଜାବିଟାକୁ ଟାଣି ଧରିଲେ । ପଞ୍ଜାବିଟା ଫର୍ କରି ଟାଣି ହୋଇଗଲା ।

–ଗଲା ନା ?

–ଆଃ !

–କ’ଣ କହୁଛ ତେବେ ?

–ଆଉ କିଛିଦିନ ମାତ୍ର–

–ହେଉ ଆସେ । ଟେଲିଗ୍ରାମଟାଏ ତେବେ ହେଡ଼ ଅଫିସକୁ ପଠାଇ ଦିଏ । ଅନିଚ୍ଛା ସତ୍ତ୍ୱେ, ସାମାନ୍ୟ ବିରକ୍ତି ପ୍ରକାଶ କରି କହିଲେ ସୁବ୍ରତ । ‘‘ମୋର ଜଳବାୟୁ ପରିବର୍ତ୍ତନ ହେଉ ହେଉ, ତୁମରି ବି ହୋଇଗଲା ! ତୁମେ କିପରି ଦେଖା ଗଲଣି ଆରସିରେ ଦେଖିବ ତ ? ଠିକ୍ ଫାଜିଲ କଲେଜ ଝିଅଟି ପରି ।”

–ହେତ୍ ।

–ହଁ, ଘରକୁ ଫେରିଲେ ସମସ୍ତେ ତୁମକୁ ଯଦି ନ ଚିଡ଼େଇଛନ୍ତି ! ଗାଲଗୁଡ଼ିକ ଅଙ୍ଗୁର ପରି ଟୁଳ ଟୁଳ ପଡ଼ି ଆସିଲାଣି ।

–ଥାଉ ଥାଉ, ତୁମେ ଗଲ ଟେଲିଗ୍ରାମ କରି ଆସିବ ।

ସୁବ୍ରତ ନଇଁପଡ଼ି, ଚାରି ଆଡ଼କୁ ଚାହିଁ ସ୍ଵପ୍ନାଙ୍କର ଗାଲଟାକୁ ଜୋରରେ ଆଙ୍ଗୁଳିରେ ଟିପି ଦେଲେ । ଗାଲଟା ଲାଲ ପଡ଼ିଗଲା ।

–ଆଃ !

ସେ ଚାଲିଗଲେ । ସ୍ଵପ୍ନା ଆଞ୍ଜୁଳା ଆଞ୍ଜୁଳା ବାଲିସବୁ ନିରଳସ ଭାବେ ଛାଟୁଥାନ୍ତି ଶୂନ୍ୟକୁ । ଅନବରତ ବ୍ୟସ୍ତ ଢେଉ ସବୁ ଗୋଡ଼ ପର୍ଯ୍ୟନ୍ତ ମାଡ଼ି ଆସି ଦୌଡ଼ି ଯାଇ ମିଶି ଯାଉଛନ୍ତି ସାଗରରେ । ପୁଣି ଆରମ୍ଭ କରି ଦେଉଛନ୍ତି ଗରିଲା ଆକ୍ରମଣ । ଦମକାଏ ହାଓ୍ୟା ଜଳ କଣିକା ସବୁ ସ୍ପ୍ରେ କରି ତାଙ୍କୁ ସିକ୍ତ କରି ଦେଉଛି । ଏଇ ଝାଉଁ ଗଛ କେତୋଟିର ନିର୍ଜନ ସ୍ନିଗ୍‌ଧ ଛାଇ ଓ ବେଳାଭୂଇଁର ଏଇ ଅଂଶଟି ଯେପରି ଏକାନ୍ତ ଭାବେ ନିଜର ହୋଇଯାଇଛି ଏଇ ମାସକ ଭିତରେ । ମତୁଆଲା ପବନ ଯେବେ ସିଟି ମାରି ଝାଉଁ ଗଛ ଭିତରେ ଲୁଚିଯାଏ, ସେ କାନ ପାରି ଶୁଣି ପୁଲକି ଉଠନ୍ତି । “ରିଟ୍ରିଟ୍”ର ଚାରି ନମ୍ବର ରୁମ୍, ସମୁଦ୍ରକୁ ସାମନା କରିଥିବା ତା’ର ବାରଣ୍ଡାର ସେଇ କଅଁଳ ଖରା ଧୁଆ କୋଣଟି, ପଡ଼ିଥିବା ଡାଇନିଂ ଟେବୁଲ ଓ ଚେୟାର ଦୁଇଟି ଆଉ ଏ ସମୁଦ୍ର ବ୍ୟକ୍ତିଗତଭାବେ ଯେପରି ନିଜର–ସେ ସବୁ ଛାଡ଼ି ଚାଲିଯିବା ପାଇଁ ଆଉ ମନ ହେଉ ନାହିଁ । ସବୁଦିନ ପାଇଁ ଏଇଠି ହୁଅନ୍ତା ନାହିଁ ?

ହଠାତ୍ ନଜର ପଡ଼ିଲା ଏକ ବାଲି କଙ୍କଡ଼ା ଉପରେ । ଉଠିଗଲେ ସେ । ‘‘ପାରିବନି ଦିଦି, ଆଦୌ ପାରିବନି ।’’ ଦୌଡ଼ି ଆସି ପଛ ପଟୁ ରାମୁଡ଼ୁ ଚିତ୍କାର କରି କହିଲେ । ନୋଳିଆ ଟୋକା ରାମୁଡ଼ୁ । ତାଙ୍କ ସମୁଦ୍ର ସ୍ନାନରେ କୋଚ୍ । ‘‘ହେତ୍, ତୁ ତ ଗୋଡ଼ାଇ ଦେଲୁ । କୁଆଡ଼େ ପଶିଗଲାରେ ସେଇଟା ।”

ସ୍ଵପ୍ନା ତ୍ରସ୍ତ ପଳାୟନଗାମୀ କଙ୍କଡ଼ା ପଛେ ପଛେ ସନ୍ତର୍ପଣରେ ଯାଇ ଧରିବାକୁ ପ୍ରୟାସ କରୁଥିଲେ । ବ୍ୟର୍ଥ ହେଲା ତାଙ୍କ ଚେଷ୍ଟା ।

–ଆସିଲା ଦିନରୁ ଦେଖୁଛି ତ; କେଭେ ଗୋଟିଏ ହେଲେ ଧରିପାରିଲନି ?

–ତୁ ଧରିଲୁ ଦେଖି ? କେଡ଼େ ବାହାଦୁରି କାଢ଼ୁଛି ?

ଠିକ୍ ସେଇ ସମୟରେ ଗୋଟିଏ ଅପେକ୍ଷାକୃତ ବଡ଼ କଙ୍କଡ଼ାଟିଏ ଆଖି ଜୁଳୁ ଜୁଳୁ କରି ଦୌଡ଼ି ଯାଉଥାଏ ଆଶ୍ରୟ ପାଇଁ । ରାମୁଡ଼ୁ ଧୀରେ ଧୀରେ ଯାଇ; ହାତ ପାପୁଲି ସାହାଯ୍ୟରେ ମାଡ଼ି ବସିଲା । କୁଆଡ଼େ ଯିବୁ ?

–ଏଃ ! କାମୁଡ଼ି ଦେବ; ଛାଡ଼ି ଦେ ।

କଙ୍କଡ଼ା ତା’ ବୁଢ଼ା ଦୁଇ ଗୋଡ଼ରେ ରାମୁଡ଼ୁର ବୁଢ଼ା ଆଙ୍ଗୁଳିଟାକୁ କାମୁଡ଼ି ଧରିଲା ଏକ କାମ ଜର୍ଜରା ଦନ୍ତ ଦଂଶନାରତ ନାରୀ ପରି । ସାମାନ୍ୟ ରକ୍ତ ଜମି ଆସିଲା ତା’ ଆଙ୍ଗୁଳି ଉପରେ ।

–ହେ, ତତେ କାଟୁନି ? ଛାଡ଼ି ଦେ…

–ଦିଦି, ତୁମେ ଟିକିଏ ଧରିଲ ?

ନା ନା ବାବା ମୋର ଦରକାର ନାହିଁ ।

ରାମୁଡ଼ୁ ପ୍ରଥମେ କଙ୍କଡ଼ାଟିର ଦୁଇ ବୁଢ଼ା ଗୋଡ଼କୁ ମୋଡ଼ି ଭାଙ୍ଗି ଦେଲା । ସ୍ଵପ୍ନାଙ୍କ ଦେହ ଭିତରଟା ଆପେ ଆପେ ଏକ ରୋମାଣ୍ଟିକ ଯନ୍ତ୍ରଣାରେ ମୋଡ଼ି ହୋଇଗଲା । ଅନୁଭବ କଲେ ଯେପରି ତାଙ୍କ ବାହୁ ଦୁଇଟିକୁ କିଏ ମୋଡ଼ି ଦେଉଛି । ରାମୁଡ଼ୁ ଗୋଡ଼ ଦୁଇଟା ଭାଙ୍ଗି ପାଣି ଭିତରକୁ ଫିଙ୍ଗି ଦେଲା । ସ୍ଵପ୍ନାଙ୍କ ଅନ୍ତର ଭିତରୁ ଏକ ଦୀର୍ଘଶ୍ଵାସ ବାହାରି ଆସି ପବନରେ ମିଶିଗଲା । ଅନ୍ୟ ଗୋଡ଼ଗୁଡ଼ିକ ଭାଙ୍ଗିବାକୁ ବସିଛି ସେ ତାଗିଦ୍ କରି ଉଠିଲେ–

 

–“ଏଃ, ଛାଡ଼ି ଦେ କହୁଛୁ ! କେଡ଼େ ନିଷ୍ଠୁରଟାରେ ତୁ । ନିରୀହ ଜୀବଟା…ରାମୁଡ଼ୁ କଙ୍କଡ଼ାଟାକୁ ବର୍ତ୍ତମାନ ହାତ ପାପୁଲିରେ ଆଣି ରଖିଲା ତ୍ରସ୍ତ ସାମୁଦ୍ରିକ ଜୀବଟି ମିଟି ମିଟି କରି ଅନାଇ ପାପୁଲି ଉପରେ ଏପଟ ସେପଟ ହେଲା, ତା’ପରେ ଡେଇଁ ପଡ଼ିଲା ତଳକୁ–ସ୍ଵପ୍ନାଙ୍କ ଜଙ୍ଘ ତଳେ ପଶିଗଲା ।

 

“ମା’ଗୋ” କହି ଚିତ୍କାର କରି ଉଠି ପଡ଼ିଲେ ସ୍ଵପ୍ନା । କଙ୍କଡ଼ାଟା ନାହିଁ । ପଲକ ମାତ୍ରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି ।

 

ରାମୁଡ଼ୁ ଠୋ ଠୋ ହୋଇ ହସି ଉଠିଲା । ସ୍ଵପ୍ନାଙ୍କ ମୁହଁ ଲାଲ ପଡ଼ିଗଲା । ତା’ ହାତଟାକୁ ଧରି ପାଣି ଭିତରକୁ ପଶିଗଲେ ସେ ।

 

–ଆଜି ଏତେ ଡେରି କଲୁ ?

 

–ସେ ବାବୁଙ୍କ ପାଇଁ । ତୁମ ପାଖ ରୁମରେ ଯିଏ ଆସି ଦୁଇଦନ ହେବ ରହିଛନ୍ତି–ଏତେ ଡରୁଆ ! ଯେତେ ଟାଣିଲେ ବି ଛାତିଏ ପାଣି ଭିତରକୁ ଗଲେ ନାହିଁ । ବାଲିଟାରେ ବସି ନୁଥରୁପୁଥରୁ ହେଉଛନ୍ତି–ମୋ ପାଉଣା ଛାଡ଼ିଲି ନାହିଁ–ଆଦାୟ କରି ଧାଇଁଛି ତ–

 

ସ୍ଵପ୍ନା ବି ଦିନେ ଭୟ କରୁଥିଲେ ଏଇ ସମୁଦ୍ରକୁ । ଆଣ୍ଠୁଏ ପାଣି ଭିତରକୁ ଯିବାକୁ ଡରୁଥିଲେ । ପ୍ରଥମ ଦିନ ଯେତେବେଳେ ତଉଲିଆ ନେଇ ଠିଆ ହୋଇଥିଲେ ଓ ଚାହିଁ ରହିଲେ ଦୁର୍ଦ୍ଧର୍ଷ ସମୁଦ୍ର ଆଡ଼େ, ରାମୁଡ଼ୁଟା କେଉଁଠି ଥିଲା ଏକ ପ୍ରାଗୈତିହାସିକ ପ୍ରାଣୀ ଗୁମ୍ଫାରୁ ବାହାରି ଆସିଲା ପରି ହଠାତ୍ ଝାମ୍ପ ମାରି ପହଞ୍ଚିଗଲା ଆଗରେ । ତାଙ୍କୁ ଘେରି ପଡ଼ିଥିବା ଆଉ ତିନି ଚାରୋଟି ନୋଳିଆଙ୍କୁ ଗାଳିଗୁଲଜ ଦେଇ ତଡ଼ି ଦେଇଥଲା । ‘‘ରିଟ୍ରିଟ୍’’ର ଟୁରିଷ୍ଟି କେବଳ ତା’ର ଗରାଖ । ଅନ୍ୟମାନେ ରାମୁଡ଼ୁର ମୁକାବିଲ କରିନପାରି, ଧମକ ଚମକ ଦେଇ, ଦାନ୍ତ ରଡ଼୍‌ରଡ଼୍ କରି ଫେରି ଯାଇଥିଲେ ।

 

–ଆସନ୍ତୁ ଦିଦି, ମୁଁ ଭିତରକୁ ନେଇଯିବି ମୋଟେ ଟଙ୍କାଟେ ଦେବ । ଫେରି ଯାଉଥିବା ନୋଳିଆମାନେ ହାତ ହଲାଇ, ନିରାପଦ ଦୂରତାକୁ ଅଶ୍ଳୀଳ ଇଙ୍ଗିତମାନ ରାମୁଡ଼ୁ ଆଡ଼େ ଛାଡ଼ୁଛନ୍ତି । ରାମୁଡ଼ୁ ଅବ୍ୟକ୍ତ ଶବ୍ଦ କେତୋଟି ଉଚ୍ଚାରଣ କରି ସେମାନଙ୍କ ଆଡ଼କୁ ଖେଦି ଯିବାର ଭାବ ଦେଖାଉଥାଏ ।

 

ସ୍ୱପ୍ନା ଖିଲ୍ ଖିଲ୍ ହୋଇ ହସି ଗଡ଼ି ଯାଉଥାନ୍ତି । ସୁବ୍ରତ ବି ।

 

–ଆସନ୍ତୁ ଦିଦି, ମୋଟେ ଟଙ୍କାଟିଏ ଦେବ । ଗୁଡ଼ୁର ଗୁଡ଼ୁର ହୋଇ ପୁଣି କେତୋଟି ଅସ୍ପୁଷ୍ଟ ଅଶ୍ଳୀଳ ଶବ୍ଦ ଉଚ୍ଚାରଣ କରି ରାମୁଡ଼ୁ କହିଲା ଟୁରିଷ୍ଟଙ୍କଠାରୁ ଟଙ୍କା ଝଡ଼ାଇବାର କଳା ବେଶ୍ ମାଲୁମ ଥିଲା ପୋଖତ ଏଇ ନୋଳିଆ ଟୋକାଟିକୁ । ସେଇ ପ୍ରଥମ ଦିନ ସ୍ଵପ୍ନା ଛାତିଏ ପାଣି ଭିତରକୁ ଯାଇ ଅସଂଯତ ଭାବେ ବାଲି ଉପରକୁ ଦୌଡ଼ି ଆସିଥିଲେ । ସୁବ୍ରତ ଛାଇ ତଳେ ବସି ଟ୍ରାନ୍‌ଜିଷ୍ଟରଟାରେ ଏକ ସେଣ୍ଟାର ଧରାଉଁ ଧରାଉଁ ଜୋରରେ ହସିଉଠିଲେ ।

 

“ଆଚ୍ଛା, ତୁମେ ଆସିଲ ଦେଖି ଏତିକି ଭିତରକୁ ?” ସ୍ଵପ୍ନା ଆଘାତ ପାଇ କହିଲେ ।

 

–ଦେଖିବ, ଦେହଟା ଟିକେ ଭଲ ହୋଇଯାଉ ।

 

–ହଁ, ବାଥ୍‌ରୁମର ଟବ୍ ଭିତରେ ।

 

‘‘ଦିଦି, ଆସନ୍ତୁ ଡରୁଛନ୍ତି କ’ଣ ? ଏଇ ରକମ କେତେ ଶହ ଶହ ଲୋକ ଗାଧୋଉଛନ୍ତି ନା ଆପଣ ଏକା ? କିଛି ହେବନି, ଧରନ୍ତୁ ମୋ ହାତକୁ ।” ଏହା କହି ରାମୁଡ଼ୁ ହାତ ବଢ଼ାଇ ଦେଇଥିଲା ।

 

ସ୍ୱପ୍ନା ଜୋରରେ ରାମୁଡ଼ୁର କଳା ମଚ୍‌ମଚ୍ ହାତ ଦୁଇଟିକୁ ଭିଡ଼ି ଧରିଥିଲେ । ଧୀରେ ଧୀରେ ରାମୁଡ଼ୁ ଭିତରକୁ ଟାଣି ନେଇଗଲା । ଦୁରନ୍ତ ମରାଳୀର ମନରେ ଅସଂଖ୍ୟ ଭିତ୍ତି । ହାତ ଖସିଗଲେ, ଚୋରା ସ୍ରୋତରେ ସେ ଯଦି ଅତଳ ଗର୍ଭକୁ ଟାଣି ହେଇଯିବେ ।

 

ରାମୁଡ଼ୁ ମନ କଥା ଧରିପାରେ । “ଦିଦି, ମୋଟେ ଡରନ୍ତୁ ନାହିଁ । ଦିନ ଦୁଇଟାରେ ଯଦି ପହଁରା ଶିଖାଇ ନ ଦେଇଛି ।” ଏହା କହି ସେ ଟାଣି ନେଇଯାଏ ଆଉ ଟିକିଏ ଭିତରକୁ ।

 

ମା’ ପକ୍ଷୀ ତା’ ଶାବକକୁ ଉଡ଼ା ଶିଖାଇବା ପରି, ରାମୁଡ଼ୁ ପ୍ରତିଦିନ ଠିକ୍‍ ବାରଟା ବେକେ ପହଞ୍ଚି ଯାଇ, ସ୍ୱପ୍ନାକୁ ନେଇଯାଏ ପାଣି ଭିତରକୁ ସ୍ନାନ ସନ୍ତରଣରେ ସାହାଯ୍ୟ କରିବା ପାଇଁ । ପ୍ରତିଦିନର ଅଭ୍ୟାସ ଫଳରେ ସ୍ନାନ ସନ୍ତରଣରେ ପଟୁ ନ ହେଲେ ବି ରାମୁଡ଼ୁର ସାମାନ୍ୟ ସାହାଯ୍ୟରେ ସେ ବର୍ତ୍ତମାନ ଭିତରକୁ ଯାଇ ସନ୍ତରଣ କରି ପାରୁଛନ୍ତି ।

 

ସ୍ଵପ୍ନା ପ୍ରତିଦିନ ବିଛଣା ଝାଡ଼ି ସୁବ୍ରତଙ୍କୁ ତାଗିଦ କରିଦେଇ ଆସନ୍ତି ବିଶ୍ରାମ ନେବା ପାଇଁ-। ନିଜେ ତଉଲିଆ ଖଣ୍ଡିଏ ଧରି ବାରଟା ବେଳେ ଦୌଡ଼ି ଆସନ୍ତି ସମୁଦ୍ର କୂଳକୁ । ରାମୁଡ଼ୁ ଅପେକ୍ଷାରେ ଥାଏ, କେବେ ବି ସାମାନ୍ୟ ବିଳମ୍ବରେ ଆସି ପହଞ୍ଚିଯାଏ । ରାମୁଡ଼ୁର ହାତଧରି ସେ ପଶିଯାନ୍ତି ଭିତରକୁ ଭିତରକୁ । ସମୁଦ୍ର ପବନ ହିଲ୍ଲୋଳରେ ତୁଳା କୋମଳ ପକ୍ଷୀଟି ଦୋଳି ଖେଳିଲା ପରି ସ୍ୱପ୍ନାଙ୍କ ଚାରୁସିକ୍ତ ତନୁ ଲହରୀମାଳାରେ ଦୋଳି ଖେଳେ । ଦୂରକୁ କେବଳ ବେଳେ ବେଳେ ଦେଖାଯାଏ ଶଙ୍ଖଶୁଭ୍ର ମୁହଁଟି । ପୁଣି ଢେଉଗୁଡ଼ିକ ଭିତରେ ସେ ଲୁଚିଯାଆନ୍ତି । ଅଦୃଶ୍ୟ ହୋଇଯାନ୍ତି । ଯେତେବେଳେ ରାମୁଡ଼ୁ ତାଙ୍କ କଟିରେ ହାତ ଗୁଡ଼େଇ ସନ୍ତରଣରେ ସାହାଯ୍ୟ କରେ, ସେ ଦୁଇ ହାତରେ ତା’ର ବାହୁର ମାଂସପେଶୀକୁ ଜାବୁଡ଼ି ଧରନ୍ତି ସେତେବେଳେ ତାଙ୍କର ଅନ୍ତରାତ୍ମା ଥରାଇ ଘନ ଘନ ନିଃଶ୍ଵାସ ପ୍ରଶ୍ୱାସ ଛୁଟି ଆସେ । ସେ ପ୍ରଶ୍ଵାସ ଏକ ପ୍ରଶାନ୍ତିର ପ୍ରଶ୍ଵାସ ଯେଉଁଥିରୁକି କେଉଁ ନିଷ୍ଠୁର ବିଧାତା ଯେପରି ତାଙ୍କୁ ବଞ୍ଚିତ କରିଛି ଏବଂ ବହୁ ଦିନପରେ ସମୁଦ୍ରର ନୀଳ ଜଳରେ ତା’ର ସନ୍ଧାନ ସେ ଆପେ ଆପେ ପାଇଛନ୍ତି ଯାହା କି କେବେ ସେ ସ୍ଵାଦ କରିନଥିଲେ-। ଯଦିଓ ସ୍ଵାଦ କରିବାର ଆକାଂକ୍ଷା ଓ ଆଗ୍ରହ ଥିଲା ତୀବ୍ର । ପାଣି ଭିତରେ ଖିଲ୍ ଖଲ୍ ହୋଇ ଯେତେବେଳେ ହସିଉଠନ୍ତି ପବନରେ ହସ ରେଣୁ ସବୁ ଲୀନ ହୋଇଯାଏ, ଲୀନ ହୋଇଯାଏ ତରଙ୍ଗରେ-। ଦୁଇଧାଡ଼ି ବସିଲା ବସିଲା ଦନ୍ତପଂକ୍ତି ଉପହାସ କରନ୍ତି ଫେନର ଶୁଭ୍ରତାକୁ । ଆଉ ଲକ୍ଷ୍ୟ ସ୍ଵପ୍ନରେ ଖୁନ୍ଦି ଖୁନ୍ଦି ହୋଇ ଆସୁଥିବା ଉଜ୍ଜ୍ଵଳ ନୀଳ ଆଖି ଦୁଇଟି, ସମୁଦ୍ରର ନୀଳିମାକୁ ବି ତିରସ୍କାର କରି ଉଠେ ।

 

“ବୁଝିଲୁ ରାମୁଡ଼ୁ, ମୁଁ ଚାଲିଯାଉଛି ।’’ ଏକ ବାତ୍ୟାଘାତ ପ୍ରଚଣ୍ଡ ତରଙ୍ଗ ଆସି ବୁଡ଼ାଇ ଦେଲା ଉଭୟଙ୍କୁ । ରାମୁଡ଼ୁ ବୋଧହୁଏ ସ୍ପଷ୍ଟ ଭାବେ ଶୁଣିପାରିଲା ନାହିଁ ସେଇ ଗର୍ଜନରେ । ‘‘କ’ଣ କହିଲ ଦିଦି ?’’ ‘‘ଛୁଟି ପୂରି ଗଲାଣି, ମୁଁ ଚାଲି ଯିବାରେ ।” ଆଜ ଖୁବ୍ ଭଲଭାବେ ମନଭରି ଗାଧୋଇଯାଏ ।

 

ସ୍ଵପ୍ନା ଆହୁରି ନିବିଡ଼ ଭାବେ ରାମୁଡ଼ୁକୁ ଜାବୁଡ଼ି ଧରିଲେ । ସନ୍ତରଣ କରିବାର ଆଗ୍ରହ ନଥିଲା ସେତେ । କେବଳ ଆଶ୍ରାକରି ଭାସିବାକୁ ଲାଗିଲେ ।

 

ହୋଟେଲ ବାରଣ୍ଡାରେ ବେତ ଚୌକିରେ ଆଉଜାଇ, ସୁବ୍ରତ ବାଇନୋକୁଲାରର ଶକ୍ତିଶାଳୀ ଲେନ୍‌ସ ସାହାଯ୍ୟରେ ଦେଖୁଥାନ୍ତି ଦୂରର ଭାସମାନ ଡଙ୍ଗାଗୁଡ଼ିକୁ, ଉଡ଼ନ୍ତା ପକ୍ଷୀ ସବୁ ନିଖୁଣ ଭାବେ ଦେଖାଯାଉଥାନ୍ତି ହାତ ପାଆନ୍ତାରେ । ବହୁତ ବେଳୁ ସାମୁଦ୍ରିକ ପକ୍ଷୀ ଦୁଇଟି ତାଙ୍କ ଗାଧୋଇବା ସ୍ଥାନର ଟିକଏ ଦୂରରେ ଡେଣା ଝାଡ଼ି ଉଡ଼ୁଛନ୍ତି । ବେଳେ ବେଳେ ଜୋରରେ ଏକ ଦମକାଏ ପବନ ଟେକି ନେଉଛୁ ଉପରକୁ, ପୁଣି ଖସି ଆସୁଛନ୍ତି ତଳକୁ । ଢେଉ ସବୁକୁ ତାଙ୍କ ସାମନାରେ ଧରି ରଖିଛି ବାଇନାକୁଲର । ଉଲ୍ଲସିତ ହୋଇ ଉଠୁଛନ୍ତି ସୁବ୍ରତ । ଭଗ୍ନମନ ପଲ୍ଲବିତ ହୋଇ ଉଠୁଛି ନୂତନ ସ୍ଵାସ୍ଥ୍ୟର ତରୁରେ ତରୁରେ । ଶୀର୍ଣ୍ଣ ରୁଗ୍‌ଣ ସ୍ଵାସ୍ଥ୍ୟର ଅସମ୍ଭବ ପରିବର୍ତ୍ତନ ହୋଇଛି ଏଇ ମାସକ ଭିତରେ । ତଥାପି ମନରେ ସେଇ ପୂର୍ବ ଆଶଙ୍କା.....ଆତ୍ମପ୍ରତ୍ୟୟର ଅଭାବ.....

 

ବାଇନାକୁଲରଟିକୁ ବୁଲାଇ ଚକ୍ଷୁ ନିବଦ୍ଧ କଲେ ସ୍ନାନ ସ୍ଥାନଟିରେ । ସ୍ଵପ୍ନାଙ୍କ ମୁହଁଟି ବେଳେ ବେଳେ ଧରା ପଡ଼ୁଛି କାଚରେ–କଳସ୍ନାତ ନିଟୋଳ ମୁହଁଟି ଚକ୍‍ଚକ୍ କରୁଛି ପୁଣି ଢେଉ ତଳେ ଲୁଚି ଯାଉଛି–ଏଇ ପୁଣି ଦେଖାଗଲା ଗ୍ରୀବାଠାରୁ ଉପରକୁ ପୁଣି ଅଦୃଶ୍ୟ ହୋଇଗଲ ।

 

ଦୁଇଟା ବାଜିଲାଣି । ହାତଘଣ୍ଟାକୁ ଚାହିଁଲେ ସେ । କେତେ ସମୟ ଆଉ ଗାଧୋଉଥିବ-? ହେଉ ଗାଧୋଉ, କେତେଦିନ ବା ଆଉ ? ବାଧା ଦେବେ କାହିଁକି ? ଯେତେ ଉପଭେଗ କରୁଛି ସେ କରୁ, ଯେତେ ଆନନ୍ଦ ପାଉଛି ପାଉ । କଲିକତାକୁ ଫେରିଗଲେ ଏ ଆନନ୍ଦ ହୁଏତ ସେ ଆଉ ଜୀବନରେ ପାଇବ ନାହିଁ । ତୃଷା ତା’ର ମେଣ୍ଟିଯାଉ ।

 

ତଳୁ ଖବରକାଗଜଟା ଉଠାଇ ଆଣି ପୁଣି ଆଖି ପକାଇଲେ । କିଛି ସମୟ ପରେ ପୁଣି ଚାହଁଲେ ସମୁଦ୍ର ଆଡ଼େ ଖାଲି ଆଖିରେ । କାହିଁ, ଏତେପର୍ଯ୍ୟନ୍ତ ଗାଧୋଇବା ସରିଲା ନାହିଁ । ଆସୁ ଆଜ କସିକ ଚିଡ଼ାଇବି । ପୁଣି ଆଖି ସାମନାରେ ବାଇନୋକୁଲାରଟିକୁ ଲଗାଇଲେ । ଆଉ ତ ଦେଖାଯାଉ ନାହଁ କାହିଁକି ? ରାମୁଡ଼ୁଟା ନୂଆ ବୁଡ଼ା ପହଁରା ଶିଖାଉଛି ବୋଧହୁଏ । ସେଇ ଏକା ଜାଗାରେ ସାମୁଦ୍ରିକ ପକ୍ଷୀ ଦୁଇଟି ଏବେ ବି ଉଡ଼ୁଛନ୍ତି; କ୍ଳାନ୍ତ ଲାଗୁନି ତାଙ୍କୁ ! କିନ୍ତୁ ରାମୁଡ଼ୁ କିମ୍ବା ସ୍ଵପ୍ନା ତ ଆଉ ଦିଶୁ ନାହାନ୍ତି ! ଏକ ସମ୍ଭାବ୍ୟ ଆଶଙ୍କାରେ ସେ ଉଠି ଛିଡ଼ାହେଇ ପଡ଼ିଲେ । ଛାତି ଦୁଲ୍ କରି ଉଠିଲା । ବାଇନୋକୁଲାରଟିକୁ ରଖିଦେଇ କ୍ଷୀପ୍ର ପଦରେ ଧାଇଁ ଆସିଲେ କୂଳକୁ ଚିତ୍କାର କରି ।

 

ସଙ୍ଗେ ସଙ୍ଗେ ବେଳାଭୂମି ଲୋକ କୋଳାହଳ ଓ ଫାୟାର ବ୍ରିଗ୍ରେଡ୍‍ର ପଦଧ୍ଵନିରେ କାତର ବ୍ୟସ୍ତହୋଇଉଠିଲା ।

Image

 

କଲି

 

ଆଃ !

 

କ’ଣ ହେଲା ? କଟିଗଲା ? ଡେଟଲ୍ ଦେବି ? ...ଘରୁ ପାଟିକରି ଉଠିଲେ ଶ୍ରୀମତୀ ଦାସ । କହୁ କହୁ ଡେଟଲ୍ ଶିଶିଟାକୁ ଧରି ଦଉଡ଼ି ଆସିଲେ ସ୍ଵାମୀଙ୍କ ପାଖକୁ । ତାଗିଦ୍ କରିବା ଗଳାରେ କହିଲେ, ‘‘ଏତେ ତରତର ହେଉଛ କାହିଁକି ? ଆଜି ତ ରବିବାର । ଟିକିଏ ସାବଧାନ ହୋଇ କାଟିଲେ ହୁଅନ୍ତା ନାହିଁ ।”

 

‘‘ନା, ନା, କିଛି ହେଇନି । ଆଜି ବି ଖିଅର ହେଉଁ ହେଉଁ କଲିଟାକୁ କାଟି ଦେଲି ମ ।’’ କହିଲେ ଶୁକଦେବ ବାବୁ । କଥାରେ ଥିଲା ଏକପ୍ରକାର କୋହ ।

 

ଗତ ପନ୍ଦର ଦିନ ହେଲ ଶୁକଦେବ ବାବୁ ଚେଷ୍ଟା କରି ଆସୁଛନ୍ତି କଲି ଛାଡ଼ିବେ ବୋଲି । ଲମ୍ବା କଲି ରଖିବେ । ନୂଆ ଚଳଣି । ସେ କୁଆଡ଼େ ପଛରେ ପଡ଼ିଯାଉଛନ୍ତି । ଅଫିସରେ ପ୍ରଥମେ ପ୍ରଥମେ ଯେଉଁମାନେ ନାକ ଟେକୁଥିଲେ, ସେମାନେ ଆସ୍ତେ ଆସ୍ତେ ଲମ୍ବା କଲି ରଖିଲେଣି । କଲମ ମୁନ ପରି ଗୋଜିଆ ଜୋତା ଓ ଚିପା ପେଣ୍ଟ ପିନ୍ଧା ଆରମ୍ଭ କଲେଣି । ସ୍ତ୍ରୀ ବି କେତେଥର ତାଙ୍କୁ ତାଗିଦ୍ କଲେଣି କଲି ଛାଡ଼ ।

 

କିନ୍ତୁ ପ୍ରତିଦିନ ସକାଳେ ସେ ଝିଅର ବାକ୍‌ସ ନେଇ ବସିଗଲା ବେଳେ କଲି କଥା ଭୁଲିଯା’ନ୍ତି ଓ ଦାଢ଼ି ଖିଅର ହେଉଁ ହେଉଁ କେତେବେଳେ ଯେ କଲିଟାକୁ ନିତିଦିନିଆ ଅଭ୍ୟାସବଶତଃ କାଟି ପକାନ୍ତି, ଜାଣି ପାରନ୍ତି ନାହିଁ । ହଠାତ୍‌ ହେତୁ ହେଲେ ମନ ଗୁଡ଼େଇ ତୁଡ଼େଇ ହୁଏ ଓ ତା’ପରେ ମନକୁ ବୁଝାନ୍ତି–ହେଉ କାଲିଠାରୁ ଟିକିଏ ସାବଧାନ ହେବ । ଆଉ କାଟିବି ନାହିଁ । ଦିନ କେଇଟାରେ ବଢ଼ିଯିବନି କି ? ଏଇପରି ପନ୍ଦର ଦିନ କଟି ଗଲାଣି । ଆଜି ବି ଖିଅର ହେଉଁ ହେଉଁ ଅନ୍ୟ ଦିନର ଅଭ୍ୟାସଟା ପୁନରାବୃତ୍ତି ହୋଇଗଲା । ଗୋଟିଏ ପାଖ କାଟି ସାରିବା ପରେ ଯାଇ ମନେପଡ଼ିଲା, ଆଉ ଖୁରଟାକୁ ହାତରେ ସେଇପରି ଧରି ସେ ଅତି ବିକଳରେ ପାଟି କରି ଉଠିଲେ–ଆଃ ।

 

“କିମିତି ତୁମର ଭୁଲାମନ କେଜାଣି ? ମାସେ ହେଲାତ କହି ଆସୁଚ କଲି ଛାଡ଼ିବ ବୋଲି । ସବୁଦିନ ଖାଲି ଭୁଲି ଯାଉଛ । ଚକ୍ରଧର ବାବୁ ପୁଣି ଦିନ କେଇଟାରେ କିପରି ବଢ଼ାଇ ଦେଲେ ।”–ଥମ ଥମ ହେଇ ଚଢ଼ାଉ କରିବା ଭଙ୍ଗୀରେ କହ ଉଠିଲେ ଶ୍ରୀମତୀ ।

 

ଶୁକଦେବ ବାବୁଙ୍କ ଚରିତ୍ରରେ ସିଏ ଏକ ବିଶେଷ ଦୁର୍ବଳତା । ଚକ୍ରଧର ବାବୁଙ୍କ ଉଦାହରଣଟା । ତାଙ୍କ ପୌରୁଷ ଉପରେ ଯେପରି ଚୋଟଟିଏ ମାରିଲା । ରାଗି ଉଠି କହିଲେ: “ତେବେ ଯାଉନ ଚକ୍ରଧର ବାବୁଙ୍କୁ ଆଉଥରେ ବାହା ହେବ । ତା’ କଥା ଆଉଥରେ ଯଦି କହିବ, ଦେଖିବ ।”

 

ଶୁକଦେବ ବାବୁ ଆରସି କାଚରେ ଦେଖିଲେ ଶ୍ରୀମତୀଙ୍କ ଛାଇଟା ଥମ ଥମ ହେଇ ଘର ଭିତରକୁ ଚାଲି ଯାଉଛି ।

 

ସାବୁନରେ ଫେଣ କରି ବ୍ରସରେ ଆଉ ପରସ୍ତେ, କବାଟରେ ରଙ୍ଗ ଦେଲା ପରି, ଗାଲ ସାରା ନେସି ଦେଲେ । ଆରସିରେ ଚାହିଁଲେ ନିଜ କଲିକୁ । ଆହା କି ଭୁଲ କଲି । ବାଧ୍ୟହେଲେ ଡାହାଣ ପାଖ କଲିଟାକୁ ଛୋଟ କରି ଦେବାକୁ । ନ ହେଲେ ବାଁପଟ ସହ ଭାରସାମ୍ୟ ରହିବ ନାହିଁ ।

 

ଶୁକଦେବ ବାବୁ ଏଇ କେତେଦିନ ହେବ ନିଷ୍ଠାର ସହ ଚେଷ୍ଟା କରୁଛନ୍ତି ଲମ୍ବା କଲି ରଖିବେ । ଟୁନାର ଜିଦ୍, ରୁନୁର ଅଭିମାନ, ସ୍ତ୍ରୀଙ୍କର ଚଢ଼ାଉ । ସେ ପଛରେ ପଡ଼ି ଯାଉଛନ୍ତି । ଯୁଗ ସହ ଖାପ ଖୁଆଇ ଆଗକୁ ଧସି ଯାଇ ପାରୁ ନାହାନ୍ତି ।

 

ପାଞ୍ଚ ଛଅ ମାସ ତଳେ ତାଙ୍କ ପେଣ୍ଟ ପିନ୍ଧା ବେଶଭୂଷା ଦେଖି ଟୋକା ଅଫିସରମାନେ ଟୀକା ଟୀପ୍‍ପଣୀ କରୁଥିଲେ । ତାଙ୍କ କାନକୁ ଗଲା । ସେଥିରେ ସେ ତିଳେହେଲେ ବିବ୍ରତ ହେଲେନି । ତାଙ୍କର କ’ଣ ଆଉ ଦିନକାଳ ଅଛି ଫେସନ ହେବାକୁ ? ସେ କ’ଣ ଟୁନା ନା ରୁନୁ ହୋଇଛନ୍ତି । ଶେଷରେ ଚାରିକାନ ହୋଇ ଶ୍ରୀମତୀଙ୍କ କାନକୁ ଗଲା । ଅଫିସ ପିଅନ ନାରଣା ପରିବା ବ୍ୟାଗ୍‌ଟା ବାବୁଙ୍କ ଘରେ ଥୋଇଦେଇ ଘରକୁ ବାହାରୁଥିବା ସମୟରେ ଶ୍ରୀମତୀ ଅଫିସ ଖବର ଦୁଇ ଚାରିପଦ କ’ଣ ପଚାରି ଦେଲେ । କେଉଁ ସହକାରୀ ସେଟ୍‌ଲମେଣ୍ଟ ଅଫିସର ସବୁ କ୍ୟାମ୍ପରୁ ଆସିଲେଣି ଦରମା ନେବା ପାଇଁ । ପତି ବାବୁ ନିମାପଡ଼ାରୁ ଛେନାପୋଡ଼ ଆଣିଛନ୍ତି କି ନାହିଁ, ଶଙ୍କର ବାବୁ ବାଣପୁରରୁ ଖଏଙ୍ଗା ମାଛ ଓ ମାଛ ମଞ୍ଜି ଧରି ଆସିଛନ୍ତି କି ନାହିଁ, ବାଙ୍କ ବାବୁ ଦୁଇ ଦିନ ହେଲା ଆସିଲେଣି ଅଥଚ ଦ୍ୱାର ଟିକେ ମାଡ଼ୁ ନାହାନ୍ତି ଇତ୍ୟାଦି ଇତ୍ୟାଦି । ନାରଣା ଖବର ଅନ୍ତର ଦେଉଁ ଦେଉଁ ଅତି ଗୋପନରେ ଶ୍ରୀମତୀଙ୍କୁ କହିଲା ଯେ ବାବୁଙ୍କର ପେଣ୍ଟ ପିନ୍ଧା ଦେଖି ଅଫସରେ ଟୋକାବାବୁମାନେ ଥଟ୍ଟା କରୁଛନ୍ତି । କୁଆଡ଼େ କହୁଛନ୍ତି, ସେ ତ ପେଣ୍ଟ ନୁହେଁ, ତକିଆ ଖୋଳ । ଦୁଇଜଣ ଲୋକ ତା’ ଭିତରେ ପଶିଯିବେ । ଶ୍ରୀମତୀଙ୍କୁ କଥାଟା କିପରି ମାଡ଼ି ପଡ଼ିଲା । ନାରଣା କିନ୍ତୁ ଜାଣି ପାରିଲା ନାହିଁ । ଯାହାହେଉ, ନାରଣାଟା ବଡ଼ ବିଶ୍ଵାସୀ । ଶ୍ରୀମତୀଙ୍କର ଓ ତା’ର ପାନ ଦିଆ ନିଆ ମାଧ୍ୟମରେ କିପରି ଏକ ରହସ୍ୟମୟ ସମ୍ପର୍କ ସ୍ଥାପିତ ହୋଇଯାଇଚି । ଏଇଥିପାଇଁ ଅନ୍ୟ ପିଆନମାନେ ତାକୁ ଭାରି ଈର୍ଷା କରନ୍ତି ।

 

ସେଦିନ ସନ୍ଧ୍ୟାରେ ସ୍ଵାମୀଙ୍କର ଯେତେକ ପୁରୁଣା ଟେରିକଟ୍ ପେଣ୍ଟ ଥିଲା, ଶ୍ରୀମତୀ ଦାସ ସେଗୁଡ଼ିକ ଖବରକାଗଜରେ ଗୁଡ଼ାଇ ସ୍ଵାମୀଙ୍କ ସହ ବାହାରିଲେ ଦରଜି ଦୋକାନକୁ । ପେଣ୍ଟର ମହୁରି କଟା ହୋଇ ହେବ ପନ୍ଦର । ତଳ ଫୋଲ୍‌ଡ ଆଉ ରହିବ ନାହଁ । ଉପର କନାଟା ଭିତରକୁ ଯିବ ଓ ତଳ ପାଖଟା ଉପରକୁ ଆସିବ । ଯେପରି ହେଉ ନୂଆ ଦେଖାଯିବ । ନୂଆ ତିଆରି କଲେ ଯେତିକି ମଜୁରୀ ପଡ଼ିବ, ସେତିକି ଦିଆଯିବ ବୋଲି ଶ୍ରୀମତୀ ଦାସ ଦରଜିକୁ ଉତ୍ସାହିତ କରିବା ପାଇଁ ଚୁକ୍ତି କଲେ ।

 

“ଆଜ୍ଞା, ସିଲେଇ ଫଟେଇଲେ, ଏଇ ସିଟ୍ ପାଖରେ ଦୁଇ ଧାଡ଼ି ହେଇ ପୂରା ଦାଗ ପଡ଼ିଯିବ । ଭଲ ଦେଖାଯିବନି ।’’ ଦରଜିର ଇଚ୍ଛା ନଥିଲା ପୁରୁଣା କାମ ହାତକୁ ନେବ ବୋଲି ସରସ୍ଵତୀ ପୂଜା, ନୂଆ କାମ କେତେ ବାକି ପଡ଼ିଛି–ଠିକ୍ ସମୟରେ ନ ଦେଲେ ସ୍କୁଲ କଲେଜ ପିଲା ତା’ ଦୋକାନ ଉଡ଼େଇ ଦେବେ ।

 

‘‘ହେଉ, ହେଉ ଦେଖିବ । ସୁବିଧା ଦେଖି କରିବ । ଯାହା ତୁମେ ଭଲ ବୋଲି ଭାବିବ, ସେଇପରି କରିବ । ତୁମେତ ପୁରୁଖା ଲୋକ । ତୁମେ ପାରିବନିତ ଆଉ ପାରିବ କିଏ ? ପେଣ୍ଟ ଉପରେତ ସେ ପୂରା ହାୱାଇ ସାର୍ଟ୍‌ଟା ପିନ୍ଧବେ, ସିଲାଇ ଫିଟା ଦାଗ ଆଉ ଦେଖାଯିବ କିମିତି ? ଶ୍ରୀମତୀ ଦରଜିକୁ ବୁଝାଇବାକୁ ଯାଇ କହିଲେ । ଶୁକଦେବ ବାବୁ ଭକୁଆଙ୍କ ଭଳି ସ୍ତ୍ରୀଙ୍କ ମୁହଁକୁ ଚାହିଁ ରହିଲେ । କ’ଣ କହିବାକୁ ଯାଉଥିଲେ । ହଠାତ୍ ଶ୍ରୀମତୀ ଦାସ ତାଙ୍କ ହାତକୁ ଝୁଙ୍କି ଆଣି ଓହ୍ଲାଇ ଆସିଲେ ଦୋକାନ ତଳକୁ । ଶୁକଦେବ ବାବୁ ଅତି ବିକଳରେ ରାସ୍ତା ଉପରୁ ଥାଇ ପାଟିକରି କହିଲେ–‘‘ଓ, ମାଷ୍ଟରଜୀ, ଦେଖିବେ ଯେପରି ନୂଆ ଲାଇନିଂ ପଡ଼େ ଆଉ ଅଣ୍ଟାଟା ଟିକିଏ ବଢ଼ିବ ।”

 

ଏଇ ସାତ ଆଠ ବର୍ଷ ଭିତରେ ବନ୍ଦୋବସ୍ତ ବିଭାଗରେ ପ୍ରମୋଶନ ହେବା ଦିନରୁ ଶୁକଦେବ ବାବୁଙ୍କ ପେଟ ଟିକିଏ କିପରି ବଢ଼ିଯାଇଛି ଚର୍ବି ହେତୁ । ସେଟା ମଧ୍ୟ ଟୋକା ଅଫିସରମାନଙ୍କ ଥଟ୍ଟା ପରିହାସର ଏକ ଟାରଗେଟ୍ ହୋଇଛି ।

 

ସେ ଚାଲିଗଲା ପରେ, କାରିଗରମାନେ ଠୋ ଠୋ ହେଇ ହସିଉଠିଲେ ।

 

ସେଟ୍‌ଲମେଣ୍ଟ ଅଫିସରେ ଏଇ କେତେଦିନ ହେଲା ଶୁକଦେବ ବାବୁଙ୍କ ପୋଷାକ ଓ କଲି ଏକ ଆଲୋଚନାର ବିଷୟ ହେଇ ଉଠିଚି । ଅଫିସ ବାରଣ୍ଡାରେ ସେ ଚାଲିଗଲା ବେଳେ କେହି କେହି କର୍ମଚାରୀ ଠରାଠରି ହେଇ ମନ୍ତବ୍ୟ ଦିଅନ୍ତି,–‘ତକିଆ ଖୋଳ ଗଲା କୁଆଡ଼େ ? ବୁଢ଼ାର ସଉକ ଦେଖ ।’

 

ପ୍ରଥମେ ପ୍ରଥମେ ଶୁକଦେବ ବାବୁଙ୍କୁ ଅଲଗା ଅଲଗା ଲାଗିଲା । କିନ୍ତୁ ପରେ ଏସବୁ ସମାଲେଚନା ଦେହସୁଆ ହୋଇଗଲା । ଗଧପରି ସବୁ କଥା ସହଜ ଭାବେ ସହି ନେବାରେ ସେ ପାରଙ୍ଗମ ବୋଲି ଅଫିସରେ ବିଶେଷତଃ ଉପର ମହଲରେ ତାଙ୍କର ବେଶ୍ ନାମ ।

 

ସେ ଦିନ ଶୁକଦେବ ବାବୁ ଅଫିସରୁ ଫେରି, ସିଧା ଆସିଲେ ଘରକୁ । ପ୍ରତିଦିନ ପରି ସେଦିନ ସେ ଚକାଡୋଳାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆଉ ଗଲେ ନାହିଁ । ଛଅଟା ଗାଡ଼ିରେ ଟୁନା ଓ ରୁନା ଷ୍ଟେସନରେ ଆସି ପହଞ୍ଚିବେ । ସେଥିପାଇଁ ଗାଡ଼ି ପଠାଇ ଦେଇଛନ୍ତି । ନିଜେ ତରତର ହେଇ ଘରକୁ ଫେରି ଆସିଲେ ।

 

ଶ୍ରୀମତୀ ଦାସ ବି ଚାହିଁ ବସିଛନ୍ତ, ଛୁଆ ଦି’ଜଣ କେତେ ଦିନପରେ ଘରକୁ ଫେରୁଛନ୍ତି ଛୁଟିରେ । ଶୁକଦେବ ବାବୁ ନିଜେ ଅତି ବେଶୀ ପାଠ ପଢ଼ି ନାହାନ୍ତି । କିନ୍ତୁ ସେ ଉଚ୍ଚ ଶିକ୍ଷାର ମୂଲ୍ୟ ଆଧୁନିକ ଯୁଗରେ କ’ଣ ସେ କଥା ବେଶ୍ ବୁଝିଛନ୍ତି । ସେ ତଳ ସିଡ଼ିରୁ ଉଠି ଉଠି ହେଇଛନ୍ତି ଚାର୍ଜ ଅଫିସର । ପୁରୁଖା କର୍ମଚାରୀ । ତାଙ୍କର ଇଚ୍ଛା ପିଲାମାନଙ୍କ ପାଠପଢ଼ାରେ ସବୁ ପଇସା ଖର୍ଚ୍ଚ ହେଉ । ଏକପ୍ରକାର ଇନଭେଷ୍ଟମେଣ୍ଟ–ପାଠପଢ଼ାରେ ସବୁଧନ ଖଟାଯିବ । କିଏ ଯଦି ପଚାରେ ପିଲାମାନଙ୍କୁ ଏତେ ଦୂରକୁ ପଢ଼ାଇବା ପାଇଁ କାହିଁକି ପଠାଇଲେ, ତା’ର ଉତ୍ତରରେ ସେ କହନ୍ତି, “ଭଲ କଲେଜରେ ଛାଡ଼ିଲେ, ଭବିଷ୍ୟତରେ ଭଲ କରିବେ । ଆମ ପରି ଏତେ ଭୋଗିବେ ନାହିଁ । ଏଠାରେ ଯେଉଁ ଗଣ୍ଡଗୋଳିଆ ପରିସ୍ଥିତି, ବୋମା ଫୋପଡ଼ା, କପି, ସେଥିରେ କ’ଣ ପାଠପଢ଼ା ହୁଏ-?” ପିଲା ଦୁଇଜଣ ମଧ୍ୟ ତାଙ୍କର ଖୁବ୍ ଭଲ ପଢ଼ନ୍ତି । ସେଥିପାଇଁ ସେମାନଙ୍କୁ ସେ ଛାଡ଼ିଛନ୍ତି ମାଡ୍ରାସରେ, ଖ୍ରୀଷ୍ଟିଆନ ମିଶନାରୀଙ୍କ ଦ୍ଵାରା ପରିଚାଳିତ ଏକ ନାମଜାଦା କଲେଜରେ ।

 

ଆଜି ସେମାନେ ଫେରି ଆସୁଛନ୍ତି । ଦୀର୍ଘଦିନ ଛୁଟି । ବଡ଼ ପୁଅ ଟୁନା ବି.ଏ. ପରୀକ୍ଷା ଦେଇଛି । ଆଉ ଝିଅ ରୁନୁ ବି.ଏ. ପଢ଼ୁଛି । ବର୍ଷକ ପରେ ଦୁହେଁ ଫେରୁଛନ୍ତି ମାନ୍ଦ୍ରାଜ ମେଲରେ–ତା’ପରେ ହାଇଦ୍ରାବାଦ ଏକ୍‌ସପ୍ରେସ୍ ଧରିବେ ।

 

ଟୁନା ତାଙ୍କର ବହୁତ ଚାଲାକ୍ ବୁଦ୍ଧିମାନ୍, ମେଧାବୀ । ଖୁବ୍ ଭଲ ପଢ଼େ ବୋଲି ଶୁକଦେବ ବାରୁ ଗର୍ବ କରନ୍ତି । ଅଫିସରେ ତା’ର ପ୍ରଶଂସା କରନ୍ତି । ଟୁନା ଥିଲାବେଳେ ବରାବର ଲଗାଏ–‘ବାପା ଆପଣ ସେ ପେଣ୍ଟଗୁଡ଼ାକ ଆଉ ପିନ୍ଧନ୍ତୁ ନାହିଁ । ନୂଆ ଡିଜାଇନ୍‌ର ସବୁ କରନ୍ତୁ । ମୋତେ ଟଙ୍କା ଦିଅନ୍ତୁ, ମୁଁ କିଣି ଆଣି ଦେଉଛି ।’

 

ଶୁକଦେବ ବାବୁଙ୍କର ସେଇ ଗୋଟିଏ ଉତ୍ତର–ଆଉ ବୟସ ଆସିଛିନା ଫେସନ ହେବାକୁ ?

 

ଝିଅ ରୁନୁ ମଧ୍ୟ କେତେ ଲଗେଇ ଲଗେଇ ଶ୍ରୀମତୀଙ୍କର ବ୍ଲାଉସରେ ସଂସ୍କାର ଆଣିଛି । ବୋଉ, ତୁ ଯଦି ସେଇ ବ୍ଲାଉସ୍ ପିନ୍ଧି ଡ୍ରାମା ଦେଖି କଲେଜକୁ ଆସୁ, ମୁଁ ତୋ ସାଙ୍ଗରେ ଯିବି ନାହିଁ । ତୁ ଅଲଗା ଯା । ସୁତରାଂ ଆଗରୁ ଯେଉଁଠି ଦେଢ଼ ମିଟର କନା ଲାଗୁଥିଲା । ଏବେ ଷାଠିଏରେ ହେଇଯାଉଛି । ଅଫିସରେ ଭୋଜି ପ୍ରଭୃତି ହେଲେ ବାଛି ବାଛି ମୋଟେ ହାତ ନଥିବା ବ୍ଲାଉସ୍ ପିନ୍ଧି ଏବେ ସେ ଯାଆନ୍ତି । ଗୋଟିଏ ଜାଗାରୁ ଘାସ ଚଞ୍ଛା ହେବାପରି, ପିଠିରୁ ଫାଳେ ଓ ଛାତି ଉପରୁ ବେକ ପର୍ଯ୍ୟନ୍ତ ଖୋଲା ସ୍ଥାନଟିରେ ବିଜୁଳବତୀ ପଡ଼ି ଚକ୍‍ଚକ୍ କରି ଉଠେ । ଟୋକା ଅଫିସରମାନେ ଟିକିଏ ପରସ୍ପର ଆଡ଼େ ଚାହିଁ ହସି ଦିଅନ୍ତି ।

 

ଶ୍ରୀମତୀ ଦାସ ବ୍ୟସ୍ତ ହୋଇ ଉଠୁଛନ୍ତି । ଖାଇବା ପିଇବା ସବୁ ଆଗରୁ ଠିକ୍ କରି ରଖି ସାରିଛନ୍ତି । ପିଲାମାନଙ୍କ ସାଙ୍ଗରେ ମାଡ୍ରାସରୁ ତାଙ୍କର କିଏ ଏକ ସାଙ୍ଗ ମଧ୍ୟ ଆସୁଛି । ପୁରୀ ଜଗନ୍ନାଥ ଦର୍ଶନ କରିବ, ସେଠୁ କୋଣାର୍କ, ଲିଙ୍ଗରାଜ ମନ୍ଦିର ସବୁ ବୁଲି ଦେଖିବ । ସେଥିପାଇଁ ଶୁକଦେବ ବାବୁ ଆଗରୁ ଗାଡ଼ିର ବନ୍ଦୋବସ୍ତ କରି ରଖିଛନ୍ତି ।

 

ତାଙ୍କ ଟୁନାଟି ବେଶ୍ ସ୍ମାର୍ଟ । କ୍ରିକେଟ୍ ଖେଳରେ କେତେ ନାମ ରଖିଛି । ଲମ୍ବା କଲି, ପଏଣ୍ଟେଡ୍‍ ଜୋତା ଓ ନଳୀ ପେଣ୍ଟ ପିନ୍ଧି ଯେତେବେଳେ ବ୍ୟାଟ୍ ନେଇ ବାହାରିଯାଏ, ଶୁକଦେବ ବାବୁଙ୍କର ଛାତି ସେତେବେଳେ କୁଣ୍ଢେମୋଟ ହୋଇଯାଏ । ଟେବୁଲ ଉପରେ ଥିବା ତା’ର ଫଟୋ ଉପରେ ତାଙ୍କର ନଜର ପଡ଼ିଗଲା । କିଛି ସମୟ ଅନେଇ ରହିଲେ ।

 

ରୁନୁ ବି ଭାଇ ପରି ପୋଷାକ ଓ ଢଙ୍ଗଢାଙ୍ଗରେ ବେଶ୍ ଆଧୁନିକା । ବିଭିନ୍ନ ମ୍ୟାଗାଜିନରେ ଛପା ପୋଷାକର ଛବି ଦେଖି ସେ ନିଜେ ତା’ପାଇଁ ପୋଷାକ ତିଆରି କରେ । ବେଳେ ବେଳେ ଦରଜି ପାଖରେ ବି ବରାଦ ଦିଏ । ସହରରେ ନୂଆ ପୋଷାକ ପ୍ରଚଳନ ପାଇଁ ସେ ଏକପ୍ରକାର ଦାୟୀ ବୋଲି କୁହାଯାଇପାରେ । ତା’ର ସାଙ୍ଗସାଥୀମାନେ ଚିପା ଟ୍ରାଉଜର, ବ୍ଲାଉସ୍, ସାଲୱାର ଆଦି ତିଆରି କରନ୍ତି ।

 

ଯାହାହେଉ ଦୁହେଁ ଫେରୁଛନ୍ତି ବର୍ଷକ ପରେ । ଶୁକଦେବ ବାବୁ ଖୁସି ହୋଇ ଉଠିଛନ୍ତି । ସେମାନେ ବି କେତେ ଖୁସି ହୋଇଯିବେ । ବର୍ଷକ ପରେ ଦେଖା । ଆଉ କିଛି ସେମାନେ ଭାବିବେ ନାହିଁ କି ମରହଟ୍ଟା ବୋଲି କହି ଚିଡ଼େଇବେ ନାହିଁ । ବାପା ବୋଉଙ୍କ ପୋଷାକପତ୍ର କେତେ ବଦଳି ଯାଇଛି । ଶ୍ରୀମତୀ ଦାସ ନିଜେ ବାଛି ସୁଟକେଶ୍‍ରୁ ପେଣ୍ଟ କାଢ଼ି ସ୍ୱାମୀଙ୍କୁ ଦେଇଛନ୍ତି । ମାଡ୍ରାସରୁ ପୁଅର ସାଙ୍ଗଟା ଆସୁଛି । କ’ଣ ଭାବିବ ସେ !

 

ହଠାତ୍ ହର୍ଣ୍ଣ ଶବ୍ଦ ଶୁଣାଗଲା ଦାଣ୍ଡରେ । ଶୁକଦେବ ବାବୁ ଖବରକାଗଜଟା ପକାଇ ଦେଇ ଉଠି ଆସିଲେ । ତାଙ୍କ ପଛେ ଶ୍ରୀମତୀ ‘ଟୁନା ଆଇଲାଣି, ଟୁନା ଆଇଲାଣି’ କହି ଦୌଡ଼ି ଆସିଲେ । ଶୁକଦେବ ବାବୁ କଲି ଉପରେ ଆଉଥରେ ଅଜାଣତରେ ହାତ ବୁଲାଇ ଆଣିଲେ: ନା, ଠିକ୍ ମଜବୁତ୍‍ ହୋଇ ଲାଗିଛି ତା’ ସ୍ଥାନରେ ।

 

ଟୁନା ଓ ରୁନୁ ଗାଡ଼ି ଭିତରୁ ବାହାରି ଆସିଲେ–ତାଙ୍କ ପଛେ ପଛେ ମାଡ୍ରାସର ତାଙ୍କ ସାଙ୍ଗଟି । ଦୁଇଜଣ ଯାକ ପ୍ରମାଣ କଲେ । କିନ୍ତୁ ଶୁକଦେବ ବାବୁ ହଠାତ୍ କିଛି ବୁଝିପାରିଲେ ନାହିଁ । କ’ଣ ହେଇଛି ? ଅବାକ୍ ହେଇ ଟୁନା ଆଡ଼େ ଚାହିଁ ରହିଲେ । ଶ୍ରୀମତୀ ଦାସ ମଧ୍ୟ ଥରେ ଟୁନା ଆଡ଼େ ଆଉ ରୁନୁ ଆଡ଼େ ଚାହିଁ ନିଜ ବାହୁ ଉପରେ ଆଖି ବୁଲାଇ ଆଣିଲେ । ଟୁନାର ସେ ଲମ୍ବା କଲି କାହିଁ ? ଲଣ୍ଡା କାହିଁକି ହେଇଛି ? ତା’ର ସେ ଗୋଜିଆ ମୁନ ଜୋତା କାହିଁ ? ଢିଲା ପେଣ୍ଟ ଖଣ୍ଡିଏ ପିନ୍ଧିଛି ତକିଆ ଖୋଳପରି । ତା’ ପଛରେ ସେ ମାଡ୍ରାସୀ ଟୋକାଟା ମଧ୍ୟ ଲଣ୍ଡା । ରୁନୁ ପିନ୍ଧିଛି ହେଣ୍ଡଲୁମ ଶାଢ଼ି ଖଣ୍ଡିଏ–ବ୍ଲାଉସ୍‍ର ହାତ ମାଡ଼ି ଆସି ଘୋଡ଼ାଇ ଦେଇଛି ବାହୁ ଦୁଇକୁ । ତା’ର ସେ ଚିପା ଟ୍ରାଉଜର କାହିଁ ?

 

ଟୁନାଟା ବଡ଼ ଚାଲାକ । ବୁଝିପାରିଲା–ଚମଡ଼ା ସୁଟକେଶ୍‍ଟାକୁ ଉଠାଇ କହିଲା, ବାପା ଇଏ ପରା ନୂଆ ଫେସନ୍ । ମାଡ୍ରାସ ଆଡ଼େ ଆଉ ବାଳ ରଖୁନାହାନ୍ତି । ଇଏ ଏକ ନୂଆ ମୁଭମେଣ୍ଟ-

 

ଶୁକଦେବ ବାବୁ କିଛିକ୍ଷଣ ସ୍ତ୍ରୀଙ୍କ ମୁହଁକୁ ଓ ଶ୍ରୀମତୀ ଦାସ ସ୍ଵାମୀଙ୍କ ମୁହଁକୁ ଚାହଁ ରହିଲେ ଓ ପରସ୍ପରକୁ ପଚାରୁଥିଲେ ଭୁଲ୍‍ କେଉଁଠି ରହିଲା ? ସେମାନଙ୍କଠାରେ ନା ଟୁନା–ରୁନୁଙ୍କ ଠାରେ ?

Image

 

ରୌଦ୍ରର ଅଭିଶାପ

 

ଆକାଶରୁ ଖସୁଚି ଖରା । କେଉଁ ଏକ କ୍ଷଣ କୋପୀ ମହର୍ଷିର ଅଭିଶାପ ପରି ବୈଶାଖର ଆକାଶରୁ ଝରି ଝରି ପଡ଼ୁଛି ହୃତାଶନୀ ଖରା ।

 

ଉତ୍ତପ୍ତ ତରଳ ଲାଭା ସଦୃଶ ଚାରିଆଡ଼େ ଢାଳିହୋଇ ଯାଇଛି ରାଶି ରାଶି ସୂର୍ଯ୍ୟର କିରଣ । ସତେଯେପରି ମଧ୍ୟାହ୍ନର ଆକାଶରେ ସୂର୍ଯ୍ୟର ରଥଚକ ସବୁ ଥକା ହୋଇ ଅଟକି ଯାଇଛି-। ସୂର୍ଯ୍ୟ ଜଳୁଛି ପ୍ରଚଣ୍ଡ । କର୍କଟ କ୍ରାନ୍ତିର କେଉଁ ଏକ ଗୋପନୀୟ ବଳୟ ଭିତରେ ଲୁଚି ଲୁଚି ସେ ନିକ୍ଷେପ କରୁଚି ସ୍ଫୁଲିଙ୍ଗ ପ୍ରଲେପିତ ତୀକ୍ଷ୍ଣ ଖରାର ଅୟୁତ ଶର–ଇଥରର ଛାତି ବିଦ୍ଧ କରୁଛି ଦ୍ୱିପ୍ରହରର ସନ୍ତାପିତ ପୃଥିବୀର ବନ୍ଧୁର ବକ୍ଷ । ରଣକ୍ଷେତ୍ରରେ ଭୀତତ୍ରସ୍ତ ସୈନିକ, ଯେପରି ସଣ୍ଡୁଆସି ଆକ୍ରମଣର ସମ୍ମୁଖୀନ ନହୋଇ ପାରି ଯନ୍ତ୍ରଣାରେ ଆର୍ତ୍ତନାଦ କରି ଉଠେ, ସେଇପରି ଚିତ୍କାରି ଉଠୁଚି ପୃଥିବୀ ସୁର୍ଯ୍ୟର ଆଗ୍ନେୟ ଶର ନିକ୍ଷେପରେ ।

 

ଦିଗନ୍ତ ବ୍ୟାପୀ ରକ୍ତ ଆଖି ଖରାର ବିସ୍ତୃତି ।

 

ଆକାର ହୀନ, ଗଢ଼ଣ ହୀନ ଅନନ୍ତ ଖରାର ସମୁଦ୍ର–କଡ଼େଇର ତତଲା ତେଲ ପରି ଟକମକ ଖରା ଫୁଟୁଚି ଶୂନ୍ୟରେ, ଆକାଶରେ ଆଉ ଏଇ ଅପନ୍ତରା ବିଲ ଭୂଇଁଟାରେ–ନିର୍ଦ୍ଧିଷ୍ଟ ଆକୃତି ଶୂନ୍ୟ ଏ ଖରା–ରେଖା ବିନ୍ଦୁ ଦେଇ ଚିତ୍ର କରିବାକୁ ଚେଷ୍ଟା କଲେ ଆଙ୍କିହୁଏ ନାହିଁ ତାକୁ । ଖାଲି ଏଠି ସେଠି, ନରାକାର ଖରାର ଢେଉ–ଆଉ ସୁନାରଙ୍ଗର ଅଗ୍ନିଶେଯ ପୃଥିବୀର ଶବ ଦେହରେ ସୂର୍ଯ୍ୟ ଦେଉଛି ମୁଖାଗ୍ନି–ହୁତୁ ହୁତୁ ହେଇ ଜଳୁଛି ଚିତା । ସୁନାରଙ୍ଗୀ ଖରାର ଚିତା ।

 

ଖରା ଓ ଖରା ।

 

ନିଷ୍ଠୁର ବୈଶାଖର ଖରା ।

 

ସେଇ ହଳଦୀ ମଖା ଖରା ପଖଳା ନିର୍ଜନ ଧୂଳି ଧୂସରିତ ବିଲ ଭୂଇଁରେ ଏକମୁହାଁ ହେଇ ଚାଲିଚି ମଳିକ । କିଛିଦୂର ଚାଲିବା ପରେ ଆଉଥରେ ପଛକୁ ମୁହଁ ବୁଲାଇଲା–ଫେରିଯିବ ନା ଆଗକୁ ଚାଲିବ ? ଷ୍ଟେସନଟା ରହିଗଲାଣି ବହୁତ ପଛରେ–ଆଖି ଉପରେ ହାତ ଢାଙ୍କି ଦୃଷ୍ଟିଶକ୍ତି ପ୍ରସାରିତ କଲେ, ସେଟା ଦେଖାଯାଏ କାନ୍ଥରେ ଛଟା ହୋଇଥିବା ମେଞ୍ଚାଏ ଗୋବର ପରି । ସେଠାକୁ ଫେରିଯିବା ପାଇଁ ଯେତିକି ବାଟ ଆଉ ସେଇ ବାଟ ଅତିକ୍ରମ କରିବା ପାଇଁ ଯେତିକି ସମୟ, ଅବଶ୍ୟ ସେତିକି ସମୟ ଭିତରେ ସେ ହୁଏତ ସାବଘରେ ପହଞ୍ଚିଯାଇ ପାରିବ । ସେ ବର୍ତ୍ତମାନ ଯେଉଁଠାରେ ସେଠାରୁ ଆନୁମାନିକ ମାପଦେଲେ ସାବଘର ଓ ଷ୍ଟେସନର ଦୂରତା ପ୍ରାୟ ସମାନ ହେବ । ସୁତରାଂ ଷ୍ଟେସନକୁ ଫେରିଯାଇ ଆଉ ଲାଭ କ’ଣ ? ବର୍ତ୍ତମାନ ଯଦି ସେ ଗୋଡ଼ ଆଉ ଟିକିଏ ଜୋରର ପକାଇବ, ତେବେ ସାବଘରେ ପହଞ୍ଚିବାକୁ ବେଶୀ ଅସୁବିଧା ହେବନାହିଁ । ଭୁଲ୍‍ତ କରିସାରିଚି ଷ୍ଟେସନରୁ ଗୋଡ଼ ବାହାର କରି, ବର୍ତ୍ତମାନ ଭାବି ବସିଲେ ଲାଭ କିଛି ହେବନି ।

 

ତଥାପି ମଳିକ ଅନୁତାପ କଲା । ମନ ଭରିଗଲା ମନସ୍ତାପରେ । ସେ ଭୁଲ୍‍ କରିଚି ଏ ନିଷ୍ଠୁର ଖରାଟାରେ ଗୋଡ଼ ବାହାର କରି । ସେ ଭୁଲ୍‍ କରିଚି ସେ ବୁଢ଼ୀଟାର କଥା ନ ମାନି । ଛୋଟ ଷ୍ଟେସନରେ ପ୍ଲାଟ୍‌ଫର୍ମ ଭିତରେ ସେ କିଛି ସମୟ ଶୋଇ ପାରିଥାନ୍ତା !

 

ହଁ ସେ ଭୁଲ୍‍ କରିଚି ।

 

ଗାଡ଼ିରୁ ଯେତେବେଳେ ଓହ୍ଲାଇ ସେ ପ୍ଲାଟ୍‌ଫର୍ମ ବାହାରକୁ ଆସିଲା, ସେତବେଳେ ତା’ର ଆଖି ପଡ଼ିଲା ଷ୍ଟେସନକୁ ଲାଗି ବରଗଛ ମୂଳେ ବସିଥିବା ଗୋଟିଏ ବୁଢ଼ୀ ଉପରେ । ଛିଣ୍ଡାକୋତରା ଲୁଗା ଖଣ୍ଡକୁ ଦେହରେ ଘୋଡ଼ାଇହୋଇ ମୁହଁ ପୋତି ବସିଥିଲା ସେ । ମଳିକ ପଚାରିଲା–

 

“ହେ ବୁଢ଼ୀ ବିନ୍ତରାକୁ ବାଟ କେଉଁଟା ?’’

 

ନେଳିଆ ପୋଷାକ ପିନ୍ଧା ଷ୍ଟେସନର ଖଲାସିଟା ସେଇବାଟ ଦେଇ ଯାଉଁ ଯାଉଁ କହିଲା–‘‘ଏ, ତାକୁ ବୁଢ଼ୀ ବୋଲି ଡାକିବୁ ନାହିଁ । ସେ ଭାରି ରାଗିଯାଏ ।’’

 

ମୁହଁସାରା ଭାଙ୍ଗି ପଡ଼ିଥିବା ଆବୁରୁଜାବୁରୁ, ଝୋଟପରି ବାଳଗୁଡ଼ାକ ହାତରେ ଟିକିଏ ଆଡ଼େଇଦେଇ ବୁଢ଼ୀଟା ଚାହିଁଲା ମଳିକ ମୁହଁକୁ । ଅନ୍ଧାରରେ ଏକ ଶିକାରୀ କୁକୁର ଆଖିପରି ଆଖି ଦୁଇଟା ତା’ର ଦପ୍ ଦପ୍ ଜଳୁଥିଲା । ମଳିକ ଆଡ଼େ କି ଏକ ତୀକ୍ଷ୍ଣ ଦୃଷ୍ଟି ହାଣି ଏକ ରହସ୍ୟମୟ ହସ ଟାଣି ସେ କହିଲା–‘‘କିରେ, ଏ ଖରାବେଳଟାରେ ବିନ୍ତରା କାହିଁକି ବାହାରିଚୁ ? ମୁଣ୍ଡଫଟା ଖରାଟା, ଟିକିଏ ବେଳ ଗଡ଼ିଯାଉ ଯିବୁ ।’’

 

ଖରା ଅତିକ୍ରାନ୍ତ ହେବା ପର୍ଯ୍ୟନ୍ତ ଯେଉଁ ସମୟର ଅପଚୟ ଏବଂ ସେଇ ବ୍ୟବଧାନ ମଧ୍ୟରେ ମଳିକ ମନର ଉତ୍କଣ୍ଠା ଓ ଅଝଟ ଗାନ୍ଧୀର ଅଳି, ବୁଢ଼ୀ ମାପିବ କିପରି ? ସାବ ଦେଇଥିବା ଅଭିମାନ ଭରା ଚିଠି କଥା ମଳିକର ମନେପଡ଼ିଗଲା–ବାପା, ଝିଅକୁ ବିଦା ଦେଇ ନିଶ୍ଚିନ୍ତରେ ଥିବେ-। ଟିକିଏ ଦେଖାଯିବା ପାଇଁ ମନେ ବି ପଡ଼ୁନାହିଁ ? .....ବେଳ ଗଡ଼ିଗଲା ପର୍ଯ୍ୟନ୍ତ ସେ ଅପେକ୍ଷା କରିପାରିବ ନାହିଁ । ଗୋଟିଏ ମୁହୂର୍ତ୍ତର ବିଳମ୍ବ ଯୋଗୁଁ ହୁଏତ ସାବ ଆଖିରୁ ଶ୍ରାବଣଧାରା ଗଡ଼ି ପଡ଼ୁଥିବ । ବାପାଙ୍କୁ ଦେଖିବା ପାଇଁ ସାବ ନିଶ୍ଚୟ ବ୍ୟସ୍ତହୋଇ ଚାହିଁ ବସିଥିବ । ଝରକା ଦେଇ ବାରମ୍ବାର ଅଙ୍କାବଙ୍କା ଗାଆଁ ରାସ୍ତାଟାକୁ ଲକ୍ଷ୍ୟ କରୁଥିବ । ହଁ, ବାପା ଚିଠି ଦେଇଥିଲେ ଆସିବା ପାଇଁ, ନିଶ୍ଚୟ ଆଜି ଆସିବେ । …ବାସନ ଖଣ୍ଡିଏ ଅଜାଣତରେ ହାତରୁ ଖସି ପଡ଼ିଲେ, ଛାତିଟା ତା’ର ଦାଉଁକିନା ଚମକି ଉଠୁଥିବ ଆଉ ନିଶ୍ଚିନ୍ତ ହେଉଥିବ ଯେ ବାପା ଆସିବେ । ଦାଣ୍ଡ ଆଗ ତେନ୍ତୁଳିଗଛ ମୂଳରେ ବନ୍ଧା ଗାଈଙ୍କର ମାଛି ଘଉଡ଼ାଇବାର ଶବ୍ଦ ବାପାଙ୍କର ପାଦଧ୍ୱନି ବୋଲି ତା’ ମନରେ ଭ୍ରାନ୍ତି ସୃଷ୍ଟି କରୁଥିବ–ଭାବୁଥିବ ହେଇ ବାପା ଆସିଗଲେ–କିମ୍ବା ହୁଏତ ଚାଳ ଉପରେ ଅନବରତ ରାବୁଥିବା କୁଆଟା ପାଇଁ ତିନି ମୁଣ୍ଡଳା ଚାଉଳ ରଖିଦେଇ ଚାଳ ଖୁଣ୍ଟକୁ ଆଉଜାଇ ହେଇ ଉତ୍କଣ୍ଠାର ସହ ଲକ୍ଷ୍ୟ କରୁଥିବ କୁଆଟା କେଉଁ ମୁଣ୍ଡଳାଟିକୁ ଝାମ୍ପି ଦେଉଛ–ସୂର୍ଯ୍ୟ ମଇତ୍ର, କୁଣିଆ ନା....

 

ବାଲୋ, ଦେଈ କାଇଁ ? –ଗାନ୍ଧୀ ପଚାରୁଛି ।

 

ମଳିକର ସାନପୁଅ ଗାନ୍ଧୀ–ସେଇ ବିଶ୍ଵମାନବ ବାପୁଜୀଙ୍କ ପରି ଭବିଷ୍ୟତରେ ସାନଭାଇ ଯେପରି ଏକ ବଡ଼ ମଣିଷ ହେବ, ବୋଧହୁଏ ସେଇ ନିରୀହ ଅଭିପ୍ରାୟ ନେଇ ନିରକ୍ଷର ଭଉଣୀ ତା’ର ସେଇ ନାମଟାକୁ ରଖିଥିଲା ଅତି ଆଦରରେ ।

 

ଗାନ୍ଧୀ କାନ୍ଦୁଚି ଦେଈ ପାଖକୁ ଯିବ ।

 

ମଳିକ ଭଲଭାବେ ଜାଣେ ଏଇ ଗାନ୍ଧୀ–ବର୍ତ୍ତମାନ ଏତେ କାନ୍ଦୁଚି ତା’ ଦେଈ ପାଖକୁ ଯିବ ବୋଲି । କିନ୍ତୁ ସାବକୁ ଦେଖିଲେ ହୁଏତ ସେ ଆଦୌ ଚିହ୍ନିପାରିବ ନାହିଁ । ତାକୁ ଯେତେବେଳେ ମାତ୍ର ଦୁଇ ବର୍ଷ ସେତେବେଳେ ସାବର ବିଭାଘର ହୋଇ ସାରିଥାଏ–ସେତେବେଳକୁ ଗାନ୍ଧୀ ତା’ ଦେଈକୁ ବେଶ୍ ଆଦରିଯାଇଥାଏ–କିନ୍ତୁ ଏହା ଭିତରେ ଆଉ ଦୁଇ ବର୍ଷ ବିତିଯାଇଛି–ସାବର ଚେହେରା ଗାନ୍ଧୀ ମନ ଭିତରେ ଲିଭି ଯାଇଛି; କିନ୍ତୁ ତଥାପି ସେଇ ଛୁଆ ଦିନର ‘‘ଦେଈ’’ ଡାକଟା ହୃଦୟ ଭିତରେ ଲିପିବଦ୍ଧ ହୋଇ ରହିଛି । କିଏ ଯଦି ତାକୁ ପଚାରେ–ଆରେ ତୋ ଦେଈ କାଇଁରେ-? ସେ ତା’ ଦରୋଟି ସ୍ଵରରେ କହେ, ଦେଈ ତା’ର ଶାଶୁଘରକୁ ଯାଇଚି । କିନ୍ତୁ ବର୍ତ୍ତମାନ ତା’ ଦେଈକୁ ଦେଖିଲେ ଆଦୌ ଚିହ୍ନିପାରିବ ନାହିଁ । ତା’ ପାଖକୁ ହୁଏତ ମୋଟେ ଯିବାକୁ ଇଚ୍ଛା କରିବ ନାହିଁ । ଯିବାକୁ ଡରିବ । ସାବ ସାକୁଲାଇ, କଅଁଳେଇ ଯେତେ ଡାକିବ–ଆ, ମୋ ସୁନାଟା ପରା–ମୁଁ ତୋ ଦେଈରେ–ଆ, ମୋ ପାଖକୁ ଆ–ସେତେବେଳେ ହୁଏତ ଗାନ୍ଧୀ ବାପା ଗଳାରେ ହାତ ଦୁଇଟା ଛନ୍ଦି ଦେଇ ଭିଡ଼ି ଧରିବ ଖୁବ୍ ଜୋରରେ ।

 

ତଥାପି ଗାନ୍ଧୀ କାନ୍ଦୁଚି ।

 

–ବା ଲୋ, ଦେଈ ଘର କାହିଁ ?

 

ନା, ଯେତେ ଖରା ହେଉ ପଛକେ ସେ ବାହାରିବ । ମଳିକର ପୌରୁଷ ତାକୁ ଦେଲା ସାହସ, ଉତ୍ସାହ ।

 

ବିନ୍ତରାକୁ ବାଟ କେଉଁଟା ମାଉସୀ ? –ମଳିକ ପୁଣି ପଚାରିଲା ।

 

ବହୁ ଦୂରରେ କେତୋଟି ଅସ୍ପଷ୍ଟ ଗଛର ସମ୍ମିଳନୀ ଆଡ଼େ ନୀରବରେ ହାତ ବଢ଼ାଇ ଦେଇ, ବୁଢ଼ୀ ଚୁପ୍ ହେଇ ବସି ବସି ନଖରେ ଉଙ୍କୁଣୀ ମାରିବାକୁ ଲଗିଲା ।

 

ବୈଶାଖର ପ୍ରଖର ରୌଦ୍ରକୁ ଗୋଡ଼ ବଢ଼ାଇ ଦେଲା ମଳିକ । ମନରେ ଦୁଇ ବର୍ଷର ଉତ୍କଣ୍ଠା ଓ ଆବେଗକୁ ଚାପିଧରି ସେ କ୍ଷୀପ୍ର ଗତିରେ ପଦକ୍ଷେପ କଲା ଆଗକୁ, ଆହୁରି ଆଗକୁ । କିଛି ଦୂର ନାଲିଗୋଡ଼ି କଚା ରାସ୍ତାରେ ପାଦ ଦୁଇଟାକୁ ରଙ୍ଗେଇ, ସେ ଶେଷରେ ଚାଲିବାକୁ ଲାଗିଲା । ଦିଗହଜା ବିଲ ଭୂଇଁରେ ।

 

ଚାରିଆଡ଼େ ଧ୍ଵଂସର ଜ୍ଵଳନ୍ତ ବିଲ–ଧାନ ଗଛର ଜରାଜୀର୍ଣ୍ଣ ଥୁଣ୍ଟାମୂଳ, ସବୁ ବୃଦ୍ଧ ପରି ଅତୀତର ସବୁ କଥା ସ୍ମରଣ କରି କରି ଦେଖାଯାଉଥାନ୍ତି ଶୀର୍ଣ୍ଣ । ହିଡ଼ ଉପରେ ଉପରେ ଚାଲିଚି ମଳିକ–ମୁଣ୍ଡ ଉପରେ ସୂର୍ଯ୍ୟବୃଷ୍ଟି କରୁଚି ଅଗ୍ନି । ମଳିକର ପାଦ ଦୁଇଟା ଯେପରି ପଡ଼ୁଚି ଅଗ୍ନିକୁଣ୍ଡ ଭିତରେ । ସେ ଯେପରି କାଳିସୀ ପରି ଅଗ୍ନି ଶେଯରେ ପାଦ ପକାଇ ଚାଲିଚି । ଦେହରେ ପିଟି ହେଉଛି ବୈଶାଖୀ ଝାଇଁ । ନାଗଫେଣୀ କଣ୍ଟା ପରି ଫୋଡ଼ି ହୋଇଯାଉଛି ଦେହ । ମଳିକ ବ୍ୟତିବ୍ୟସ୍ତ ହୋଇଗଲା । ଆହୁରି କ୍ଷୀପ୍ର ଗତିରେ ଗୋଡ଼ ପକାଇଲା ସେ । ନିଜ ପରିସ୍ଥିତିକୁ ଭୁଲଯିବା ପାଇଁ ଅନ୍ୟଆଡ଼େ ମନଦେଲା–ଭାବିବା ପାଇଁ ଲାଗିଲା–ସାବଘରୁ ଫେରି ଯେତେବେଳେ ସେ ନିଜ ଗାଆଁରେ ପହଞ୍ଚିବ, ଘରେ ସବୁ ତାକୁ ଘେରିଯାଇ ପଚାରିବେ ସାବର କୁଶଳ ସମାଚାର–ସେ କହି ଚାଲିବ ସାବ କିପରି ପାଣି ଆଣି ତା’ ଗୋଡ଼ ଧୋଇ ଦେଲା…ତା’ ଗୋଡ଼ ଧରି କିପରି କଇଁ କଇଁ କାନ୍ଦି ଉଠିଲା….ତା’ ବୋଉ, ଟୁନା, ସୁର କଥା ସବୁ ଗୋଟି ଗୋଟି ପଚାରି ଗଲା…

 

ଆଃ ! ….ପାଦରେ ବିଦ୍ଧ ହୋଇଗଲା କେତୋଟି କଣ୍ଟା । ବଣୁଆ କଣ୍ଟା ଗଛର ମଲା ଡାଳ ସବୁ ହିଡ଼ ଉପରେ ବିଛା ହେଇଛି । ମଳିକ ନଇଁ ପଡ଼ି ପାଦରୁ ଟାଣି ଆଣିଲା । ତୀକ୍ଷ୍ଣ କଣ୍ଟା ଦୁଇଟା ପାଦରୁ ଧାର ଧାର ହୋଇ ରକ୍ତ ବାହାରି ଆସି ଗୋଳି ହୋଇଗଲା ଧୂଳିରେ ।

 

ହିଡ଼ ଉପରେ ନ ଚାଲି ମଳିକ ଚାଲିଲା ବିଲ ଭିତରେ । କିନ୍ତୁ ଧାନ ଗଛ ଥୁଣ୍ଟାରେ ସେ ବେଶୀ ସମୟ ଚାଲିପାରିଲା ନାହିଁ–ପୁଣି ଚାଲିଲା ଅନ୍ୟ ହିଡ଼ ଉପରେ ।

 

ଆଗରେ ଅଗ୍ନିସ୍ନାତ ବିସ୍ତୃତ ବିଲ ।

 

ପଛରେ ପଡ଼ି ରହିଛି ରୌଦ୍ର ଦଗ୍ଧ ଧୂସର ବିଲ ।

 

ଚାରିଆଡ଼େ ଖରାରେ ପଖଳା ଜ୍ୱଳନ୍ତ ବିଲ । ଖାଲି ବିଲ ।

 

ମଳିକ ବିଲକୁ କେବେ ଭୟ କରିନି । ଏଇ ବିଲର କାଦୁଅ ପାଣିରେ ହୋରି ଖେଳି ସେ ସବୁଜ ଶସ୍ୟର ସ୍ଵପ୍ନ କେତେ ତା’ ଜୀବନରେ ଦେଖିଛି ।

 

କେତେ ବାଟ ସେ ଏଇପରି ଚାଲୁଥିବ ! ସେଇ ଯେଉଁ ଅସ୍ପଷ୍ଟ ଗଛଗୁଡ଼ାକ ବହୁ ଦୂରରେ ଛିଡ଼ା ହୋଇଥିବାର ଦେଖା ଯାଉଥିଲା, ସେଗୁଡ଼ିକ କେତେ ଦୂରରେ ? ଯେତେ ଯେତେ ଆଗକୁ ଅଗ୍ରସର ହେଲେ ବି, ସେଗୁଡ଼ିକ ଦୂରକୁ ଦୂରକୁ ଘୁଞ୍ଚି ଯାଉଥିବା ମନେହେଉଛି, ଦେଖା ଯାଉଛି ଆହୁରି ଅସ୍ପଷ୍ଟ । କେତେଦୂର ଏଇପରି ଲକ୍ଷ୍ୟହୀନ ଭାବେ ରୌଦ୍ର ଦଗ୍ଧ ଅପନ୍ତରା ବିଲ ଭୂଇଁଟାରେ ଚାଲୁଥିବ ସେ ?

 

ବା ଲୋ, ଦେଈ ଘର କାହିଁ ? –ଗାନ୍ଧୀର ସ୍ଵରରେ ଏଥର କାତରତା !

 

ମଳିକ ଅନ୍ୟ ପଟ କାଖରେ ପିଲାଟାକୁ କାଖେଇଲା, ତା’ ମୁଣ୍ଡ ଉପରେ ଗାମୁଛାଟାକୁ ଘୋଡ଼ାଇ ଦେଇ ତା’ ମୁହଁକୁ ନିଜ ଛାତି ଭିତରେ ଜାକିଦେଲା । ପିଠି ଉପରେ ଲୁଗା, ଶଙ୍ଖା, ଚୁଡ଼ି ଥିବା ଗଣ୍ଠିଲିଟାକୁ ଆଉ ଟିକିଏ ଭିଡ଼ି ଦେଲା–ଆଉଥରେ ଚାହିଁଲା ପଛକୁ–ଷ୍ଟେସନଟା କେତେ ଦୂରରେ ? –ଦୃଷ୍ଟିଶକ୍ତି ପାଉ ନାହିଁ ଆଉ । ହଁ, ସେ ଭୁଲ୍‍ କରିଚି ଷ୍ଟେସନରୁ ଗୋଡ଼ ବାହାର କରି–ବେଳ ଗଡ଼ି ଯାଇଥିଲେ ଛାଇରେ ଛାଇରେ ସେ ଯାଇପାରିଥାନ୍ତା….‘‘ଏ ଖରା ବେଳଟାରେ ବିନ୍ତରା କାହିଁକି ବାହାରିଛୁ ?’’ ମଳିକ ଶୁଣି ପାଇଲା କାହାର ଏ ସ୍ଵର–କାହାର ?

 

ବୁଢୀର ରହସ୍ୟାବୃତ୍ତ ଗଢ଼ଣ ଭିତରୁ ତା’ର କଥାଗୁଡ଼ାକ ମନେପଡ଼ି ଦେହ ଶୀତେଇ ଉଠିଲା ।

 

ଥକ୍‌କା ହୋଇ ଛିଡ଼ା ହୋଇଗଲା କିଛିକ୍ଷଣ । ଚାଲିବାକୁ ପାଦରେ ଆଉ ଶକ୍ତି ନାହଁ–ଏ ନିଷ୍ଠୁର ସତ୍ୟକୁ ଫାଙ୍କି ଦେବା ପାଇଁ ସେ ଉପରକୁ ଚାହିଁଲା କେତେବେଳ ହେଲାଣି ଜାଣିବା ପାଇଁ । କେବଳ ଛଳନା କରି…ନିଜ ଦେହ ଯେ ଅବଶ ହୋଇ ପଡ଼ିଲାଣି, ଆଉ ପାଦଟିଏ ଅଗ୍ରସର ହେବା ପାଇଁ ତା’ର ଶକ୍ତି ଯେ ନାହିଁ, ଏଇ ଭାବନାରୁ ନିବୃତ୍ତ ହେବା ପାଇଁ ଅନ୍ୟମନସ୍କ ଭାବେ ସେ ଭାବୁଥିଲା ସମୟ କଥା–ସାବକୁ ଦେଖିବାକୁ କେତେ ଡେରି ?

 

ସୂର୍ଯ୍ୟର କିରଣ ଆହୁରି ପ୍ରଖର ହୋଇଉଠିଲା । ସାରା ବିଲଟା ଯେପରି ଏକ ଉତ୍ତପ୍ତ ଫର୍ଣ୍ଣେସ ପରି ଜଳୁଚି । ମଳିକ ଚାହିଁଲା ଚାରି ଦିଗକୁ । ଖରା ଫୁଟୁଛି ଟକମକ ହୋଇ । ଫାରେନହିଟ୍‍ ଥର୍ମୋମିଟରରେ ଉତ୍ତାପ କେତେ ହିଗ୍ରୀ ଉପରକୁ ଉଠିଛି ସେ ହୁଏତ କହି ପାରିବ ନାହିଁ–କେତେ ଡିଗ୍ରୀ ଉତ୍ତାପ ହେଲେ ମନୁଷ୍ୟର ଆତପାଘାତରେ ମୃତ୍ୟୁ ହୁଏ, ସେ ହୁଏତ ଜାଣେ ନାହିଁ । କିନ୍ତୁ ତା’ର ଅଭିଜ୍ଞତା ତାକୁ ସଂକେତ ଦେଉଛି–ସତର୍କ କରି ଦେଉଛି–ଏ ବିଶ୍ଵାସଘାତୀ ଖରାରେ ଯେପରି ତ୍ରାହି ନାହିଁ । ମଳିକ ଅନୁଭବ କଲା ତା’ ଚାରିପଟେ କେହି ଯେପରି ନିଆଁ ଜାଳିଦେଇ ତାକୁ ମଝିରେ ଛାଡ଼ି ଦେଇଛି । ସେ ଯେଉଁ ଆଡ଼କୁ ଯିବାକୁ ଚେଷ୍ଟା କରୁଛି, ସେଇ ଦିଗରେ ଲେଲିହାନ ଅଗ୍ନିର ଜ୍ଵଳନ୍ତ ପ୍ରସାରୀ ଜିହ୍ଵା । ଖସି ପଳାଇବାର ବାଟ ନାହିଁ । ଏ ଅଗ୍ନିକୁଣ୍ଡର ଯଜ୍ଞ ବଳୀ ହେବା ପାଇଁ ଯେପରି କେହି ପାଶ ବାନ୍ଧିଥିଲା ତା’ପାଇଁ ।

 

ଆ...ଦାଣ୍ଡ ଆଗ ବଉଳ ଗଛର ଶାନ୍ତ ଛାଇ ଟିକିଏ ମିଳନ୍ତା କି !

 

ଏଥର ମଳିକ ଦୌଡ଼ିବାକୁ ଲାଗିଲା । ଲକ୍ଷ୍ୟଭ୍ରଷ୍ଟ ଭାବେ ଜୋରରେ ହାଲୁକାଏ ଗରମ ପବନ ପିଟି ଦେଲା ତା’ ମୁହଁରେ । ସେ ଚାହିଁଲା ଗାନ୍ଧୀର ଭୟ କାତର ଆଖି ଦୁଇଟି ଥକି ପଡ଼ିଚି । ଓଠ ସଞ୍ଚାଳନ କରୁଚି ଧୀରେ ଧୀରେ–ବିକଳ ଭାବେ ମାଗୁଚି ପାଣି ।

 

ପାଣି ! ତୃଷ୍ଣା ! ମଳିକ ଚମକି ପଡ଼ିଲା । ଛାତି ତା’ର ଦାଉଁ କରି ଉଠିଲା । ପାଣି ଯେ ନିହାତି ଆବଶ୍ୟକ ହୋଇ ପଡ଼ିଲାଣି ସେ କଥା ନ ଭାବିବା ପାଇଁ ସେ ଜବରଦସ୍ତ ଅନ୍ୟମନସ୍କ ହେଉଥିଲା । କିନ୍ତୁ ତା’ର ନିଷ୍ଠୁର ଆବଶ୍ୟକତା ବିଷୟରେ ଗାନ୍ଧୀ ତାକୁ ସୂଚାଇ ଦେଲାଣି ତା’ ଛୋଟ ଫଟା ଓଠର ଈଷତ୍ ସଞ୍ଚାଳନରେ । ଆଃ...ପାଣି । ଗାଆଁ ପୋଖରୀର ସବୁଜ ହୁଡ଼ାରେ ବସି ସେ ଲକ୍ଷ୍ୟ କରୁଚି ଶୀତଳ ଜଳର ଲହରୀ । ତା’ରି ଜଳଭଣ୍ଡାରରେ ସେ ଗାଧୋଉଛି ମନ ଭରି । ହେଇ ପାଣି ! ସେ ପୋଖରୀରେ ଟୁବୁ ଟୁବୁ ହେଉଛି । ଦେହ ସାରା ଶୀତଳ ବାରି ବହି ଯାଉଛି । ମୁଣ୍ଡରୁ ଟପ୍ ଟପ୍ ହେଇ ଖସି ପଡ଼ୁଛି ଜଳ ଟୋପା । ଆଃ କି ଥଣ୍ଡା ?

 

ମଳିକ ଚାହିଁଲା ଛାତି ଭିତରକୁ ଗାନ୍ଧୀ ନିଶ୍ଚଳ । ତା’ ଛାତି ଭିତରେ ସେ ଝାଉଁଳି ପଡ଼ିଛି, ଝାଉଁଳା ଫୁଲଟି ପରି । ତା’ ଆଖିରୁ ଗଡ଼ିଗଲା ଲୁହ ଧାର । ମୁଣ୍ଡ ତା’ର ଝାଇଁ ମାରିଗଲା–ଆଖିକୁ ଦେଖାଗଲା ଅସ୍ପଷ୍ଟ । ଦୁଇ ରାତିର ଅନିଦ୍ରା ଓ ଯାତ୍ରା ଜନିତ କ୍ଳାନ୍ତି ତାକୁ ଖୁବ୍ ଦୁର୍ବଳ କରିଦେଇଥିଲା-। ଗୋଟିଏ ପାଦ ଆଗକୁ ଯାଇ ବିଲ ହୁଡ଼ାରେ ଝୁଣ୍ଟି ପଡ଼ି ତଳେ ପଡ଼ିଗଲା ଖୁବ୍ ଜୋରରେ-

 

ତା’ ପରେ ଧୀରେ ଧୀରେ ସେ ଅନୁଭବ କଲା ଯେପରି ସେ ଆଉ ଉଠିପାରିବ ନାହିଁ ଶକ୍ତି ତା’ର ଲୋପ ପାଇଛି । ଯୁବାବସ୍ଥାର ସିଂହ ପରାକ୍ରମ ଉପହାସ କରୁଚି । ତା’ ବାହୁର ଦୃଢ଼ ସଞ୍ଚାଳନ ଯେପରି ହସୁଚି ତାକୁ ବିଦ୍ରୂପ କରି...ଆଉ କେତେ ବାଟ ହୁଏତ ଯାଇଥିଲେ, ସେ ସାବଘରେ ପହଞ୍ଚି ପାରିଥାନ୍ତା....କାଲି ହୁଏତ ସେମାନେ ସବୁ ଆସି ଆବିଷ୍କାର କରିବେ ତା’ର ଓ ଗାନ୍ଧୀର ମୃତ ଦେହକୁ....ମଳିକ ବୁଝି ପାରିଲା ଆଉ ଚାରା ନାହିଁ–ତାକୁ ମିଶିଯିବାକୁ ପଡ଼ିବ ବିଶ୍ଵାସଘାତୀ ରୌଦ୍ର ଦଗ୍ଧ ଫଟା ଭୁଇଁରେ...“କିରେ ଏ ଖରା ବେଳଟାରେ ବିନ୍ତରା କହିଁକି ବାହାରିଛୁ-? ମୁଣ୍ଡ ଫଟା ଖରାଟା । ବେଳ ଗଡ଼ି ଯାଉ ଯିବୁ ।”... କାହାର ସ୍ଵର ଇଏ ? ମୁହୁର୍ମୁହୁଃ କାହାର ସ୍ଵର ତା’ କାନରେ ହାତୁଡ଼ି ପିଟୁଛି ? କା’ର ଅଗ୍ନିଦୀପ୍ତ ଦୁଇ ତୀକ୍ଷ୍ମ ଆଖି ସେ ଦେଖୁଛି-? ମଳିକର ମନେପଡ଼ିଗଲା ଷ୍ଟେସନକୁ ଲାଗି ଆବୁରୁଜାବୁରୁ ଝୋଟ ପରି ବାଳ ଥିବା ଯେଉଁ ବୁଢ଼ୀଟା ବସିଥିଲା, ତାରି କଥା–ନେଳିଆ ପୋଷାକ ପିନ୍ଧା ଖଲାସିର ତାଗିଦ୍–ଏ ତାକୁ ବୁଢ଼ୀ ବୋଲି ଡାକିବୁ ନାହିଁ । ସେ ଭାରି ରାଗିଯାଏ ।

 

ଆସ୍ତେ ଆସ୍ତେ ଅବଶ ହୋଇଗଲା ଦେହ । ଅଗ୍ନି ଝାସରେ ଯେପରି ସବୁଜ ପତ୍ର ଝାଉଁଳି ପଡ଼େ, ତା’ର ପ୍ରତ୍ୟେକ ଅଙ୍ଗ ସେପରି ଝାଉଁଳି ପଡ଼ୁଚି ଆସ୍ତେ ଆସ୍ତେ ଚେତା ହଜି ଯାଉଚି ଧୀରେ...ସଁ କରି ଗୋଟାଏ ପ୍ରକାଣ୍ଡ ଶବ୍ଦ ହୁଇସିଲ ମାରି ମୁଣ୍ଡ ଉପରେ ଚାଲି ଯିବାର ଶୁଣାଗଲା–ମୁଣ୍ଡ ଟେକି ଉପରକୁ ଚାହିଁବାର ଶକ୍ତି ନାହିଁ ତା’ର ।

 

ଗୋଟିଏ ପ୍ରକାଣ୍ଡ ଶାଗୁଣା ଡେଣା ଝାଡ଼ି ଅଗ୍ନିକୁ ଆହୁରି ଉଜ୍ଜୀବିତ କରୁଛି, ଆକାଶରେ ଚକର ମାରି ମାରି ।

 

ଦୁଇ ଆଣ୍ଠୁ ଭିତରେ ମୁଣ୍ଡ ଗୁଞ୍ଜି ମଳିକ ଟଳି ପଡ଼ିଲା, ଖରାର ଜର୍ଜରିତ ବିଲ ଭୂଇଁରେ ।

 

ସୂର୍ଯ୍ୟର ରଥ ଚକ୍ର ସବୁ ଗଡ଼ିବାକୁ ଲାଗିଲା, ଘର୍ଘର ଶବ୍ଦ କରି ଦ୍ରୁତ ଗତିରେ ତଳକୁ ତଳକୁ–ଦୂର ଦିଗ୍‍ବଳୟକୁ ।

Image

 

ସାଗର ତୃଷ୍ଣା

 

ସୂର୍ଯ୍ୟ ଉଏଁ ପ୍ରତିଦିନ ।

 

କିନ୍ତୁ ସୂର୍ଯ୍ୟୋଦୟର ମହୋତ୍ସବରେ ଯୋଗ ଦେବା ପାଇଁ ସେ କେବେ ପାଇ ନାହାନ୍ତି ସୁଯୋଗ ଅଥବା ଅବକାଶ । ଦେହରୁ ବିଗତ ଦିନର କର୍ମକ୍ଳାନ୍ତ ଧୋଇ ଦେବାପାଇଁ ରାତିର ଅଳ୍ପ କେତୋଟି ଘଣ୍ଟା ଯଥେଷ୍ଟ ନୁହେଁ ବୋଲି, ସେ ବିଛଣାରେ ଶୋଇ, ସକାଳର ଅନ୍ୟ କେତୋଟି ମୂଲ୍ୟବାନ ମୁହୂର୍ତ୍ତର ଆଶ୍ଳେଷ ଲୋଡ଼ନ୍ତି । କେତେବେଳୁଁ ସେ ତୃଷ୍ଣା ପଲଙ୍କରୁ ଓହ୍ଲାଇ ଚାଲିଯାନ୍ତି କଫି ତିଆରି କରିବା ପାଇଁ, ସେ ବିଷୟ ସେ ଜାଣି ପାରନ୍ତି ନାହିଁ । ସେଥିପାଇଁ ତୃଷ୍ଣାଙ୍କ ବିରୁଦ୍ଧରେ ତାଙ୍କର କେତେଥର ଅଭିଯୋଗ ।

 

ତୃଷ୍ଣା ଜୟନ୍ତଙ୍କ ସ୍ତ୍ରୀ ।

 

ସୂର୍ଯ୍ୟ ବି ପ୍ରତିଦିନ ଅସ୍ତ ଯାଏ ।

 

କିନ୍ତୁ ସୂର୍ଯ୍ୟାସ୍ତର ବର୍ଣ୍ଣୋତ୍ସବ ଦେଖିବା ପାଇଁ କେବେ ତାଙ୍କର ମନେ ପଡ଼େନାହିଁ । ମିଶାଣ ଫେଡ଼ାଣ ଟଙ୍କା ପଇସା ହିସାବର ରୁଟିନବନ୍ଧା ଜୀବନ ମଧ୍ୟରେ ସୂର୍ଯ୍ୟ ଯେ କିପରି ହୋରି ଖେଳେ, ତା’ର ଖବର ସେ ରଖି ନାହାନ୍ତି । ସାଢ଼େ ଚାରିଟା ପରେ ମଧ୍ୟ ଆଉ କେତୋଟି ଫାଇଲ ଆସି ପହଞ୍ଚିଯାଏ ଅନାହତ ଅତିଥି ପରି । ବାଧ୍ୟ ହେଇ ଜୟନ୍ତ ପୁଣି ଥରେ ଛାତି ପକେଟରୁ କଲମ ବାହାର କରନ୍ତି ।

 

ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଜୟନ୍ତ ।

 

ତୃଷ୍ଣା କେତେଥର ଅନୁରୋଧ କରିଛି ଏ ଚାକିରି ଛାଡ଼ି ପୁଣି ଫେରିଯିବାକୁ ଗାଆଁକୁ । ଘରେ ତ ସବୁ ଅଛି । ଏ ଲକ୍ଷ୍ମୀଛଡ଼ା ଜାଗାଟାରେ ପଡ଼ି ରହି ଲାଭ କ’ଣ ? ଗାଆଁର ଧୂଆଁଳିଆ ଆକାଶ, ନିଦ୍ରା ନିବିଡ଼ ସବୁଜ ପ୍ରାନ୍ତର, ସାଳନ୍ଦୀ ବାଲିର ଚୂର୍ଣ୍ଣ କୁନ୍ତଳ, ବିକ୍ଷୁବ୍‌ଧ ତରୁଣ ଜ୍ୟୋତ୍ସ୍ନା–ମନ ଭିତରେ ଛାଡ଼ି ଯାଇଛି ତୃଷିତ ସ୍ମୃତି । କଲିକତାର ଏ ଆମ୍‌ହାର୍ଷ୍ଟ ଷ୍ଟ୍ରିଟ୍‌ର ରୁଗ୍‌ଣ ଜୀର୍ଣ୍ଣ କୋଠାର ଫ୍ଲାଟ୍ ଉପରେ ଜୀବନଟା ଦୁର୍ବିସହ ହୋଇଉଠେ । ତିନିତାଲା କୋଠା ଉପରର ରଙ୍ଗଝଡ଼ା କାଠବାଡ଼ା ଉପରେ ଭାରା ଦେଇ ସେ ମୂଲ୍ୟହୀନ ଭାବେ ଚାହିଁ ରହେ ତଳର ଜନସ୍ରୋତକୁ । ଅସଂଖ୍ୟ ପଥଚାରୀ ଟାଣି ହେଇ ଚାଲି ଯାଉଛନ୍ତି କେଉଁଆଡ଼େ, ସମ୍ମୋହିତ ହେଇ ।

 

ଜୀବନରେ କେବେ କେବେ କେତେଗୁଡ଼ିଏ ମୁହୂର୍ତ୍ତ ଆସେ ଯେତେବେଳେ ମନେହୁଏ ଦୁନିଆଟା ତୁମକୁ ଫିଙ୍ଗି ଦେଉଛି କେଉଁ ଏକ ଅଦରକାରୀ ମୂଲ୍ୟହୀନ କାଗଜ ପରି ଡଷ୍ଟବିନ୍‌ର ପେଟ ଭିତରକୁ । ଅନୁଭୂତ ହୁଏ ଯେପରି ଏକ ମର୍ମନ୍ତୁଦ ବିଷାଦର ଗରଳ ତିଳେ ତିଳେ ହତ୍ୟା କରୁଚି ସମସ୍ତ ଜୀବନ ଶକ୍ତିକୁ ।

 

ସେଇପରି କେତୋଟି ନିର୍ଜନ ମୁହୂର୍ତ୍ତ ବେଳେ ବେଳେ ତୃଷ୍ଣାଙ୍କୁ ଅଚାନକ ଆକ୍ରମଣ କରନ୍ତି ।

 

ଏ ମହାନଗରୀ କେତେ ପ୍ରାଣହୀନ ! ଅହଙ୍କାରୀ !

 

ଜୟନ୍ତ ବି ଏକମତି ହୁଅନ୍ତି ।

 

ଏ ସହର ମୃତ । ସହାନୁଭୂତିର ହିତ ।

 

କିନ୍ତୁ ଗ୍ରାମକୁ ବାହୁଡ଼ି ଯାଇ ମୁକ୍ତ ବାୟୁରେ ଅବଗାହନ କରିବା ପାଇଁ ତୃଷ୍ଣାଙ୍କର ଯେଉଁ ପ୍ରବଳ ତୃଷ୍ଣା, ତାହା ତାଙ୍କ ମନ ଭିତରୁ ମରିଯାଇଛି ବହୁ ଦିନରୁ–ଗ୍ରୀଷ୍ମର ଜଳହୀନ ନଦୀ ପରି ।

 

ପଛକୁ ଫେରିବା ନିୟମ ବିରୁଦ୍ଧ । ଜୀବନ-ପ୍ରବାହରେ ଆଗକୁ ଭାସିଯିବା ପାଇଁ ସେ ଚାହାନ୍ତି । ଏ ସିଦ୍ଧାନ୍ତ କେବେଠାରୁ ସେ ଗ୍ରହଣ କରି ନେଇଛନ୍ତି ।

 

ଅସହାୟ ଭବେ ତୃଷ୍ଣା ବିଛଣାରେ ପଡ଼ି, ତକିଆରେ ମୁହଁ ଗୁଞ୍ଜି ବେଳେ ବେଳେ ଗୁମୁରି ଗୁମୁରି କାନ୍ଦି ଉଠନ୍ତି ।

 

ଏଇ ଟିକିଏ କାନ୍ଦ, ଅଭିମାନ ଆଉ ଆଡ଼ରୁଷା ହୁଏତ ବିବାହର ପହିଲି ଦିନ ଗୁଡ଼ିକରେ ଜୀବନକୁ କରିଥିଲା ବର୍ଣ୍ଣିଳ ଓ ମଧୁମୟ, କିନ୍ତୁ ପରିଣତ ବୟସରେ ସେ ସବୁ କିପରି ଖାପଛଡ଼ା ଲାଗେ । ମନେହୁଏ ସେ ସବୁ ନିଜ ପାଇଁ ନୁହେଁ ।

 

ତଥାପି ଅଭିମାନଟା ତୃଷ୍ଣାଙ୍କର ଚିରାଚରିତ ରୀତି । ଆଉ ସେଇ ପରିଚିତ ଅଭିମାନ ସବୁ ଭାଙ୍ଗିବା ପାଇଁ ଜୟନ୍ତଙ୍କୁ ସମୟେ ସମୟେ କେତୋଟି ଉପାୟର ଆଶ୍ରୟ ନେବାକୁ ହୁଏ ।

 

ସେଇ ଉଦ୍ଦେଶ୍ୟ ଦେଇ ସେଦିନ ଗଙ୍ଗାସାଗରକୁ ବୁଲିଯିବା ପାଇଁ ପ୍ରସ୍ତାବ ସେ ଆଣିଥିଲେ ।

 

“କାଲି ମକର ସଂକ୍ରାନ୍ତି ତୃଷ୍ଣା । ଗଙ୍ଗାସାଗର–ମେଳା ଦେଖି ଯିବା ?” –ଜୟନ୍ତ ପଚାରିଲେ । ସେ ଜାଣିଥିଲେ ବିଭିନ୍ନ ସ୍ଥାନ ବୁଲିଯିବା ପାଇଁ ତୃଷ୍ଣାଙ୍କୁ ଭାରି ଭଲ ଲାଗେ । ତାହା ଛଡ଼ା ସାଗର ମେଳା ଦେଖି ଯିବା ପାଇଁ ତୃଷ୍ଣାର ବହୁଦିନର ଅଭିଳାଷ ।

 

ଦୁଇଦାନ୍ତ ମଝିରେ ଛୁଞ୍ଚିଟାକୁ କାମୁଡ଼ି ଧରି ତୃଷ୍ଣା ସେତେବେଳେ ବ୍ୟସ୍ତ ଥିଲେ ଜୟନ୍ତଙ୍କ ସାର୍ଟରେ ବୋତାମ ଦେବାପାଇଁ । ଗଙ୍ଗାସାଗରକୁ ଯିବା ପ୍ରସ୍ତାବଟା ଶୁଣି ସେ ଉତ୍‌ଫୁଲ୍ଲ ହୋଇ ଉଠିଲେ ।

 

–ହଁ, ପ୍ରତିବର୍ଷ ତ ଏଇପରି କହିଥାଅ । ଏଥର ଯଦି ଇଚ୍ଛା ହେଉଛି, ତେବେ ଚାଲ । ସ୍ଵରରେ ନିତିଦିନିଆ ଅଭିଯୋଗ, ସେଇ ପରିଚିତ ଅଭିମାନ ।

 

ଗଙ୍ଗାସାଗରର ପୁଣ୍ୟତୋୟା ଜଳରେ ଅବଗାହନ କରି ଶୁଦ୍ଧ ପବିତ୍ର ହେବାର ଆକାଂକ୍ଷା ତୃଷ୍ଣାଙ୍କ ମନ ଭିତରେ ବଳବତ୍ତର ଥାଏ । ସେଇ ବାସନା ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଆହୁରି ପ୍ରବଳ ଓ ଘନୀଭୂତ ହେଇ ଉଠେ । ବର୍ତ୍ତମାନ କିପରି ଏକ ଅସହାୟତା ଅନୁଭବ କରି ସବୁବେଳେ ଧର୍ମ ଓ ଭଗବାନଙ୍କର ଆଶ୍ରୟ ଖୋଜି ବୁଲନ୍ତି ।

 

ଅବଶ୍ୟ ଅତୀତରେ କେବେ ସେ ଏପରି ଅନୁଭବ କରି ନଥିଲେ ! ଯେତେବେଳେ ଦେହର ରଙ୍ଗ ସୂର୍ଯ୍ୟର ଜ୍ୟୋତିକୁ ଉପହାସ କରୁଥିଲା, ସେଇ ନିହତ ଦିନର ଗୋଟିଏ ସ୍ମୃତି ମନରେ ଉଙ୍କି ଉଠିଲେ, ସେ କିପରି ଅସ୍ଵସ୍ତି ବୋଧ କରନ୍ତି ଏବଂ ତାଙ୍କ କାର୍ଯ୍ୟକଳାପ ପାଇଁ ସେ ଅନୁଶୋଚନା କରନ୍ତି ।

 

ଜୟନ୍ତ ଓ ସେ ଏକଦା ବର୍ଣ୍ଣିଳ ସନ୍ଧ୍ୟାରେ ଛିଡ଼ା ହୋଇଥିଲେ ନିଜ କୋଠାର ରାସ୍ତା ଧାରରେ । ଗୈରିକ ବସ୍ତ୍ର–ପରିହିତ ଜଣେ ସାଧୁ ତାମ୍ର ପାତ୍ର ବଜାଇଦେଲେ ଭିକ୍ଷାପାଇଁ । ତୃଷ୍ଣା ସାଧୁଙ୍କୁ ନିଜ ଫ୍ଲାଟ୍ ଉପରକୁ ଡାକିନେଲେ କେତୋଟି ଜିନିଷ ଜିଜ୍ଞାସା କରିବାପାଇଁ । ମନରେ ଆନ୍ତରିକତା ପରିବର୍ତ୍ତେ ବେଶି ଥିଲା କୌତୂହଳ ।

ସାଧୁଙ୍କୁ ସେ ପଚାରିଲେ ତାଙ୍କ ଭବିଷ୍ୟତ ଜୀବନର ସତ୍ୟ ସବୁ ଉନ୍ମୋଚନ କରି ତାଙ୍କ ଆଗରେ ଥୋଇ ଦେବାପାଇଁ ।

କିନ୍ତୁ ଭବିଷ୍ୟତର ଅନ୍ଧକାରକୁ ବିଦୀର୍ଣ୍ଣ କରି, ତନ୍ନିହିତ ପଦାର୍ଥର ଆବିଷ୍କାର କରିବା କ୍ଷମତା ତାଙ୍କର ନାହିଁ ବୋଲି ସାଧୁ ବ୍ୟକ୍ତ କରିଥିଲେ । ଏକ ଚିନ୍ମୟ ବିଶ୍ଵ-ଆତ୍ମାର ସନ୍ଧାନରେ ସେ ସତତ ବ୍ରତୀ । ଭବିଷ୍ୟତ-ବାଣୀ କହିବା ପରି ଏକ ନିକୃଷ୍ଟ କାର୍ଯ୍ୟ ସାଧୁର ଜୀବନ–ପରିସର ବାହାରେ ।

ରଙ୍ଗ ଛାଡ଼ିଗଲା କନା ପରି ତୃଷ୍ଣାଙ୍କ ମୁହଁ ଫିକା ପଡ଼ି ଆସିଥିଲା । ଜୟନ୍ତ ଟିକିଏ କୌତୂହଳ ଦେଖିବା ପାଇଁ ମୁହଁରେ ହସ ଚାପି ସାଧୁଙ୍କୁ ଅନୁରୋଧ କରିଥିଲେ, ତାଙ୍କ ଜୀବନର ଉଦ୍ଦେଶ୍ୟ କ’ଣ ବ୍ୟାଖ୍ୟା କରିବାପାଇଁ ।

ସାଧୁ ପ୍ରଗଳ୍‌ଭ ହେଇ ଉଠିଥିଲେ । ସେ ବ୍ୟାଖ୍ୟା କରିଥିଲେ ଜଗତ ଅଳୀକ, ମିଥ୍ୟା । ମାୟାବର୍ତ୍ତ ଜୀବନର ସ୍ଥିତି ମୂଲ୍ୟହୀନ । ଭଗବାନଙ୍କ ନିକଟରେ ଐକାନ୍ତିକ ଆତ୍ମ ସମର୍ପଣରେ ହିଁ ଜୀବନର ମୂଲ୍ୟ ନିରୂପିତ ହୁଏ । ସେଇ ଆତ୍ମ ସମର୍ପଣରେ ରୋଗ–ଜରାକ୍ଳିଷ୍ଟ ମାନବର ମୁକ୍ତି ଥାଏ-

ମୁକ୍ତି !

ମୁକ୍ତି !!

ମଣିଷ ମୁକ୍ତି ଚାହେଁ କାହିଁକି ? ସେ କ’ଣ ଏ ଜୀବନକୁ ଭଲପାଏ ନାହିଁ ? ପୁଣି ଥରେ ଏ କାନ୍ତ କୋମଳ ପୃଥିବୀରେ ମନୁଷ୍ୟ ଶରୀର ଧରି ଜନ୍ମଗ୍ରହଣ କରିବାକୁ ସାଧୁଙ୍କର ଏତେ ଭୟ କାହିଁକି ?

ପୁନର୍ଜନ୍ମ ବିଷୟରେ କିଛି କହନ୍ତୁନା–

ସାଧୁଙ୍କର ବ୍ୟାଖ୍ୟାନ ଶୁଣୁ ଶୁଣୁ ତୃଷ୍ଣା ପଚାରିଥିଲେ ।

ସାଧୁ କହିଥିଲେ–ମୁଣ୍ଡ ନ ପାଇଲା ପର୍ଯ୍ୟନ୍ତ ମଣିଷକୁ ବାରମ୍ବାର ଜନ୍ମଲାଭ କରିବାକୁ ପଡ଼ିବ ଏଇ ପୃଥିବୀରେ । ଯେଉଁ ବିନ୍ଦୁରୁ ତା’ର ସମୁଭବ, ସେଇ ବିନ୍ଦୁକୁ ଘୂରି ଘୂରି ପୁଣି ସେ ଫେରି ଆସିବ । ପୁଣି ଆରମ୍ଭ ହେବ ଜନ୍ମଚକ୍ରର ଘୂର୍ଣ୍ଣନ, ଯାହାର ବିରାମ ନାହିଁ । ତା’ ପୂର୍ବ ଓ ଇହଜନ୍ମର କର୍ମ ଅନୁସାରେ ତାକୁ ଜନ୍ମ ନେବାକୁ ପଡ଼ିବ ବିଭିନ୍ନ ରୂପରେ; ମୁକ୍ତି ନ ପାଇଲେ ନିସ୍ତାର ନାହିଁ ।

–ମୁକ୍ତି କିପରି ହେଇପାରେ ? ସାଧୁଙ୍କର ଅଗ୍ନିଦୀପ୍ତ ଚକ୍ଷୁ ଦୁଇଟିରେ ଦେଖାଗଲା କେଇ ବିନ୍ଦୁ, ଅଶ୍ରୁ । ସତେ ଯେପରି ଅଶ୍ରୁଭିଜା ଆଖିରେ ବିଶ୍ଵବେଦନାର ଚିହ୍ନ । ଆବେଗମୟ ସ୍ଵରରେ ସେ ବୁଝାଇବାକୁ ଲାଗିଲେ–ନିଜ ଆତ୍ମାକୁ ଯଦି ପରମାତ୍ମା ସହ ମିଳାଯାଇ ପାରିବ ମଣିଷ ତେବେ ଏ ଜନ୍ମ ଚକ୍ରରୁ ପାଇବ ମୁକ୍ତି । ସେଥିପାଇଁ ଏକାଗ୍ର ଚିତ୍ତରେ ଦରକାର ସାଧନା, ଭଗବାନଙ୍କ ନିକଟରେ ଆତ୍ମ ସମର୍ପଣ ଏବଂ ଦୁଃଖକ୍ଳିଷ୍ଟ ସଂସାରର ପ୍ରତ୍ୟାଖ୍ୟାନ ।

 

ସାଧୁଙ୍କର ବାକ୍‌ଭଙ୍ଗୀ ଓ ବେଶସଜ୍ଜା ଲକ୍ଷ୍ୟ କରି ତୃଷ୍ଣାଙ୍କ ମନ ଭିତରେ ଛୁଟୁଥାଏ ପ୍ରବଳ ବେଗରେ ହସର ଚୋରା ସ୍ରୋତ, କିନ୍ତୁ ଜବରଦସ୍ତ ଓଠ ଚାପି ସେ ହସ ସମ୍ବରଣ କରିଦେଲେ । ହୁଏତ ସାଧୁ ଜଣକ କିଛି ଖରାପ ଭାବି ପାରନ୍ତି ।

 

ଜୟନ୍ତଙ୍କୁ ବୋଧ ହେଉଥିଲା ତାଙ୍କ ପାଖରୁ କିଛି ପଇସା ଝଡ଼ାଇ ଗଞ୍ଜେଇ କିମ୍ବା ଭାଙ୍ଗ କିଣିବା ପାଇଁ ସାଧୁଙ୍କର ଇଏ ଏକ ବିକଳ୍ପ ଷଡ଼ଯନ୍ତ୍ର ।

 

ବନ୍ଧ ଭାଙ୍ଗିଗଲେ ଉତ୍ତରଳ ବନ୍ୟା ସ୍ରୋତ ଯେପରି ପ୍ରଚଣ୍ଡ ଶବ୍ଦ କରି ମାଡ଼ିଯାଏ, ସାଧୁ ଚାଲି ଯିବାପରେ ଦୁହେଁ ହସିଥିଲେ ନିସ୍ତୁକ୍–ମନଭରି । ଫ୍ଲାଟ୍‌ର ଛାତିଟା ସତେ ଫାଟି ପଡ଼ୁଥିଲା ସେ ହସରେ !

 

ସେ ସବୁ ବହୁଦିନ ତଳର ଏକ ଚିଗୁଲି ଅଲାଜୁକୀ ସନ୍ଧ୍ୟାର କଥା । ସେତେବେଳେ ଥିଲା ଦେହରେ ପ୍ରଜାପତିର ରଙ୍ଗ ଓ ମନରେ ନାବିକର ମୁକ୍ତା ଆହରଣର ନୀଳ ସ୍ଵପ୍ନ ।

 

ବର୍ତ୍ତମାନର ଅସହାୟ ମୁହୂର୍ତ୍ତରେ ସେ କଥା ମନେପଡ଼ିଲେ ତୃଷ୍ଣା ଅନୁଶୋଚନା କରନ୍ତି-। ଆହା ! ସେ ସାଧୁ ଆଉଥରେ ଆସନ୍ତେ କି !

 

ତୃଷ୍ଣା ଏବେ ଚାହାନ୍ତି ସେଇ ମୁକ୍ତି, ଯେଉଁ ମୁକ୍ତିର ମାର୍ଗ ସନ୍ଧାନରେ ସେ ଦିନ ସାଧୁ କିଛିଟା ଅଲୋକପାତ କରିଥିଲେ, ଆଉ ଯେଉଁ ଆଲୋକକୁ ସେ ତାଙ୍କ ନିଜ ମନ ବିବରର ପ୍ରାଗୈତିହାସିକ ଅନ୍ଧକାର–ଫରୁଆରେ ଏତେ ଦିନ ବନ୍ଦୀ କରି ରଖିଥିଲେ । ମଣିଷ କିମ୍ବା ଅନ୍ୟରୂପ ଦେଇ ଏ ସଂସାରରେ ଘାଣ୍ଟି ହେବାପାଇଁ ସେ ଚାହାନ୍ତି ନାହିଁ ଆଉ । ଜୀବନଟା ନିରର୍ଥକ ଲାଗେ । ବନ୍ଧ୍ୟାତ୍ଵର ନିର୍ଜନ ବନ୍ଧୁର ଦ୍ଵୀପରେ ନିର୍ବାସିତା ହେଇ, ସେ ସବୁବେଳେ ଅନୁଭବ କରିଛନ୍ତି ଜୀବନର ତିକ୍ତତା–ଅସାରତା । ସେ ଚାହାଁନ୍ତି ପରମାତ୍ମାଙ୍କ ସହ ତାଙ୍କ ନିଜ ଅତ୍ମାର ମିଳନ । ଜନ୍ମଚକ୍ର ଘୂର୍ଣ୍ଣନରୁ ନିସ୍ତାର ।

 

ସେଇ ଅଭିଳାଷ ନେଇ ତୃଷ୍ଣା ଜୟନ୍ତଙ୍କୁ ବାରମ୍ବାର ଅନୁରୋଧ କରନ୍ତି ଗଙ୍ଗାସାଗର ଯିବାପାଇଁ । ମକର ସଂକ୍ରାନ୍ତିର ଏକ ବ୍ରାହ୍ମ ମୁହୂର୍ତ୍ତରେ ଗଙ୍ଗାସାଗର ଜଳରେ ସ୍ନାନକରି ସେ ପାଇବେ ମୁକ୍ତି–ସ୍ଵର୍ଗ ପ୍ରାପ୍ତିର ସୁଯୋଗ ।

 

ଜୟନ୍ତ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ ଗାଡ଼ି ବାହାର କରିବା ପାଇଁ । କଲିକତାର ଜନାକୀର୍ଣ୍ଣ ରାସ୍ତା ଛାଡ଼ି ଦ୍ରୁତ ଗତିରେ ଧାଇଁଲା ଗଙ୍ଗାସାଗର ଅଭିମୁଖେ । କାଲି ମକର ସଂକ୍ରାନ୍ତି । ସିନ୍ଦୂରା ଫାଟିବା ପୂର୍ବରୁ, ପହଞ୍ଚିବାକୁ ପଡ଼ିବ । ପ୍ରଭାତର ସେଇ ପୂର୍ବ ନିର୍ଦ୍ଦେଶିତ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବାକୁ ହେବ ।

 

‘ଡ୍ରାଇଭର ଗାଡ଼ି ରଖ ।’ –ଏକ ନିର୍ଜନ ରାସ୍ତାଧାରରେ ଗାଡ଼ି ଅଟକାଇବାକୁ ଜୟନ୍ତ ନିର୍ଦ୍ଦେଶ ଦେଲେ, ତୃଷ୍ଣାର ଅନୁରୋଧରେ ।

 

ସୟତାନ ରାତ୍ରିର ଅନୁଧାବନରୁ ରକ୍ଷା ପାଇବା ପାଇଁ ସନ୍ଧ୍ୟାର ଭୀରୁକାତର ପାଦ ସେତେବେଳେ କ୍ଷୀପ୍ର ।

 

ଜୟନ୍ତ ଓ ତୃଷ୍ଣା ଛିଡ଼ା ହେଲେ ଏକ ଝରଣା କୂଳରେ । ଝରଣାଟି ଚପଳଛନ୍ଦା ବାଳିକାଟି ପରି ଲମ୍ଫଦେଇ ଗଡ଼ି ଆସୁଚି ତଳକୁ, ଯେପରି କାହାର ପ୍ରସାରିତ ବାହୁଲତାରେ ଛନ୍ଦି ହେଇଯିବା ପାଇଁ । କୂଳସଂଲଗ୍ନ ଧାନ କ୍ଷେତରେ ଖୁନ୍ଦି ହେଇ ଯାଇଛି କେଉଁ ଷୋଡ଼ଶୀର ରୂପମାଧୁରିମା । ଗୋଧୂଳିର ମୁରୁଜ ଗୁଣ୍ଡ ଭାସୁଚି ପାଣିରେ । ଜୟନ୍ତ ଓ ତୃଷ୍ଣାଙ୍କ ଦେହରେ ମଧ୍ୟ ସେଇ ଅବିରଗୁଣ୍ଡ । ଆମହାର୍ଷ୍ଟ ଷ୍ଟ୍ରିଟ୍‌ର ରୁଗ୍‌ଣ ଦୃଶ୍ୟ ଦେଖି ଦେଖି ସତେ ଯେପରି ଏ ଦୃଶ୍ୟ ପ୍ରତୀୟମାନ ହେଲା ଏକ ନୂତନ ଆବିଷ୍କାର ପରି । ଜୟନ୍ତ ଓ ତୃଷ୍ଣା ମନ୍ତ୍ରମୁଗ୍‌ଧ ହେଇ ଚାହିଁ ରହିଲେ କିଛିକ୍ଷଣ ସେଇ ଦୃଶ୍ୟ ଆଡ଼େ ଆଉ ଶୁଣିବାକୁ ଲାଗିଲେ ଝରଣାଟି ପଥର ଉପରେ ଡେଇଁ ଡେଇଁ କିପରି ଏକ ଫାଜିଲ ଝିଅ ପରି ଅଙ୍ଗୁଳି ସଞ୍ଚାଳନ କରୁଛି ହାରମୋନିୟମର ରିଡ୍ ଉପରେ ।

 

ତୃଷ୍ଣା ୱାଟାର ବଟ୍‌ଲ ନେଇ ଧାଇଁଗଲେ ତାରି କୂଳକୁ କିଛି କାଚକେନ୍ଦୁ ପାଣି ସେଥିରେ ଭର୍ତ୍ତି କରିବା ପାଇଁ । ପାଟିରୁ ସ୍ୱତଃ ପ୍ରକାଶ ପାଇଲା କି ସୁନ୍ଦର–କି ଚମତ୍କାର !

 

ତୃଷ୍ଣାଙ୍କ ଏ ଅସଙ୍ଗତ ଅନୁପ୍ରବେଶରେ ବିରକ୍ତି ପ୍ରକାଶ କରି, ପକ୍ଷୀଦଳେ ଅଳ୍ପ ଦୂରକୁ ଉଡ଼ିଯାଇ, ବସିଲେ ଏକ ବାଲିଚଡ଼ା ଉପରେ ଏବଂ ସମସ୍ଵରରେ ତା’ର ପ୍ରତିବାଦ କରିବାକୁ ଲାଗିଲେ.....

 

ଶୀତ କାତର ରାତି । ଆତ୍ମଘାତୀ ଥଣ୍ଡା ପବନଟା ଆପେ ଆପେ ଆସି ଧକ୍‌କା ଖାଉଥିଲା କାର୍‌ର ବନେଟ୍‌ ଉପରେ । ଆଉ ଅଳ୍ପ ସମୟ ଭିତରେ ସେମାନେ ପହଞ୍ଚିଯିବେ ମେଳା ସ୍ଥାନରେ ।

 

ଗଙ୍ଗାସାଗର ମେଳା ।

 

ଚାରିଆଡ଼େ ତୀର୍ଥଯାତ୍ରୀଙ୍କର ଶୋଭାଯାତ୍ରା । ଉନ୍ମତ୍ତ କୋଳାହଳ । ପତ୍ର ଡାଳରେ ପଲ୍ଲାକରି, ରାତ୍ରି ଉଜାଗର ହୋଇ ସାଧୁ କେତେଜଣ ଧ୍ୟାନମଗ୍ନ । ସେମାନେ ଚାଲିଥାନ୍ତି । ଥଣ୍ଡା ହାୱାରେ ଦେହ ଶୀତେଇ ଉଠୁଥାଏ ।

 

ରାତ୍ରିର ଗଭୀରତା ବିଷୟରେ କେହି ସଚେତନ ନୁହନ୍ତି । ଉପରକୁ ଚାହିଁଲେ ସେମାନେ–ଅସଂଖ୍ୟ ତାରାର ପଟାଳି । କେଉଁ ଏକ ଲଳନାର ଛପା ଶାଢ଼ିର ଫୁଲ ତା’ର ବିଛେଇ ପଡ଼ିଛି ଆକାଶରେ–ଅଜସ୍ର ତାରାଫୁଲ । ତୃଷ୍ଣାଙ୍କ ଇଚ୍ଛାହେଲା ସେଇ ତାରା ଫୁଲସବୁ ମନ ଭରି ତୋଳି, ହାରକରି ଲଗାନ୍ତେ ଗଭାରେ.....ନା…..ସେ ସବୁ ତାଙ୍କ ପାଇଁ ନୁହେଁ–ଆକାଶର ଏ ବିଦଗ୍‍ଧ ସ୍ଵର ଆଉ ଏ ତାରାର କାଞ୍ଚନ ପଟାଳି–ଆଉ କାହାପାଇଁ ଉଦ୍ଦିଷ୍ଟ ସିନା !

 

ଆଃ......ଆମ୍‌ହର୍ଷ୍ଟ ଷ୍ଟ୍ରିଟ୍‌ଟା କି ନିଷ୍ଠୁର !

 

ଆଉ ଏ ଆକାଶ !

 

“ବାବା ଆଜ୍ଞା ଦିଅନ୍ତୁ । ଆଶୀର୍ବାଦ କରନ୍ତୁ । –କେହି ବୋଧହୁଏ ଭିକ୍ଷା ମାଗୁଛି । ସେଥିପାଇଁ ସତର୍କତା ଅବଲମ୍ବନ କରି ତୃଷ୍ଣା ଯଥେଷ୍ଟ ଖୁଚୁରା ପଇସା ସାଥିରେ ଆଣିଛନ୍ତି । ପଛକୁ ଫେରି ଚାହିଁଲେ । ନାଁ–ଭିକ୍ଷୁକ ନୁହେଁ । ଜଣେ ବୃଦ୍ଧ ଓ ବୃଦ୍ଧା–ସ୍ଵାମୀ ସ୍ତ୍ରୀ ହେବେ ବୋଧହୁଏ–ଏକ ନାଗା ସନ୍ୟାସୀଙ୍କ ଗୋଡ଼ତଳେ ଆଲମ୍ବିତ ଶୋଇପଡ଼ି କ’ଣ ପ୍ରାର୍ଥନା କରୁଛନ୍ତି କାନ୍ଦି କାନ୍ଦି । ନାଗା ସନ୍ନ୍ୟାସୀ ଜଣକ ନିର୍ଲିପ୍ତ ଭାବେ ପତ୍ରହୀନ କଣ୍ଟକପୂର୍ଣ୍ଣ ଶଯ୍ୟାରେ ଉଲଗ୍ନ-ପ୍ରାପ୍ତ ପଦ୍ମାସନରେ ବସିଛନ୍ତି । ବିଭୂତି-ପ୍ରଲେପିତ ଶରୀର । ମଥା ଉପରେ ମେଞ୍ଚାଏ ସିନ୍ଦୂର ସାଦା କାଗଜରେ ମେଞ୍ଚାଏ ନାଲି କାଳିର ଦାଗ ପରି ଦେଖାଯାଉଛି । କେତେ ଜଣ ଯାତ୍ରୀ ଅର୍ଦ୍ଧ ବୃତ୍ତାକାରରେ ଘେରିଯାଇ ଚାହିଁଛନ୍ତି–ଆଖିରେ ସେମାନଙ୍କର ନିରୀହ ବିଶ୍ଵାସରୁ ଜାତ ଅବାକ୍‌ର ମୁଦ୍ରା ।

 

ନାଗା ସନ୍ୟାସୀଙ୍କ କ୍ରମ ଗଭୀର ଗମ୍ଭୀରତା ଧୂଳିଶାୟୀ ବୃଦ୍ଧ ବୃଦ୍ଧାଙ୍କର ବିକଳ ପ୍ରାର୍ଥନା କ୍ରନ୍ଦନ କରୁଥାଏ ଆହୁରି ତେଜୀୟାନ, ଆହୁରି କରୁଣତର ।

 

ଜୟନ୍ତ ତୃଷ୍ଣାଙ୍କ କହୁଣୀକୁ ଅଳ୍ପ ଠେଲି ଦେଇ କହିଲେ, ‘ଭଣ୍ଡାମି’ । ନାଗା ସନ୍ନ୍ୟାସୀ ସତେ ଯେପରି ବୁଝିପାରିଲେ । ଫିଙ୍ଗିଲେ ଘୃଣା ଓ କ୍ରୋଧର ଦୃଷ୍ଟି–ତ୍ରିଶୂଳ ।

 

ଲୋକ ଗହଳି ଠେଲି ସେମାନେ କୂଳକୁ ଅଗ୍ରସର ହେଉଛନ୍ତି । ଛଅଟା ପୂର୍ବରୁ ନିଶ୍ଚୟ ସ୍ନାନ କରି ନେବାକୁ ହେବ । ତା’ପରେ ଆଉ ଶୁଭ ସମୟ ନାହିଁ । ଛ'ଟା ବାଜିବା ପାଇଁ ଆଉ ମାତ୍ର ଦଶ ମିନିଟ୍ ଅଛି । ଲୋକ ଗହଳି ଠେଲି ବୋଧହୁଏ ପହଞ୍ଚିବା ବଡ଼ କଷ୍ଟକର ହୋଇପାରେ । ସାମାନ୍ୟ ବର୍ଷା ହୋଇ ରାସ୍ତା ହେଇଛି ପିଚ୍ଛିଳ ।

 

ରାତ୍ରି ପାଦ ଚିପି ଚିପି ବିଦାୟ ନେଉଛି ।

 

ଏଇ ମୁହୂର୍ତ୍ତଟିକୁ ତୃଷ୍ଣା କେତେଦିନ ଅପେକ୍ଷା କରି ରହିଛନ୍ତି ! ସମସ୍ତ ପାପ ଧୋଇ ଦେଇ ସେ ମୁକ୍ତି ପାଇବେ ସ୍ଵର୍ଗ ଲାଭ କରିବେ ।

 

“ଚାରି ବର୍ଷର ଝିଅଟି…ପିନ୍ଧଚି ନାଲି ଫ୍ରକ୍ ଆଉ...,” ମାଇକ୍ ରହି ରହି ଚିତ୍କାର କରୁଛି । ପିଲା ମିଳିଚି । ବାପା ମା’ ଆସି ନେଇ ଯାଇ ପାରନ୍ତି । ମଝିରେ ମଝିରେ ଏକ ସିନେମା ଗୀତର ଅନୁକରଣ କରି, କେହି ଜଣେ ମାଇକ୍ରୋଫୋନ ଆଗରେ ତା’ର ଦର୍ଦୁରରବ–ଜିଣା କଣ୍ଠରେ ଗୀତ ଗାଇ ଆତ୍ମ ପ୍ରତିଷ୍ଠା ଦାବି କରୁଛି । ଆଉ କେତେ ଜଣ ମହତ୍ ଉଦ୍ଦେଶ୍ୟ ନେଇ ଏପଟ ସେପଟ ହେଉଛନ୍ତି । ନାଗା ସନ୍ନ୍ୟାସୀ ପରି ଇଏ ବି ମେଳାର ଏକ ମୌଳିକ ବାସ୍ତବତା ।

 

ପିଚ୍ଛିଳ ରାସ୍ତାରେ ଖୁବ୍‌ ସତର୍କରେ, ପାଦ ଚିପି ଚିପି ଚାଲିଥାନ୍ତି ଜୟନ୍ତ ଓ ତୃଷ୍ଣା–ହାତ ଧରାଧରି ହେଇ ।

 

‘‘ଆହା ! ମଥୁରୀ ମା’ ଚାଲିଗଲା ।’’ –ଲୋକ ଗହଳି ଜମି ଯାଇଛି ଗୋଟିଏ ସ୍ଥାନରେ । କେତେ ଜଣ ବସିଛନ୍ତି ଗୋଟିଏ ଲାସ୍‌କୁ ଘେରି ଯାଇ । କାନ୍ଦ ବୋବାଳି ଛାଡ଼ୁଛନ୍ତି । କେତେ ଦୂରରୁ ଆସିଥିଲା ତୀର୍ଥ କରି । ଜୀବନ ତା’ର ସାର୍ଥକ ହେଲା । ବିଚାରୀ ତୀର୍ଥ କ୍ଷେତ୍ରରେ ମରି ମୁକ୍ତି ପାଇଗଲା….

 

ମୃତ୍ୟୁ !

 

ଶୀତଳ ମୃତ୍ୟୁ ଏଠାରେ ଆର୍ଶୀବାଦ । ଦୂରରୁ କପିଳ ମୁନି ଆଶ୍ରମରୁ ବୋଧହୁଏ ଏଇ ବେଦ ମନ୍ତ୍ରର ଧ୍ୱନି ସମୀର-ତରଙ୍ଗରେ ଭାସି ଆସି ସମସ୍ତଙ୍କୁ ଦୀକ୍ଷିତ କରୁଚି । କେବଳ ସେଇ କେତେ ଜଣ ଟୋକାଙ୍କୁ ବାଦ୍ ଦେଇ ।

 

ତୃଷ୍ଣା କିପରି ଅଣନିଃଶ୍ଵାସୀ ବୋଧ କଲେ । ଜୟନ୍ତ ସତେ ବୁଝିପାରିଲେ ତାଙ୍କ ମନ କଥା । କହିଲେ–ଜଲଦି ଚାଲ । ସମୟ ହେଇ ଯାଉଛି ।

 

ଦିନ ଗୋଟାକ ପର୍ଯ୍ୟନ୍ତ ସଂକ୍ରାନ୍ତିର ଜୀବନ । ତଥାପି ଏଇ ସମୟଟା ପୂର୍ବ ଘୋଷିତ ବିଚାରାନୁଯାୟୀ ସବୁଠାରୁ ଶୁଭଙ୍କର । ଠିକ୍ ଏଇ ସମୟରେ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ ପାଇଯିବ–ମୁକ୍ତି ଆସିବ କପିଳ ମୁନିଙ୍କ ଆଶୀର୍ବାଦ ପରି ।

 

ଯାତ୍ରୀଗଣ ସ୍ନାନରତ ।

 

ଅଳ୍ପ ଦୂରରେ ଜଣେ ପାଶ୍ଚାତ୍ୟ ଟୁରିଷ୍ଟ, ନାଗା ସନ୍ୟାସୀଙ୍କର ଧ୍ୟାନୋଲଗ୍ନ ଫଟୋ ନେବା ପାଇଁ କେମେରା ଏଡ଼୍‌ଜେଷ୍ଟ କରୁଛନ୍ତି । ଫଟୋ ପ୍ରକାଶ ପାଇଁ ପତ୍ରିକାକୁ ପଠାଇବେ । ବିଦେଶରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି । ଭାରତର ଇମେଜ୍ ! ସାଧୁ, ସାପ, ରାଜା ଓ ଭିକାରୀର ଭାରତ ।

 

ସକାଳ କଡ଼ ଲେଉଟାଉଛି ।

 

ପୂର୍ବାକାଶ ଈଷତ୍ ଲୋହିତ ବର୍ଣ୍ଣ ଧାରଣ କଲା । ଏଯାବତ୍ ଖଣ୍ଡିଏ ବାଦଲ ମେଳାର ଲଫଙ୍ଗା ଟୋକାଙ୍କ ପରି ପଇଁତରା ମାରୁଛି ଆକାଶରେ । ଥଣ୍ଡା ପବନରେ ଦେହ ଶୀତେଇ ଉଠୁଥାଏ । ତୃଷ୍ଣା ଚାହିଁଲେ ଦିଗନ୍ତ ପ୍ରସାରୀ ଲହରୀମାଳା ଆଡ଼େ–ତରଙ୍ଗ ସବୁ ହଂସମାନଙ୍କ ପରି ସ୍ଵର ଉତ୍ତୋଳନ କରି ପରସ୍ପର ସହ କଥାବାର୍ତ୍ତା ହେଉଥାନ୍ତି । ସେ ଯେପରି ଶୁଣିବାକୁ ପାଇଲେ ସୃଷ୍ଟିର ସଙ୍ଗୀତ । ଅନିର୍ବଚନୀୟ ଏକ ମହା ସଙ୍ଗୀତ । ଆଉ ଦେଖୁଛନ୍ତି ବ୍ରୀଡ଼ାବତୀ କୁଣ୍ଠିତା ନାରୀ ପରି ଆକାଶ ସେପରି ସମୁଦ୍ର ହାତରୁ ନିଜର ଅଞ୍ଚଳଟିକୁ ଛଡ଼ାଇ ଦେବାକୁ ଚେଷ୍ଟା କରୁଛି–ସେଥିପାଇଁ ତା’ ମୁହଁରେ ଲଜ୍ଜାର ମଧୁ-ରକ୍ତ ଛିଟା । ଫାଜିଲ୍ ସମୁଦ୍ର ! ତୁମେ ବଡ଼ ଇଏ–

 

ଆମହାର୍ଷ୍ଟ ଷ୍ଟ୍ରିଟ୍‌ର ଫ୍ଲାଟ୍ !!

 

ବଞ୍ଚିବାର ଇଚ୍ଛାଟା ପ୍ରବଳ ହେଇ ଉଠିଲା କୃଷ୍ଣଙ୍କ ମନ ଭିତରେ ଏକ ଅନାବିଳ ସାତ୍ତ୍ୱିକ ଆନନ୍ଦ ଦେହ ସାରା ତଡ଼ିତ ପ୍ରାୟ ପ୍ରବାହିତ ହୋଇଗଲା । ସେଇ ଆନନ୍ଦର ଆତିଶଯ୍ୟରେ ଇଚ୍ଛାହେଲା ସେ ଖୁବ୍ ଜୋରରେ କାନ୍ଦି ଉଠିବେ । ହେ ଆକାଶ ! ହେ ସମୁଦ୍ର ! ମୋତେ ଆଶ୍ରୟ ଦିଅ । ତୁମରି କୋଡ଼ରେ ମୁଁ ଖେଳୁଥାଏ । …ଏଇ ସୁନ୍ଦର ଦୃଶ୍ୟ ଛାଡ଼ି ମଣିଷ ମୁକ୍ତି ଚାହେଁ କାହିଁକି ? ଏ ପୃଥିବୀ ଏତେ ସୁନ୍ଦର ହୋଇପାରେ ?

 

ଆଃ ! ସମୟ ହେଇ ଯାଉଛି ଗାଧୋଇ ପଡ଼ନା । ଜୟନ୍ତଙ୍କ ତାଗିଦ୍ । ଆଉ ମାତ୍ର ମିନିଟିଏ ସମୟ ବାକି ।

 

ତୃଷ୍ଣା ନୀରବ ନିଶ୍ଚଳ । ନିଥର ପଦ ଦୁଇଟିରେ ଆବୃତ୍ତ ଆଲମ୍ବିତ ଶାଢ଼ିର କିଛି ଅଂଶ ଓଦା ହେଇ ଯାଇଛି । ପାଦ ଆଗକୁ ବଢ଼ାଇବା ପାଇଁ ଯେପରି ଶକ୍ତି ତାଙ୍କର ନାହିଁ ସାହସ ଆଉ ନାହିଁ ।

 

“ନା ନା, ମୁକ୍ତି ମୋର ଦରକାର ନାହିଁ । ଏଇ ଧରିତ୍ରୀ ମୋର ସ୍ଵର୍ଗ । ଥରେ ନୁହେଁ, ଏଇ ପୃଥିବୀରେ ବାରମ୍ବାର, ଲକ୍ଷେ ଥର ମୁଁ ଜନ୍ମ ନେବାକୁ ଚାହେଁ, ଏଇପରି ତୃଷ୍ଣା ହେଇ....ଆଉ ତୁମେ ବି ।’’

 

ତୃଷ୍ଣାକୁ ଆଉ କହିବାକୁ ଦେଲେ ନାହିଁ ଜୟନ୍ତ । ହାତ ପ୍ରସାରିତ କଲେ । ତୃଷ୍ଣା ଉଠି ଆସିଲେ ଉପରକୁ ।

 

ଶଙ୍ଖ ଘଣ୍ଟା ବାଜି ଉଠିଲା । କୂଳେ ମୁକ୍ତିଆକାଙ୍‌କ୍ଷିତ ଯାତ୍ରୀଗଣ ଉଦବେଳିତ ହୃଦୟ ନେଇ ଗଙ୍ଗା ସାଗରର ଶାନ୍ତ ଶୀତଳ ଜଳରେ ସ୍ନାନ କରିବାକୁ ଲାଗିଲେ ।

 

ଜୟନ୍ତ ଓ ତୃଷ୍ଣା ଫେରିଲେ ।

 

ନାଗା ସନ୍ୟାସୀ ଏବେ ବି କଣ୍ଟକ ଶଯ୍ୟାରେ ନିବିଷ୍ଟ ଚିତ୍ତରେ ଆସୀନ । ପ୍ରତ୍ୟେକ ମୁହୂର୍ତ୍ତର ଅତିକ୍ରାନ୍ତରେ ସେ ଯେପରି ହେଇ ଆସୁଛନ୍ତି ଭଗବାନଙ୍କ ନିକଟରୁ ନିକଟତର !

Image

 

ଏକ ପୌଷ ରାତ୍ରିର ସଙ୍ଗୀତ

 

‘‘ଆଃ.....ଚମତ୍କାର–କାଚପାତ୍ରର ସୂକ୍ଷ୍ମଧାରର ଉଚ୍ଛୁଳା ଫେନିଳ ମଦ୍ୟ ଦେହରେ ଚୁମ୍ବନ ଦେଇ କହି ଉଠିଲେ ମିଷ୍ଟର ନିଗମ । ଚକ୍ଷୁ ଦୁଇଟି ଆରକ୍ତ ପଡ଼ି ଆସିଲା ଦୁଇଟି ଛୋଟ ବୈଦ୍ୟୁତିକ ବତି ପରି । କଳା ରଙ୍ଗର ବୋତଲରୁ ଆଉଥରେ ଗ୍ଲାସରେ ଢାଳି ଦେଇ ପିଇ ଚାଲିଲେ । ସ୍ନାୟୁଗୁଡ଼ିକ ଉତ୍ତେଜିତ ହୋଇ ଉଠିଲା । ମନ ହେଇ ଆସିଲା ହାଲୁକା ବେଲୁନ ପରି ।

 

“ଆଉ ଦେବି ?” –ମିସେସ୍ ସାହାଣୀ ପଚାରିଲେ ଏକ ବ୍ୟବସାୟିକ ହସ ଟାଣି । ଜୋତାକୁ ମୋଜାଇକ୍ ଫ୍ଲୋରରେ ମୃଦୁ ଆଘାତ କରି ନେପଥ୍ୟର ସଙ୍ଗୀତ ସହ ତାଳ ଦେଉଁ ଦେଉଁ କହିଲେ ନିଗମ– “ନା, ଥାଉ, ବହୁତ ହେଲାଣି । ’’

 

ସେପଟୁ ମିଷ୍ଟର ସାହାଣୀ କହୁଥାନ୍ତି– ‘‘ଆରେ ପିଅନ୍ତୁ ନା–ଆପଣ ବଡ଼ ସ୍ରାୟ ମିସେସ୍ ନିଗମ–କି ସୁନ୍ଦର ଟେଷ୍ଟ । ହଁ, ବାସ, ଆଉ ଢୋକେ ନିଅନ୍ତୁ ।” ଏହା କହି ପାତ୍ରଟି ମିସେସ୍ ନିଗମଙ୍କ ଅଧରଧାରରେ ଲଗାଇ ଦେଲେ । ମଦ୍ୟ ପାତ୍ରର ଶୁଭ୍ର ମସୃଣ କାଚ ଦେହରେ ମିସେସ ନିଗମଙ୍କ ମେକ୍ଅପ କରା ମୁଖ ପ୍ରତିଫଳିତ ହେଲା । ମି: ସାହାଣୀ ପାତ୍ରଟିକୁ ସେଇପରି ଧରି ପ୍ରତିଫଳିତ ରୂପଟିକୁ ଚାହିଁ କିଛି ସମୟ ଅଧ୍ୟୟନ କରିବାକୁ ଲାଗିଲେ ।

 

ବେଶ୍ ମଜଗୁଲ ହୋଇ ଉଠିଥିଲା କ୍ଲବର ପୌଷର ସନ୍ଧ୍ୟାଟି । ମି: ନିଗମ ଓ ମି: ସାହାଣୀ ନିଜ ନିଜ ସହଧର୍ମିଣୀଙ୍କ ସହ ଟେବୁଲର ଚାରି ପଖାରେ ଚାରୋଟି ଚୌକିରେ ବସି ସନ୍ଧ୍ୟାଟିକୁ ଉପଭୋଗ କରୁଥିଲେ–ଆଉ ଜୀବନ ସହ କରୁଥିଲେ ମୁକାବିଲା । ଗୋଲାପି ସୁରାର ତରଙ୍ଗ ଭିତରେ ଦୁନିଆର ସବୁକିଛି ଜଞ୍ଜାଳ ଭୁଲିଯାଇଥିଲେ । ଯେପରି ଜଣେ ଯୁବକ ନୂତନ ହୋଇ ଭଲପାଉଥିବା ତା’ର ପ୍ରେମିକା ସହ ସଂଳାପ କରି ଆନନ୍ଦ ପାଏ, ସେଇପରି ମି. ନିଗମ ଜାଣି ନ ଜାଣିଲା ପରି ନିଜର ବିଲମ୍ବିତ ପଦକୁ ଟେବୁଲ ତଳେ ତଳେ ମିସେସ ସାହାଣୀଙ୍କ ପଦରେ ମୃଦୁ ସ୍ପର୍ଶ କରି ପୁଲକିତ ହେଇ ଉଠୁଥିଲେ । ଆଉ ମି: ସାହାଣୀ ମିସେସ ନିଗମଙ୍କର ଶିବଜଟା ସଦୃଶ ଊର୍ଦ୍ଧ୍ୱଗାମୀ କେଶବିନ୍ୟାସକୁ କରୁଥାନ୍ତି ଘନଘନ ତାରିଫ । ଅଶାନ୍ତ ଢେଉ ମାଳ ଯେପରି ନଦୀ ତଟରେ ପଥର ସ୍ତୂପ ଉପରେ ଅହରହ ମଥା ପିଟେ, ସେଇପରି ଅନ୍ତରାଳରୁ ଆସୁଥାଏ ସ୍ଵର ପରେ ସ୍ଵର ଲମ୍ଫ ପଶ୍ଚାତ୍ୟ ପପ୍ ସଙ୍ଗୀତର ଝଙ୍କାର । ମି: ନିଗମ ଆରମ୍ଭ କଲେ– ‘‘କି ସୁନ୍ଦର ଗୀତ-। ମୋତେ କ୍ଲାସିକେଲ ଗୀତ ଆଦୌ ଭଲ ଲାଗେନି ।”

 

ମି: ସାହାଣୀ ଗ୍ଲାସରେ ସ୍କଚ ଢାଳୁ ଢାଳୁ କହିଲେ– ‘‘ହଁ, ଠିକ୍ କହିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ବଡ଼ ଡଲ୍ ଲାଗେ । ସେଦିନ ଆମ ପ୍ରବାସୀ ସଂଘ ଆନୁକୂଲ୍ୟରେ ଯେଉଁ ଶାସ୍ତ୍ରୀୟ ସଙ୍ଗୀତର କନସର୍ଟ ଆୟୋଜନ କରାଯାଇଥିଲା, ଭାରି ବୋରିଙ୍ଗ୍ ଲାଗିଲା । ଏଇ ପାପ୍ ସଙ୍ଗୀତରେ ଜୀବନ ଅଛି । ତା’ର ଶ୍ରୋତାକୁ ମଧ୍ୟ ପ୍ରାଣସ୍ଫୁର୍ତ୍ତ କରିଦିଏ ।’’

 

ନାଟକର ପର୍ଦ୍ଦା ଦୁଇପଟେ ମୁକୁଳିଲା ପରି ମିସେସ ନିଗମ ନିଜ ଲିପ୍‌ଷ୍ଟିକ୍‌ ବୋଳା ଓଠ ଖୋଲି ଦେଇ କହି ଉଠିଲେ– ‘‘କିନ୍ତୁ ମି: ଦାସଙ୍କୁ ପପ୍ ମ୍ୟୁଜିକ୍, ବିଟ୍‌ନିକ୍ ସ୍ଵର ଆଦୌ ଭଲ ଲାଗେ ନାହିଁ । ଏଗୁଡ଼ିକ ଯେପରି ସବୁ ନିଷିଦ୍ଧ ଫଳ । ଭାରି ସମାଲୋଚନା କରନ୍ତି ସେ । ତାଙ୍କ ମତରେ ଟୁଇଷ୍ଟ, ପପ୍ ଏସବୁ କାନସେର୍ ପରି ଆମ ସଂସ୍କୃତିକୁ କୁଆଡ଼େ ପଳେ ପଳେ ହତ୍ୟା କରୁଛନ୍ତି । ହାଓ ଫନି । ତାଙ୍କର ଖାଲି ପ୍ରାଚ୍ୟ ଦର୍ଶନ–ନୀତି ଆଉ ନିୟମ । ଗୋରୁ ବେକରେ ପଘା ପରି ଜୀବନକୁ ଗୋଟିଏ ନିର୍ଦ୍ଦିଷ୍ଟ ନିୟମରେ ବାନ୍ଧି ରଖି କି ଯେ ଆନନ୍ଦ ପାଆନ୍ତି ଏପରି ମଣିଷ, ମୁଁ ବୁଝିପାରେ ନାହିଁ । ଖାଲି ଜୀବନ ସମସ୍ୟା ଆଉ ତା’ର ସମାଧାନ ।”

 

ମି: ସାହାଣୀ ନିଜ ମାର୍ଜିତ ରୁଚିର ପରିଚୟ ଦେବାକୁ ବ୍ୟଗ୍ର ହୋଇ ଉଠିଲେ । ଏଇ ସୁଯୋଗରେ କ୍ଲବର ଅନ୍ୟତମ ସଭ୍ୟ ମି: ଦାସଙ୍କୁ ଆକ୍ରମଣ କରି ମିସେସ ନିଗମଙ୍କର ପ୍ରଶଂସାଭାଜନ ହେବେ । ନାରୀର ଯାହା ବକ୍ତବ୍ୟ, ପୁରୁଷ ଯଦି ସେଥିର ପ୍ରତିବାଦ ନ କରି ଗ୍ରହଣ କରିନିଏ, ସେଥିରେ ବହୁତାଂଶରେ ଲାଭ । ମି: ସାହାଣୀ ନାରୀର ଏ ମନସ୍ତତ୍ତ୍ୱ ବିଶେଷତଃ ମିସେସ ନିଗମଙ୍କର ମନ ଗହୀରର ଏ ରହସ୍ୟ ବେଶ୍‍ ଭେଦ କରି ପାରିଥିଲେ । କେଉଁ ସ୍ଥାନରେ ଆଉ କେଉଁ ଦିଗରେ କଥାଟା ମୋଡ଼ିଲେ ସେ ଖୁସି ହେବେ ତାଙ୍କୁ ଭଲଭାବେ ଜଣାଥିଲା ।

 

‘‘ଠିକ୍ କହିଛନ୍ତି ମିସେସ ନିଗମ”–ଆରମ୍ଭ କଲେ ସେ । ‘‘ଜୀବନର ସମସ୍ୟା ନ ଥାଇ ତା’ର ପୁଣି ସମାଧାନର ପ୍ରଶ୍ନ କେଉଁଠି ଉଠୁଛି । ମି: ଦାସ ଏକ ପୂରା ପ୍ୟୁରିଟାନ । ଆତ୍ମା ସହ ସବୁବେଳେ ବଳ କଷାକଷି । ଆଧୁନିକ ଯୁଗର ଆଦବକାୟଦା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । ଦିନସାର କାମ କରି କରି ଜୀବନକୁ ଟିକିଏ ଫୁଲତୋଡ଼ା ଆଉ ସେରିର ଗନ୍ଧରେ ନିଜକୁ ଭୁଲାଇଦେଲେ କେତେ ଯେ ଆନନ୍ଦ ସେ ବୁଝି ପାରନ୍ତି ନାହିଁ । ପ୍ରଜ୍ଞାକୁ ଭାରାକ୍ରାନ୍ତ କରିବା ଅପେକ୍ଷା ହୃଦୟକୁ ସବୁଜିମା ଓ ଫେନିଳ କରି ସ୍ଥିତିର ପରିଚୟ ଖୁବ୍ ଅଳ୍ପ ଲୋକ ପାଆନ୍ତି । ଏଇ ନିଅନ୍ତୁ ଜାପାନର ଉଦାହରଣ–ପ୍ରାଚ୍ୟ ସଭ୍ୟତାର ସେ ବି ତ ଥିଲା ଏକ କେନ୍ଦ୍ର । କିନ୍ତୁ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି କି ଆଶ୍ଚର୍ଯ୍ୟଭାବେ ପ୍ରଗତିଶୀଳ ହୋଇ ଉଠିଛନ୍ତି ସେମାନେ । ମୁଁ ଟୋକିଓରେ ଟ୍ରେନିଂରେ ଥିବାବେଳେ.... ।” ହଠାତ୍ ରହିଯାଇ ଆଉ ଢୋକେ ଗ୍ଲାସରୁ ପିଇ ଅଙ୍ଗୁଳିରେ ଓଠକୁ ପୋଛିଦେଲେ । ନିଜେ ବିଦେଶ ଯାଇଥିଲେ–ଏହା ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ଟିକିଏ ରହି ପୁଣି ଆରମ୍ଭ କଲେ– ‘ହଁ, କ’ଣ କହୁଥିଲି; ଓଃ ମୋ ଟୋକିଓ ଅନୁଭୂତି କଥା । ମୁଁ ଦେଖିଛି ସେଠାରେ ଜାପାନୀ ନାରୀ ଓ ପୁରୁଷ ହସିନାଚି କିପରି ଜୀବନକୁ ଉପଭୋଗ କରନ୍ତି ନାଇଟ୍ କ୍ଲବରେ । ଆଉ ଦେଖିଚି କିପରି ଗ୍ୟାସା ବାଳିକାଙ୍କର ନୃତ୍ୟର ଛନ୍ଦରେ ଜୀବନର ସମସ୍ତ ଦୁଃଖ ଓ ଅବସାଦ ପରାଜୟ ସ୍ଵୀକାର କରେ ।”

 

ମି: ସାହାଣୀଙ୍କର ଏପ୍ରକାର ବିଦେଶ–ଅନୁଭୂତି ବର୍ଣ୍ଣନା ଶୁଣି ବିଦେଶ ପରିଦର୍ଶନ ସୁଯୋଗ ପାଇ ନ ଥିବା ମି: ନିବମ ଲଘୁତା ଗୁଣରେ ପୀଡ଼ିତ ହୋଇ ଉଠିଲେ । ଆଳାପନାର ସମସ୍ତ ଗୌରବ ତାଙ୍କର ଯେପରି ଏକଚାଟିଆ ନ ହେଉ; ତେଣୁ ସେ ତାଙ୍କୁ କହିବାକୁ ସୁଯୋଗ ନ ଦେଇ ପାଟି କରି ଉଠିଲେ–‘‘ଠିକ୍ କହିଛନ୍ତି ଆପଣ । ଏ ରକ୍ଷଣଶୀଳ ମନୋବୃତ୍ତି ଛାଡ଼ି ନାଗାର୍ଜୁନ ସାଗରର ବନ୍ଧ କୃଷ୍ଣା ଜଳକୁ ବାନ୍ଧିବା ପରି, ଯେତେ ପର୍ଯ୍ୟନ୍ତ ସମୟର ସ୍ରୋତକୁ ଆମେ ଜବରଦସ୍ତ ବାନ୍ଧି ରଖିବାକୁ ଚେଷ୍ଟା କରିବା, ସେ ପର୍ଯ୍ୟନ୍ତ ଆମେ ପଡ଼ି ରହିଥିବା ପଛରେ । ହଁ, ଏଇ ଯେଉଁ ନାଇଟ୍ କ୍ଲବ କଥା କହୁଥିଲେ–ଇଏ ଏକ ଲାଭଜନକ ବ୍ୟବସାୟ ମଧ୍ୟ । ସେଦିନ ପରା ଆମର ଜଣେ ତୁଙ୍ଗ ନେତା ୟୁରୋପ ଭ୍ରମଣରୁ ଫେରି ତାଙ୍କ ନିଜର ଅଭିଜ୍ଞତା ବର୍ଣ୍ଣନା କରୁଥିଲେ । ଫ୍ୟାରିସର ନାଇଟ କ୍ଲବଗୁଡ଼ିକ କେତେ ଅଜସ୍ର ଡଲାର ଯେ ଅର୍ଜ୍ଜନ କରୁଛନ୍ତି ତା’ର କଳନା ନାହିଁ । ଆମ ଦେଶରେ ଏ ଫରେନ୍ ଏକ୍‌ସଚେଞ୍ଜ କ୍ରାଇସିସ୍ ସମୟରେ, ଏଗୁଡ଼ିକୁ ଯଦି ଉତ୍ସାହିତ କରାଯାନ୍ତ, ତେବେ ତ ବହୁତ ବିଦେଶୀ ମୁଦ୍ରା ଅର୍ଜ୍ଜନ କରାଯାଇ ପାରନ୍ତା ।’’ ନିଜ ମତବାଦ ସପକ୍ଷରେ କେତେଗୁଡ଼ିଏ ବଳିଷ୍ଠ ଯୁକ୍ତିର ଅବତାରଣା କରିପାରିଛନ୍ତି ଭାବି, ମି: ନିଗମ ମିସେସ ସାହାଣୀଙ୍କ ଆଡ଼େ ଚାହିଁ ଆତ୍ମ ତୃପ୍ତିରେ ହସି ଦେଇ ପାଇଲେ ଏକ କର୍କଶ ଆନନ୍ଦ ।

 

ମିସେସ ସାହାଣୀ କହିଲେ, ‘‘ମୁଁ କାଲି ଫେମିନାରେ ପଢ଼ୁଥିଲି ରାଣୀ ଏଲିଜାବେଥ କେତେଜଣ ବିଟଲ ଯୁବକ ସଙ୍ଗୀତଜ୍ଞଙ୍କୁ ଉଚ୍ଚ ସମ୍ମାନିତ କରିଛନ୍ତି । ଏମାନେ କାହିଁକି ଯେ ନାକ ଟେକନ୍ତି ମୁଁ ବୁଝିପାରେ ନାହିଁ ।”

 

“ଷ୍ଟୁପିଡ୍‍–ରକ୍ଷଣଶୀଳ ଗୁଡ଼ାକ । ଜୀବନକୁ ଉପଭୋଗ କରି ଜାଣି ନାହାନ୍ତି । ସବୁବେଳେ ସ୍ପିରିଟ୍ ଖୋଜନ୍ତି । ବସ୍ତୁବାଦର ଆନନ୍ଦରେ ସତେ ଯେପରି ଆତ୍ମା ନାହିଁ । ଏଇ ବାର୍‌ଗୁଡ଼ିକ ଯେପରି ସଂକ୍ରାମକ ରୋଗର ଷ୍ଟୋର ହାଉସ । ଆଉ ମଠକୁ ଯାଅ–ମନ୍ଦିରକୁ ଯାଅ–ଯେଉଁଠି ମହନ୍ତ ବ୍ୟଭିଚାରରେ ଲିପ୍ତ, ପୂଜକ ଭଣ୍ଡାମି କରି ଶୋଷଣରେ ବ୍ୟସ୍ତ–ସେଠାରେ ତୁମର ପ୍ରଶଂସା । ହାଓ ଷ୍ଟୁପିଡ୍‍ । ଡେଭିଲ ଟେକ୍ ଦି ସୋସାଇଟି । ଗ୍ଲାସଟାକୁ ସଜୋରେ ଟେବୁଲରେ ରଖି ଦେଉଁ ଦେଉଁ ପାଟି କରି ଉଠିଲେ ମି: ନିଗମ । ବିୟରର କେତୋଟି ଫେଣ ଉଛୁଳି ପଡ଼ି ଟେବୁଲ କ୍ଲଥ ଉପରେ ପଡ଼ିଗଲା । ସତେ ଯେପରି ଗ୍ଲାସଟାକୁ ଜୋରରେ ରଖିବା ଦ୍ଵାରା ତାଙ୍କ ସମାଲୋଚକମାନଙ୍କ ପ୍ରତି ସମସ୍ତ କ୍ରୋଧର ପ୍ରତିଶୋଧ ନେଇଗଲେ ଏକାଥରକେ ।

 

ସୁରାପାତ୍ରଗୁଡ଼ିକ ନିଃଶେଷ ହୋଇ ଆସିଲା । ଫାରେନ୍‌ହିଟ୍‌ ଥର୍ମୋମିଟରର ପାରଦରେଖା ତାପ କମିଗଲେ ଯେପରି ଖସି ଆସେ, ଯୁକ୍ତିତର୍କ–ଢେଉର ରିଡ଼ିଙ୍ଗ ସେଇପରି ଖସି ଆସିଲା ତଳକୁ । ବିଲିଅର୍ଡ଼ ଓ ଟେନିସ, ଖେଳସାରି ସଭ୍ୟମାନେ ଗଲେଣି ନୃତ୍ୟଶାଳାକୁ । ମି: ନିଗମ କହିଲେ, “ଆସନ୍ତୁ ମିସେସ ସାହାଣୀ ସମସ୍ତେ ଗଲେଣି ହଲକୁ ।’’

 

ଆରମ୍ଭ ହେଲା ଟୁଇଷ୍ଟ । ଅର୍କେଷ୍ଟ୍ରାର ଯନ୍ତ୍ର ସଙ୍ଗୀତ ଲହର ସହ ତାଳ ରଖି ସଭ୍ୟମାନେ ସାରା ଶରୀର ଦୋଳାୟତ କରି ହେଲେ ନୃତ୍ୟରତ । ମି: ନିଗମ ମିସେସ ସାହାଣୀଙ୍କ ଭୁଜ ବଲ୍ଲରୀ ଭିଡ଼ି ଟାଣି ଆଣିଲେ । ମି: ସାହାଣୀ ମିସେସ ନିଗମଙ୍କ କମରରେ ହସ୍ତ ବେଷ୍ଟନ କରି ସଙ୍ଗୀତର ତାଳେ ତାଳେ ଦୋଳିବାକୁ ଆରମ୍ଭ କଲେ ବାୟୁରେ । ପିଆନୋ ହିଷ୍ଟ୍ରିକ୍ ଚିତ୍କାର କରୁଚି–‘ଲେଟ୍ ଆସ୍ ପ୍ଲେ ଏ ଗେମ୍ ଅଫ ଲଭ୍'

 

ଧୀରେ ଧୀରେ ଶ୍ରାନ୍ତ ଓ ଅବଶ ହୋଇ ଆସିଲା ପୌଷର ଶୀତଳ ରାତ୍ରି । କ୍ଲବର ସଭ୍ୟମାନେ ଶୁଭରାତ୍ରି ଜଣାଇ ବିଦାୟ ନେଲେ । ମି: ନିଗମ ଓ ସାହାଣୀ ନିଜର ପତ୍ନୀଙ୍କ ସହ ବାହାରି ଆସିଲେ କ୍ଲବରୁ । ନିଶା ଓ କ୍ଳାନ୍ତିର ଆତିଶଯ୍ୟରେ ସମସ୍ତଙ୍କ ପଦ ନିଥର ହୋଇଯାଇଥିଲା-। ମି: ନିଗମ ଷ୍ଟାର୍ଟ ଦେଲେ ନିଜ ଭେସ୍‌ପା-୧୫୦ ସ୍କୁଟରରେ । ଡାକିଲେ– “ଆସ ଉଷା-। ପଛରେ ବସ ।’' ମି. ସାହାଣୀ ନିଜ ଲେମବ୍ରୋଟାରେ ଷ୍ଟାର୍ଟ ଦେଇ ଡାକିଲେ ଶ୍ରୀମତୀଙ୍କୁ ବସିବା ପାଇଁ-

 

ଉଦ୍ୟାନର ଡାଲିଆ ଫୁଲଗୁଡ଼ିକ କ୍ଲବର ରାତ୍ରିର ଚୌକିଦାର ପରି ଘୁମାଇବାକୁ ଆରମ୍ଭ କଲେଣି । ଯାତ୍ରାରେ ରାଣୀ ଭୂମିକାରେ ଅଭିନୟ କରୁଥିବା ପୁରୁଷ ମୁହଁରେ ଆଲୁମିନିୟମ୍ ପାଉଡର ପରି ସବୁଜ ଲନ୍ ମୁହଁରେ ଶିଶିର ବିନ୍ଦୁ ଚକ୍‌ ଚକ୍ କରୁଥାଏ । ଦେବଦାରୁ ଗଛର ପତ୍ରଗୁଡ଼ିକ ନିଅନ୍ ଲାଇଟ୍‌ର ଆଲୋକମାଳାକୁ ଆସ୍ତରଣ କରି ଦେଇଥାନ୍ତି । ସ୍ଥାନଟି ବୋଳି ହୋଇଯାଇଥାଏ ରାତ୍ରିର ମେଞ୍ଚାଏ ଅନ୍ଧକାରରେ । ସ୍କୁଟର ଦୁଇଟି ଅପେକ୍ଷା କରିଥାନ୍ତି ପ୍ରଭୁ ଭକ୍ତ ଭୃତ୍ୟ ପରି ।

 

ପଉଷ ରାତ୍ରିର କୁହୁଡ଼ି ପହଁରା ଦେଉଥାନ୍ତି ଏଣେତେଣେ ରାତିବିଟ୍‌ର ପୋଲିସ୍ ପରି । ସମାନ ଗତିରେ ଦୁଇଟି ସ୍କୁଟର ରିଙ୍ଗ୍ ରୋଡ଼ ଛାତିରେ ଛୁଟି ଚାଲିଥାନ୍ତି ରାତିର ସ୍ନାୟୁରେ ଶବ୍ଦର ତରଙ୍ଗ ଚାଳିତ କରି । କାଲୁଆ ପବନ ତୀର ପରି ବିନ୍ଧୁଥାଏ କର୍ଣ୍ଣର ଗହରରେ । ଯେଉଁ ରାଜପଥରେ ବିଭ୍ରାନ୍ତିକ ଆଧୁନିକ ଅଭିଜାତ୍ୟର ସ୍ରୋତ ବହି ଚାଲିଛି, ସ୍ତିମିତ ଆଲୋକରେ ସେଇ ରାଜପଥ ଦେଖାଯାଉଥାଏ ରୁଗ୍‌ଣ ଓ ଶୀର୍ଣ୍ଣ ।

 

କ୍ୱାଟର ସମ୍ମୁଖରେ ରହିଲା ଦୁଇଟି ସ୍କୁଟର । ଶୁଭରାତ୍ରି ଜଣାଇ ମି: ନିଗମ ଉଦ୍ୟାନର ଫାଟକ ଉନ୍ମୁକ୍ତ କରି ପ୍ରବେଶ କଲେ ନିଜ ପ୍ରାଙ୍ଗଣରେ । ମି: ସାହାଣୀ ଗଲେ ନିଜ କ୍ୱାଟରକୁ ।

 

ପ୍ରଥମ ପ୍ରଣୟର ଆଗ୍ନେୟ ଭାବୋଚ୍ଛ୍ଵାସ ଯେପରି କିୟତ୍ କାଳ ପରେ ଧୀରେ ଧୀରେ ଶିଥିଳ ହୋଇଆସେ, ସେଇପରି ପୌଷରାତ୍ରିର ସଙ୍ଗୀତର ମୂର୍ଚ୍ଛନା ଉତ୍ସୃଙ୍ଖଳ ଓ ଉନ୍ମାଦ ହୋଇ କ୍ରମେ କ୍ରମେ ଗମ୍ଭୀର ଓ ଶାନ୍ତ ହୋଇ ଆସିଲା ରାତିର ଶେଷ ଯାମରେ ।

 

ପୁଷ୍ପବତୀ କୋମଳ ବାଳିକାର ଚକ୍ଷୁର ତରଙ୍ଗ ନେଇ ବାଳସୂର୍ଯ୍ୟର କମ୍ର ରଶ୍ମୀ ଯେତେବେଳେ ଦୁଷ୍ଟ ଶିଶୁ ପରି ଲୁଚି ଲୁଚି ସ୍କାଇଲାଇଟ୍ ଆଡ଼େଇ କୋଠରୀ ଭିତରେ ପ୍ରବେଶ କଲା, ସେତେବେଳେ ମିସେସ ସାହାଣୀ ଧୀରେ ଧୀରେ କଡ଼ ଲେଉଟାଇଲେ । ଗାଢ଼ ତନ୍ଦ୍ରା ବିଗତ ରଜନୀର କ୍ଳାନ୍ତି ଓ ଅବସାଦକୁ ଧୋଇ ଦେଇଥିଲା । କିପରି ନୂଆ ନୂଆ ଲାଗିଲା ପରିବେଶ । ହଠାତ୍ ଚମକି ଉଠିଲେ । କେଉଁଠାରେ ସେ ? ଏଇଟା ତ ନିଜ କୋଠରୀ ନୁହେଁ । ବୁଝିବାକୁ ଆଉ ଅବକାଶ ହେଲା ନାହିଁ ଯେ ଏ ହେଉଛି ଗତରାତ୍ରିର ଭ୍ରାନ୍ତି । ଭୁଲରେ କାଲି ସେ ବସିଯାଇଛନ୍ତି ମି: ନିଗମଙ୍କ ସ୍କୁଟରରେ । ଲାଗିଲା ଏକ ଦୁସ୍ଵପ୍ନ ପରି । ରୂପକଥାର ଏକ ଐନ୍ଦ୍ରଜାଲିକ ରଜନୀ ସତେ ।

 

ନିଜକୁ ମି: ନିଗମଙ୍କ ଶିଥିଳ ଆଲିଙ୍ଗନରୁ ମୁକୁଳାଇ ଆଣିଲେ । ପଲଙ୍କରୁ ତାଙ୍କର ଲୋମବହୁଳ ଗୋଡ଼ ଦୁଇଟିକୁ ହାତରେ ଆଡ଼େଇ ଦେଇ ଅବତରଣ କରିବାକୁ ଯାଉଛନ୍ତି, ଶାଢ଼ିର ଅଞ୍ଚଳଟି ଟାଣି ହୋଇଗଲା ମି: ନିଗମଙ୍କ ଜାନୁ ତଳେ । ନିଗମଙ୍କ ନିଦ ଭାଙ୍ଗିଗଲା । ସେ କହିଲେ– ‘‘ଓଃ ଏପର୍ଯ୍ୟନ୍ତ ଖରା ଆସିନାହିଁ, ଆଉ ଟିକିଏ ଶୁଅନା ଉଷା–ଏତେ ଥଣ୍ଡାରେ…’’

 

“ନାଁ...ମୁଁ....” କହୁଁ କହୁଁ ରହିଗଲେ ମିସେସ ସାହାଣୀ । ସାମାନ୍ୟ ଶବ୍ଦରେ ଶୁପ୍ତ ଶିଶୁ ଯେପରି ଚମକି ଉଠେ, ମି: ନିଗମ ଚମକି ଉଠିଲେ ଏକ ନୂତନ ତନ୍ତ୍ରୀର ଝଙ୍କାରରେ । ଆଶ୍ଚର୍ଯ୍ୟ ! ଉଷାର ସ୍ଵର ତ ଏ ନୁହେଁ ! ରେଜେଇ ତଳୁ ତନ୍ଦ୍ରାହତ ମୁହଁ ଉଠାଇ ଚକ୍ଷୁ ଉନ୍ମୀଳନ କଲେ । ନିଜ ଚକ୍ଷୁକୁ ବିଶ୍ଵାସ କରିପାରିଲେ ନାହିଁ । ଭଲଭାବେ ଚକ୍ଷୁ ଦୁଇଟିକୁ ଦଳିଦେଲେ, ଲଜ୍ଜା ଓ ସଂକୋଚରେ ମୁହଁ ହୋଇ ପଡ଼ିଲା ଅବନତ ।

 

ମିସେସ ସାହାଣୀ ଧୀର ପଦରେ, ଗୋଇଠି ସାହାଯ୍ୟରେ ଆଉ ଅତି ସନ୍ତର୍ପଣରେ ବାଡ଼ି କବାଟ ଖୋଲି ଆରପଟେ ନିଜ କ୍ଵାଟରକୁ ଯିବାକୁ ଉଦ୍ୟତ ହେଲେ । ସେପଟୁ ଆସୁଥାନ୍ତି ମିସେସ ନିଗମ । ବିତ୍ରସ୍ତ କେଶରାଶି ତାଙ୍କର । କବରୀରେ ଥିବା ଗତ ରାତିର ଫୁଟନ୍ତ କୃଷ୍ଣ ଗୋଲାପଟି ଦଳି ହୋଇ ନିଃସହାୟ ଭାବେ ଝୁଲି ପଡ଼ିଛି ପୃଷ୍ଠ ଭାଗରେ । କର୍ଣ୍ଣର ପୁରୋଭାଗରେ ଭାଙ୍ଗି ପଡ଼ିଥିବା ଆଲୁରା କେଶ ଦେହରେ ହେୟାର ପିନ୍‌ଟି ଅଯତ୍ନ ଭାବେ ଲାଖି ରହିଛି । ଆସୁ ଆସୁ ଲୋଚାକାଚା ଶାଢ଼ିଟିକୁ ସଜାଡ଼ି ଦେବାକୁ ବ୍ୟର୍ଥ ପ୍ରୟାସ କରୁଥାନ୍ତି । ବ୍ଲାଉଜର ଉପର ଟିପା ବୋତାମଟି ଶିଥିଳ ହୋଇ ସୂତାସହ ଝୁଲି ପଡ଼ିଛି । ଗତ ରାତିରେ ରୋଜ୍ ପାଉଡର ଆଲେପିତ ଗଣ୍ଡର ନିମ୍ନ ଦେଶରେ ଯେଉଁ କୃତ୍ରିମ କଳାଜାଇଟି ଭାନୁମତୀ ଜାନୁର କଳାଜାଇକୁ ମଧ୍ୟ ଉପହାସ କରୁଥିଲା, ସେଇଟି ଝରି ପଡ଼ିଥିଲା ଶରତର ଝରାପତ୍ର ପରି । ଫୁଲିଲା ଫୁଲିଲା ଚକ୍ଷୁରେ ଲଜ୍ଜା ଓ ତ୍ରସ୍ତା ବନ ହରଣୀର ଶଙ୍କିତା ଚାହାଣି ।

 

ନିଜ ଅନିଚ୍ଛା ସତ୍ତ୍ୱେ ପୌଷର ଦୁର୍ବୋଧ ଓ ଉଦ୍ଦାମ ରାତ୍ରି ବିଦାୟ ନେଇ ସାରିଥିଲା ସରଳ ଓ ସ୍ଥିର ଚିତ୍ତ ପ୍ରଭାତଠାରୁ ନୂତନ ବିବାହିତା କୁଳବଧୂ ଯେପରି ନିଶବ୍ଦରେ ଗୁରୁଜନଙ୍କୁ ଆଡ଼ ହୋଇ ବେଶବାସ ସଞ୍ଜତ କରି ଚାଲିଯାଏ, ସେଇପରି କିଛି ନ କହି ଚୁପ୍ ଚୁପ୍ ଉଭୟେ ଚାଲିଗଲେ ଦ୍ରୁତ ଗତିରେ ନିଜ ନିଜ କ୍ଵାଟର ଭିତରକୁ ।

 

ଉଦ୍ୟାନର ଥୁଜା ଗଛ ମୂଳେ ହୋଜ୍ ପାଇପ ସାହାଯ୍ୟରେ ମାଳି ସେତେବେଳେ ପାଣି ଦେଉଥାଏ । କିଛି ସମୟ ସେଇ ଦିଗକୁ ଚାହିଁ, ସେ ମଥା ପୋତିଦେଲା ତଳକୁ ।

Image

 

Unknown

ପ୍ରତିଦ୍ଵନ୍ଦ୍ୱୀ

 

ରାସ୍ତାଧାରର ପତ୍ର ନିବିଡ଼ ତେନ୍ତୁଳି ଗଛ ସାମ୍‌ନାରେ ସେ ଯାଇ ଛିଡ଼ା ହେଲା । ଆଉଥରେ ସତର୍କରେ ଚାରିଆଡ଼େ ଦୃଷ୍ଟି ବୁଲାଇ ଆଣିଲା । କେଉଁ ଘରଟା ସେ ଠିକ୍ ଅନୁମାନ କରିପାରିଲା ନାହଁ । ଚାହିଁଲା–ଛୋଟ ଛୋଟ ନୁଆଁଣିଆଁ ଚାଳଘର ସବୁ । ମହୁମାଛି ଫେଣା ପରି ଖୁନ୍ଦିଖାନ୍ଦି ହୋଇ ଏକ ଢିପ ଉପରେ ଆକାଶର ଗୋଟିଏ କୋଣରେ ତାରାପୁଞ୍ଜ ପରି ବିଛାଇ ପଡ଼ିଛନ୍ତି । ସବୁଘର ପ୍ରାୟ ଏକାପରି ମନେହେଲା ତାକୁ । ମାଟିଆ କାନ୍ଥର କାନ୍‌ଭାସ ଦେହରେ କେଉଁ ଅଜ୍ଞାତ ନାମ ବିମୁଖ ଲଳନା ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଚିତ୍ର ବିଚିତ୍ର ଫୁଲସବୁ ଗ୍ରାମ୍ୟ ଶିଳ୍ପ ମାନସର ପରିଚୟ ଦେଉଥାଏ । ଛୋଟ ଛୋଟ ଝରକା ଦେଇ ରାସ୍ତା ଉପରୁ ଘର ଭିତରକୁ ଚାହିଁଲେ, ଭିତରେ ଅଇଁଠା ବାସନ ଉପରେ ବିଲେଇ କେତୋଟି ମୁହଁ ମାରୁଥିବା ଦେଖାଯାଉଥାଏ ।

 

ଅତନୁ ତଥାପି ଠିକ୍ କରି ସ୍ଥିର କରି ପାରିଲା ନାହିଁ ତା’ଘର କେଉଁଟା । ଏଇଟା ତ ନିର୍ଦ୍ଦେଶିତ ତେନ୍ତୁଳି ଗଛ । ହଁ ତାକୁ ନିର୍ଦ୍ଦେଶ ଦିଆହୋଇଥିଲା ତେନ୍ତୁଳି ଗଛ ସାମ୍‌ନାର ଘରଟା ତାଙ୍କରି । କିନ୍ତୁ ତିନି ଚାରୋଟି ଘର ତ ଗଛ ଆଗରେ । ଉପରକୁ ଚାହିଁଲା–ତେନ୍ତୁଳି ଗଛର ବିରାଟ ଡାଳ କେତୋଟି ପକ୍ଷାଘାତାକ୍ରାନ୍ତ ହାତ ପରି ଚାଳ ଉପରେ ଓହଳି ପଡ଼ିଛି । ଜଣେ ପ୍ରେମିକ ତା’ ବାଗ୍‌ଦତ୍ତାର କେଶରେ ମୃଦୁହସ୍ତ ସଞ୍ଚାଳନ କଲାପରି, ପବନ ମୁହାଁ ଡାଳ ଗୁଡ଼ିକ ଚାଳ ମଥାରେ ମୃଦୁସ୍ପର୍ଶ କରି ଫେରି ଯାଉଥାନ୍ତି ।

 

କାହାକୁ ପଚାରିବାକୁ ନୈତିକ ସାହାସ ନ ଥିଲା ତା’ର । କିପରି ଏକ ସଙ୍କୋଚ ଓ ଅସ୍ଵାଭାବିକ ବୋଧ କରୁଥାଏ ସେ । କେହି ଯଦି ଜାଣିବେ ତେବେ ତାକୁ କୌତୂହଳ ପୂର୍ଣ୍ଣ ଆଖିରେ ଦେଖିବେ ନିଶ୍ଚୟ । କିଛି ନ କହିଲେ ମଧ୍ୟ ଚୋରା ଆଖି କୋଣରେ ଏକ ଦୁଷ୍ଟାମିର ହସ ହସି ଚାଲିଯିବେ । ସେଥିପାଇଁ କାହାରିକୁ ନ ପଚାରି ବରଂ ଅନୁମାନ କରି ଘରଟାକୁ ଆବିଷ୍କାର କରିବାକୁ ହେବ ।

 

ହେଇ ତ ସାଧୁ ମହାରଜା ! ଅତନୁର ଆଖି ପଡ଼ିଗଲା–ଗେରୁଆ ଲୁଗା ଖଣ୍ତିଏ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି, ମଥାରେ ନୁଆଁଣିଆଁ ବନ୍ଧଟା ବାଜି ଯିବା ଭୟରେ ନଇଁ ନଇଁ ଗୋଟିଏ ଘର ଭିତରୁ ସେ ବାହାରି ଆସୁଛନ୍ତି । ଗୋଟିଏ ହାତରେ ତୋରାଣି ବା ବାଲ୍‌ତି ଏବଂ ଅନ୍ୟ ହାତରେ ତିରିଶି ଡିଗ୍ରୀର ଏକ କୋଣ ସୃଷ୍ଟି କରି ଗୋଟିଏ ପାଖକୁ ଝୁଲି ପଡ଼ିଛନ୍ତି ସାମାନ୍ୟ । ଏଇ ଘରଟି ତେବେ ତାଙ୍କର । ଅତନୁ ରାସ୍ତା ଉପରୁ ତଳକୁ ଗଡ଼ି ଆସୁ ଆସୁ ଲକ୍ଷ୍ୟ କଲା ସାଧୁ ମହାରାଜାଙ୍କ ମୁହଁକୁ । ପତଳା ଲମ୍ବାଳିଆ ମୁହଁ । ଆଲୁମିନିୟମ ବାଟି ଚେପା ହେଲାପରି ଗାଲ ଦୁଇଟି ସାମାନ୍ୟ ଭିତରକୁ ପଶିଯାଇଛି । ଅତନୁର ମନେହେଲା ତାଙ୍କ କପାଳର ଲମ୍ବା ଲମ୍ବା ସରୁ ରେଖା ଦୁର୍ବଳତା ପରିବର୍ତ୍ତେ ତାଙ୍କ ଜ୍ଞାନର ପରିଚୟ ଦେଉଚି । ଚଳଚଞ୍ଚଳ ଆଖି ଦୁଇଟି କେଉଁ ଏକ ରହସ୍ୟମୟ ଜ୍ଞାନାଲୋକ ସ୍ପର୍ଶରେ ହସି ଉଠୁଛି ସତେ; ସରୁ ଓଠ ଧାରରୁ ନାଲି ପାନରସ ସହ ଜୁଆରିଆ ହସ ଗୁଡ଼ିକ ଯେପରି ଛୋଟ ଜଳଧାର ପରି ତଳକୁ ଗଡ଼ି ଆସୁଛି ।

 

ବିଜୁପୁର ଗ୍ରାମର ଏକଦା ଶ୍ରୀ ଚୈତନ୍ୟ ଦାସ ସମସ୍ତଙ୍କ ପାଖରେ ଆଜି ସାଧୁ ମହାରାଜା ଭାବେ ପରିଚିତ । ସେଇ ସମ୍ବୋଧନରେ ସେ ପ୍ରୀତ ହୋଇ ଉଠନ୍ତି । ‘ଚୈତନ୍ୟ ଦାସ’ ନିର୍ମୋକ ପରିହାର କରି ସେ କିପରି ଭାବେ ‘ସାଧୁ ମହାରାଜା’ର ନୂତନ ବେଶରେ ଭୂଷିତ ହେଲେ ତାହା ଆଗତ ବଂଶଧରମାନଙ୍କ ପାଇଁ ଏକ ଗବେଷଣାର ବିଷୟବସ୍ତୁ ।

 

ଅତନୁକୁ ଦେଖି ତୋରାଣି ବାଲ୍‌ତିଟିକୁ ତଳେ ଥୋଇଦେଲେ ସେ । ଏକ ପୂର୍ଣ୍ଣକୁଣ୍ଡର ପାଣି ପରି ପାଟି ଉପରେ ପାନଛେପ ଭର୍ତ୍ତି ହୋଇଥିବାରୁ ସେ ହଠାତ୍ କିଛି କହିପାରିଲେ ନାହିଁ । ପିଚ୍‌କାରୀରୁ ରଙ୍ଗ ନିକ୍ଷେପ କଲାଭଳି, ସେ ପିଚ୍ କରି ପାନଛେପ ପାଟିରୁ ତଳକୁ ନିକ୍ଷେପ କଲେ । ହାତ ପର୍ଯ୍ୟନ୍ତ ଧୂଳି ରକ୍ତାକ୍ତ ହୋଇଗଲା । ଜୋରରେ ଲମ୍ବା ହସଟିଏ ଟାଣିଦେଇ ପାଟି କରି କହିଲେ, “ନମସ୍କାର । ଆସନ୍ତୁ, ଆସନ୍ତୁ ।” ଅତନୁ ଗୋଟିଏ ନାଳ ଡେଇଁ ଦାଣ୍ଡ ଉପରକୁ ଉଠି ପ୍ରତି ନମସ୍କାର ଜଣାଇଲା । ସାଧୁ ମହାରାଜା ତାଟିଟାକୁ ଖୋଲିଦେଇ ଗୋଟିଏ ପାଖକୁ ଟାଣିଦେଲେ ।

 

“ଆପଣଙ୍କ ପାଖକୁ ଗୋଟିଏ କାମରେ ଆସିଥିଲି ।’’ ଅତନୁ କହିଲା ।

 

ସାଧୁ ମହାରଜା ତାଙ୍କ ବେପରୁଆ ପାଟିରେ ଚିତ୍କାର କରି ଡାକିଲେ, ‘‘ଲୋ କୁନ୍ତି, ବାବୁଙ୍କୁ ନେଇ ଅଗଣା ଘରେ ବସେଇ ଦେଇ ଆ ।’’ ତା’ପରେ ଅତନୁକୁ ଚାହିଁ କ୍ଷମା ମାଗିବା ସ୍ଵରରେ କହିଲେ, ‘‘ମୁଁ ଗାଈକୁ କୁଣ୍ଡା ତୋରାଣି ଦେଇ ଯାଉଛି । ଆପଣ ଟିକିଏ ବସିଥାନ୍ତୁ, ବେଶୀ ଡେରି ହେବନି ।”

 

ସାଙ୍ଗେ ସାଙ୍ଗେ ଆଠ ନଅ ବର୍ଷର ଝିଅଟି ଘର ଭିତରୁ ମୃଗଶିଶୁ ପରି ଡେଇଁ ଡେଇଁ ଦୌଡ଼ି ଆସିଲା । ସ୍ପ୍ରିଙ୍ଗ୍ ଦିଆ ଜାପାନୀ କଣ୍ଢେଇଟି ସତେ ! ଗୋଟିଏ ନାଲିଶାଢ଼ି ଦେହସାରା ଘୋଡ଼େଇ ହୋଇ ପିନ୍ଧିଛି । ତା’ ପାନଖିଆ ନାଲି ଟୁହୁ ଟୁହୁ ପାଟି ଦେଖେଇ, ଅତନୁ ଆଡ଼େ ଚାହିଁ ପେଁ କରି ହସି ଦେଲା ।

 

“ହସୁଚୁ କ’ଣ ଲୋ ? ଏକ ଚାପୁଡ଼ାରେ ତୋ ପାନଖିଆ ଛଡ଼େଇ ଦେବି ଜାଣିଚୁ ନା ? ବାବୁଙ୍କୁ ନେଇ ବସିବାକୁ କହ ।’’ ତାଗିଦ୍ କରିବା ଗଳାରେ ସାଧୁ କହିଲେ ।

 

ଅତନୁ ଝିଅଟି ପଛେ ପଛେ ଘର ଭିରରକୁ ଗଲା । ଜୋତା ଖୋଲିବାକୁ ଉଦ୍ୟତ ହେଉଛି, ସାଧୁ ପାଟି କରି କହିଲେ–ଥାଉ, ଥାଉ, ସେଇପରି ଯାଆନ୍ତୁ । ଜୋତା ଚଳିବ । ଟିକିଏ ଦେଖିକି ଯିବେ–ଆଃ…ମୁଣ୍ଡ ବାଜିଲା କି ?

 

“ନା, ନା, କିଛି ହେଇ ନାହିଁ”–ଯଦିଓ ପ୍ରଚଣ୍ଡ ଭାବେ ବନ୍ଧଟା ବାଜି ତା’ ମୁଣ୍ଡଟାକୁ ଝିମ୍ ଝିମ୍ କରିଦେଲା ତଥାପି କିଛି ହେଇନାହିଁ ବୋଲି ମୁଣ୍ଡ ଆଉଁସୁ ଆଉଁସୁ ହାଲୁକାଭାବେ କହିଲା ଅତନୁ ।

 

ଗୋଟିଏ ଛୋଟିଆ କୋଠରୀ ଭିତରକୁ ଯିବାକୁ ଆଙ୍ଗୁଳିରେ ସଙ୍କେତ ଦେଇ ଝିଅଟା ଘରଚଟିଆ ଭଳି ଫୁର୍ କରି କୁଆଡ଼େ ଉଡ଼ିଗଲା । ଅତନୁ କୋଠରୀ ଭିତରେ ଆଖି ବୁଲାଇ ଆଣିଲା-। ଛୋଟ ଅନ୍ଧାରୁଆ କୋଠରୀଟି । ତା’ର ଅଧା ସ୍ଥାନ ମାଡ଼ି ବସିଛି ଏକ ପୁରାତନ ମାନ୍ଧାତା ଅମଳର କଳାରଙ୍ଗର କାଠ ସିନ୍ଦୁକଟିଏ । ତା’ ଦେହରେ କାଠ ଖୋଦେଇ ମୂର୍ତ୍ତି ଓ ଫୁଲ ସବୁ ସ୍ଵପ୍ନର ଖାପଛଡ଼ା ଦୃଶ୍ୟ ଭଳି ଦେଖାଯାଉଥାନ୍ତି ଝାପ୍‌ସା । ସିନ୍ଧୁକ ଉପରେ ଛୋଟ ଛୋଟ ଭଙ୍ଗାରୁଜା ଟିଣ ବାକ୍‌ସ କେତୋଟି, ତାଳପତ୍ର ବିଞ୍ଚଣା, ଛିନ୍ନ ପୁସ୍ତକ କେତେଖଣ୍ଡ, ଗୋଟିଏ ପାଛିଆରେ ପିଆଜ, ଖମ୍ବଆଳୁ–ଏଇ ପ୍ରକାର ସାମଗ୍ରୀ ସବୁ ଖେଳେଇ ହେଇ ଏକ ପରିତ୍ୟକ୍ତ ରଣଭୂମିର ଦୃଶ୍ୟ ସୃଷ୍ଟି କରୁଥାଏ । ସିନ୍ଦୁକର ସମ୍ପୁର୍ଣ୍ଣ ଏକ ଗୋଡ଼ ଛଡ଼ା ତ' । ଦେହ ଉପରର କିଛି ଅଂଶ ଠାକୁର ଚନ୍ଦନରେ ଲିପା ହେବା ଭଳି ପାନଖିଆ ଚୁନରେ ଆବୃତ୍ତ । ଚଟାଣରେ ପଡ଼ିଛି ମସିଣା ଖଣ୍ଡିଏ-। ଖୋଳ ବିହୀନ ତକିଆଟାରେ ତେଲ ଚିକିଟା ଲାଗି ଆଉ ଚିହ୍ନି ଜାଣି ହେଉ ନାହିଁ ସେଇଟା କେଉଁ ରଙ୍ଗର କନାରେ ତିଆରି । ତା’ ଆସିବା ପୂର୍ବରୁ ଏଠି ଶୋଇ ଶୋଇ କେହି ପଢ଼ୁଥିଲେ ବୋଧହୁଏ-। ଏକାଦଶ ସ୍କନ୍ଧ ଭାଗବତ ଖଣ୍ତିଏ ଖୋଲା ହେଇ ତକିଆ ପାଖରେ ପଡ଼ିଛି । ମୁହଁମାଡ଼ି କିଏ ଯେପରି ପଢ଼ୁଥିଲା ଓ ତା’ ଆସିବା ଶୁଣି ଦୌଡ଼ି ପଳାଇଛି ।

 

ସାଧୁ ମହାରାଜାଙ୍କ ବଡ଼ ଝିଅ ହେଇପାରେ !

 

ଅତନୁ ଗୋଟିଏ ଟୁଲ୍ ଉପରୁ ରୁମାଲରେ ବହଳେ ଧୂଳି ଝାଡ଼ିଦେଇ ତା’ଉପରେ ବସିପଡ଼ିଲା । ସିନ୍ଦୁକ ଉପରେ ମଧ୍ୟ ଧୂଳିର ମୋଟା ଏକ ଆସ୍ତରଣ । ଅହେତୁକ ଭାବେ ତା’ ଉପରୁ ପୃଷ୍ଠାହୀନ ଏକ ବହି ଉଠାଇ ଆଣିଲା । ଭିତରର ପୃଷ୍ଠା ଖେଳାଇ କିଛି ସଙ୍କେତ ପାଇଲା ନାହିଁ ବହିଟିର ନାମ କିମ୍ବା ଲେଖକଙ୍କର ବିଷୟରେ କିଛି ଜାଣିବା ପାଇଁ । ବିରକ୍ତରେ ସେଟାକୁ ରଖିଦେଲା ତା’ ସ୍ଥାନରେ । ପୁଣି ଚାହିଁଲା ଚାରିଆଡ଼କୁ–କାନ୍ଥ ଦେହରେ ଦେଢ଼ ଚାଖଣ୍ଡ ଓସାରର ଝରକାଟାଏ । ଗୋଟିଏ କାଠ ରେଲିଂ ଭାଙ୍ଗିଯାଇଥିବା ସ୍ଥାନରେ କଣି ଖଣ୍ଡିଏ ପୋତା ହୁଏତ ହେଇଛି, ବିରାଡ଼ି ପଶି ଆସିବା ଭୟରେ । ବାଡ଼ିପଟର ବହଳ ଗୁଳ୍ମ ଲତା ସବୁ ଆଲୁଅକୁ ଜାବୁଡ଼ି ଧରି ଝରକାବାଟେ ଘର ଭିତରକୁ ପଶିଆସିବାକୁ ଛାଡ଼ୁ ନାହାନ୍ତି ।

 

ଏ ପରିବେଶରେ ଅତନୁକୁ ସାମାନ୍ୟ ଅସ୍ୱସ୍ତି ଲାଗିଲା ।

 

କିଛି ସମୟ ପରେ ହାତଗୋଡ଼ ଧୋଇ ସାଧୁ ମହାରଜା ଏକ ତୃପ୍ତିର ହସ ଟାଣି ପଶି ଆସିଲେ । ଯେପରି କେଉଁ ଏକ ଅଦୃଷ୍ଟ ଶକ୍ତିକୁ ପରାସ୍ତ କରିପାରିଛନ୍ତି । ନାଲି ଗାମୁଛାରେ ହାତପୋଛି ସାରି କାନ୍ଧ ଉପରେ ପକାଇ ଦେଇ କହିଲେ– ଡେରି ହୋଇଗଲା; କ’ଣ କରିବି ଆଜ୍ଞା, ଏକୁଟିଆ ଲୋକ । ଗାଈଗୋରୁ, ବାଡ଼ିଘର ସବୁ ନିଜକୁ ଦେଖିବାକୁ ହେଉଛି ।

 

ଅତନୁ ସହାନୁଭୂତି ସୂଚକ ଗଳାରେ କହିଲା– ଆଉ କ’ଣ କେହି ନାହାନ୍ତି ବୁଝାସୁଝା କରିବା ପାଇଁ ?

 

“ନା, କେବଳ ସେଇ ଝିଅ ଦିଓଟି । ଭାଗ୍ୟରେ ଯାହା ଅଛି ଆଜ୍ଞା ।” କେଉଁ ଏକ ଦୁର୍ବଳ ମୂହୁର୍ତ୍ତରେ ତାଙ୍କ ପାଟିରୁ ଏହା ବାହାରି ପଡ଼ିଥିଲା ।

 

ସାଧୁ ମହାରାଜା ଗୋଟିଏ ହାତ ନ ଥିବା ଚୌକିରେ ଆଣ୍ଠୁ ଦୁଇଟିକୁ ଟେକି ବସିଲେ । ପଚାରିଲେ–କହନ୍ତୁ, କ’ଣ କାମ ଥିଲା ?

 

ଅତନୁ ହଠାତ୍ କଥାଟା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ନ ଥିଲା । ମନେ ମନେ କୁଣ୍ଠାବୋଧ ମଧ୍ୟ କରୁଥାଏ । କିପରି ଭାବେ ତା’ ଆସିବା ଅଭିପ୍ରାୟ ଉତ୍‌ଥାପନ କରିବ ସେ ଠିକ୍ କରି ପାରୁ ନ ଥାଏ । ସେଥିପାଇଁ ଏଣୁତେଣୁ ଅବାନ୍ତର ଭାବେ ଆଳାପ କରି ଆଉ କିଛି ସମୟ ନେବାକୁ ସେ ଭାବିଲା । ପ୍ରକୃତ ବିଷୟଟିର ଅବତାରଣା କରିବା ପୂର୍ବରୁ ଉପକ୍ରମଣିକା ସ୍ୱରୂପ କହିଲା, ‘‘ଓ, ଏତେ ଗଳି ଭିତରେ ଘର କରିଛନ୍ତି ! ମୁଁ ଏ ରାସ୍ତା ସେ ରାସ୍ତା ଖୋଜି ଖୋଜି ଥକି ଗଲିଣି । ଗୋଟିଏ ନେମପ୍ଲେଟ୍ ମାରୁ ନାହାନ୍ତି ?”

 

ସାଧୁ ମହାରାଜା ଜୋରରେ ଏକ ଆଭିଜାତ୍ୟପୂର୍ଣ୍ଣ ହସ ହସି କହିଲେ, ‘‘ଯାହାକୁ ପଚାରି ଦେଇଥାନ୍ତେ, ସେ କହି ଦେଇଥାନ୍ତା । ଛକ ଉପରେ ଅଇଁଠୁ ସାହୁ ଦୋକାନରେ ପଚାରିଥିଲେ ସେ ପରା ନିଜେ ଆଣି ଆପଣଙ୍କୁ ଏଠି ଛାଡ଼ି ଦେଇଥାନ୍ତା । ଏ ଖଣ୍ଡକରେ ମୋତେ ନ ଜାଣେ କିଏ ? ଏଇ ସକାଳେ ଦାରୋଗା ବାବୁ ନିଜେ ଆସିଥିଲେ, ତାଙ୍କ ପାଇଁ ଔଷଧ ଓ ଡେଉଁରିଆ ଗୋଟିଏ ନେବାପାଇଁ । ବିଚାରୀର ପନ୍ଦର ବର୍ଷ ହେଲା ସନ୍ତାନ ସନ୍ତତି କିଛି ହେଉନାହିଁ । ଦୁହେଁ ବହୁତ ମନ କଷ୍ଟରେ ଅଛନ୍ତି । ମନ୍ତୁରା ଡେଉଁରିଆଟିଏ ଦେଲି, ଆଉ ତା’ ସହ ସୁଜନ୍ମ ଭସ୍ମ ଗୋଟିଏ ଫାଇଲ ମଧ୍ୟ ଦେଇଛି । ହଁ, ଆଉ କହିଛି ତାଙ୍କୁ, ମୋତେ ଦଶମାସ ପରେ ଦେଖା କରି କହିବେ ଫଳ କ’ଣ ହେଲା । ’’

 

“ଓଃ, ବାସ୍‌ ତ ! ଆପଣ ଏପରି ଡେଉଁରିଆ ମଧ୍ୟ ପ୍ରସ୍ତୁତ କରନ୍ତି ?” ଅତନୁ ପଚାରିଲା ।

 

“ସବୁ ପ୍ରକାର ଆଜ୍ଞା ! ଯାହା ଖୋଜିବେ ପାଇବେ । ସେଥିପାଇଁ ତ କାମାକ୍ଷା ଦେଶରେ, ଛୁଆପିଲାଙ୍କୁ ଛାଡ଼ି ଦୀର୍ଘ ପାଞ୍ଚ ବର୍ଷ କଟାଇବାକୁ ପଡ଼ିଛି । ଯେତେ ପ୍ରକାର ରୋଗ ବ୍ୟାଧି, ମନସ୍କାମନା ପ୍ରାପ୍ତି, ଗ୍ରହଶାନ୍ତ, ଡାହାଣୀଝଡ଼ା ସବୁ ପ୍ରକାର ପାଇଁ ମହୌଷଧି; ଡେଉଁରିଆ, କବଚ, ଭସ୍ମ ଇତ୍ୟାଦି ତିଆରି କରେ । ଏଇ ଦାରୋଗା ବାବୁ ଯେଉଁଥିପାଇଁ ବରାଦ ହୋଇଥିଲେ, ସେଥିପାଇଁ ତିନିରାତି ମଶାଣୀରେ ନିର୍ଜଳା ଉପବାସରେ କଟାଇଛି । ଯଦି ଏଇ ବର୍ଷ ଭିତରେ ତାଙ୍କର ସନ୍ତାନ ନ ହେଇଛି, ମୁଁ ତାଙ୍କୁ କହିଛି ଏ ବେଉସା ଛାଡ଼ି ଦେବି ।” ଏହା କହି ସାଧୁ ହସି ଦେଲେ । ସେଇ ଦର୍ପସୂଚକ ହସ ।

 

“ସେଥିପାଇଁ କେତେଟଙ୍କା ନେଲେ ?” ଅତନୁ ପଚାରିଲା ।

 

ଜିନିଷ ନେଇ ଦାମ । ବେଶୀ ନୁହେଁ, ଏଇ ମାତ୍ର ପନ୍ଦରଟି ଟଙ୍କା । ଗୋଟିଏ ଗୋଟିଏ ଜିନିଷର ଏପରି ଦାମ ଯେ ସାଧାରଣ ଲୋକଙ୍କ କିଣିବା କ୍ଷମତା ବାହାରେ । ଯେଉଁପରି ରୋଗବ୍ୟାଧି, ମନସ୍କାମନାକୁ ସେପରି ଡେଉଁରିଆ, କବଚ, ଓ ଔଷଧ ଆଉ ସେଇପରି ସେସବୁର ଦାମ । ଚାରିଅଣାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ଜିନିଷ । ଯଦି ଆତ୍ମସମୀକରଣ ଡେଉଁରିଆ ଚାହାନ୍ତି, ତେବେ ତ ଆହୁରି ବେଶୀ ପଡ଼ିବ । ଆରବର୍ଷ ସାନଗଡ଼ର ଛୋଟରାୟ ସାହେବ ସେଥିରୁ ଗୋଟିଏ ନେଇ ବାନ୍ଧିଥିଲେ ।”

 

‘‘ତା’ କାମ କ’ଣ ?”

 

“ଆପଣ ଜାଣନ୍ତି ଜୀବାତ୍ମା ପରମାତ୍ମା ସହ ମିଳନ ପାଇଁ ସବୁବେଳେ ବ୍ୟଗ୍ର । କିନ୍ତୁ ପଥଭ୍ରଷ୍ଟ ହେଇ ସେ ତା’ ପାଏ ନାହିଁ । ଅନ୍ଧାରରେ ବାଡ଼ି ବୁଲାଇବା ପରି ଖୋଜି ଖୋଜି ଅସ୍ଥିର ଓ କାତର ହେଇ ପଡ଼େ । ସେଥିପାଇଁ ଏଥିରୁ ଗୋଟାଏ ପିନ୍ଧିଲେ, ପରମାତ୍ମାଙ୍କ ସହ ସହଜରେ ତ ମିଳନ ହେବ, ତାହାଛଡ଼ା ଆତ୍ମା ଏତେ ହନ୍ତସନ୍ତ ହେବନି ।”

 

ଅତନୁ କିପରି ଏକ ବିରସ ମନୋଭାବ ଦେଖାଇଲା । ଆତ୍ମା ପରମାତ୍ମା ପରି ଏକ ନୀରସ ଶୁଷ୍କ ଦର୍ଶନ ଚର୍ଚ୍ଚାର ବକ୍ତୃତା ଶୁଣିବା ପାଇଁ ସେ ଏଠାକୁ ଆସିନାହିଁ ।

 

କିଛି ସମୟ ରହି ସାଧୁ ପୁଣି ଆରମ୍ଭ କଲେ “ହଁ, ତାହାଛଡ଼ା ଅନ୍ୟ କେତେ ପ୍ରକାରର ଅଛି ଯଥା–ସ୍ୱର୍ଗ ପ୍ରାପ୍ତକ, ପ୍ରେତନାଶିନୀ, ପାପକ୍ଷୟୀ, ମୃତ୍ୟୁଞ୍ଜୟୀ, ଆତ୍ମାଶାନ୍ତିକ ଚିର ଯୌବନ ସୁଧା, ବାର୍ଦ୍ଧକ୍ୟ ବେଦନା ନାଶକ, ଧନପ୍ରାପ୍ତକ ଇତ୍ୟାଦି । ନାମ ଗୁଡ଼ିକରୁ ତ ସେମାନଙ୍କର ଗୁଣର ସୂଚନା ପାଇଥିବେ । ବୁଝାଇବା ବୋଧହୁଏ ଦରକାର ନାହିଁ ।”

 

ଅତନୁର ଧୈର୍ଯ୍ୟଚ୍ୟୁତି ଘଟୁଥାଏ । ଏ ସବୁଥିରେ ତା’ର ଆଗ୍ରହ ଥିବା ଭଳି ମନେ ହେଉ ନଥାଏ । ସେ ସବୁ ବୃଦ୍ଧ, ପ୍ରାପ୍ତବୟସ୍କ କିମ୍ବା ଭିନ୍ନ ଏକ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମନେମନେ ଭାବିନେଲା । କେବଳ ସାଧୁ ମହାରାଜଙ୍କୁ ଉତ୍ସାହିତ କରିବା ପାଇଁ ସେ ମନଦେଇ ଶୁଣୁଥିବାର ଏକପ୍ରକାର ଛଳନା କରୁଥାଏ ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁବେଳେ ମୁହଁରେ କୃତ୍ରିମ ହସଟାକୁ ଜବରଦସ୍ତ ରଖୁଥାଏ ।

 

ସେ ହସ ଦେଖି ସାଧୁ ଆହୁରି ଉତ୍ସାହିତ ହୋଇ ଉଠିଲେ ଏବଂ କହିଲେ, ‘‘କିନ୍ତୁ ମୋର ସମ୍ପୂର୍ଣ୍ଣ ନୂତନ ପ୍ରସ୍ତୁତି ହେଲା ସର୍ବବିଘ୍ନ ନାଶକ କବଚ । ଅବଶ୍ୟ ଦାମ ଟିକିଏ ବେଶୀ ହେଲା ବୋଲି ସମସ୍ତେ କହୁଛନ୍ତି । କିନ୍ତୁ ଗୁଣ ସେହିପରି ।’’

 

‘‘ଆଚ୍ଛା, ତା’ର ଗୁଣ କ’ଣ ?” ଆଗ୍ରହ ନ ଦେଖାଇ ଅତନୁ ଖାମ୍‌ଖିଆଲ ଭବେ ପଚାରିଲା ।

 

‘‘ତା’ର ଗୁଣ ହେଲା, ଗଣେଶଙ୍କ ପରି ସର୍ବପ୍ରକାର ବାଧାବିଘ୍ନ ନାଶ କରିବାପାଇଁ ସେଇଟା ସମର୍ଥ ହେବ । ପିନ୍ଧିବା ଲୋକ ଯାହା ଖୋଜିବ, ତାହା ପାଇବ–ମୋକଦ୍ଦମାରେ ଜୟ, ମୃତ୍ୟୁପରେ ସ୍ୱର୍ଗଲାଭ, ଶତ୍ରୁ ପରାସ୍ତ, ପୁତ୍ର ସନ୍ତାନ ଲାଭ–ଯାବତୀୟ ମନୋବାଞ୍ଛା ପୂର୍ଣ୍ଣ ହେବ ।”

 

“ବେଶ୍ ଭଲ ତ ! ଯଦି ଗୋଟିଏ ଟେକାରେ ଏତେଗୁଡ଼ିଏ ଚଢ଼େଇ ମାରି ହେବ ତେବେ ଏତେ ପ୍ରକାର ଅସ୍ତ୍ର ତିଆରିର ପ୍ରୟୋଜନ କ’ଣ ?”

 

‘‘ବୁଝିଲେ ନାହିଁ, ଆଜିକାଲି ଯୁଗରେ କେତେଜଣ ଲୋକ ତାକୁ କିଣିବାକୁ ସମର୍ଥ ହେବେ ? ଦାମ ଏକହଜାର ଟଙ୍କା । ସେଥିପାଇଁ ତ ସୁଲଭ ମୂଲ୍ୟରେ ଅନ୍ୟ ସମସ୍ତ ପ୍ରକାର ରୋଗ ନାଶ ଓ ମନବାଞ୍ଛା ପୂର୍ଣ୍ଣ ପାଇଁ ଔଷଧ ପ୍ରଭୃତି ପ୍ରସ୍ତୁତ କରିବାକୁ ପଡ଼େ, ଯେପରିକି ସାଧାରଣ ଗରିବ ଲୋକଟିଏ ମଧ୍ୟ ଉପକାର ପାଇପାରିବ ।”

 

ସାଧୁ ଏହା କହି ସାତ ଆଠଟା କବଚ ଡେଉଁରିଆ ଓ କେତୋଟି ଶିଶି ଗୋଟିଏ ଟିଣ ବାକ୍‌ସରୁ କାଢ଼ି, ହାତରେ ଧରିଲେ । କହିଲେ–ଏଇ ଦେଖନ୍ତୁ ଏଗୁଡ଼ିକର ଦାମ ବେଶୀ ନୁହେଁ ।

 

“ଏଗୁଡ଼ିକର କାମ କ’ଣ ?’’ ଅତନୁ ପଚାରିଲା ।

 

‘‘ପରୀକ୍ଷାରେ କୃତକାର୍ଯ୍ୟ ହେବା, ଚାକିରି ଲାଭ କରିବା, କୌଣସି ଝିଅକୁ ପ୍ରେମ କରୁଥିଲେ ତାକୁ–”

 

“ଆଚ୍ଛା ! ଆପଣଙ୍କ ପାଖରେ ସେଇ ଡେଉଁରିଆଟି ଅଛି ?”–ହଠାତ୍ ବେକ ସଳଖେଇ, ଅଳ୍ପ ଛେପ ଢୋକି ଅତନୁ ଆଗ୍ରହରେ ପଚାରିଲା । ଯାହାହେଉ ଯେଉଁଥିପାଇଁ ସେ ଆସିଥିଲା, ସେଇ କଥାଟାର ଅପ୍ରୀତିକର ଆରମ୍ଭ ଅନ୍ତତଃ ତାକୁ କରିବାକୁ ପଡ଼ିଲା ନାହିଁ ।

 

‘‘ପରୀକ୍ଷାରେ ପାସ୍‍ ନା ଚାକିରି ଲାଭ ?”

 

“ନାଁ…ନାଁ…ଶେଷରେ ଯେଉଁଟା ଉଲ୍ଲେଖ କଲେ ।” ଆବେଗରେ କହି ଉଠିଲା ଅତନୁ ।

 

“ଓଃ, ଯୁବତୀ ବଶୀକରଣ ? ସାଧୁ ମହାରାଜା ଈଷତ୍ ହସି କହିଲେ । ଅତନୁ କିପରି ଅପ୍ରସ୍ତୁତ ଓ ଅସ୍ଵାଭାବିକ ବୋଧକଲା । ଲଜ୍ଜାର ସ୍ପର୍ଶରେ ମୁହଁଟା ଲାଲ ପଡ଼ିଗଲା । ମୁଣ୍ଡ ହଲାଇ ହଁ କଲା ।’’

 

“ହଁ, ଅଛି । କହିଲି ପରା ସସସ୍ତ ପ୍ରକାର ଜିନିଷ ପାଇବେ । ଯଦି ଗୋଟିଏ ସେଥିରୁ ପିନ୍ଧିବେ, ତେବେ ତାହାର ମାହାତ୍ମ୍ୟ ଦୁଇ ତିନି ଦିନ ମଧ୍ୟରେ ବୁଝିବେ ।’’

 

‘‘କିପରିଭାବେ ସେଇଟା ଦେବ କହନ୍ତୁ ନା ?”

 

“ସେଇଟାକୁ ଡେବିରି ହାତରେ ଅମାବାସ୍ୟା ରାତିରେ ପିନ୍ଧିବେ । ଆପଣ ଯାହାକୁ ଭଲପାଆନ୍ତି, ସେ ଆପଣଙ୍କ ଖାପଚାରେ ଅଳ୍ପ ଦିନ ଭିତରେ ପଡ଼ିଯିବ । ଅଠା କାଠିରେ ଚଢ଼େଇ ଧରାଦେଲାପରି ସେ କୁଆଡ଼େ ଖସିଯାଇ ପାରିବ ନାହିଁ ।’’

 

ଖାପ୍‌ଚା–ଏଇ ଶବ୍ଦଟା ଅତନକୁ କିପରି ଅଶ୍ଳୀଳ ଓ ନିଷ୍ଠୁର ବୋଲି ବୋଧହେଲା । ସେ ଚାହେଁ ନାହିଁ ଏକ ନିରୀହ ବିହଙ୍ଗ ପରି ଅସହାୟ ଭାବେ ଶାନ୍ତା ତାହା ଜାଲରେ ଧରାପଡ଼ୁ । ସେ ଇଚ୍ଛାକରେ ଲଜ୍ଜାବିଧୁରା ତନ୍ଵୀ ଶାନ୍ତା ତାକୁହିଁ କେବଳ ଏକାନ୍ତ ଓ ସ୍ୱତଃପ୍ରବୃତ୍ତଭାବେ ଭଲ ପାଉ । ଆଃ ! ଶାନ୍ତା !! –ଯାହାର ରୂପର‌ ଆଭିଜାତ୍ୟ ଆଉ ଶିଥିଳ କବରୀର ଗନ୍ଧ–

 

“ଆପଣ ଠିକ୍ କହୁଛନ୍ତି ସେ ମୋ ଛଡ଼ା ଅନ୍ୟ କାହାକୁ ଭଲ ପାଇ ବସିବ ନାହିଁ ?” ଅତନୁର‌ ସ୍ଵରରେ ଏଥର ଉତ୍ତେଜନା ।

 

“ଦେଖିବେ ନାହିଁ ? ଦିନ କେଇଟାରେ ତା’ ହାବଭାବ କିପରି ବଦଳିଯିବ । ଆପଣଙ୍କୁ ଦଣ୍ଡେ ନ ଦେଖିଲେ ସେ ରାଧାପରି ପାଗଳୀ ହେଇଯିବ ଆଉ ଅନ୍ୟର ଛାୟା ତାକୁ ବିଷ ପରି ଲାଗିବ । ଆପଣଙ୍କ ପାଇଁ ଝୁରି ଝୁରି କଳାକାଠ ହେଇଯିବନି ଦିନ କେଇଟାରେ ?”

 

ସାଧୁଙ୍କର ବର୍ଣ୍ଣନାରେ ସୁଶ୍ରୀ ଶାନ୍ତା ଯାହାକୁ କି ବନ୍ଧୁ ମହଲରେ ପ୍ରଗଳ୍‌ଭା ନଦୀର ଉପମା ଦେଇ କ୍ୟାଣ୍ଟିନ୍ ରୁମ୍, ସିନେମା ଛକରେ ଆଲୋଚନା କରାଯାଏ ସେ ଅତନୁ ଆଖି ଆଗରେ ହଠାତ୍ ଦେଖାହେଲା ଏକ ଭିନ୍ନ ରୂପରେ–କାଉଁରୀ ସ୍ପର୍ଶରେ ପରିବର୍ତ୍ତିତ ହୋଇ ପ୍ରେମଗ୍ରସ୍ତ, ଶୀର୍ଣ୍ଣାପାଣ୍ଡୁର ବର୍ଣ୍ଣାଶାନ୍ତା, ଯାହାର ରକ୍ତିମ ଅଧର ତୀରରୁ ହସର ଜୁଆର ସବୁ ଅପସରି ଯାଇଛି, ଆଉ ଚଳଚଞ୍ଚଳ ଆନତ ଚକ୍ଷୁ ଦୁଇଟି ହେଇ ପଡ଼ିଛି ବିବର୍ଣ୍ଣ, କେବଳ ତା’ରି ପାଇଁ...ତା’ରି ପାଇଁ.... ।

 

‘‘କିନ୍ତୁ ଆପଣ ଠିକ୍ କହୁଛନ୍ତି, ସେ ଅନ୍ୟ କୌଣସି ଯୁବକକୁ ଭଲ ପାଇବ ନାହିଁ ? କେବଳ ମୋ ବ୍ୟତୀତ ଅନ୍ୟ କାହାକୁ ବିଭା ହେବା ପାଇଁ ରାଜି ହେବନି !”

 

“ନିଶ୍ଚୟ, ହେବନି କାହିଁକି ? ମାସ ମାସ ଧରି ଶ୍ମଶାନରେ ମୁର୍ଦ୍ଦାର ପାଖରେ ବସି, ମା’ଙ୍କୁ ପୂଜା କରି ଯେଉଁ କବଚ, ଚୂର୍ଣ୍ଣ ତିଆରି କରିଛି, ସେ କାଟ କରିବ ନାହିଁ ? କେତେ ଲୋକ ନେଇ ପରୀକ୍ଷା କରି ଦେଖିଛନ୍ତି । ଅବିଶ୍ଵାସ କରୁଛନ୍ତି ତ ହେଇ ଦେଖନ୍ତୁ ।” ଏହା କହି ସେ କାନ୍ଥ ଆଡ଼କୁ ଆଙ୍ଗୁଳି ବଢ଼ାଇ ଦେଲେ । ସାଧୁ ମହାରାଜାଙ୍କ ଯଶକୀର୍ତ୍ତି ଗାନ କରି କେଉଁ ସବ୍‌-ଡେପୁଟି ମାଜିଷ୍ଟ୍ରେଟଙ୍କ ଦ୍ଵାରା ଲିଖିତ ଏକ ସାର୍ଟିଫିକେଟ୍ କାଚ ଫ୍ରେମରେ ବନ୍ଧା ହୋଇ ଝୁଲୁଛି କାନ୍ଥରେ । ତା’ ଉପରେ ବହଳେ ଅଳନ୍ଧୁ ।

 

‘‘ଠିକ୍ କହୁଛନ୍ତି, ମୋ ଛଡ଼ା–”

 

“ଅଲ୍‌ବତ, ମୁଁ ବାଜି ରଖୁଛି ।’’ –ତା’ପରେ ସାମାନ୍ୟ ଗମ୍ଭୀର ଭାବେ ସେ କହିଲେ, ‘‘ଆଚ୍ଛା, ସେ ଝିଅଟା ଫିକା ଗୋରାନା ?”

 

“ନାଁ, ଟିକିଏ ଶ୍ୟାମଳ ବର୍ଣ୍ଣ ।”

 

“ହଁ, ସେଇଆ ହେଲାନି । ବେଶୀ କଳା ନୁହେଁ କି ବେଶୀ ଗୌରବର୍ଣ୍ଣ ନୁହେଁ । ଏଇ ଆମ କୁନ୍ତି ରଙ୍ଗ । ଆଖି ଦୁଇଟା ଲମ୍ବାଳିଆ, ହସିଲା ହସିଲା ମୁହଁ–”

 

“ହଁ, ଠିକ୍ ! ଆପଣ ଜାଣିଲେ କିପରି ?”

 

ଅତନୁର ଆତ୍ମବିଶ୍ଵାସ ଧୀରେ ଧୀରେ ଦୃଢ଼ ହେଇ ଆସୁଥାଏ । ଏକ ଭବିଷ୍ୟତ୍ ସଫଳତା ତା’ର ଦଗ୍ଧ ତନୁର ଶାଖାରେ ଶାଖାରେ ବସନ୍ତର ରଙ୍ଗ ଯେପରି ସ୍ପର୍ଶ କରି କରି ଯାଉଥାଏ । କଳ୍ପନାରେ ଭବିଷ୍ୟତର ଏକ ନୂତନ ସୁଦୃଶ୍ୟ ଜୀବନର ଭିତ୍ତିସ୍ଥାପନ କରିଗଲା । କି ଏକ ଅଭିନବ ଉତ୍ତେଜନାରେ ଦେହର ଉତ୍ତାପ ସାମାନ୍ୟ ବୃଦ୍ଧି ପାଇଗଲା । ସମସ୍ତ ଚେତନାରେ ସେ ଯେପରି ପାଇଲା କାହାର ଉଷ୍ମ କୋମଳ ସ୍ପର୍ଶ । ମନ ବିହ୍ଵଳ ହେଇ ଉଠିଲା । ନିସ୍ତେଜ, ବିରସ ମୁହଁ ତା’ର ପଭାତର ଶିଶିରସ୍ନାତ ପତ୍ର ପରି ଦେଖାଗଲା ପ୍ରଫୁଲ୍ଲ ଓ ସତେଜ । ମୁହଁସାରା ଲାଖିଗଲା ପ୍ରଭାତ ସୂର୍ଯ୍ୟସ୍ନାତ ଚିକ୍ ଚିକ୍ ନଦୀ ଜଳର ଝଲକ୍ ।

 

ସ୍ଵଭାବତଃ ଲଜ୍ଜାଶୀଳ, ହତାଶ ଅତନୁ ପଚାରିଲା ପ୍ରଶ୍ନ ପରେ ପ୍ରଶ୍ନ, ବିମୋହିତ ଭାବେ ଓ ତାଙ୍କ ଅଭ୍ୟସ୍ତ, ବ୍ୟବସାୟିକ କଣ୍ଠରେ ସାଧୁ ମହାରାଜା କହିଚାଲିଲେ ତାଙ୍କ କୃତିତ୍ୱର ଗୁଣ ଓ ମାହାତ୍ମ୍ୟ ।

 

“ଏହାର ଦାମ କେତେ ?” ସବୁ ଶୁଣି ସାରିବା ପରେ ଅତନୁ ପଚାରିଲା ।

 

“ଦାମ ବେଶୀ ନୁହେଁ । ଏସବୁ ଜିନିଷର ଦାମ ବେଶୀ କଲେ ଲୋକେ କାହିଁକି ଆସିବେ-? ତାହାଛଡ଼ା ଏଇ ଡେଉଁରିଆ, ପାଇଁ ତ ବେଶୀ ଡିମେଣ୍ଡ୍ । ଶସ୍ତାକଲେ ଲୋକ ଆସିବେ, ପରୀକ୍ଷା କରି ଦେଖିଲେ ଯଦି କାମ ଦେଲା, ତେବେ ଆହୁରି ଭଲ ଭଲ ଡେଉଁରିଆ ଯଥା ସ୍ଵର୍ଗ ପ୍ରାପ୍ତକ–”

 

ଅତନୁ ପାଖରେ ଅନ୍ୟ ସବୁ ଡେଉଁରିଆର ଗୁଣ ନିକୃଷ୍ଟ ଓ ଜ୍ୟୋତିହୀନ ଜଣାପଡ଼ିଲା । ତେଣୁ ସାଧୁଙ୍କୁ ତାଙ୍କ ସ୍ଵର୍ଗ ପ୍ରାପ୍ତକର ଗୁଣ ବୟାନ କରିବାକୁ ସେ ସୁଯୋଗ ଦେଲା ନାହିଁ । ଡିମାଣ୍ଡ୍ ଓ ସପ୍ଲାଇର ସମ୍ବନ୍ଧ ବିଷୟରେ ବକ୍ତୃତା ଶୁଣିବା ପାଇଁ ଅର୍ଥନୀତିର ଛାତ୍ର ଅତନୁର ଆଉ ଧୈର୍ଯ୍ୟ ନଥିଲା ।

 

“ଆଚ୍ଛା, ଏଥିପାଇଁ କେତେ ଦେବି କହନ୍ତୁ ।”

 

“ମୋଟେ ଦଶଟଙ୍କା ।” ଈଷତ୍ ହସ ହସି ସାହାଯ୍ୟ କରିବା ସ୍ଵରରେ ସାଧୁ କହିଲେ ।

 

ଅତନୁ ଦଶଟଙ୍କିଆ ଏକ ନୋଟ୍ ଛାତି ପକେଟରୁ ବାହାର କରି ସାଧୁଙ୍କ ହାତକୁ ବଢ଼ାଇ ଦେଉଁ ଦେଉଁ ପୁନର୍ବାର ପଚାରିଲା–‘‘ଦେଖନ୍ତୁ, ସେ ଯେପରି ଅନ୍ୟ କୌଣସି ଯୁବକକୁ ଭଲ ନ ପାଏ-।”

 

ଟଙ୍କା ପ୍ରତି ତାଙ୍କର ଆଗ୍ରହ ଆଦୌ ନଥିବାର ଭାବ ଦେଖାଇ ସାଧୁ ନୋଟ୍‌ଟିକୁ ସିନ୍ଧୁକ ଉପରେ ଅନାସକ୍ତ ଭାବେ ରଖିଦେଲେ । ବାକ୍‌ସରୁ ଏକ ଡେଉଁରିଆ ବାହାର କରି, ଅତନୁ ହାତକୁ ବଢ଼ାଇ ଦେଇ କହିଲେ–ଦେଖିବେ ନାହିଁକି, ପୁଣି ଆସି କହିବେ । ମୁଁ ଆପଣଙ୍କୁ ନିର୍ଭର ଭାବେ ପ୍ରତିଶ୍ରୁତି ଦେଉଛି ।

 

ଅତନୁ ଘରୁ ବାହାରି ଆସୁ ଆସୁ କହିଲା, ‘‘ଯଦି ଆପଣଙ୍କ କହିବାନୁଯାୟୀ କାମ କରେ, ତେବେ ଅଧିକ ବକ୍‌ସିସ୍‌ ମିଳିବ । ଆଚ୍ଛା, ନମସ୍କାର ।”

 

ତପସ୍ୟାପ୍ରତି କେଉଁ ଖିଆଲି ଦେବତା ତା’ର ଭକ୍ତକୁ ‘ତଥାସ୍ତୁ’ କହି ଆଶୀର୍ବାଦ କରିବା ଭଳି ସାଧୁ ମହାରାଜାଙ୍କ ଉଦର କଣ୍ଠରୁ ନିସୃତ ହେଲା–‘‘ସର୍ବସିଦ୍ଧି ହେଉ ।”

 

ଅଣଓସାରିଆ ନାଳ ଡେଇଁ ଅତନୁ ରାସ୍ତା ଉପରକୁ ଉଠିଆସିଲା ନଇଁ ନଇଁ । ତେନ୍ତୁଳି ଗଛରେ ଡେରା ହୋଇଥିବା ସାଇକେଲର ଚାବି ଖୋଲି ଉଠି ପଡ଼ିଲା । ଅଳ୍ପ କେତେଦୂର ଆସିବା ପରେ‌, ହଠାତ୍ ମନେପଡ଼ିଲା ସାଧୁ ମହାରାଜାଙ୍କ ଘର ଓ ବାଟଟାକୁ ଭଲଭାବେ ଚିହ୍ନି ନେବା ଉଚିତ-। ପୁଣି କେବେ ଆସିବା ପାଇଁ ଦରକାର ପଡ଼ିଲେ ଏତେ ଅସୁବିଧା ଭୋଗ କରିବାକୁ ଆଉ ପଡ଼ିବ ନାହିଁ । ସାଇକେଲରୁ ଓହ୍ଲାଇ ପଡ଼ି ପଛକୁ ଫେରି ଚାହିଁଲା ସେ–ଦୂରର ସେ ଗଳିଟାର ମୋଡ଼ରେ ଯେଉଁ ମହାଦେବ ମନ୍ଦିର ଓ ତା’ ଦେହକୁ ଲାଗି ମ୍ୟୁନିସିପାଲିଟିର ଯେଉଁ ବତୀଖୁଣ୍ଟ ତାକୁ ଚିହ୍ନଟ ଭାବେ ନିଆଯାଇ ପାରେ–ସେଠାରୁ ସିଧା ତେନ୍ତୁଳି ଗଛ...ତା’ପରେ....ତା’ପରେ…ଏଇ…କିଏ ଇଏ-? ଇଏ ତ ?

 

ସର୍କସର ସାଙ୍କେତିକ ସର୍ଚ୍ଚଲାଇଟ ଚାରିଆଡ଼େ ଘୂରି ଘୂରି ତା’ ସ୍ଥାନକୁ ପୁଣି ଫେରି ଆସିଲା ପରି, ଅତନୁର ଅବାକସ୍ଫୀତ ଓ ଭୟକାତର ଆଖି ଦୁଇଟି ମନ୍ଦିର, ବତୀଖୁଣ୍ଟ ଆଡ଼େ ବୁଲି ଆସି ଦୃଢ଼ଭାବେ ନିବଦ୍ଧ ହେଇ ରହିଗଲା ତେନ୍ତୁଳିଗଛ ସାମ୍‌ନାରେ । ଅନ୍ୟ ଦିଗରୁ କେହି ଜଣେ ଆସି ତେନ୍ତୁଳିଗଛରେ ସାଇକେଲଟାକୁ ଡେରି ଦେଉଛି ଓ ପରେ ରାସ୍ତାତଳକୁ ଗଡ଼ିଯାଉଛି ସାଧୁ ମହାରାଜାଙ୍କ ଘର ଉଦ୍ଦେଶ୍ୟରେ । ଚିହ୍ନିଲା ଚିହ୍ନଲା ପରି ମନେହେଲା ତା’ର । ଧଳା ସିଲ୍‌କ କନା ଉପରେ ନାଲି ଚେକ୍‍ର ହାୱାଇନ୍‍ଟା ମନ୍ଦିର ଶୀର୍ଷର ପତକା ପରି ଫର୍ ଫର୍ ଉଡ଼ୁଛି । କଇଁଫୁଲର ନଳୀ ପେଣ୍ଟଟା ସ୍ପଷ୍ଟ ଦେଖାଯାଉଛି ଆଉ ଜୋତାଟା ସ୍ପଷ୍ଟଭାବେ ଦେଖି ନ ହେଲେବି, ତାହା ଯେ ପଏଣ୍ଟେଡ୍‍ ଚକ୍ ଚକ୍ କଳାରଙ୍ଗର ଏକ ଦାମୀ ଜୋତା ଅତନୁ ତା’ ମନରେ ଏକ ଚିତ୍ର କରିନେଲା । ଯୁବକଟି ଆଖିରୁ ଗଗଲ୍‌ସଟିକୁ ବାହାର କରି ଅନାବଶ୍ୟକ ଭାବେ ରୁମାଲରେ ପୋଛୁଁ ପୋଛୁଁ ତଳକୁ ଗଡ଼ିଯାଉଛି ଓ ସାଧୁ ମହାରାଜା ସେଇପରି ଚଉଡ଼ା ହସଟାଏ ଟାଣି, ନମସ୍କାର ଜଣାଇ ତାକୁ ସ୍ଵାଗତ ଜଣାଉଛନ୍ତି ।

 

ଅତନୁର ଛାତିଟା ଏକ ଅଜ୍ଞାତ ଆଶଙ୍କା ଓ ଭବିଷ୍ୟତ ନିଷ୍ଫଳତାର ତୀବ୍ର ଦହନରେ ଥରି ଉଠିଲା । ନିସ୍ତବ୍‌ଧ ନିଥର କକ୍ଷରେ ଘଡ଼ିର ଟିକ୍ ଟିକ୍ ଶବ୍ଦପରି କର୍ଣ୍ଣଗହ୍ଵରରେ ତା’ ହୃଦୟର ପ୍ରତିଟି ସ୍ପନ୍ଦନ ହାତୁଡ଼ି ପିଟିଲା । ଆଉ ମନେହେଲା ଯେପରି ଏକ ଭୟଙ୍କର ମରୁତୃଷ୍ଣାରେ ତା’ ଶ୍ୱାସରୁଦ୍ଧ ହୋଇଯାଉଛି ।

 

ଚଳତ୍ ଶକ୍ତି ରହିତ ଅତନୁର ଚିହ୍ନିବାକୁ ଆଉ ବାକି ନଥିଲା ସେ ଯୁବକଟି କିଏ !!

Image

 

ବର୍ଷା : ମନର ମୃଗ

 

ବାହାରେ ଆରମ୍ଭ ହେଲା ବର୍ଷା । ଯକ୍ଷଜାୟାର ବିରହୀ ନେତ୍ରରୁ ଲୋତକ ପୋଛି ଆଣି, ଆସୁଛି ଆଷାଢ଼ର ନୂତନ ପାର୍ବଣ ।

 

ମି: ଦାସ ଉନ୍ମୁକ୍ତ ବାତାୟନ ଦେଇ ଦୃଷ୍ଟିକ୍ଷେପ କଲେ ବର୍ଷଣ ମୁଖର ପୃଥିବୀକୁ ।

 

ରୌଦ୍ର ଦଗ୍ଧ ପୃଥିବୀ ତା’ର ତନିମାକୁ ଗାଧୋଇ ଦେଇ ଶୀତଳତା ଅନୁଭବ କଲା । କୈଶୋର ତ୍ୟାଗ କରି ନୂତନ ଯୌବନ । ପ୍ରାପ୍ତା ବାଳିକା ଯେପରି ମନକୁ ପାଗଳ କରିଦିଏ ତା’ ଦେହର ନୂତନ ଗନ୍ଧରେ, ସେଇପରି ବର୍ଷାର ସ୍ପର୍ଶ ପାଇ ଧୂସର ମୃତ୍ତିକା ନିର୍ଗତ କରୁଛି ମନଭୁଲା ଏକ ମାତାଲ ଗନ୍ଧ । ଆଃ କି ସୁନ୍ଦର ! ମି: ଦାସ ଭାବୁଛନ୍ତି ମୁଠା ମୁଠା ମାଟି ଆଣି ଖାଇଯିବେ । ଏଇ ଗନ୍ଧର ସନ୍ଧାନରେ ମୃଗ ପରା ଧାଇଁ ଯାଏ ପାଗଳ ହୋଇ ।

 

ସେ ମଧ୍ୟ ଉନ୍ମାଦ ହୋଇ ଦୌଡ଼ିଗଲେ ଏକ ଭିନ୍ନ ଦିଗନ୍ତକୁ ।

 

ଅଫିସ ସମ୍ମୁଖସ୍ଥ ଉଦ୍ୟାନ ଆଡ଼େ ଚାହିଁଲେ । ଶୀତଳ ପବନ ସ୍ପର୍ଶରେ ଚମ୍ପାଗଛର ପତ୍ରଗୁଡ଼ିକ ସୃଷ୍ଟି କରୁଛନ୍ତି ଲହରୀ । ଚତୁର୍ଦ୍ଦିଗରେ ଗାଢ଼ ସବୁଜିମା । ହିଂସା ହେଲା ତାଙ୍କର–ବାହାରର ସମସ୍ତ ସବୁଜିମା ଯଦି ସେ ନେଇ ଆସି ନିଜ ଧୂସର ଦେହରେ ବୋଳି ପାରନ୍ତେ ।

 

ନିର୍ଦ୍ଦିଷ୍ଟ ନିୟମରେ ଘୂର୍ଣ୍ଣାୟମାନ ଚକ୍ରକୁ ବିପରୀତ ଦିଗରେ ଘୂରାଇବା ବ୍ୟର୍ଥ ଚେଷ୍ଟା ମାତ୍ର ।

 

ବର୍ଷା ରହି ରହି ହେଉଛି । ଦ୍ଵିତଳ ପ୍ରାସାଦର ପାରା ପେଟର ପାଣି ନଳରୁ ଟପ୍ ଟପ୍ ହୋଇ ପଡ଼ୁଛି ବର୍ଷା ଟାଇପିଷ୍ଟର ଟାଇପି ସହ ତାଳ ରଖି ।

 

‘ସାର୍‍’–ଟାଇପିଷ୍ଟ କୋମଳ କଣ୍ଠରେ ଡାକିଲେ କୌଣସି ଏକ ସନ୍ଦେହମୋଚନ କରିବା ପାଇଁ ।

 

ମି: ଦାସ ନୀରବ–ଝରକାର ପରଦା ଫାଙ୍କ ଦେଇ ସେ ଚାହିଁଛନ୍ତି ବାଦଲ ଭାରାକ୍ରାନ୍ତ ଆକାଶକୁ । ଆକାଶରେ ଯେପରି ଖଣ୍ଡିଏ ଖଣ୍ଡିଏ ବାଦଲ ଭାସି ଯାଉଚି, ତାଙ୍କ ଚିନ୍ତାର ସ୍ରୋତ ସେଇପରି ଭାସି ଚାଲିଛି ।

 

ବର୍ଷା ।

 

ଅତି ନିଷ୍ଠୁର ଆଷାଢ଼ର ଏ ବର୍ଷା । ନ୍ୟୁରୋଟିକ୍ ରୋଗୀ ଦେହରେ ଇଲେକ୍‍ଟ୍ରିକ୍ ସକ୍ ପରି ଆଘାତ କରୁଚି ଚେତନାକୁ । ନିଜର ସମ୍ବେଦନଶୀଳ ମନ ନେଇ ତା’ ସହ ସହାବସ୍ଥାନ କରିବା ଅର୍ଥ ନିଜର ଅପମୃତ୍ୟୁ । ଗାଢ଼ ନିଦ୍ରାରେ ଅଳସ ସ୍ଵପ୍ନାତୁର ସମୟରେ ସେ ତ ମୋ ପାଖକୁ ଯାଇପାରନ୍ତା–ଅସମୟରେ ଏ ଅଫିସରେ ସାକ୍ଷାତର କ’ଣ ପ୍ରୟୋଜନ ?

 

ହିରାଲାଲ ଗୋଦାମ ଡେଇଁ ପୁଣି ଆସିଲା ଅସ୍ରାଏ ବର୍ଷା, ଏକ ତାଜା ଖବର ପରି ।

 

ଛୋଟ ଛୋଟ ନଦୀ ସୃଷ୍ଟି କରି ବର୍ଷାପାଣି ରାସ୍ତାରେ ଗଡ଼ି ଯାଉଛି । ମି: ଦାସଙ୍କର ଇଚ୍ଛାହେଲା ଇଂଲିଶ ପ୍ରଣାଳୀର ଏ ଫାଇଲ ଚାଷ ବନ୍ଦ କରି ଦୌଡ଼ିଯିବେ ରାସ୍ତା ଉପରକୁ । ପାଣିରେ ହେବେ ଚବର ଚବର । ଛୋଟ ଛୋଟ କାଗଜ ଡଙ୍ଗା କରି ଭସାଇ ଦେବେ ଜଳସ୍ରୋତରେ । କାଦୁଅ ନେଇ ବନ୍ଧବାନ୍ଧି ଅଟକାଇବେ ଜଳସ୍ରୋତକୁ ।

କ’ଣ ସେ ଭାବୁଛନ୍ତି ? ବୃଦ୍ଧ ମି: ଦାସ ବର୍ଷାରେ ତିନ୍ତି ଦୌଡ଼ିବେ ଦାଣ୍ଡରେ ।

ମନଟା ଚିରଞ୍ଜୀବୀ–ଆମେ ତାକୁ ବଞ୍ଚାଇ ଶିଖିନୁ, ହତ୍ୟା କରି ଜାଣୁ ।

ତାଙ୍କର ଅବସର ସମୟ ହୋଇ ଆସିଲାଣି । ଖଣ୍ଡିଆ ଜୋତା ପରି ସରକାର ତାଙ୍କୁ ଫିଙ୍ଗିଦେବେ ଆଉ ଅଳ୍ପ କେତେଦିନ ପରେ । ସେ ହୋଇଯିବେ ଚେକମେଟ୍ । ଭାସିଯିବେ ଏଇ ଜଳସ୍ରୋତରେ ।

ଆଉ ଗୀତ ?

ହଁ ସେ ବି କାହିଁକି ବ୍ୟତିକ୍ରମ ହେବ ।

ସେ ଦିନ ବୋଧହୁଏ ଥିଲା ଏଇପରି ଏକ ସ୍ଵପ୍ନ ସିକ୍ତ ଅଳସ ପ୍ରହର । ଗୀତା ଓ ସେ ବସିଥାନ୍ତି ସଂଲଗ୍ନ ହୋଇ । ତା’ ପଣତରେ ଥିଲା ନୂତନ ମାଟିର ସୁରଭି । ବାହାରେ ଏଇପରି ହେଉଥାଏ ଈର୍ଷା । ଯୌବନର ନୀଳ ନିଶାରେ ପହଁରି ମି: ଦାସ ପ୍ରଗଳ୍‍ଭ ହୋଇ ଉଠିଥିଲେ । ଗୀତା ଆଡ଼େ ଚାହିଁ ସେ କହୁଥାନ୍ତି–ବୁଝିଲ ଗୀତା, ତୁମେ ସିନା ଦେଲ ମୋତେ ଅଶ୍ରୁ କଣିକା, ମୁଁ ତୁମକୁ ଦେଉଛି ଅଞ୍ଜଳି ଭରି ଆଦ୍ୟ ଆଷାଢ଼ର ବର୍ଷା ।

ବାଃ–ବେଶ୍ ଚାଲାକ୍ ତ–ନିଜର କ’ଣ କିଛି ନାହିଁ ଦେବାକୁ ? ଉତ୍ତର ଦେଇଥିଲା ଗୀତା-

ଅତୀତ...ଅତୀତ...ପ୍ରାଣର ଅତୀତ ମୋର ! ସେଇ ପୂରିଲା ମାଣ ପୂରିଲା ଉଠରେ.... ।

କଟା ଖାସି ଦେହରେ ଗୁଡ଼ାଏ ଷ୍ଟାମ୍ପ ପରି ତାଙ୍କ ମନରେ ରଖି ଯାଇଛି ଅଜସ୍ର ଚିହ୍ନ ।

ପଥର ବୋଝେଇ ଏକ ଟାଟା ମାସଡେଜ୍ ବେନ୍‌ଜ ଟ୍ରକ ରାସ୍ତା ଦୁଇ କଡ଼ରେ ହୋଲି ଖେଳି, ବର୍ବର ସ୍ଵରରେ ଚିତ୍କାର କରି ଚାଲିଗଲା ।

ମି: ଦାସ ଚାହିଁଲେ ଶ୍ରାବଣୀ ଆଡ଼େ ।

“ବର୍ଷା ଛିଟିକା ପଡ଼ୁଚି ଶ୍ରାବଣୀ ଝରକା ଦୁଇଟା ବନ୍ଦ କରି ଦିଅନା” ମି: ଦାସ ପରାମର୍ଶ ଦେଲେ ।

ନାଁ ସାର୍ ଥାଉ, ବେଶ୍‍ ଥଣ୍ଡା ଲାଗୁଚି । କାଗଜପତ୍ରରେ ପାଣି ଯେପରି ନ ପଡ଼େ ଦେଖିବି ।

ଶ୍ରାବଣୀ ନୂତନ ହୋଇ ନିଯୁକ୍ତି ପାଇଛି । ବୟସର ଏ ଆଦ୍ୟ ବସନ୍ତର ପରିସ୍ଥିତି ହୁଏତ ବାଧ୍ୟ କରିଛି ଅମଲା ତନ୍ତୁ ଜୀବନକୁ ନିମନ୍ତ୍ରଣ କରିବା ପାଇଁ ନଚେତ୍ ସେ ବି ଶିଖିଥିଲା ଘର ରଚନାର ବିଜ୍ଞାନ । କି ସୁନ୍ଦର ଓ ସ୍ଵାସ୍ଥ୍ୟବତୀ । କ୍ରୋଟନ ଗଛ ପତ୍ରରେ ଲାଗିଥିବା ଜଳବୁନ୍ଦା ପରି ଢଳ ଢଳ ଆଖି । କଥାରେ ତା’ର ମୌସୁମୀ ।

ଛୋଟ ଛୋଟ ଜଳକଣା ସହ ହାଲୁକାଏ ଥଣ୍ଡା ହାୱାର ଲହର ପରଦା ଟେକି ଉଡ଼ି ଆସିଲା ଅଫିସ ରୁମ୍‌କୁ । ଟେବୁଲର କାଗଜପତ୍ର ବୁଣି ହୋଇଗଲା ବିକ୍ଷିପ୍ତ ଭାବେ, ମି: ଦାସଙ୍କ ବିକ୍ଷିପ୍ତ ଚିନ୍ତା ପରି ।

‘‘ଶ୍ରାବଣୀ, ତୁମ ଘର ?” –ମି: ଦାସ ନିଜେ ଆଶ୍ଚର୍ଯ୍ୟ ହେଲେ ନିଜର ଏ ପ୍ରଶ୍ନରେ । ସେ କ’ଣ ଜାଣନ୍ତି ନାହିଁ ଶ୍ରାବଣୀ ଘର କେଉଁଠି ? ସେଦିନ ଇଣ୍ଟରଭିଉରେ ତା’ର ସବୁ କଥା ସେ ଜାଣିଛନ୍ତି । ପୁଣି ସେଇ କଥାର ଅବତାରଣାର ତାତ୍ପର୍ଯ୍ୟ ?

….ସେ ଯଦି ବର୍ତ୍ତମାନ ଶ୍ରାବଣୀକୁ ଦୁଇ ହାତରେ ତୋଳି ନେଇ ତାକୁ ଆକାଶକୁ ଦେଖାଇ ପଚାରିବେ, ବୁଝିଲ ଶ୍ରାବଣୀ, ତୃଷାର୍ତ୍ତ ବ୍ୟକ୍ତି ସବୁବେଳେ ଜଳ ଖୋଜେ–ଏଇଟା ତା’ର ଧର୍ମ । ଜଳର କ’ଣ ସମର୍ଥନ ନାହିଁ ସେଥିରେ ? ଜଳର ଯଦି ଜୀବନ ଥାଆନ୍ତା ତେବେ ନିଶ୍ଚୟ ସେ ଦେଇଥାନ୍ତା ସେଇ ଉତ୍ତର ।

ଶୈଶବ ଯଦି ଉତ୍ସୃଙ୍ଖଳ ହୁଏ ତାକୁ କ୍ଷମା ଦେଉଁ, ପୌଢ଼ର ଉତ୍ସଙ୍ଖୃଳା ପ୍ରତି ଉପହାସ ଆସେ । ସମ୍ମୁଖରେ ବିସ୍ତୃତ ସବୁଜ ତୃଣ ପ୍ରାନ୍ତର ଥାଇ ମଧ୍ୟ ମୃଗ ଯେପରି ବାଡ଼ ଘେର ଭାଙ୍ଗି ସଂରକ୍ଷିତ ଉଦ୍ୟାନର ନୂତନ ମାଟିକୁ ଭଲପାଏ, ମଶିଷ ମଧ୍ୟ ଶୃଙ୍ଖଳ ଭାଙ୍ଗି ଟିକିଏ ଅନିୟମିତ ବାଟରେ ଯିବା ପାଇଁ ବ୍ୟାକୁଳ ହୋଇଉଠେ ।

ମି: ଦାସ ଉଠି ଆସିଲେ ଶ୍ରାବଣୀ ପାଖକୁ । ଶ୍ରାବଣୀର ଅଙ୍ଗୁଳିଗୁଡ଼ିକ ପହଁରୁଥାନ୍ତି ଟାଇପରାଇଟରର ଅକ୍ଷର ଉପରେ । ଅଙ୍ଗୁଳିର ନଖଗୁଡ଼ିକ ଦେଖା ଯାଉଥାଏ ଟାଇପରାଇଟରର ଚକ୍ ଚକ୍ ଅକ୍ଷର ପରି ।

ତା’ର ଶୁଭ୍ର ମସୃଣ ମୁଖ ଉପରେ ଭାଙ୍ଗିପଡ଼ିଛି କୃଷ୍ଣ କେଶର ଶାଖା କେତୋଟି । ମି: ଦାସ ତାଙ୍କ ରେଖା ବହୁଳ ପାପୁଲି ସାହାଯ୍ୟରେ ସେଇ ଉଡ଼ନ୍ତ କେଶ ରାଶିକୁ ସଜାଡ଼ି ଦେବାକୁ ଉଦ୍ୟତ ହେଲେ । ଶ୍ରାବଣୀର ଦୁଇ ଆଖିରେ ଆହତ କପୋତ ଚକ୍ଷୁର ରଙ୍ଗ । ରାଗହୀନ ରାଗିଣୀ ପରି ହାତର ଅଙ୍ଗୁଳିଗୁଡ଼ିକ ପଡ଼ୁଥାଏ ଟାଇପରାଇଟରର ଏଣେତେଣେ ।

ହଠାତ୍ ଅଫିସ ପିଅନଟି ରୁମ୍ ଭିତରକୁ ପଶି ଆସିଲା ଡିଟେକ୍ଟିଭ୍ ଉପନ୍ୟାସର ନାୟକ ପରି । ଟେବୁଲ ଉପରେ ରଖି ଦେଇଗଲା ଏକ ଚିଟ୍ । କେହି ଆଗନ୍ତୁକ ବୋଧହୁଏ ଆସିଛନ୍ତି ଓ ସାକ୍ଷାତ ପାଇଁ ।

ଅଧ୍ୟାପକଙ୍କ ଦୃଷ୍ଟିପାତ ହେଲେ ସହପାଠୀ ଯେପରି ସହପାଠିନୀ ଆଡ଼ୁ, ଆଖି ଫେରାଇ ଆଣି ଖାତାରେ ଲେଖିବା ଛଳନା କରେ ସେଇପରି ମି: ଦାସ ହଠାତ୍ ମୁହଁ ଫେରାଇ ଚାହିଁଲେ ଉଦ୍ୟାନର ପାମ୍ ଗଛ ଆଡ଼େ । ଗଳା ଖଙ୍କାର ମାରି ଶୁଷ୍କ କଣ୍ଠରୁ ଛେପ କାଢ଼ିବାକୁ ଚେଷ୍ଟାକଲେ । ବୈଧବ୍ୟ ଯନ୍ତ୍ରଣାଘାତ ନାରୀପରି ସେତେବେଳେ ଆଷାଢ଼ର ବର୍ଷା ମୁଣ୍ଡ ପିଟୁଥାଏ କାନ୍ଦି କାନ୍ଦି । ଅଫିସରେ ବେସୁରା ହୋଇ ଆସୁଥାଏ ଟାଇପ୍‌ର ଲିରିକ୍‍ଗୁଡ଼ାକ ।

Image

 

ଶେଷ ସୂର୍ଯ୍ୟାସ୍ତ

 

ଚାକିରିରୁ ଅବସର ପ୍ରାପ୍ତି ପରେ ଅଭୟ ବାବୁ ସହଧର୍ମିଣୀଙ୍କ ସହ ଆସିଛନ୍ତି ବିଳାସ ନଗରକୁ ଅବସର ବିନୋଦନ ପାଇଁ । କେତୋଟି ଦିନ ଏଇ ସହରର ଶାନ୍ତ ଓ ସୁନ୍ଦର ଜଳବାୟୁରେ ବିତାଇ ଦେଇ ସେ ଫେରିଯିବେ ପୁଣି ନିଜ ଗ୍ରାମକୁ । ତାଙ୍କର ଏଇ ସ୍ଵଳ୍ପଦିନର ଅବସ୍ଥାନ ଭିତରେ କେତେ ପୁରାତନ ଓ ନୂତନ ବନ୍ଧୁ ତାଙ୍କୁ ସାକ୍ଷାତ କରିବା ପାଇଁ ଆସନ୍ତି । ପ୍ରତିବେଶୀ ବନ୍ଧୁମାନଙ୍କୁ ପିଲାସବୁ ତାଙ୍କ ସ୍ତ୍ରୀଙ୍କ ସହ କ୍ରୀଡ଼ା କୌତୂହଳରେ ମାତିଯାନ୍ତି । ପ୍ରତିଦିନ ପରି ସେ ଦିନ ଗୋଟିଏ ସନ୍ଧ୍ୟାରେ ବୈଠକ ମଧୁମୟ ହୋଇ ଉଠିଥିଲା । ବୈଠକରେ ଯେଉଁମାନେ ବୃଦ୍ଧ, ସେମାନେ ସୁଦୂର ଅତୀତକୁ ଫେରିଯାଇ ସମୁଦ୍ର ଗର୍ଭରେ ମୁକ୍ତା-ଉତ୍ତୋଳନକାରୀ ପରି ସ୍ମୃତିକୁ ଅଣ୍ଡାଳି ଅଣ୍ଡାଳି କେତେ କ’ଣ ନେଇ ଆସୁଥାନ୍ତି । ବେଳେ ବେଳେ ମନସ୍ତାପ କରନ୍ତି ସେଇ ସୁନ୍ଦର ବିଗତ ଦିନଗୁଡ଼ିକର ମୃତ୍ୟୁ ପାଇଁ । ଅତୀତଟା ସବୁବେଳେ ସୁନ୍ଦର, ମଧୁର । ଯାହାର ଭବିଷ୍ୟତ ନାହିଁ–ସେଇଟା ହୋଇପଡ଼େ ଲୋଭନୀୟ, ଏକମାତ୍ର ସମ୍ବଳ ।

 

“ଅଭୟ, ମନେପଡ଼ୁଛି ନା ଉଦୟଗଡ଼ରେ ଥିବାବେଳେ ସେଇ ଯେଉଁ ମାଷ୍ଟ୍ରାଣୀ କଥା । ଭାରି ଭଲ ମାଇପିଟିଏ । ଏବେ କୁଆଡ଼େ ସେ ମାରାପଡ଼ିଗଲା ।” ଦହି ମନ୍ଥନ କରି ଲହୁଣୀ ବାହାର କଲାପରି ଅତୀତକୁ ଘାଣ୍ଟି ଘାଣ୍ଟି କିଶୋରୀବାବୁ ଯେତେବେଳେ ଉଦୟଗଡ଼ର ସ୍ମୃତିରୁ ଏଇ ଗୋଟିଏ ନିଷ୍ଠୁର ସତ୍ୟର ଖିଅ ଟାଣି ଆଣନ୍ତି ସେତେବେଳେ ଅନ୍ୟମାନେ ଟିକିଏ ସତର୍କ ହୋଇ ଯାଆନ୍ତି । ଭୀତିର ଏକ ତଡ଼ିତ୍ ପ୍ରବାହିତ ହୋଇଯାଏ ସର୍ବାଙ୍ଗରେ । କିଏ ଯେପରି ଅଲକ୍ଷ୍ୟରେ ବୁଲୁଛି ନୀଳ ମାଷ୍ଟ୍ରାଣୀ ପରି ସେମାନଙ୍କୁ ମଧ୍ୟ ଟାଣିନେଇ ଯିବାପାଇଁ । ସେଥିପାଇଁ ଏ ଗଭୀର ଓ ଭୀତି ସଂଚାରକ କଥାର ସ୍ରୋତକୁ ଅନ୍ୟ ଦିଗରେ ମୋଡ଼ି ଦେଇ ଅଗାଧୁ ବାବୁ ଆରମ୍ଭ କରନ୍ତି କଥାକୁ ଟିକିଏ ହାଲୁକା କରିବା ପାଇଁ ।

 

“ଅଭୟ ବାବୁ, ମନେ ଅଛି ତ ସେଇ କୋରାପୁଟ ଜଙ୍ଗଲରେ ପିକ୍‌ନିକ୍ କଥା–ବିଚରା ସାନ୍ତାଳ ଲୋକଟି ନ ଥିଲେ ବାଘ ହାବୁଡ଼ରେ ଆମ ସମସ୍ତଙ୍କ ଜୀବନ ଯାଇଥାନ୍ତା ସେ ଦିନ ।” କହୁ କହୁ ପାନରସ ତାଙ୍କ ଓଷ୍ଠାଧାରୁ ଖସି ଆସେ ।

 

ଜୀବନ ସନ୍ଧ୍ୟାର ଏକଥା ଶୁଣି, ଏଇମାତ୍ର ଜୀବନ ମଧ୍ୟାହ୍ନକୁ ଆସୁଥିବା ସୁରସେନ ବାବୁ ସାମାନ୍ୟ ବିରକ୍ତ ହୋଇ ଉଠନ୍ତି । ଅତୀତ ଛଡ଼ା ବର୍ତ୍ତମାନ ଓ ଭବିଷ୍ୟତ ବୋଲି ଯେ କିଛି ଅଛି ସତେଯେପରି ଜଣାନାହିଁ ସେମାନଙ୍କୁ । ଖାଲି ଅତୀତ ଆଉ ଅତୀତ । ତେଣୁ ସେ ନ ଶୁଣିଲା ପରି ଦେଖାଇ ଦେଖାଇ ଅନ୍ୟମନସ୍କ ହୋଇ ବକ୍ତାକୁ ବେଖାତିର କରନ୍ତି । ରାଜନୀତି ଚର୍ଚ୍ଚା ସହ ତାଙ୍କର ବେଶୀ ସମ୍ପର୍କ । ସୁତରାଂ ଚୀନା ଆକ୍ରମଣଠାରୁ ଆରମ୍ଭ କରି ମାର୍କିନ ଯୁକ୍ତରାଷ୍ଟ୍ରର ଗହମ ରାଜନୀତି ପର୍ଯ୍ୟନ୍ତ ବିଷୟ ଉତ୍‌ଥାପନ କରି ସେ ପହଞ୍ଚନ୍ତି ସରପଞ୍ଚଙ୍କ ଟଙ୍କା ଆତ୍ମସାତ୍ ପାଖରେ ।

 

ସେ ଦିନ ସନ୍ଧ୍ୟାରେ ଏଇପରି ନାନା ଆଡ଼ୁ ନାନା କଥା ପଡ଼ୁଥାଏ । ସୁରସେନ ବାବୁଙ୍କୁ ଲକ୍ଷ୍ୟ କରି କଥା ମଝିରେ ଅଭୟ ବାବୁ କହିଲେ–“ସୁର, ସେ ଚିତ୍ରଟି ପାଇଁ କାହାକୁ ପଠାଇଛ ତ-?’’

 

ସୁରସେନ ବାବୁ କହିଲେ–“ହଁ, ସେ ପିଅନ ଯାଇଛି ତାଙ୍କ ପାଖକୁ ଆଣିବା ପାଇଁ । ସମୟ ହୋଇ ଆସିଲାଣି, ବୋଧହୁଏ ଫେରୁଥିବ ।”

 

“କେଉଁ ଚିତ୍ର କି ହୋ ଅଭୟ ? କାର ?” –ପାନ ଖଣ୍ଡକୁ ହାତରେ ଦଳୁ ଦଳୁ ଟିକିଏ ରସିକିଆ ଢଙ୍ଗରେ ପଚାରିଲେ ଶଙ୍କର ବାବୁ ।

 

ସୁରସେନ କହିଲେ–“ଆଈମାଙ୍କ ଚିତ୍ର । ସେ ବୃଦ୍ଧ ଶିଳ୍ପୀଙ୍କୁ ବରାଦ ଦିଆଯାଇଥିଲା । ଆଜି ଦେବାର କଥା ।”

 

ଶଙ୍କରବାବୁ ଠୋ ଠୋ ହୋଇ ଜୋରରେ ହସିଉଠିଲେ । ନାଟକର ଏକ ଦୃଷ୍ଟି ଚରିତ୍ରର ହସ ପରି । ସମସ୍ତେ ତାଙ୍କର ଦିଗକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ସୁରସେନଙ୍କର ଅତି ନିରୀହ ଭକ୍ତିରେ କିଛି ହସିବାର ତ କାରଣ ନଥିଲା । ତେଣୁ ସେ ନିଜକୁ ଲଜ୍ଜିତ ବୋଧ କଲେ । ବହୁତ ସମୟ ପରେ ହସ ସମ୍ବରଣ କରି, ପାନଗୁଣ୍ଡ ପାଟିରେ ପକାଇ କହିଲେ–“ସେ ଶିଳ୍ପୀ ଜଣକ ବଦ୍ଧ ପାଗଳ । ଯିଏ ଯାହା ବରାଦ ଦେଲେ ଆଦୌ କିଛି କରିବେ ନାହିଁ । କେବଳ ଗୋଟାଏ ପ୍ରକାର ଚିତ୍ର ଆଙ୍କୁଥିବେ । ସହରକୁ ଆସି ମୋତେ ଅନ୍ତତଃ ନ ପଚାରି କିପରି ଯେ ତୁମେ ଅଭୟ ତାକୁ ଚିତ୍ର ଆଙ୍କିବା ପାଇଁ ବରାଦ ଦେଉଥିଲ ମୁଁ ବୁଝିପାରୁ ନାହିଁ ।”

 

ଶଙ୍କର ବାବୁ ଯେ ଏ ସହରରେ ଅଭିଜ୍ଞତାରେ ସମସ୍ତଙ୍କଠାରୁ ପରିପକ୍ଵ ଏ ବିଷୟରେ ମତଭେଦ ନ ଥାଇପାରେ । କିନ୍ତୁ ଚିତ୍ର ବରାଦରେ ମାଧ୍ୟମ ହୋଇଥିବା ସୁରସେନ ଶିଳ୍ପୀଙ୍କ ସମ୍ବନ୍ଧରେ ଶଙ୍କର ବାବୁଙ୍କର ଏପ୍ରକାର ମତୋକ୍ତିକୁ ବରଦାସ୍ତ କରିପାରିଲେ ନାହଁ । ତେଣୁ ସେ ସାମାନ୍ୟ ଉତ୍ୟକ୍ତ ଓ ଚିଡ଼ି ଚିଡ଼ିଆ ସ୍ଵରରେ ପାଟିକରି ଉଠିଲେ–“ସେ ଶିଳ୍ପୀ ଆଦୌ ପାଗଳ ନୁହଁନ୍ତି । ମୁଁ ତାଙ୍କ ସମ୍ପର୍କରେ ଭଲଭାବେ ଆସିଛି । ତାଙ୍କ ସହ ବସାଉଠା କରିଛି । କିଛି ନ ଜାଣି ତାଙ୍କ ସମ୍ବନ୍ଧରେ ଏପରି ସମାଲୋଚନା କରିବା ଉଚିତ ନୁହେଁ । ମୁଁ କହୁଛି ତେବେ ଶୁଣନ୍ତୁ ।”

 

ଶଙ୍କର ବାବୁ ସୁରସେନଙ୍କର ଆକ୍ରମଣାତ୍ମକ ଆକ୍ଷେପରେ ଟିକିଏ ଚୁପ୍ ହୋଇଗଲେ । ତଥାପି ନିଜେ ସେ ଦବିଯାଇ ନାହାଁନ୍ତି ତା’ର ଏକ ବର୍ହିପ୍ରକାଶ ପାଇଁ ଗୋଡ଼ ଦୁଇଟାକୁ ଲମ୍ବାଇ ଟେବୁଲ୍ ଉପରେ ରଖିଲେ । ଅଭୟ ବାବୁ ଓ ତାଙ୍କ ସ୍ତ୍ରୀ ସୁରସେନଙ୍କ ମୁହଁକୁ ଚାହିଁ ରହିଲେ । ଅନ୍ୟମାନେ ଏକ ମିଶ୍ର ଭାବ ନେଇ ଏକାଗ୍ରତାର ଛଳନା କରି ଶୁଣିବାକୁ ଚେଷ୍ଟା କଲେ । ସୁରସେନ ଆରମ୍ଭ କଲେ–

 

“ସେ ବୃଦ୍ଧ ଶିଳ୍ପୀ ବହୁଦିନ ହେଲା ଆସିଅଛନ୍ତି ଏଇ ସହରରେ । ଜନାକୀର୍ଣ୍ଣ ବସତିର ଅନତି ଦୂରରେ ଗୋଟିଏ ଛୋଟ ଘରକରି ରହିଛନ୍ତି । ସହରର ବେଶୀ ଲୋକଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ପ୍ରଥମେ ପ୍ରଥମେ ତାଙ୍କ ଭାବଭଙ୍ଗୀ କୌତୂହଳ ସୃଷ୍ଟି କରେ । କିନ୍ତୁ ସେ ସବୁ ଦେହସୁହା ହୋଇଯାଏ । ଲୋକମାନେ ଆଉ ଦୃଷ୍ଟି ଦିଅନ୍ତି ନାହିଁ । କିନ୍ତୁ ମୁଁ ତାଙ୍କୁ ଭଲଭାବେ ଜାଣେ-। ତାଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ ଆଳାପ କରେ । ସେଥିରୁ ଅନୁଭବ କରିଛି ଯେପରି ସେ ଏକ ବିରାଟ ଆଘାତ ପାଇଛନ୍ତି ।

 

“ସେ କହନ୍ତି ଏହା ମଧ୍ୟ ତାଙ୍କ ଚିତ୍ରଗୁଡ଼ିକରୁ ସୁସ୍ପଷ୍ଟ ଯେ ତରୁଣ ବୟସରେ ସେ ଥିଲେ ଜଣେ ଉଦୀୟମାନ କୁଶଳୀ କଳାକାର । ତାଙ୍କ ଶିଳ୍ପ ରଚନାରେ ସମସ୍ତେ ମୁଗ୍‌ଧ ହୋଇ ଉଠୁଥିଲେ-। କିନ୍ତୁ ତାଙ୍କ ମତରେ ଶିଳ୍ପ ସୃଷ୍ଟି ମଧ୍ୟରେ ସେ ଯେଉଁ ଏକ ଷୋଡ଼ଶୀ ତନ୍ୱୀର ଚିତ୍ର ଆଙ୍କିଥିଲେ, ସେଇଟି ସବୁଠାରୁ ଉତ୍କୃଷ୍ଟ ବୋଲି, ଚିତ୍ରଟି ତାଙ୍କ ପ୍ରିୟତମାର । ତାକୁ ସେ ଖୁବ୍ ଭଲ ପାଉଥିଲେ-। ସମ୍ମୁଖରେ ବସାଇ ନେଇଥିଲେ ତା’ର ମଡେଲ କିନ୍ତୁ ଶେଷରେ ଆରମ୍ଭ ହେଲା ସେଇ ଚିରନ୍ତନ ଧନ୍ଦା । ତାକୁ ସେ ବିବାହ କରିପାରି ନଥିଲେ । ଯେତେବେଳେ ସେ ବିବାହ ହୋଇ ବିଦାୟ ନେଉଥିଲା, ଶିଳ୍ପୀ ନିଜ ଲୁହ ଓ ଲହୁରେ ପୁଷ୍ପାଞ୍ଜଳୀ ଦେଇ ଯେଉଁ ଚିତ୍ରଟିକୁ ଆଙ୍କିଥିଲେ, କେଉଁ ଏକ ମୂର୍ଚ୍ଛିତ ମୁହୂର୍ତ୍ତରେ ସେଇଟିକୁ ତାକୁ ଉପହାର ଦେଇଥିଲେ ନିଜ ଇଚ୍ଛା ବିରୁଦ୍ଧରେ । ମୂର୍ତ୍ତିବନ୍ତ ସେ ଚିତ୍ରର ଜୀବନ୍ୟାସ କୁଆଡ଼େ ସାକ୍ଷାତ ରକ୍ତମାଂସର ଶରୀର ଧରିଥିଲା ।

 

“ଝଡ଼ପରେ କୋମଳ ବୃକ୍ଷପରି ପ୍ରିୟତମାର ବିବାହ ପରେ ଶିଳ୍ପୀ ଭାଙ୍ଗିପଡ଼ିଥିଲେ । ଭଗ୍ନ ପ୍ରଣୟରେ ଯେତିକି ନୁହେଁ, ବେଶୀ ବାଧୁଥିଲା ଚିତ୍ରଟିକୁ ସେ ନିଜ ପାଖରେ ନରଖି ପାରିଥିବାରୁ ।

 

“କିଛିଦିନ ପରେ ହଠାତ୍ ତାଙ୍କ ପ୍ରିୟତମାର ସ୍ଵାମୀ ତାଙ୍କ ଘରେ ପହଞ୍ଚନ୍ତି ଏବଂ କହନ୍ତି–” କଥାର ଏକ ଅନିଶ୍ଚିତ ମୋଡ଼ ସମୟରେ ଅଭୟ ବାବୁଙ୍କ ସାନ ନାତିଟି କାନ୍ଦି ଉଠିଲା ଅଳିନ୍ଦ ଭିତରୁ । ଅଭୟ ବାବୁ ବିରକ୍ତ ହୋଇ ଉଠିଲେ କଥାରେ ପ୍ରତିବନ୍ଧକ ସୃଷ୍ଟିହେଲା ବୋଲି । ଚାକରକୁ ତାଗିଦ କରି ପାଟିକରି ଗାଳିଦେଲେ । କାନ୍ଧ ଉପରୁ ଖସି ପଡ଼ିଥିବା ପୁରାତନ ଓ ସ୍ମୃତି ଆବୃତ୍ତ ଏଣ୍ଡି ଚାଦରଟିକୁ ସଜାଡ଼ି ଦେଉଁ ଦେଉଁ କହିଲେ, ହଁ ସୁର କ’ଣ କହୁଥିଲ । ତାଙ୍କ ସ୍ଵାମୀ ଆସିଲେ । ତା’ପରେ ?

 

ସୁରସେନ ପୁଣି ଆରମ୍ଭ କଲେ ।

 

ଦିନେ ତାଙ୍କ ସ୍ଵାମୀ ଆସି କହିଲେ–‘କିଛି ମନେ କରିବେ ନାହିଁ । ଆପଣ ମୋ ସ୍ତ୍ରୀଙ୍କର ଯେଉଁ ଚିତ୍ରଟି ଆଙ୍କି ତାଙ୍କୁ ଉପହାର ଦେଇଥିଲେ ସେଇଟା ନଷ୍ଟ ହୋଇଗଲା । ଯିବା ସମୟରେ ମଟର ଉପରେ ଥିଲା । ବର୍ଷା ହୋଇ ପୂରା ଧୋଇଗଲା । ଆଉ ଗୋଟିଏ ଠିକ୍ ସେହିପରି ଆଙ୍କିଦେବାକୁ ମୋ ସ୍ତ୍ରୀ ଆପଣଙ୍କୁ ଅନୁରୋଧ କରିଛନ୍ତି । ଏହା କହି ଗୋଟିଏ ଫଟୋ ଦେଇ ସେ ଚାଲିଗଲେ ।’

 

ଶିଳ୍ପୀ ବଡ଼ ବ୍ୟଥିତ ଓ ବ୍ୟାକୁଳ ହୋଇ ଉଠିଲେ । ନିଜର ସବୁ ଉଦ୍ୟମ ନିୟୋଗ କରି ଯେଉଁ ଚିତ୍ରଟିକୁ ଆଙ୍କିଥିଲେ ସେଇଟା ନଷ୍ଟ ହୋଇଗଲା । ସେଇପରି ପୁଣି ଆଉ ଗୋଟିଏ ଆଙ୍କିବେ-। ଏହା ପୁଣି ତାଙ୍କ ପ୍ରିୟତମାର ଅନୁରୋଧ ! ତୂଳୀ ଧରି ବସନ୍ତି ଷ୍ଟୁଡ଼ିଓରେ । ଗୋଟିଏ ପରେ ଗୋଟିଏ ଚିତ୍ର ଆଙ୍କନ୍ତି । ମୁଁ ଦେଖିଚି ସେଗୁଡ଼ିକ–ସୃଷ୍ଟିର ସମସ୍ତ ଅବାକ୍ ନେଇ ଏକ ନିରୀହ ଶିଶୁପରି ମୁଁ ଚାହିଁରହେ ପ୍ରତିକୃତି ଆଡ଼େ । ପ୍ରିୟତମା ! ଏଇଟିଥିଲା ତାଙ୍କ ଚିତ୍ରର ବିଷୟ ବସ୍ତୁ–ଯେଉଁ ବିଷୟ ବସ୍ତୁ–ଆଦିମ କାଳରୁ ସମସ୍ତ ପ୍ରାଣରେ ସଞ୍ଚାର କରି ଆସିଛି ଏକ ଅଭିନବ ଭାବ । କିନ୍ତୁ ଶିଳ୍ପୀଙ୍କର ବିଶେଷତ୍ୱ ଥିଲା ତାଙ୍କର ନିଜସ୍ଵ ପ୍ରକାଶ ଭଙ୍ଗୀରେ । ଆଦ୍ୟ ବସନ୍ତର ଉଚ୍ଛ୍ୱାସ ଓ ବର୍ଣ୍ଣାଢ୍ୟ ତରଙ୍ଗ ନେଇ ଜୀବନ୍ତ ହୋଇଛି ଚିତ୍ରଟି । ଅସଂଖ୍ୟ ଯୁଗର ପୁଞ୍ଜିଭୂତ ରହସ୍ୟ ନେଇ ସୂଚନା ଦେଉଛି ଫୁଟନ୍ତା ପୁଷ୍ପର । ମୋନାଲିସା’ର ହସପରି ଏକ ରହସ୍ୟମୟ ହସ ଲାଖି ରହିଛି ମୁହଁରେ । ଗାଢ଼ କୃଷ୍ଣବଳାହକାର ଭ୍ରୂତଳେ କି ଏକ ଅନିର୍ବଚନୀୟ ଅଳସ ସ୍ଵପ୍ନରେ ଢଳ ଢଳ ଚକ୍ଷୁ ଦୁଇଟି ମନର ଯେପରି ସମସ୍ତ ଭାବ ଅଭିବ୍ୟକ୍ତ କରୁଛି । ବେକରେ ଦୋଳାୟମାନ ହାରର ଲକେଟ କିଞ୍ଚିତ ଅଧିକ ଲୋହିତ ରଙ୍ଗରେ ପ୍ରଲେପିତ–ସେଇଟିକୁ ପ୍ରାଧାନ୍ୟ ଦେବାପାଇଁ । କବରୀର ଗୋଲପୀ ରଙ୍ଗର ରିବନଟି ସତେଯେପରି ଏବେ ସୁଦ୍ଧା ବାୟୁର ମୃଦୁ ସଞ୍ଚାଳନରେ ଉଡ଼ୁଛି–ଚାହୁଁଛି ଊଡ଼ିଯିବା ପାଇଁ ଏକ ସ୍ଵାଧୀନ ପକ୍ଷୀପରି ଉନ୍ମୁକ୍ତ ଆକାଶର ଉଦ୍‍ଭ୍ରାନ୍ତ ନୀଳତରଙ୍ଗରେ । ଏକ ଶାନ୍ତ ଓ ସରଳତାର ପ୍ରତିମୂର୍ତ୍ତି ସତେ । ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ ଅନ୍ତର ଭାବ ସୁସ୍ପଷ୍ଟ । ତନ୍ଦ୍ରିଳ ଚକ୍ଷୁ ପୁଟରେ ଯେଉଁ ଭାବ ଅର୍ଦ୍ଧ ମୁଦ୍ରିତ ଲୀଳାୟିତ ଅଙ୍ଗୁଳିଗୁଡ଼ିକରେ ସେଇ ଭାବ ପରିସ୍ଫୁଟ । ପୃଷ୍ଠ ଭାଗର କ୍ଷୁଦ୍ର ତଟିନୀର ବକ୍ରିଳ ଧାରରେ ଧୀର ପବନରେ ମଥା ହଲାଇ ଛୋଟ ଛୋଟ ଗଛ କେତୋଟି ବସନ୍ତର ଆଗମନର ସୂଚନା ଦେଉଛନ୍ତି । କେବଳ ରକ୍ତମାଂସ ନେଇ ସେଟା ଜୀବନ୍ତ ନୁହେଁ । ସତେଯେପରି ଆତ୍ମାର ଅଭିବ୍ୟକ୍ତ ହୋଇଛି ତୂଳୀ ମୁନରେ ।

 

ତଥାପି ପୂର୍ବର ଚିତ୍ରଭଳି ହେଲା ନାହିଁ ବୋଲି ସେ ଭାବନ୍ତି । ଫଟୋଟିକୁ ଦେଖି ଚେଷ୍ଟା କରନ୍ତି । କିନ୍ତୁ ସବୁ ଚେଷ୍ଟା ବିଫଳ ହୁଏ । ତା’ର ମଡେଲ ବର୍ତ୍ତମାନ ପାଇପାରିବେ ନାହିଁ । ଶିଳ୍ପୀ ସେଇ ପୂର୍ବ ଚିତ୍ରଟିର ସ୍ୱରୂପକୁ ଚକ୍ଷୁ ସମ୍ମୁଖରେ ରଖି ଅଧ୍ୟୟନ କରନ୍ତି । ଫଟୋର ମୃତଚିତ୍ର ସହ ମନେମନେ ଏକ ତୁଳନାତ୍ମକ ସମାଲୋଚନା ଲେଖି ବସନ୍ତି । ତଥାପି ହୁଏ ନାହଁ । ଏଇପରି ବହୁଦିନ ଅତିବାହିତ ହୁଏ । ତାଙ୍କ ପ୍ରିୟତମାର ସ୍ଵାମୀ ଚିଠି ଲେଖି ଲେଖି ଉତ୍ତର ନ ପାଇବାରୁ ଅବଶେଷରେ ରୁହନ୍ତି ନୀରବ ।

 

ସେଇଦିନୁ ତାଙ୍କ ଶିଳ୍ପ ରଚନାର ମୃତ୍ୟୁ ଘଟିଛି ବୋଲି ସେ ଆଶଙ୍କା କରନ୍ତି । ଷ୍ଟୁଡ଼ିଓ ସାରା କେବଳ ଗୋଟିଏ ନାରୀର ଚିତ୍ର–ସବୁଗୁଡ଼ିକ ସୁନ୍ଦର ଓ ଏକା ଭଳି । କିନ୍ତୁ ସେ କହନ୍ତି ଯେ ସେଗୁଡ଼ିକ ପୂର୍ବର ଚିତ୍ର ଭଳି ନୁହେଁ । ଏଗୁଡ଼ିକରେ ପ୍ରାଣର ସଂଚାର ନାହିଁ ବୋଲି ଅନୁଭବ କରନ୍ତି । ସେଥିପାଇଁ ସେ ଆହୁରି ଏକ ଜୀବନ୍ତ ଚିତ୍ର ଆଙ୍କିବାକୁ ଲାଗି ପଡ଼ନ୍ତି । କିନ୍ତୁ ହୁଏ ନାହିଁ । କେହି ଯଦି ତାଙ୍କ ପ୍ରତିଭାର ପରିଚୟ ପାଇ କୌଣସି ପ୍ରାକୃତିକ ଦୃଶ୍ୟ, ନିଜର ପ୍ରତିକୃତି କିମ୍ବା ନିଜ ପ୍ରେମିକାର ଚିତ୍ର ଆଙ୍କିବାକୁ ବରାଦ ଦିଅନ୍ତି, ସେ ପ୍ରତିଶ୍ରୁତି ଦିଅନ୍ତି ଅଙ୍କନ କରିଦେବେ ବୋଲି । କିନ୍ତୁ ଯେତେବେଳେ ସେମାନେ ଆସନ୍ତି ନିଜ ବରାଦ ମୁତାବକ ଚିତ୍ର ନେବାପାଇଁ ଶିଳ୍ପୀ ତାଙ୍କୁ ବଢ଼ାଇ ଦିଅନ୍ତି ସେଇ ତନ୍ୱୀର ଚିତ୍ରଗୁଡ଼ିକ । ବିରକ୍ତ ହୋଇ ଫେରିଯାନ୍ତି ସେମାନେ ।

 

“ଫେରଯିବେନି–” ହଠାତ୍ ଟିକିଏ ହସି ଉଠି ଶଙ୍କରବାବୁ ପାଟିକରି ଉଠିଲେ । ହସଟା ନିଜସ୍ଵ ତାଙ୍କର । ଟେବୁଲ ଉପରୁ ଗୋଡ଼ ଉଠାଇ ଆଣି ନିଜର ପୂର୍ବୋକ୍ତିକୁ ପ୍ରତିଷ୍ଠା କରିବା ପାଇଁ କହନ୍ତି–“ମୁଁ କହୁଛି, ସେ ସମ୍ପୂର୍ଣ୍ଣ ପାଗଳ ।”

 

ସୁରସେନ ପୁଣି ଆରମ୍ଭ କରନ୍ତି–ନାଁ ନାଁ କେଭେ ନୁହେଁ । ସେ ଆଦୌ ପାଗଳ ନୁହଁନ୍ତି । ଆପଣ ତାଙ୍କୁ ଭୁଲ ବୁଝୁଛନ୍ତି । ମଝିରେ ମଝିରେ କାହିଁ ଯେ ଏପରି ସେ କରି ବସନ୍ତି, ସେ ନିଜେ ଆଶ୍ଚର୍ଯ୍ୟ ହୋଇ ପରକ୍ଷଣରେ ଅନୁତାପ କରନ୍ତି । ମୋତେ ଅଧିକାଂଶ ସମୟରେ ଡାକି ନିଅନ୍ତି ଫାଲ୍‌ଗୁନୀ ନଦୀ ଧାରକୁ । ଅତି ନିପୁଣ ଭାବରେ ପ୍ରକୃତିକୁ ପ୍ରକାଶ କରନ୍ତି ଚିତ୍ରଗୁଡ଼ିକରେ । ଭାବ ଓ ପ୍ରକାଶ ଭଙ୍ଗୀର ଏକ ଆଶ୍ଚର୍ଯ୍ୟଜନକ ସମନ୍ଵୟରେ ଚିତ୍ରଗୁଡ଼ିକ ପ୍ରାଣ ସ୍ଫୁର୍ତ୍ତ ହୋଇ ଉଠନ୍ତି । ଗୋଟିଏ ଭାବ, ଗୋଟିଏ ଅନୁଭୂତି, ଯାହାକି ଶାଶ୍ୱତ ଓ ସୁନ୍ଦର, ତାହା ସେ ପ୍ରକାଶ କରନ୍ତି ପ୍ରକୃତ କଳାର ଧର୍ମ ରଖି । ବଭିନ୍ନ ପ୍ରକାର ରଙ୍ଗ ନେଇ ଆଙ୍କିବେ ସୂର୍ଯ୍ୟାସ୍ତର ଚିତ୍ର । ସ୍ନାନସାରି ଫେରୁଥିବା ପଲ୍ଲୀବଧୂଗଣଙ୍କ ଅଳସ ଚାଲି ଧରି ରଖିବେ କାନଭାସରେ ରେଖା ଓ ରଙ୍ଗ ପୁଣି ପୁନରାବୃତ୍ତି କରନ୍ତି ଯଶୋଦାଙ୍କ ପାଖରେ କୃଷ୍ଣଙ୍କର ଲବଣୀ ପାଇଁ ଅଳି । ମୁଁ ଏଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୁଏ । ପଚାରେ ଦାଦା–ସେ ମୋତେ ଦାଦା ସମ୍ବୋଧନ କରିବା ପାଇଁ କହିଥିଲେ, କାରଣ ତାଙ୍କର ଠିକ୍ ମୋପରି ଗୋଟିଏ ପୁତୁରା ଥିଲା ଯାହା ଉପରେ ନିଜର ମମତା ସେ ଢାଳି ଦେଇଥିଲେ । ‘ଦାଦା ତୁମେ ତ ବେଶ୍‍ ଭଲ ଚିତ୍ର ଆଙ୍କୁଚ, କିନ୍ତୁ ଲୋକମାନଙ୍କୁ ତାଙ୍କ ବରାଦ ଅନୁଯାୟୀ ଚିତ୍ର କାହିଁକି ଦେଉନାହଁ ? ’

 

“ସେ ଅଳ୍ପ ହସି ଦିଅନ୍ତି ।’’ ପଚାରନ୍ତି–‘ଭଲ ହେଉଚି ଚିତ୍ରଗୁଡ଼ିକ ନା ?’

 

ମୁଁ କହେଁ–‘ହଁ ଠିକ୍ ସୂର୍ଯ୍ୟାସ୍ତ ପରି ଦେଖାଯାଉଛି ।’

 

ତା’ପରେ ପୁଣି ପଚାରନ୍ତି–‘ସେତିକି ? ସେତିକିରେ କ’ଣ ମୋ କଳାର ଧର୍ମ ଶେଷ ହେଇଛି ? ସେଥିରେ ଆଉ କିଛି ଦେଖିପାରୁନ । କିଛି……ମାନେ…… ।’ ହଠାତ୍ ସେ ନୀରବ ରହିଯାନ୍ତି । ତୂଳୀର ପୃଷ୍ଠ ଭାଗକୁ ପାଟି ପାଖରେ ଲଗାଇ ଚାହିଁ ରହନ୍ତି ସାୟଂକାଳୀନ ଦିଗନ୍ତକୁ । କ’ଣ ଯେପରି ହଜି ଯାଇଛି ଜୀବନରେ–ଖୁବ୍ ମୂଲ୍ୟବାନ ଓ ଦୁର୍ଲ୍ଲଭ । ଏକ ସାଥିହରା ପକ୍ଷୀପରି ଜୀବନର ସମସ୍ତ ନିର୍ଯ୍ୟାସ ଯେପରି ମିଶିଯାଉଛି ଧୀରେ ଧୀରେ ସ୍ମୃତିର ଧୂସର ଦିଗନ୍ତରେ ।

 

“ହୁଁ, ସବୁ ହେଉଛି, କିନ୍ତୁ ସେ ଚିତ୍ରପରି ହେଲାନି ।” ମୋ ମୂଳ ପ୍ରଶ୍ନର ଉତ୍ତରକୁ ଖାମଖିଆଲ ହୋଇ ଆଡ଼େଇ ଦେଇ କହନ୍ତି ସେ ।

 

“ମୁଁ ବି ବେଳେ ବେଳେ ବିରକ୍ତ ହୋଇଉଠେ । ଏତେ ଚିତ୍ର ଆଙ୍କୁଛନ୍ତି ଯେ ତରୁଣୀଟିର । ସବୁଗୁଡ଼ିକ ଏକାପରି ଓ ସୁନ୍ଦର । ତଥାପି ସେ କେଉଁ ଏକ ଚିତ୍ର ଆଙ୍କିଥିଲେ ଯେ, ଠିକ୍ ସେଇପରି ହେଉ ନାହିଁ । ପରକ୍ଷଣରେ ମୋ ମନରେ ଆସେ ତାଙ୍କ ପ୍ରତି ଏକ ପ୍ରଗାଢ଼ ସହାନୁଭୂତି ।”

 

“ସେ କିନ୍ତୁ ସବୁବେଳେ ଏକାଗ୍ର ହୋଇ ଠିକ୍ ସେଇପରି ଆଉ ଗୋଟିଏ ଚିତ୍ରାଙ୍କନ ପାଇଁ ଅନବରତ ଚେଷ୍ଟିତ ରହନ୍ତି । ଗୋଟିକର ଅଙ୍କନ ପରେ ମୋତେ ପଚାରନ୍ତି–ସୁରୁ, ଏଇଟା କିପରି ହୋଇଛି କହିଲ ?”–ଏ ପ୍ରଶ୍ନ ସହ ମୁଁ ବଞ୍ଚିବାର ଅଭ୍ୟସ୍ତ । ଏପରି ଚିତ୍ର ଆଙ୍କିବାରୁ ତାଙ୍କୁ ନିବୃତ୍ତ କରିବା ପାଇଁ ମୁଁ ଆଉଥରେ ଚେଷ୍ଟା କରେ–‘ଦାଦା, ଏଇଟା ଖୁବ୍ ଭଲ ହୋଇଛି । ଯେତେଗୁଡ଼ିକ ଆଙ୍କିଲଣି, ଏଇଟା ସବୁଠାରୁ ସୁନ୍ଦର ହୋଇଛି ।

 

“କିନ୍ତୁ ସେ ହସି ଉଠନ୍ତି । ଚିତ୍ରକଳା ବିଷୟରେ ସତେଯେପରି କିଛି ଧାରଣା ନାହିଁ ମୋର । ନିଜକୁ ଲଜ୍ଜିତ ମନେକରେ । କହନ୍ତି ସେ–‘ନା, ସେ ଚିତ୍ର ପରି ହେଲାନି । ମୁହଁଟା ତ ତା’ର ଏତେ ବିଷଣ୍ଣ ନ ଥିଲା । ତା’ଛଡ଼ା ଏ ଆଖି ଦୁଇଟିରେ ଜୀବନର ତରଙ୍ଗ ନଥିଲା ପରି ଜଣା ପଡ଼ୁଛି-

 

“ମୁଁ ନୀରବ ରୁହେଁ । ସେ ପୁଣି ଲାଗିଯାନ୍ତି ତାଙ୍କ କାମରେ । ରିନାଁସା ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ସବୁ କଳାକାରଙ୍କୁ ଅଧ୍ୟୟନ କରନ୍ତି । ଭିନସି, ଭେଲା ସକେଜ୍ ବି ବର୍ମାଙ୍କୁ ଅଧ୍ୟୟନ କରନ୍ତି ନିବିଷ୍ଟ ଚିତ୍ତରେ । ଭେଲାସକେଜଙ୍କ ଅଙ୍କିତ ଚିତ୍ରପଟଗୁଡ଼ିକୁ ଚାହିଁ ଭାବନ୍ତି ତାଙ୍କ ଚିତ୍ରରେ କ’ଣ ଅଭାବ ରହିଯାଉଛି । କିନ୍ତୁ କେଭେ କୃତକାର୍ଯ୍ୟ ହୁଅନ୍ତି ନାହିଁ ବୋଲି ଭାବନ୍ତି । କେଉଁ ଚିତ୍ରର ଚକ୍ଷୁରେ ରଙ୍ଗର ଆଧିକ୍ୟ ତ, କେଉଁଟିର ଓଷ୍ଠାଧାର ଜଡ଼ ହେଲା କିମ୍ବା କେଉଁ ଚିତ୍ରଟା ପୂରା ମୃତବତ୍ ହୋଇଗଲା । ସବୁ ଚିତ୍ରରେ ଯେପରି ଏକ ରହସ୍ୟ ପଦାର୍ଥର ଅଭାବ ରହିଯାଉଛି । ତାହା ଉଦ୍‌ଘାଦନ କରିପାରୁ ନାହାନ୍ତି, ଯାହାକୁ କି ପୂର୍ବ ଚିତ୍ରରେ ପ୍ରକାଶିତ କରିବାରେ ସେ ସମର୍ଥ ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ହେଉ ନାହିଁ ? ଅତି ବ୍ୟାକୁଳ ହୋଇ ଉଠନ୍ତି ସେ । କାତର ହୋଇ ହାତରେ ତୂଳୀକୁ ଧରି, ଶୂନ୍ୟ ଦୃଷ୍ଟିରେ ପଲକ ଶୂନ୍ୟ ନେତ୍ରରେ ଚିତ୍ରଟିକୁ ଚାହାଁନ୍ତି । କ’ଣ ଅଭାବ ରହିଗଲା ଆଉ ? ମୁହଁର ଭାବସହ ହାତର ଭାବ ସାମ୍ୟତା ହରାଇଚି ? ପୃଷ୍ଠ ଭୂମିର ରଙ୍ଗ ଆଉ କ’ଣ ଅଳ୍ପ ଗାଢ଼ ହେବ ? ତନୁରେ ତା’ର ଆଉ ଟିକିଏ ଗୌରବର୍ଣ୍ଣର ରଙ୍ଗ ଦେବେ ? –ନା ସେ ତ ଥିଲା ଶ୍ୟାମାଙ୍ଗୀ । ତେବେ... ତେବେ କ’ଣ ଅଭାବ ରହିଯାଉଛି ଯାହା ଫଳରେ ଚିତ୍ରଟିରେ ପୂର୍ଣ୍ଣତା ଆସୁନାହିଁ । ଆହୁରି ଅଥୟ ହୋଇ ଉଠନ୍ତି ସେ । ନିଜ ଅଲକ୍ଷ୍ୟରେ ଝରିପଡ଼େ କେତେ ଟୋପା ଅଶ୍ରୁ । ସେଇ ଅଶ୍ରୁରୁ ପଢ଼ିହେବ ଏକ ଆଘାତପ୍ରାପ୍ତ ଆତ୍ମାର ଅସମାପ୍ତ ବିଷାଦ ଗୀତିକା । ତଥାପି ନିଜ ଉପରେ ପ୍ରଗାଢ଼ ଆତ୍ମବିଶ୍ଵାସ ନେଇ ଅପେକ୍ଷାରେ ଥା’ନ୍ତି ଗୋଟିଏ ଏବଂ ଶେଷ ସୂର୍ଯ୍ୟାସ୍ତ ହେବ ବୋଲି ।”

 

ସମସ୍ତେ ଶୁଣୁଥିଲେ ମୁଗ୍‌ଧ ହୋଇ ଶିଳ୍ପୀଙ୍କର ରୋମୀଞ୍ଚିତ ଓ କରୁଣ ଜୀବନ କାହାଣୀ ସୁରସେନଙ୍କ ମୁହଁରୁ । ଜଣେ ସାଧାରଣ ଶ୍ରୋତା ଯେପରି ଏକ ଓଜସ୍ୱିନୀ ବକ୍ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ଭାଷଣରେ ମୁଗ୍‌ଧ ହୋଇ ତାଙ୍କରି ମତକୁ ଅତିଶୀଘ୍ର ନିଜେ ଗ୍ରହଣ କରିନିଏ, ସେହିପରି ଶଙ୍କରବାବୁ ଶିଳ୍ପୀଙ୍କର ସମ୍ବନ୍ଧରେ ତା’ର ପୂର୍ବମତ ମନେମନେ ପରିବର୍ତ୍ତନ କରି ନେଉଥିଲେ । ସାନ ପିଲାଟି ଢୁଳେଇ ପଡ଼ିଲାଣି ଚୌକିରେ, ସତେ ସେ ଶୁଣୁଥିଲା ଆରବ୍ୟ ରଜନୀର ରୂପକଥା । ଅଭୟ ବାବୁଙ୍କ ପତ୍ନୀ ସୁରସେନଙ୍କ ପାଖକୁ ଚୌକିଟାକୁ ଟାଣି ଆଣିଲେ ଆଉ ଟିକିଏ ସ୍ପଷ୍ଟ ଭାବେ ଶୁଣିବା ପାଇଁ । ସ୍ନାୟୁଗୁଡ଼ିକ ଉତ୍ତେଜିତ ହୋଇ ଉଠୁଥିଲା ନିଜ ଅଜ୍ଞାତସାରରେ । ଅନ୍ୟ ଯେଉଁମାନେ ପ୍ରଥମେ ଉତ୍ସାହ ପ୍ରକାଶ କରୁନଥିଲେ, ସେମାନେ ଚାହିଁ ରହିଲେ ସୁରସେନଙ୍କ ମୁହଁକୁ ପରବର୍ତ୍ତୀ ଘଟଣା କ’ଣ ଶୁଣିବା ପାଇଁ । ବାକ୍ୟ ଶେଷରେ ପୂର୍ଣ୍ଣଚ୍ଛେଦ ପରି ହଠାତ୍ ପିଅନଟି ପହଞ୍ଚିଲା ହାତରେ ଏକ କାଗଜ ଆବୃତ୍ତ ତୈଳଚିତ୍ର ଧରି । ବୃଦ୍ଧ ଅଭୟ ବାବୁ ସେଟାକୁ ହାତକୁ ନଲେ । ଚାରିପଟେ ବନ୍ଧା ହୋଇଥିବା ସୁତୁଲିର ପାଶକୁ ଟାଣି ଦେଲେ । ଆବୃତ୍ତ ଖବରକାଗଜର ଆସ୍ତରଣ ଗୋଟିକ ପରେ ଗୋଟିଏ କାଢ଼ି ଦେଲେ । ଆଶ୍ଚର୍ଯ୍ୟ ! ଏ କ’ଣ ସେ ଦେଖୁଛନ୍ତି । ନିଜ ବୃଦ୍ଧା ପତ୍ନୀଙ୍କର ଶିରାବହୁଳ ପ୍ରତିକୃତି ପରିବର୍ତ୍ତେ ଏ ଯେ ଏକ ସୁନ୍ଦରୀ ତରୁଣୀର ଚିତ୍ର ! ଏତ ତାଙ୍କ ସ୍ତ୍ରୀଙ୍କର ଯୌବନାବସ୍ଥାର ପ୍ରତିକୃତି । ଚିତ୍ର ତଳେ ଲେଖା ଯାଇଛି ‘ଶେଷ ସୂର୍ଯ୍ୟାସ୍ତ’ ।

 

ଭାବ ବିହ୍ଵଳ ହୋଇ ଅଭୟ ବାବୁ ପାଟି କରି ଉଠିଲେ–“ଦେଖିଲ ଅରୁଣ ଏଇଟା ତ ତୁମର ପ୍ରତିକୃତି ତୁମ ତରୁଣାବସ୍ଥାର ।”

 

ନିଥର ତନ୍ଦ୍ରାଚ୍ଛନ ରାତ୍ରିରେ ଅଳସ ଚକ୍ଷୁପତା ଗହମ ନିଦ୍ରାରେ ଘାରି ଆସୁଥିବା ବେଳେ, ଦୂରରୁ ଭାସି ଆସୁଥିବା କୌଣସି ଏକ ଅତି ପରିଚିତ ଓ ହରାଇଥିବା ସଙ୍ଗୀତର ମୃଦୁଲହର ମନକୁ ଯେପରି ଏକ ଅବ୍ୟକ୍ତ ବେଦନାରେ ଦଗ୍ଧ କରିଦିଏ, ବୃଦ୍ଧା ସେଇପରି ଏକ ଯନ୍ତ୍ରଣା ଅନୁଭବ କଲେ, ଯେତେବେଳେ ଚିତ୍ରଟି ଆକର୍ଷିତ କଲା ତାଙ୍କର କଟୋରଗତ ଓ ସ୍ଵପ୍ନରତ ଚକ୍ଷୁ ଦୁଇଟିକୁ । ଛବିଟିକୁ କମ୍ପିତ ହସ୍ତକୁ ନେଇ କହି ଉଠିଲେ–“ହଁ, ଏଇଟା ତ ମୋର ଛବି । ମୋ ବିବାହର ଠିକ୍ ଅବ୍ୟବହିତ ପୂର୍ବର । ତେବେ…ତେବେ…” ବାକ୍‌ରୁଦ୍ଧ ହୋଇ ଆସିଲା ତାଙ୍କର ।

 

କୋଠରୀଟିରେ ସମସ୍ତେ ନୀରବ ସେତେବେଳେ ।

Image

 

ବୁଲା କୁକୁର ପୋଷା କୁକୁର

 

“ସାନବାବୁ ଦେଖିବ, ଆମ କାଳିଆକୁ ଧୋଅ କଲେ କେମିତି ତାକୁ ଗୋଡ଼େଇଯିବ–ଲେ କାଳିଆ ଲେ......ଧୋ……ଧୋ…….ଅ……କ’ଣ ହେଲା ଯିବୁ ନାହିଁ ? ବଦମାସ, ତୋତେ ଖୁଆଇ ପିଆଇ ଏତେ ମୋଟା କରିଚି କଥା ମାନିବୁ ନାହିଁ ।” ଜଡ଼ା ଜୋରରେ ଗୋଇଠାଏ ମାରିଲା କୁକୁରଟିକୁ । କେଁ କେଁ ହୋଇ ବିଚାରା ନିରୀହ କୁକୁରଟି ଲାଙ୍ଗୁଳ ଗୁଞ୍ଜି ଜଡ଼ା ଗୋଡ଼ ପାଖକୁ ଲାଗି ଆସିଲା ଶରଣ ଭକ୍ଷା ପାଇଁ । ଦୁଇ ତିନିଥର ତା’ ଚାରିପଟେ ଘୂରି ଆସିଲା । ନିଜର ଅପାରଗତା ସ୍ଵୀକାର କରି ଜଡ଼ାର ଛୋଟ ଛୋଟ ଗୋଡ଼ ଦୁଇଟିକୁ ଚାଟିବାକୁ ଲାଗିଲା ବିଷ୍ଠାଖିଆ ଜିଭଟାରେ ।

 

ସାନବାବୁ ହସୁଛନ୍ତି … ହେଁ … ହେଁ … ହେଁ… କାଞ୍ଚି ଜୟ ପରେ ପୁରୁଷୋତ୍ତମ ଦେବ ଯେତେ ଆନନ୍ଦ ଲାଭ କରିନଥିବେ, ତା’ର ଦୁଇଗୁଣ ଆନନ୍ଦିତ ହୋଇଉଠିଲା ବେଲୁ–ଜଡ଼ାର ଏ ଅସହାୟତାରେ ।

 

ଏକ ପରାସ୍ତ ସୈନିକ ପରି ଜଡ଼ା ଲଜ୍ଜିତ ଓ ଅପମାନିତ ବୋଧ କଲା । କିଛିକ୍ଷଣ ପୂର୍ବେ ସେ ବାହୁସ୍ଫୋଟ ମାରି ସାନବାବୁଙ୍କ ସହ ଚ୍ୟାଲେଞ୍ଜ କରୁଥିଲା ଯେ ତା’ର କାଳିଆ ଅକ୍ଷରେ ଅକ୍ଷରେ ତା’ ଆଦେଶ ପାଳନ କରେ । ହନୁମାନ ମଧ୍ୟ ରାମଚନ୍ଦ୍ରଙ୍କର ଏପରି ଅଦେଶ ମାନୁ ନଥିବ–କିନ୍ତୁ ତା’ କାଳିଆକୁ ଧୋ’ କହିଲେ ଅଚିହ୍ନା ଲୋକ ପାଖକୁ ଲମ୍ଫ ପ୍ରଦାନ କରି ଦଉଡ଼ିଯିବ ଭୋ ଭୋ କରି । ସେଦିନ ସେ ଯେମିତି କାଳିଆକୁ ଆଦେଶ ଦେଇଛି, ସେ ଦୌଡ଼ିଯାଇ ଢପାସାଇ ଶୁକୁଟୀ ବୁଢ଼ୀକୁତୀଟାକୁ ପୋଳେ କାମୁଡ଼ି ଦେଲା । ସେ ଯଦି ସେଇ ସମୟରେ ତା’ ବିଶାଳ ହୃଦୟର ପରିଚୟ ଦେଇ ନିରପେକ୍ଷ ଦେଶପରି ମଧ୍ୟସ୍ଥତା କରିନଥାନ୍ତା, ତେବେ ସେ କୁତୀଟିର ପଞ୍ଚଭୂତ ଆତ୍ମା ଉଡ଼ିଯାଇଥାନ୍ତା । ଆଉ କେବେ କେବେ ଯଦି ମାଙ୍କଡ଼ଗୁଡ଼ାକ ପିଢ଼ା ଉପରେ ଚଢ଼ି ନାଉଡଙ୍କ ଉପରେ ଆକ୍ରମଣ କରନ୍ତି, କାଳିଆ ତା’ର ବୀରତ୍ଵ ପ୍ରକାଶ କରିବାରେ ତିଳେହେଲେ ଅବହେଳା କରେ ନାହିଁ । ପିଢ଼ାଟା ସାରା ମାଙ୍କଡ଼ଙ୍କର ଗତିବିଧି ଅନୁଧ୍ୟାନ କରି, କାଳିଆ ଘରଟା ଚାରିପଟ ଏପଟ ସେପଟ ଦୌଡ଼ି ଦୌଡ଼ି ତା’ ଆକ୍ରମଣ ଘାଟି ବାଛିଦିଏ । ରାତିରେ ସାଇଁ ଗର୍ଜୁଥିବା ବେଳେ କାଳିଆ ଯେବେ ନିରବତା ଭଙ୍ଗି ଭୋ ଭୋ କରି ଭୁକି ଉଠେ, ସେତେବେଳେ ଜଡ଼ା ବୁଢ଼ୀମା ଦେହକୁ ଆହୁରି ଲାଗି ଆସେ । ଚୁପ୍‌ଚୁପ୍‌ କହେ–ମା ଚୁର । ବୁଢ଼ୀ ଲୁଗା କାନିଟାକୁ ତା’ ଉପରେ ସଜାଡ଼ି ଦେଉଁ ଦେଉଁ କହେ–ହେତ୍ ଡରୁଆଟା । ଚୋର ନୁହେଁରେ, ଶିଆଳଗୁଡ଼ାକ କୋଳି ଗଛମୂଳେ କୋଳି ଖାଉଛନ୍ତି । ସେଥିପାଇଁ କାଳିଆଟା ଭୋକୁଛି–ଶୋଇପଡ଼ ।

 

କିନ୍ତୁ ଆଜି କାଳିଆ ତା’ର ଆଦେଶ ଲଙ୍ଘନ କରିଛି ବୋଲି ତା’ ମନ ଅନୁଶୋଚନାରେ ଭରିଗଲା । ଏ ଆଦେଶ ଲଙ୍ଘନ ଅକ୍ଷମଣୀୟ । କୌଣସି ସୈନିକ ଏପରି ଆଦେଶ ଅମାନ୍ୟ କରିଥିଲେ ତାକୁ ହୁଏତ ଶାସ୍ତି ମିଳି ସାରନ୍ତାଣି ।

 

ସେ କ’ଣ ଆଉ ସାନବାବୁଙ୍କ ସହ ଚ୍ୟାଲେଞ୍ଜ କରିପାରିବ ? ତାଙ୍କ ସୋନିଟା କ’ଣ ତା’ କାଳିଆଠାରୁ ବେଶୀ ନିର୍ଭୀକ । କେଭେ ନୁହେଁ । ହେଉ ଥରେ ବଳ କଷାକଷି । ଭାରତ ଜିତିବ କି ପାକିସ୍ଥାନ ଜିତିବ ଦେଖାଯିବ । କିନ୍ତୁ ସେଇଟା ଯଦି ଭବିଷ୍ୟତ ଯୋଜନାର ଏକ ବାରୋମିଟର ହୁଏ ତେବେ ତ ସବୁ ସରିଗଲା ।

 

ମନେମନେ ଲଜ୍ଜିତ ହେଲା ଜଡ଼ା । ଗୁମ୍‌ମାରି ଛିଡ଼ା ହୋଇ ରହିଲା ଅଭିମାନୀ ବୋହୂଟି ପରି । ପାଟିରୁ କଥା ବାହାରିଲା ନାହିଁ ।

 

କିଛି ସମୟ ନିରବରେ ବିତିଗଲା । ସ୍କୁଲ ସମୟ ହୋଇଯାଉଛି । ହଠାତ୍ ଏକ ଗୁରୁ ସିଦ୍ଧାନ୍ତରେ ଉପନୀତ ହେଲା । ହାମଲେଟୀୟ ‘‘କରିବି କି ନ କରିବି” ଦ୍ଵନ୍ଦ୍ୱରୁ ସେ ନିଜକୁ ମୁକ୍ତ କରିନେଲା ।

 

ବେଲୁକୁ କହିଲା–ହଉ ସାନବାବୁ, ଚାରିଟା ବେଳକୁ ଦେଖିବା, କିଏ କଥା ମାନୁଚି–ତୁମ ସୋନି ନା ଆମ କାଳିଆ ।

 

ଏହା କହି ବାଡ଼ିଟାରେ କୁକୁରଟା ପିଠିରେ ଜୋରକରି କସି ଦେଲା ଦୁଇ ପାହାର । କୁକୁରଟା ଲାଙ୍ଗୁଳଟାକୁ ବଙ୍କା କରି, ପଛ ଦୁଇ ଗୋଡ଼ ଭିତରେ ପୂରାଇ କେଁ କେଁ କରି ଉଠିଲା । ଥରେ ଜଡ଼ା ମୁହଁକୁ ଅନାଇ ଦେଇ ଓଳି ତଳେ ତଳେ ଦୌଡ଼ି ପଳାଇଲା କେଉଁ ଆଡ଼କୁ ।

 

ଜଡ଼ା ଫେରିଲା ଘରକୁ ।

 

ଫେରୁ ଫେରୁ ଟିକିଏ ଚାହିଁଦେଲା ପଛକୁ । ବେଲୁ ସୋନିର ଝଞ୍ଜିର ଟାଣି ଟାଣି ଅନ୍ୟବାଟ ଦେଇ ଚାଲି ଯାଉଛି । କେଡ଼େ ବଡ଼ଟାଏ ହେଇଛି ମ ସତେ ! ଆଖି ଦୁଇଟା ରଡ଼ ନିଆଁପରି ଜଳୁଛି । ଜିଭଟାକୁ ହାତେ ଲମ୍ବ କରି ଆଗକୁ ବାହାର କରିଛି । ଖାଲି ଟାଣି ହେଉଛି ଝଞ୍ଜିରଟାକୁ । ଜଡ଼ା ଭାବୁଛି ହଃ–ତାଙ୍କର ତ ତାକୁ ମାଂସ ଖାଇବାକୁ ଦେଉଛନ୍ତି–ଦୁଧ ଦେଉଛନ୍ତି । ପୁଣି ବେଲୁ ବାବୁ କହୁଥିଲେ ତାକୁ ସାବୁନରେ ଗାଧୋଇ ଦିଅନ୍ତି । ତା’ କାଳିଆକୁ ସେଇପରି ରଖିଲେ, ସେ କ’ଣ ଏମିତି ହେବ ନାହିଁ ?

 

ବେଲୁ ରହିଗଲାଣି ଚକ୍ଷୁର ଅନ୍ତରାଳରେ, ଜଡ଼ା ମୁହଁ ଶୁଖାଇ ପହଞ୍ଚିଲା ଘରେ ।

 

ଘରେ ପହଞ୍ଚି ମା ସହିତ ଜିଦ୍‌ ଧରିଲା କାଳିଆ ପାଇଁ ଆସିବ ଦୁଧ ଆଉ ମାଂସ ।

 

ବୁଢ଼ୀର ଅନ୍ତରତଳୁ କୋହ ଉଠି ଲୁଚିଗଲା । ସ୍ନେହର ଅଝଟ ନାତିଟିର ଅଗୋଚରରେ ବୁଝାଇବାକୁ ଯାଇ କହିଲା–ଆରେ, ଆମେ ଦୁଧ ମାଂସ କେଉଁଠୁ ପାଇବା ? ବେଲୁ ବାବୁ ତା’ର ସିନା ବଡ଼ଲୋକ–ତାଙ୍କର କୋଠାଘର ତାଙ୍କ ସାଙ୍ଗରେ ବାଦ ମାଇଲେ ହେବନା ?

 

ଜଡ଼ା କ୍ରନ୍ଦନକୁ ଆୟୁଧ ରୂପେ ଧରି ଗଡ଼ିଗଲା ବାହାର ଧୂଳିରେ । ସ୍କୁଲଯିବ ନାହିଁ ବୋଲି ଜିଦ୍‍ଧରି ବସିଲା ।

 

ବୁଢ଼ୀ ବୋଧ ଶୋଧ କରି ବୁଝାଇଲା ବହୁତ । ଡେରି ହେଇଯାଉଛି । ମାଷ୍ଟର ପିଟିବେ । ସ୍କୁଲରୁ ଫେରିଲେ ମାଂସ ଆଣିବା ବୋଲି ଆଶ୍ୱାସନା ଦେଲା ।

 

ଜଡ଼ା ବାହାରି ପଡ଼ିଲା ବହିବସ୍ତାନି ଧରି ସ୍କୁଲକୁ । ଦେଖିଲା ବେଲୁ ଛିଡ଼ା ହେଇଛି ବହି ବାକ୍‌ସଟାକୁ ପିଠିରେ ପକାଇ ରିକ୍‌ସାକୁ ଅପେକ୍ଷା କରିଛି ସେ । ବେଲୁ ଆଗ ଅଛି କହନ୍ତା କି ? ସେ ଉତ୍ତର ଦିଅନ୍ତା, ତା’ କାଳିଆ ପାଇଁ ମଧ୍ୟ ମାଂସ ଆସିବ । ଆଉ ତାଙ୍କ ସୋନିଠାରୁ ସେ ଆହୁରି ବଳିଆ ହେବନା । ବେଲୁ କିଛି କହିଲା ନାହିଁ । ସ୍କୁଲ ବେଳ ହେଇଯାଉଛି ଭାବି ଜଡ଼ା ଚାଲିଲା ଜୋରରେ ।

 

ସ୍କୁଲ ଛୁଟି ପରେ ଜଡ଼ା ଧାଇଁଲା ଘରକୁ । ସ୍କୁଲରୁ ମିଳିଥିବା ଆମେରିକା ଗୁଣ୍ଡ ଦୁଧ ଗରମ କରିବା ପାଇଁ ଚୁଲି ଉପରେ ତାଟିଆ ବସାଇଲା । କାଳିଆକୁ ଖାଇବାକୁ ଦେଇ ପାୱାର ହାଉସ ପଡ଼ିଆକୁ ଯିବ । ବେଲୁ ଅପେକ୍ଷା କରିଥିବ ତାଙ୍କ ସୋନିକୁ ନେଇ–ହେବ ବଳ କଷାକଷି, ମହାଭାରତର ଗୋଟିଏ ପର୍ବ ।

 

ତୁ … ତୁ … କାଳିଆଲେ … ଲେ … କିନ୍ତୁ କାଳିଆ ଆସିଲା ନାହିଁ......

 

ସବୁଦିନ ସ୍କୁଲରୁ ଫେରିଲେ କାଳିଆ ତ ଦାଣ୍ଡ ବାରଣ୍ଡାରେ ବସିଥାଏ, ବାଣ୍ଠିଆ ଜଗନ୍ନାଥ ମନ୍ଦିର ଆଗର ପଥର ସିଂହଟା ପରି, ତା’ରି ଅପେକ୍ଷାରେ ଜଡ଼ାକୁ କିଛି ବାଟ ଦୂରରେ ଆସୁଥିବାର ଦେଖିଲେ, ସେ ଘର ଭିତରକୁ ପଶି ଯାଇ ତା’ ଆସିବା ସମ୍ବାଦଟାକୁ ଦେଇଦିଏ । ତା’ପରେ ସେ ମଧ୍ୟ ଜଡ଼ାସହ ଖାଇବା ପାଇଁ ବସିଯାଏ ।

 

ମା ପାଖରୁ ବୁଝିଲା ସ୍କୁଲକୁ ଗଲାବେଳଠାରୁ କାଳିଆ ଘରକୁ ଫେରି ନାହିଁ ।

 

ରାଗରେ ଜଡ଼ା ଜର୍ଜରିତ ହୋଇଉଠିଲା । “ବଦମାସ କୁକୁର ଆସୁ ଆଜି–କେଉଁଠି ଘୁଅ ଖାଉଥିବ । ତାକୁ କ’ଣ ଦୁଧ ରୁଚିବ ?”

 

ଜୋରରେ ପାଟିକରି ଡାକିଲା କାଳିଆ ଲେ ……ଲେ…..ତୁ…ତୁ…

 

ତଥାପି କାଳଆ ଆସିଲା ନାହିଁ ।

 

ଜଡ଼ା ଭାବି ବସିଲା ସେ ଫେରିଲେ କିପରି ତାକୁ ଦଣ୍ଡ ଦେବ ବୋଲି ।

 

ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲ ।

 

ଜଡ଼ା ଅଧୈର୍ଯ୍ୟ ହୋଇଉଠିଲା । କାଳିଆର ଏପର୍ଯ୍ୟନ୍ତ ଦେଖା ନାହିଁ । ପଡ଼ିଆରେ ବେଲୁ ସୋନିକୁ ନେଇ ବଲ୍ ଖେଳୁଥିବ । ଟୁନା, ଗୁଲିଆ, ମଣ୍ଟୁ ପ୍ରଭୃତି ବଲ୍‌କୁ ଗଡ଼ାଇ ଦେଇ ସୋନି ପଛରେ ଗୋଡ଼ାଉଥିବେ । ନା, ସମୟ ହୋଇଯାଉଛି । କେତେବଡ଼ ଚ୍ୟାଲେଞ୍ଜଟା ! ବେଲୁ ଏତେ ଶସ୍ତାରେ ଓ୍ୱାକଓଭର ପାଇଯିବ ।

 

ଜଡ଼ା ବାହାରି ପଡ଼ିଲା କାଳିଆର ଅନ୍ୱେଷଣରେ ଏକ ଦକ୍ଷ ଗୋଇନ୍ଦା ଇନ୍‌ସପେକ୍ଟର ପରି କୁକୁଡ଼ା ଭାଡ଼ି, ଗୁହାଳ, ଛଣ ଜମା ହୋଇଥିବା ଜାଗା, ଦାଣ୍ଡଘର ଖଟତଳ ସବୁ ତନ୍ନ ତନ୍ନ କରି ଖୋଜିଗଲା । ତଥାପି କାଳିଆର ଦେଖାନାହିଁ । ଓଳି ତଳେ ଗୋଟିଏ ବୁଲା କୁତୀ ଶୋଇଥିଲା । ଜଡ଼ାକୁ ଦେଖି ଦୌଡ଼ି ପଳାଇ ଦୂରରେ ଦେହରୁ ଧୂଳି ଝାଡ଼ି ହେଲା ।

 

ଏଇ କୁତୀଟା ସହ ତା’ କାଳିଆର ବହୁ ଭାବଦୋସ୍ତି । ଆକାଶର ପାହାଚ ପାହାଚ ଡେଇଁ ଡେଇଁ ଓହ୍ଲାଇ ଆସୁଥାଏ ଅନ୍ଧାର । ଆଉ ତାହା ସହ ହାତ ମିଳାଇ ଅଦିନିଆ ବର୍ଷାଟା ଗାଇ ଉଠୁଥାଏ ଗୁଣୁ ଗୁଣୁ ଗୀତ ।

 

ସବୁ ଗଳି କନ୍ଦି ଖୋଜି ଖୋଜି ଥକା ହୋଇ ପଡ଼ିଲାଣି ଜଡ଼ାର ଛୋଟ ଛୋଟ ଗୋଡ଼ ଦୁଇଟା ।

 

ତଥାପି ମନଟା ଥକି ପଡ଼ି ନଥିଲା ।

 

ବର୍ଷା ପାଣିରେ ଭିଜି ଭିଜି ସେ ଖୋଜୁଛି କାଳିଆକୁ ରାସ୍ତା କଡ଼ରେ ବଡ଼ ପଥର ଖଣ୍ତିଏ–କିମ୍ବା ଛୋଟ କାଠ ଗଣ୍ଡିଟିଏ ପଡ଼ିଥିଲେ ତା’ ମନରେ ଭ୍ରାନ୍ତି ଆସେ । ଡାକେ–କାଳିଆ, ଲେ....ଲେ.....ସେ ଡାକରେ ବର୍ତ୍ତମାନ ଆଦେଶ ନାହିଁ କମ୍ବା କ୍ରୋଧର ଚିହ୍ନ ନାହିଁ–ଅଷ୍ପଷ୍ଟ ଡାକଟିରେ ଥାଏ ସ୍ଵଚ୍ଛ ସ୍ଫଟିକ ପରି ନିର୍ମଳ ମମତା ଓ ଅନୁଶୋଚନା ।

 

ଶେଷରେ ଜଡ଼ାର ଆଖି ଦୁଇଟି ପଡ଼ିଲା ଏକ ଅସ୍ପଷ୍ଟ ବସ୍ତୁ ଉପରେ, ରାସ୍ତାଧାରର ବତୀ ଖମ୍ବର ଗୋଟିଏ କ୍ଷୀଣ ଆଲୋକ ରେଖା ଲମ୍ବି ଯାଇଛି ତା’ ଉପରେ । ଜଡ଼ା ଆସିଲା ପାଖକୁ; ହଠାତ୍ ଦେଖି ପକାଇ ରାଗରେ ପଞ୍ଚମ ହୋଇଗଲା । କାଳିଆ ପ୍ରତି ଟିକିଏ ପୂର୍ବରୁ, ଯେଉଁ ସହାନୁଭୂତି ତା’ ମନ ମଧ୍ୟରେ ଉଦୟ ହେଇଥିଲା, ତାହା ସଙ୍ଗେ ସଙ୍ଗେ ଉଡ଼ିଗଲା । ବଦମାସ ଏଇଠି ଶୋଇଛି । ମୋତେ ଖୋଜେଇ ଖୋଜେଇ ଥକେଇ ସାରିଲାଣି । ଚାଲ, ଘରକୁ ଚାଲ୍‌ । ବାନ୍ଧି ପକାଇ ଛେଚିବି ତୋତେ ।

 

ହାତରେ ଧରିଥିବା ଦଉଡ଼ିଟାକୁ ନେଇ ନଇଁ ପଡ଼ିଲା କାଳିଆର ମୁହଁ ପାଖରେ । କାଳିଆ ବେକରେ ଚମଡ଼ା ପଟି । ଏଇ ଚମଡ଼ାପଟିଟା ପାଇଁ ସେ କଚେରୀ ବଜାରର ମୋଚି ପାଖକୁ କେତେଥର ନ ଧାଇଁଚି ।

 

ଆରେ ଇଏ କ’ଣ ! ତା’ ମୁଣ୍ଡରେ ରକ୍ତଗୁଡ଼ାକ ମୁଣ୍ଡା ମୁଣ୍ଡା ହେଇ ଲାଗିଛି ! କାହା ସାଙ୍ଗରେ କଜିଆ କରୁଥିବ ବୋଧହୁଏ, କାମୁଡ଼ି ଦେଇଛି–ଭଲ ହେଇଛି, ଠିକ୍‍ ହେଇଛି । ଏହା କହି ଜଡ଼ା କୁକୁର ବେକଟାରେ ଦଉଡ଼ି ବାନ୍ଧି ଟାଣିଲା । ‘‘ଆବେ……ଛଇ ଦେଖାଉଚୁ । ଚାଲ....... ।”

 

କାଳିଆ ନିଶ୍ଚଳ । ଉଠିଲା ନାହିଁ କିମ୍ବା ଟିକିଏ ହେଲେ ହଲଚଲ ହେଲା ନାହିଁ ତା’ ସ୍ଥାନରୁ-

 

କ’ଣ ହେଇଛି ପରୀକ୍ଷା କରିବା ପାଇଁ ଜଡ଼ା ନଇଁ କାଳିଆର ମୁହଁକୁ ଆଲୁଅ ଆଡ଼କୁ ଦେଖାଇଲା । ହଠାତ୍‌ ଲାଖିଗଲା ତା’ ଚକ୍ଷୁରେ ଭୟର ଝଲକ । କାଳିଆର ମୁହଁକୁ ଚିହ୍ନି ହେଉନାହିଁ-। କଞ୍ଚା ଆମ୍ବଟା ପଥର ମାଡ଼ରେ ଛେଚି ହେଲା ପରି, ତା’ ମୁହଁଟା ଛେଚି ହୋଇ କିପରି ବିକୃତି ଦେଖାଯାଉଛି-। ମୁହଁସାରା ଲାଗିଛି ରକ୍ତଦାଗ ।

 

ଭୋ ଭୋ କରି କାନ୍ଦି ଉଠିଲା ଜଡ଼ା । ଆଦରରେ ମୃତ ଶରୀରକୁ କୁଣ୍ଢାଇ ଧରି ବିକଳ ହୋଇଉଠିଲା ସେ ।

 

ଏକ ନିଷ୍ଠୁର ଆତତାୟୀ ପରି ମାଡ଼ି ଆସୁଥିଲା ରାତ୍ରି ।

 

ଲଣ୍ଠନଟି ହାତରେ ଧରି ବୁଢ଼ୀ ଖୋଜୁଛି ନାତିକୁ ସେଇ ରାତିରେ ଅନ୍ଧକାରରେ । ଖୋଜି ଖୋଜି ଶେଷରେ ସେ ପହଞ୍ଚିଲା, ସେଇବତୀ ଖମ୍ବ ପାଖରେ ।

 

ପଡ଼ୋଶୀ ଘରୁ ସେ ସମସ୍ତ ବିଷୟ ଅବଗତ ହୋଇଛି । ତାଙ୍କ କୁକୁରକୁ ମ୍ୟୁନିସିପାଲିଟି ମେହେନ୍ତର ମାରି ରାସ୍ତା କଡ଼ରେ ପକାଇ ଦେଇଛି । ବୁଲା କୁକୁରଟା ! ସହରରେ ପାଗଳା କୁକୁର ଉତ୍ପାତ କରୁଛନ୍ତି–ମ୍ୟୁନିସିପାଲିଟି ଆଶୁ ପ୍ରତିକାର କରୁଛି ।

 

ଜଡ଼ାର ଅଚେତ ଶରୀରକୁ ଧରି ବୁଢ଼ୀ ଫେରିଲା ଘରକୁ ।

 

ନିଜ ଝାଟିମାଟି ଘରର କାନ୍ଥକୁ ଲାଗି ସାଇର ପାଠାଗାର ପିଣ୍ଡାରେ କେତେଜଣ ବସି ବିଡ଼ି ଟାଣୁଛନ୍ତି ଆଉ ଆଲୋଚନା କରୁଛନ୍ତି ବଡ଼ ପାଟିରେ ।

 

ସହରରେ ପାଗଳା କୁକୁରଙ୍କର ଉତ୍ପାତ । ଚାରିପାଞ୍ଚ ଜଣଙ୍କୁ କାମୁଡ଼ିଲେଣି । ମ୍ୟୁନିସିପାଲିଟିର ଚଉଦ ପୁରୁଷଙ୍କୁ ପିଣ୍ଡ ଦେଉଥାନ୍ତି । ମଝିରେ ଶ୍ରୀବତ୍ସ ବାବୁ ବସି ଖବରକାଗଜଟାକୁ ଦେଖାଉଛନ୍ତି ସମସ୍ତଙ୍କୁ । ସେ ଯେଉଁ ସମ୍ବାଦଟି ପଠାଇଥିଲେ ତାହା ପ୍ରକାଶ ପାଇଛି ଆଜିର କାଗଜରେ । “ସହରରେ ପାଗଳ କୁକୁରଙ୍କ ଉପଦ୍ରବ !’’ କତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ । ନିରପେକ୍ଷ ସାମ୍ବାଦିକ ହିସାବରେ ତାଙ୍କର ସହରର ହାଲଚାଲ ପଠାଇବା କଥା । ସାମ୍ବାଦିକ ସେ । ପୁଣି ‘‘ଦେଶମାତୃକା” ସମ୍ବାଦପତ୍ର ପରି କାଗଜର ସ୍ଵତନ୍ତ୍ର ପ୍ରତିନିଧି । ଯୁବତୀର ଆତ୍ମହତ୍ୟା, କେଉଁ ନାରୀର ଏକ ସଙ୍ଗେ ପାଞ୍ଚଟି ସନ୍ତାନ ଜାତ, ରେଙ୍ଗଟା ମାଝି ନିଜ ସ୍ତ୍ରୀକୁ ହତ୍ୟାକରି ଥାନାରେ ହାଜର ପ୍ରଭୃତି ବଡ଼ ବଡ଼ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ପ୍ରେସକୁ ପଠାନ୍ତି ବିଳମ୍ବ ନ କରି ।

 

ପାଠାଗାର ପିଣ୍ଡାରେ ଏସବୁ ଆଲୋଚନା ବୁଢ଼ୀ ବୁଝିଲା କି ନାହିଁ ଭିନ୍ନ କଥା । କିନ୍ତୁ ସେ ପାଟିର ଗର୍ଜନ ଜଡ଼ାର ନିଦ୍ରାରେ ଯେପରି ବ୍ୟାଘାତ ସୃଷ୍ଟି ନ କରେ, ସେଥିପାଇଁ ଘରର କବାଟ ଓ ଝରକା ବନ୍ଦ କରିଦେଲା ଆଉ ବସିଗଲା ଜଡ଼ାର ଅଚେତ ଶରୀର ପାଖରେ ।

 

ଜଡ଼ା ଦେହରେ ଖଇଫୁଟା ଜ୍ଵର । କେତେ ଡିଗ୍ରୀ ଜ୍ଵର ସେ ହୁଏତ ଜାଣି ନଥିଲା । କିନ୍ତୁ ହାତଟାକୁ ଜଡ଼ାର କପାଳ ଉପରେ ବୁଲାଇ ଆଣିଲା ବେଳେ, ଦେହ ତା’ର ଚମକି ଉଠିଲା, ମୁଣ୍ଡ ତା’ର ଘୂରିଗଲା ।

 

ବହୁ ସମୟ ପରେ ଛୋଟ ଛୋଟ ଆଖି ଦୁଇଟି ଖୋଲି ଜଡ଼ା ଚାହିଁଲା ଶୂନ୍ୟକୁ । ଘର ଚାରିପଟେ ଆଖି ଦୁଇଟା ଘୂରି ଆସିଲା । କାହାକୁ ଖୋଜୁଚି ଆଉ ।

 

ମା’କୁ ?

 

ବାୟାଟା ପରା–କାନ୍ଦନା, ମୁଁ ଏଇଠି ଅଛି, ତୋ ପାଖରେ । ଆଉ ଗୋଟାଏ ଆଣିବୁ । ତୁ ପୋଷିବୁ । କାଳିଆକୁ ପରା ମ୍ୟୁନିସିପାଲିଟି ମେହେନ୍ତର ମାରିଦେଲା ।

 

–କାହିଁକି ? ସେ କ’ଣ କଲା କି ?

 

–ସବୁ ବୁଲା କୁକୁରଙ୍କୁ ପରା ମାରିଦେବା ପାଇଁ ଡିଙ୍ଗରା ଦିଆଯାଇଛି । ପାଗଳା କୁକୁର ସବୁ ମାତିଛନ୍ତି ?

 

–ସୋନିକୁ ତ ମାଇଲା ନାହିଁ ?

 

–ତାଙ୍କର ପରା ପୋଷା କୁକୁରରେ ।

 

–ଆଉ ଆମର ?

 

ବୁଢ଼ୀ କ’ଣ ଉତ୍ତର ଦେବ ଭାବି ପାରିଲା, ନାହିଁ ।

 

ଜଡ଼ାର ପ୍ରଳାପ ଆରମ୍ଭ ହୋଇଛି । ଶୂନ୍ୟକୁ ଜଳ ଜଳ କରି ଅନାଇ ହାତକୁ ମୁଠାଇ ଧରୁଛି–ହେଇ କାଳିଆ ଭୋକୁଛି … ସାନବାବୁ ହସୁଛନ୍ତି ..ମା, କାଳିଆ । ବଦମାସ ଆସୁ.....

 

ଦେଖିବି ତାକୁ...କାଳିଆ ! ତୁ… ତୁ… ତୁ…ଲେ…ଲେ… ଆ ତୋତେ ମୋଟେ ମାରିବି ନାହିଁ…ଆ, ମୋ ସୁନାଟା ପରା ।

 

ଦୂର ଦେବ ମନ୍ଦିରରେ ଦେବତାର ପହଡ଼ ପଡ଼ିବା ସୂଚନା ଦେଇ ବାଜି ଉଠିଲା ଘଣ୍ଟା । ପବନରେ ଭାସି ଆସୁଛି କାହାଳୀ ଓ ଝାଞ୍ଜର ଶବ୍ଦ…

 

ତା’ ସଙ୍ଗେ ସଙ୍ଗେ ଏକ ଅଖ୍ୟାତ କୁଟରରେ ପହଡ଼ ପଡ଼ିବାର ସୂଚନା ଦେଇ ଶୁଣାଗଲା ବୁକୁଫଟା ଆତ୍ମାର କ୍ରନ୍ଦନ ।

 

ପାଖ ଘରୁ ବେଲୁର ସୋନି ଏକ ଲମ୍ବିଳ ଭିତ୍ତି ସଂଚାରକ ସ୍ଵରର ତୀର ନିକ୍ଷେପ କଲା ରାତିର ଅନ୍ଧକାର ବକ୍ଷରେ ।

Image

 

ତନ୍ଦ୍ରାଳସା

 

ବହୁଦିନ ପରେ ଚନ୍ଦ୍ରନାଥଙ୍କ ମନଗହନ ତଳର ସୂକ୍ଷ୍ମ ଭାବରାଶି ରୂପ ନେବାକୁ ଯାଉଛି । ଯେତେବେଳେ ସେ ଧଳା କାନ୍‌ଭାସରେ ଶେଷଥର ପାଇଁ ତୂଳୀ ବୁଲାଇ ଆଣିବେ, ସେତେବେଳେ ସାରା ବଶ୍ଵ ତାଙ୍କର ସର୍ଜ୍ଜନ ଶକ୍ତିର ପରିଚୟ ପାଇବ ।

 

କିନ୍ତୁ ସେ ନିଜେ ବେଶୀ ଖୁସି ହେବେ କାରଣ ଅନେକ ବର୍ଷର ଇପ୍‌ସିତ କଳ୍ପନାର ଏକ ଚିତ୍ର ରୂପ ପାଉଛି ଆଜି ତାଙ୍କରି ହାତରେ । ବୈଷମ୍ୟ ଭିତରେ ସେ ଯେତେବେଳେ ଏକ ସମନ୍ଵୟ ଆଣିପାରିବେ ଏଇ ପର୍ଚ୍ଚ ଉପରେ, ସେତେବେଳେ ଏକ ଆତ୍ମତୃପ୍ତିରେ ଭରି ଉଠିବ ତାଙ୍କ ମନ ।

 

ଗୌରବର୍ଣ୍ଣା ତନ୍ୱ ଦେହରେ ନୀଳ ଶାଢ଼ି ପରି ମନର ଆକାଶରେ ଯେଉଁ କୃଷ୍ଣ ବଳାହକ ଆଚ୍ଛନ୍ନ କରିଥିଲା, ତାହା କଟି ଯାଉଛି ଆସ୍ତେ ଆସ୍ତେ ।

 

ଚନ୍ଦ୍ରନାଥ ଆନନ୍ଦିତ ହୋଇ ଉଠୁଥିଲେ । ଶସ୍ୟର ପ୍ରାଚୁର୍ଯ୍ୟ ନେଇ ରମଣୀୟ କ୍ଷେତବିତାନ ସତେ ଛିଡ଼ା ହୋଇଛି କୃଷକ ଆଗରେ ।

 

‘ପଦ୍ମା’–ଅନୁଚ୍ଚ ସ୍ଵରରେ ଡାକିଲେ ଚନ୍ଦ୍ରନାଥ । ସ୍ଵରରେ ଉତ୍କଣ୍ଠା । ପଦ୍ମାଙ୍କର ବିଳମ୍ବ ତାଙ୍କୁ ଅସହ୍ୟ ବୋଧ ହେଉଛି । ତୂଳୀ, ରଙ୍ଗପାତ୍ର ନେଇ ସେ ଆଉ କେତେ ସମୟ ଅପେକ୍ଷା କରିବେ ? କିନ୍ତୁ ମନରେ ଯେଉଁ ଉତ୍କଣ୍ଠା......ନା, ଅସହ୍ୟ । ପୁଣି ଆଉଥରେ ଡାକି ଉଠିଲେ ଶିଳ୍ପୀ,–‘ପଦ୍ମା’ ।

 

ସୁସଜ୍ଜିତ ବେଶରେ ପଦ୍ମା ପ୍ରବେଶ କଲେ ନିରାଡ଼ମ୍ବର କ୍ଷୁଦ୍ର କୋଠରୀ ଭିତରେ । ସାରା ଶରୀର ତାଙ୍କର ଚଞ୍ଚଳତା । ଚକ୍ଷୁଧାରର କଜଳରେଖା ଆକର୍ଣ୍ଣ ବିଲମ୍ବିତ । ସୀମନ୍ତରେ ଝୁଲୁଛି ଏକ ସୁବର୍ଣ୍ଣ ଟିକା । ମଥା ଉପରେ ଏକ ଝୀନ ନୀଳ ଉତ୍ତରୀ ଚୁମ୍ବନ କରୁଛି ଚୂର୍ଣ୍ଣକୁନ୍ତଳକୁ ।

 

ଚନ୍ଦ୍ରନାଥ ଚମକି ଉଠିଲେ ପଦ୍ମାର ଏ ରୂପରେ; ଡରରେ ନୁହେଁ–ପଦ୍ମାର ଏପ୍ରକାର ପରିସ୍ଥିତି ତାଙ୍କ ପକ୍ଷରେ ଥିଲା ସମ୍ପୂର୍ଣ୍ଣ ଅହେତୁକ ଓ ଅପ୍ରତ୍ୟାଶିତ ।

 

ଗୋଟିଏ ଶିଳ୍ପୀର ପତ୍ନୀ ଏଇ ପଦ୍ମା–ନା, କେବଳ ପତ୍ନୀ କହିଲେ ଭୁଲ୍‍ ହୋଇଯିବ । ପଦ୍ମା ହିଁ କଳାକାରଙ୍କ ଭାବ ଓ ଭାଷାର ରୂପକ ।

 

ପଦ୍ମାଙ୍କ ସର୍ବାଙ୍ଗରୁ ସତେ ନିର୍ଗତ ହେଉଛି ଏକ ଲାବଣ୍ୟମୟ ଜ୍ୟୋତି । ତାଙ୍କ ଅନ୍ତର ଭିତରେ ନିଶ୍ଚୟ ଭରିଥିବ କମନୀୟତା; ନଚେତ୍ ବାହରଟା ଏତେ ସୁନ୍ଦର ହୁଅନ୍ତା କିପରି ? ଉର୍ବଶୀ ତ ନୁହନ୍ତି ସେ ?

 

“ଏତେ ବଳମ୍ବ କଲ କାହିଁକି ପଦ୍ମା ?” –ପ୍ରଶ୍ନ କଲେ ଚନ୍ଦ୍ରନାଥ । ସ୍ଵରରେ ଥିଲା ଅନୁରାଗ ।

 

“ବିଳମ୍ବ.... ! କାହିଁ ? ଏଇ ମାସ ଘଣ୍ଟାଏ ହେଲାତ…ଲୁଗାପିନ୍ଧି ଆସୁଛି । ବାପାବୋଉ ସମସ୍ତେ ଶୋଇବାକୁ ବର୍ତ୍ତମାନ ଯେ ଗଲେ ।’’

 

–ଉତ୍ତର ଦେଲା ପଦ୍ମା ।

 

ଘଣ୍ଟାଏ ସମୟ ପଦ୍ମାଙ୍କ ପକ୍ଷରେ ଅଳ୍ପ ନିଶ୍ଚୟ, କିନ୍ତୁ ଚନ୍ଦ୍ରନାଥଙ୍କ ମନରେ ଏଇ ଘଣ୍ଟାଏ ସମୟର ଯେଉଁ ଉତ୍କଣ୍ଠା ତାକୁ ମାପିବ କିଏ ?

 

“ଆଚ୍ଛା, ମୁଁ ତୁମକୁ ଏପରି ବେଶରେ ଆସିବାକୁ ତ କହିନଥିଲି ?” ଚନ୍ଦ୍ରନାଥ କହିଲେ, ‘‘କେୟୁର କଙ୍କଣ, ପଦରେ ବଳୟ, ଗଳାରେ ହେମହାର……କ’ଣ ଥିଲା ଏଥିର ପ୍ରୟୋଜନ ?”

 

ପଦ୍ମା ତଟସ୍ଥ ହୋଇ ଛିଡ଼ା ହୋଇଗଲେ । ଉତ୍ତର ଦେଲେ, “କିପରି ବେଶରେ ଆସିଲେ ତେବେ ଭଲ ହୋଇ ଥାଆନ୍ତା ?” ତୁମେ ଯେ ମୋର ମଡେଲ ଚାହିଁଲ ? –ସେଦିନ ତ ତୁମ ଆର୍ଟ ଗ୍ୟାଲେରୀର ସେଇ କୋଣରେ ଯେଉଁ ଷୋଡ଼ଶୀ ତନ୍ଵୀର ଚିତ୍ରଦେଖି ମୋର ଆଖି ବୁଜି ଯାଇଥିଲା–ସେଇ ଚିତ୍ରର ନାଁ, କ’ଣ.....ଉଁ ମନେପଡ଼ିଲା “ରାଜହଂସୀ’’–ତା’ଠାରୁ ଆହୁରି ସୁନ୍ଦର କରି ମୋତେ ଆଙ୍କି ପାରିବ ? ସେଥିପାଇଁ ଆଜି ଏ ରୂପ ସମ୍ଭାର ଓ ସାଜସଜ୍ଜା ନେଇ ତୁମ ପାଖକୁ ଆସିଛି ।

 

ଚନ୍ଦ୍ରନାଥ ବୁଝିପାରିଲେ ପଦ୍ମାଙ୍କ ଚାତୁରୀ । ସେ ଯଦି ‘ରାଜହଂସୀ’ଠାରୁ ଆଉ ଏକ ସୁନ୍ଦର ଚିତ୍ରର ମଡେଲ ହୋଇ ପାରିବ, ତେବେ ତାଙ୍କର ରୂପଗର୍ବ ବୃଦ୍ଧି ପାଇବ । ସେ ପାଇବେ ସମସ୍ତଙ୍କଠାରୁ ପ୍ରଶଂସା ।

 

ଚନ୍ଦ୍ରନାଥ ବ୍ୟଥିତ ହେଇ କହିଲେ, ‘‘ଦେଖ ପଦ୍ମା ! ମୋର ଏକ ଭାବ ସେଇ ‘‘ରାଜହଂସୀ’ ରେ ପ୍ରକାଶ କରିଛି ବୋଲି ଆନନ୍ଦିତ । ସେଇପରି ଆଉ ଏକ କିମ୍ବା ତା’ ଠାରୁ ସୁନ୍ଦର ଛବି ଆଙ୍କିବାକୁ ମୁଁ ପ୍ରେରଣା ପାଉନାହିଁ । –ବର୍ତ୍ତମାନ ମୋ ଅନ୍ତରର ଭାବ ଉତ୍ସୁକତାକୁ ଯଦି ତମର ଏଇ ନିରାଡ଼ମ୍ବର ପୂର୍ଣ୍ଣ ଓ ସୁସଜ୍ଜିତ ଶରୀରର ମଡେଲରେ ରୂପ ଦେବା ପାଇଁ ଯାଏ, ସେଥିରେ କୃତ୍ରିମତା ପ୍ରକାଶ ପାଇବ ସିନା, ମୋର କଳାର ମୂଲ୍ୟ ରହିବ ନାହିଁ ।

 

ପଦ୍ମା ଚନ୍ଦ୍ରନାଥଙ୍କ ଉକ୍ତି ବୁଝିଲେ କି ନାହିଁ କେଜାଣି, କିନ୍ତୁ ସେ ନୀରବ ରହିଲେ । କିଛିକ୍ଷଣ ପରେ କହିଲେ, ‘‘ତେବେ ମୋତେ ଡାକିଥିଲ । କାହିଁକି !’’

 

ଚନ୍ଦ୍ରନାଥ କହିଲେ, ‘‘ହଁ, ଏହା ଠିକ୍ ଯେ ତୁମର ଏକ ମଡେଲ ନେବି । କିନ୍ତୁ ଏପରି ବେଶରେ ନୁହେଁ । ତୁମକୁ ସମ୍ପୂର୍ଣ୍ଣ ଉଲଗ୍ନାବସ୍ଥାରେ ଏଇ ଶଯ୍ୟାରେ ଶୋଇବାକୁ ହେବ ।’’

 

ପଦ୍ମା କ୍ରୋଧରେ ଥରି ଉଠିଲେ । ସର୍ବାଙ୍ଗ ରକ୍ତାଭ ଧାରଣ କଲା । ଚନ୍ଦ୍ରନାଥଙ୍କ ପ୍ରତି ଘୃଣାରେ ତାଙ୍କ ମନ ଭରିଗଲା । କିନ୍ତୁ ଶିଳ୍ପୀଙ୍କର ସେଥିପ୍ରତି ଦୃଷ୍ଟି ନାହିଁ । ସେ କହି ଚାଲିଲେ, ‘‘ନାଁ ସେତିକି ନୁହେଁ–ତୁମେ ଗୋଟିଏ କଡ଼ରେ ଶୋଇବ–ବାମ ଗୋଡ଼ ଡାହାଣ ଗୋଡ଼ ଉପରେ ରହିବ‌ ଆଉ ଦୁଇ ଅଣ୍ଠୁ...”

 

“ବାସ୍, ସେତିକ ଯଥେଷ୍ଟ...” କମ୍ପିତ ସ୍ଵରରେ କହି ଉଠିଲେ ପଦ୍ମା । ସତେକି ଏକ ଆଗ୍ନେୟଗିରିର ଉଦ୍‌ଗୀରଣ ହେଲା । ‘‘ତୁମକୁ ଲାଜ ଲାଗୁନାହିଁ, ନିଜ ସ୍ତ୍ରୀର ଉଲଗ୍ନ ଚିତ୍ରକୁ ଅନ୍ୟ ଆଗରେ ଦେଖାଇ ପ୍ରଶଂସା ପାଇବାକୁ । ଯିଏ ଦେଖିବ କ’ଣ ଭାବିବ ? ମୁଁ ପାରିବି ନାହିଁ ଏ କାମରେ ।’’

 

ଚନ୍ଦ୍ରନାଥ ପ୍ରସ୍ତୁତ ନ ଥିଲେ ବୋଧହୁଏ । ପଦ୍ମାଠାରୁ ଏହା ଶୁଣିବା ପାଇଁ । ଅତି ବିନୀତ ଭାବରେ କହିଲେ, ‘‘ପଦ୍ମା, ଶୁଣ ତେବେ…ମୋ ରୁଦ୍ଧ ଆବେଗକୁ ଭିତରେ ଧରି କଳ୍ପନାର ଏକ ଛବିକୁ ରୂପ ଦେବାପାଇଁ ଏକ ମଡେଲ ଖୋଜୁଥିଲି ବହୁତ ଦିନ ହେଲା । କିନ୍ତୁ ପାଉ ନ ଥିଲି । ଆଶାର ପକ୍ଷୀ ମୋର ନୀଳକାଶରେ ଘୂରି ବୁଲୁଥିଲା ମୁଠା ମୁଠା ସ୍ଵପ୍ନ ଆହରଣ କରିବାକୁ । ବ୍ୟଥିତ ମନ ଅତଳ ସମୁଦ୍ର ଗର୍ଭରେ ଖୋଜୁଥିଲା ମୁକ୍ତାର ପାହାଡ଼ । ହଠାତ୍ ବୁଲୁ ବୁଲୁ ତୁମକୁ ତୁମ ଗ୍ରାମ ପୁଷ୍କରିଣୀରେ ସ୍ନାନରତା ଥିବା ସମୟରେ ଦେଖିଲି–କଳ୍ପନାରେ ଯେଉଁ ରୂପସୀର ଅନୁସନ୍ଧାନ କରିଥିଲି, ତା’ର ସନ୍ଧାନ ପାଇଲି ତୁମଠାରେ । ମନରେ ମୋର ଜନ୍ମିଲା ପୂର୍ବରାଗ–ତା’ପରେ ତୁମ ସହ ମୋର ବିବାହ ପ୍ରସ୍ତାବ......” ।

 

‘ତେବେ ମୋତେ ବିବାହ କରିଥିଲ ମୋର ଅଶ୍ଳୀଳ ଚିତ୍ର ନେବା ପାଇଁ ? ପଦ୍ମା ଆହତ ସ୍ଵରରେ କହିଲେ । ରାଗ ଓ ଅଭିମାନରେ ସେ କାନ୍ଦି ଉଠିଲେ । କବି–ପ୍ରେମିକ–କଳାକାର ଯେ ସବୁ ପାଗଳ ଏହାର ସତ୍ୟତା ଚନ୍ଦ୍ରନାଥଙ୍କଠାରେ ସେ ଆଉଥରେ ଆବିଷ୍କାର କଲେ । ସେ ଜାଣି ନ ଥିଲେ ପ୍ଳୋଟୋ ତାଙ୍କ ରାଷ୍ଟ୍ରରୁ ଶିଳ୍ପୀମାନଙ୍କୁ ମଧ୍ୟ ବିତାଡ଼ିତ କରିଥିଲେ କି ନାହିଁ । “ନାଁ… ନାଁ… ମୁଁ ଏହା କେଭେଁ କରିବାକୁ ଦେବି ନାହଁ । ସହସ୍ର କ୍ଷୁଧିତ ଆଖି ଆଗରେ ମୋର ନଗ୍ନଚିତ୍ର ହେବ ଉପଜୀବ୍ୟ, ଆଉ ତୁମେ ରେମ୍‌ବ୍ରାଣ୍ଟ କିମ୍ବା ଲିଓନାଡ୍‍ଡା ଭିନ୍‍ସି ହୋଇ ପାଇବ ପ୍ରଶଂସା–ପୁରସ୍କାର……ପଦବୀ !”

 

ମୋତେ ଭୁଲ୍‍ ବୁଝିଲ ପଦ୍ମା–ତୁମକୁ କିଏ କହିଲା ରେମବ୍ରାଣ୍ଟ କିମ୍ବା ଭିନ୍‌ସି ପ୍ରଶଂସା ପାଇଛନ୍ତି ? ଆତ୍ମାରେ ତାଙ୍କର ଯେଉଁ କ୍ଷତ, ଏବେ ସୁଦ୍ଧା ଶତ ପ୍ରଶଂସା ତକୁ ଧୋଇ ପାରିନାହିଁ । ମୁଁ ଏତିକି ଚାହେଁ ପଦ୍ମା, ତୁମର ଏକ ମଡେଲ ନେବି ନଗ୍ନ ଅବସ୍ଥାରେ । ମନାକରନାହିଁ–ଏହା ଅଶ୍ଳୀଳ ନୁହେଁ । କଳା ପାଖରେ ଶ୍ଳୀଳ ଅଶ୍ଳୀଳ, ସୁନ୍ଦର ଅସୁନ୍ଦରର କିଛି ତାରତମ୍ୟ ନାହିଁ । ମୋର ଭାବ ସତ୍ୟର ଭିତ୍ତି ଉପରେ । ସୁତରାଂ ଚିତ୍ରଟି ହୋଇ ଉଠିବ ଧ୍ରୁବ ଓ ସୁନ୍ଦର । ମେଡୋନା କିମ୍ବା ନିଉ ଗିନିର ଗୋଟିଏ ଅସଭ୍ୟ ମୂର୍ତ୍ତିକୁ ସୁନ୍ଦର କିମ୍ବା ଅସୁନ୍ଦର କହିପାର କିନ୍ତୁ ଉଭୟେ କଳାର ସୃଷ୍ଟି ।

 

ପଦ୍ମା ହତବାକ୍ ହୋଇ ପଡ଼ିଲେ–ଆଖିରେ ଜକେଇ ଆସିଲା ଅଶ୍ରୁ–ପଚାରିଲେ, ‘‘ତୁମର ଅନ୍ତର୍ନିହିତ ସୂକ୍ଷ୍ମ ଭାବରାଶିକୁ, ମୋ ନଗ୍ନଦେହର ମଡେଲରେ ପ୍ରକାଶ କରି ତୁମର ଉଦ୍ଦେଶ୍ୟ ସିନା ପୂର୍ଣ୍ଣ ହେବ, କିନ୍ତୁ ମୋର ସେଥିରେ ଲାଭ ?”

 

ଚନ୍ଦ୍ରନାଥ ଉତ୍ତର ଦେଲେ–“ତୁମେ କ’ଣ ଆନନ୍ଦ ପାଇବ ନାହିଁ ସେଥିରେ ? ଯେତେବେଳେ ରେଖା ଓ ରଙ୍ଗ ନେଇ ନିଜର ପ୍ରତିକୃତି ନିଜ ଆଖି ଆଗରେ ଛିଡ଼ା ହେବ, ସେତେବେଳେ ନିଜର ସୌନ୍ଦର୍ଯ୍ୟବୋଧ ସମସ୍ତ ଇନ୍ଦ୍ରିୟଗୁଡ଼ିକୁ ସତେଜ କରାଇ ଦେବ ଚିତ୍ରଟିକୁ ଉପଭୋଗ କରିବା ପାଇଁ । ପକ୍ଷ୍ମପୁଟରେ ଲାଗିଥିବ ସହସ୍ର ଝଲକ, ଶୁଣିବ ସଙ୍ଗୀତର ମଧୁ ଝଙ୍କାର, ପାଇବ କବିତାର ଭାବ ଓ ଲାଳିତ୍ୟ–ଦେଖିବ ନୃତ୍ୟର ଅବାକ୍ ଭଙ୍ଗୀ–ଆଉ ମଧ୍ୟ ଜୀବନ ସଂଗ୍ରାମର ସବୁ ଝଡ଼ଝଞ୍ଜା ଭୁଲିଯିବ କ୍ଷଣିକ ପାଇଁ ।

 

ପଦ୍ମାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା–କଳାର ବାଖ୍ୟା ଶୁଣିବା ପାଇଁ ସେ ଆଉ ପ୍ରସ୍ତୁତ ନ ଥିଲେ । ଏକ ସାମୁଦ୍ରିକ ଝଡ଼ ବେଗରେ ସେ ପଳାଇଗଲେ ସେଠାରୁ ।

 

ରାତ୍ରି । ପଦ୍ମା ଗାଢ଼ ନିଦ୍ରାରେ ବିତନ୍ଦ୍ରା । ନୀରବ ରାତ୍ରି ଦେହରେ ତରଳ ଆଉଟା ରୁପା ପରି ଢାଳି ହୋଇ ପଡ଼ିଛି ଚନ୍ଦ୍ରକିରଣ । ଝରକା ଦେଇ ଆସୁଥିବା ଜ୍ୟୋତ୍ସ୍ନାର କେତୋଟି ଢେଉ ପଦ୍ମାଙ୍କର ଅସଯତ୍ନ ବେଶ ଓ ଅର୍ଦ୍ଧନଗ୍ନ ଶରୀରରେ ମଥା ପିଟୁଛନ୍ତି । ବାହାରେ ଶୀତଳ ବାତ୍ୟା ଲହରରେ ଗୃହ ସଂଲଗ୍ନ ନିମ ଗଛର ବିଲମ୍ବିତ ଶାଖାଟି ଗୃହ ଶୀର୍ଷରେ ସୃଷ୍ଟି କରିଥାଏ ଏକ ଅପୂର୍ବ ମର୍ମର l ଦୂର ଶାଳ୍ମଳୀ ବୃକ୍ଷରୁ ଶୁଭୁଥାଏ ଏକ ନାମହୀନ ରାତ୍ରି ବିହଙ୍ଗୀର ସଙ୍ଗୀତ l

 

ଚନ୍ଦ୍ରନାଥ ବାହାରକୁ ଚାହିଁଲେ–ନିର୍ମେଘ ଆକାଶ–ଯୁଦ୍ଧ ସମୟରେ ସମୁଦ୍ର ବକ୍ଷରେ ଜାହାଜ ପରି ଜଳଭାରହୀନ ଶୁଭ୍ର ମେଘଖଣ୍ଡ ଆକାଶରେ ପହରା ଦେଉଛନ୍ତି ।

 

ଏ ରାକା ନିଶୀଥର ଚରିତ୍ର କି ସୁନ୍ଦର ! ଏଇ ସମୟରେ ସେ ନେବେ ପଦ୍ମାର ପ୍ରତିକୃତି-

 

ପଦ୍ମା ଅର୍ଦ୍ଧନଗ୍ନା ହୋଇ ଶୋଇଛନ୍ତି ଶଯ୍ୟା ଉପରେ । ବିତତ କେଶ–ଶିଥିଳ ବେଶଚର୍ଯ୍ୟା–ନିମଗଛର ପତ୍ର ଫାଙ୍କ ଦେଇ ଚେନା ଚେନା ଚନ୍ଦ୍ରକିରଣ ପଡ଼ୁଛି ଦେହରେ । ଶରୀରଟିକୁ ଦେଉଥାଏ ଜୀବନ୍ୟାସ । ବିଚ୍ଛିତି ପଡ଼ିଛି କଇଁଫୁଲର ପାଖୁଡ଼ା ଗୁଡ଼ାଏ । କେତେ ଶୀତଳ ଓ ସ୍ନିଗ୍ଧ । ଚନ୍ଦ୍ରକାନ୍ତ ସ୍ତନଧାରରୁ ଧୀରେ ଟାଣି ଆଣିଲେ ଶାଢ଼ିଟିକୁ । ତାଙ୍କ ହାତରେ ଖସିପଡ଼ିଲା ଗୁଡ଼ାଏ ଅଗସ୍ତି ଫୁଲର ପାଖୁଡ଼ା ।

 

ଭୀରୁ ଚନ୍ଦ୍ରକାନ୍ତ ଆଙ୍କିଗଲେ ପଦ୍ମାର ନିଦ୍ରା-ବିଭୋରିତ ଶାୟିତା ପ୍ରତିକୃତି ନିଜ ସୌଖୀନ ମନର ଏକ ଭାବକୁ ରୂପ ଦେବା ପାଇଁ । ଚିତ୍ରଟି ଆଙ୍କିସାରି ବାରମ୍ବାର ଚାହିଁଲେ ପଦ୍ମା ଆଡ଼େ–ତା’ଠାରେ ଚିତ୍ର ଆଡ଼େ ।

 

ନିଜ ଚକ୍ଷୁରେ ଅବାକ୍‍ର ମୁଦ୍ରା । ସୃଷ୍ଟି-କଳିକା ଶାଶ୍ଵତ ସୌନ୍ଦର୍ଯ୍ୟରେ ପୁଷ୍ପିତ । କି ଚମତ୍କାର ଅଭିବ୍ୟଞ୍ଜନା ! ନଗ୍ନତା ହିଁ ତା’ର ଆଭରଣ ।

 

ଚିତ୍ର ତଳେ ଲେଖିଦେଲେ ‘ତନ୍ଦ୍ରାଳସା’ ।

 

ପ୍ରାଣସ୍ଫୂର୍ତ୍ତି ପ୍ରତିକୃତି ନିଜର ସ୍ଵରରେ ସେଇ ତନ୍ଦ୍ରାଚ୍ଛନ୍ନ ରଜନୀ ବକ୍ଷରେ ସୃଷ୍ଟି କରୁଥିଲା ଏକ ଅନିର୍ବଚନୀୟ ବେଦନାର ଆଲୋଡ଼ନ ।

 

ସେଇ ବର୍ଷ ପ୍ୟାରିସ୍‍ ନଗରୀରେ ଅନୁଷ୍ଠିତ ହେଲା ଏକ ଆନ୍ତର୍ଜାତିକ କଳା ପ୍ରଦର୍ଶନୀ । ଚନ୍ଦ୍ରନାଥ ଭାରତୀୟ ପ୍ରତିନିଧି ଦଳଙ୍କ ସହ ନିଜର କଳାର ପ୍ରଦର୍ଶନ ପାଇଁ ଯାତ୍ରା କଲେ ପ୍ୟାରିସ୍ ।

 

ଚନ୍ଦ୍ରନାଥଙ୍କ ପ୍ରତିଷ୍ଠା ହେଉ ବୋଲି କାମନା କରି ହସି ହସି ବିଦାୟ ଦେଲେ ପଦ୍ମା l

 

ପ୍ରଦର୍ଶନୀରେ ସର୍ବୋତ୍କୃଷ୍ଟ କଳାକୃତି ଭାବେ ବିବେଚିତ ହୋଇଥିଲା ‘‘ତନ୍ଦ୍ରାଳସା’’ । ପ୍ରଦର୍ଶନୀ ପ୍ରାଙ୍ଗଣରେ ଚନ୍ଦ୍ରନାଥଙ୍କ ଆଙ୍କିତ ଛବି ଦର୍ଶନ ପାଇଁ ବହୁ ଜନ ସମାଗମ ହେଲା । କଳା ସମାଲୋଚକମାନେ ପତ୍ରପତ୍ରିକାରେ ଚନ୍ଦ୍ରନାଥଙ୍କ ପ୍ରତିଭାର ଭୂୟସୀ ପ୍ରଶଂସା କରିବାକୁ ଲାଗିଲେ । କୌଣସି କୌଣସି ଶିଳ୍ପପତି ନିଜର ସୌଖୀନ ମନର ପରିଚୟ ଦେବାକୁ ଯାଇ ଯଦି ଚିତ୍ରଟିକୁ କ୍ରୟ କରିନେବା ପାଇଁ ଜଣାନ୍ତି, ଚନ୍ଦ୍ରନାଥ ମନା କରି ଦିଅନ୍ତି । ଚିତ୍ରଟିକୁ ସେ ବିକି ଦେବେ ? ତା’ର ପୁଣି ଦାମ ? ତା’ର ମୂଲ୍ୟ କେହି ଦେଇପାରବେ ନାହିଁ ତାଙ୍କୁ ।

 

ପୃଥିବୀର ବିଭିନ୍ନ ପତ୍ରିକା ଓ ସମ୍ବାଦପତ୍ରରେ ଛବିଟିର ପ୍ରକାଶ ଓ ପ୍ରଚାର ହେଲା ପରେ ଭାରତରେ କେଉଁ ଏକ ଅଖ୍ୟାତ ସହରର ଏକ ମଧ୍ୟବିତ୍ତ ପରିବାରରେ ଯେତେବେଳେ ଗୋଟିଏ ପ୍ରାନ୍ତୀୟଭାଷାରେ ଖବରକାଗଜ ନିଜ ବକ୍ଷରେ ଛବିଟିର ସ୍ଵାକ୍ଷର ନେଇ ପହଞ୍ଚିଲା, ସେତେବେଳେ ସେ ପରିବାରରେ ଜଳିଉଠେ ବହ୍ନି ।

 

ପଦ୍ମା ସମ୍ବାଦପତ୍ରରେ ନିଜର ଉଲଗ୍ନ ପ୍ରତିକୃତି ଦେଖି ଚମକି ଉଠିଥିଲେ ।

 

ପିତା-ମାତା, ବନ୍ଧୁ-ବାନ୍ଧବ ଚନ୍ଦ୍ରନାଥଙ୍କ ଉଦ୍ଦେଶ୍ୟରେ କରିଲେ ଭର୍ତ୍ସନା, ତିରସ୍କାର ।

 

ପୃଥିବୀରେ କଳାକାର ଚନ୍ଦ୍ରନାଥଙ୍କ ପ୍ରତିଷ୍ଠା ଓ ପ୍ରଶଂସା, ପୁଣି ନିନ୍ଦା ଓ ଅପବାଦ–ବିଚିତ୍ର ସମନ୍ଵୟ । ନିଜ କଳା ମାଧ୍ୟମରେ ବିଭିନ୍ନତା ଭିତରେ ଯେପରି ସେ ତୋଳିଛନ୍ତି ଐକ୍ୟ ।

 

ଚନ୍ଦ୍ରନାଥ ଫେରି ଆସୁଛନ୍ତି ଆଜି । ହଁ, ଶିଳ୍ପୀ ସୁଦୂର ପ୍ୟାରିସ୍‌ରୁ ଫେରୁଛନ୍ତି ବିଜୟଟିକା ପିନ୍ଧି । ପଦ୍ମାଙ୍କୁ ସେ ତୋଳିନେବେ ଦୁଇ ହାତରେ । ତାଙ୍କର ପ୍ରାଣର ସ୍ପନ୍ଦନକୁ ବୁଝାଇବାକୁ ଚେଷ୍ଟା କରିବେ । ତାଙ୍କ ଅଗୋଚରରେ ଯେଉଁ ନଗ୍ନ ପ୍ରତିକୃତି ଆଙ୍କିଛନ୍ତି ସେଥିପାଇଁ ସେ କ୍ଷମାଭିକ୍ଷା ମାଗିବେ ଏବଂ ଉପହାର ଦେବେ ସେଇ “ତନ୍ଦ୍ରାଳସା’’ ଛବିଟିକୁ । ପଦ୍ମାପାଇଁ ସିନା ଆଜି ଏତେ ସମ୍ମାନ ଓ ପ୍ରତିଷ୍ଠା ।

 

ଘର ପାଖରେ ପହଞ୍ଚିଗଲେ ଚନ୍ଦ୍ରନାଥ । ଆଖିରେ ପଡ଼ିଲା ନିଜ ଘରୁ ବାହାରି ଆସୁଛି ଏକ ଶୋଭାଯାତ୍ରା ।

 

ବନ୍ଦନୀୟ ଶିଳ୍ପୀଙ୍କୁ ଅଭ୍ୟର୍ଥନା ପାଇଁ ସେ ଶୋଭାଯାତ୍ରାର ଆୟୋଜନ ନ ଥିଲା;–ସେ ଶୋଭାଯାତ୍ରା ଥିଲା ଏକ କ୍ଷତ ବିକ୍ଷତ ମନର ଶାନ୍ତି ପାଇଁ ।

 

ଚନ୍ଦ୍ରନାଥ ଦୌଡ଼ିଗଲେ ଶବ-ଶୋଭାଯାତ୍ରା ଆଡ଼େ । ଝଡ଼ ପରେ ନଷ୍ଟନୀଡ଼ର ଶାବକଭରା ବିହଙ୍ଗ ପରି ପାଗଳ ହେଇ ଉଠିଲେ । ତାଙ୍କ ସୃଷ୍ଟି ଧ୍ୱଂସର ଲୋଳଜିହ୍ଵା ନା ସୃଷ୍ଟିର ଅଭିଜ୍ଞାନ; ମୃତ୍ୟୁର ପ୍ରସାରିତ ହାତ ନା ନବ ଜାତକର ମେରୁପ୍ରଭା । ପାଟିରୁ ଅସ୍ପଷ୍ଟ ଗୁଞ୍ଜରତା ଶୁଘା ଯାଉଥାଏ ‘‘ତନ୍ଦ୍ରାଳସା ମରି ନାହିଁ ।”

Image

 

ନାଲି ଶାଢ଼ି

 

ରାତି ଦଶଟାରୁ ଊର୍ଦ୍ଧ୍ଵ, ହେବ । ପୌଷର ନିର୍ଜନ ଶୀତ ରାତ୍ରୀ ମ୍ଳାନ ଚନ୍ଦ୍ରାଲୋକରେ ଦିଶୁଥାଏ ମାୟାବିନୀ । ନିଶୂନ ରାସ୍ତାରେ କାଁ ଭାଁ ରିକ୍‌ସାଟାଏ ଟିନ୍ ଟିନ୍ ଘଣ୍ଟି ଶବ୍ଦ କରି ସବାରୀ ପାଇଁ ସଙ୍କେତ ଦେଇ ଚାଲିଯାଉଥାଏ । ନୟାସଡ଼କର ଦୁଇପାର୍ଶ୍ଵରେ ଥିବା ଦୋକାନଗୁଡ଼ିକର କବାଟ ପଡ଼ିବାର ଶବ୍ଦ ଶୁଭୁଥାଏ ବେଳେ ବେଳେ । ସେଠ୍ ବାବୁଲାଲ୍‌ଜୀ କ୍ୟାସ ବାକ୍‌ସରେ ଚାବି ଦେଇ ଆଉଥରେ ଭଲ କରି ଦେଖି ନେଲେ–ସବୁ ଠିକ୍ ଅଛି । ବିକ୍ରିକର ଫାଙ୍କିବା ପାଇଁ ଅନ୍ୟ ଯେଉଁ ହିସାବ ଖାତା ତିଆରି କରିଛନ୍ତି, ତାକୁ ତଳିଥାକର ଆବର୍ଜନା ଭିତରୁ ବାହାର କରି ଆଖି ବୁଲାଇ ଆଣିଲେ । ପୁଣି ଫିତା ବାନ୍ଧି ରଖି ଦେଲେ ଯଥା ସ୍ଥାନରେ ।

 

ତା’ ପରେ ସେଲ୍‌ସମ୍ୟାନକୁ କହିଲେ ଭଲରୂପେ କବାଟ ଦେଇ ଚାବି ଦେବାକୁ ।

 

ସେଲ୍‌ସମ୍ୟାନ ବିରାଟ କଲାପ୍‌ସିବ୍‌ଲ କବାଟଟାକୁ ଖସାଇ ଦେବାକୁ ଯାଉଛି, ହଠାତ୍ ଦୋକାନ ତଳର ପଥର ପାହାଚ ଦେଇ ଭିତରକୁ ପଶି ଆସିଲେ ଜଣେ ମହିଳା–‘ଅତି କ୍ଷୀପ୍ର ଗତିରେ’ ।

 

ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗରେ ତାଙ୍କର ଥାଏ ଏକ ବନ ପକ୍ଷୀର ଚଞ୍ଚଳତା ।

 

ସେଠ୍‌ଜୀ ଥରେ ସେଇ ଦିଗକୁ ଚାହିଁ ମୁହଁ ବୁଲାଇ ଆଣିଲେ ।

 

‘‘ଲାଇଟ୍ ଅଫ୍ କରି ସୁରେନ୍, ବହୁତ ରାତିହେଲାଣି ।’’ ଭ୍ରୂକୁଞ୍ଚନ କରି ଆଦେଶ ଦେଲେ ସେଲ୍‌ସମ୍ୟାନକୁ । ସିଧା ସିଧା ‘ଦୋକାନ ବନ୍ଦ ହେଲାଣି’ ବୋଲି ନ କହି ବ୍ୟଞ୍ଜନା ଦ୍ଵାରା ମହିଳାଙ୍କୁ ସୂଚାଇ ଦେବା ଶ୍ରେୟସ୍କର ବୋଲି ସେଠ୍‍ଜୀ ଅନୁଭବ କଲେ ।

 

ସେଲ୍‌ସମ୍ୟାନ ଅଗ୍ରସର ହେଲା ଲାଇଟଗୁଡ଼ିକ ଅଫ୍ କରିବା ପାଇଁ । ଲୁଗା ମାପିବା ରଡ଼ଟାରେ ସୁଇଚ୍‌ଟାକୁ ଟେକିଦେବା ପାଇଁ ଯାଉଛି, ମହିଳାଟି ଚଞ୍ଚଳ ହୋଇ ପଚାରିଲେ–“ଆପଣଙ୍କ ଦୋକାନରେ ନାଲି ଶାଢ଼ି ଅଛି ? ମାନେ, ଗାଢ଼ ନାଲି ଜରିଲଗା ସିଲ୍‍କ ଶାଢ଼ି ଖଣ୍ଡିଏ । ଘରୁ ବାହାରିବାରେ ଡେରି ହୋଇଗଲା ଯେ, ଦେଖିଲି ସବୁ ଦୋକାନ ବଜାର ବନ୍ଦ ହୋଇଗଲଣି । ଯାହାହେଉ ଆପଣଙ୍କ ଦୋକାନ ଏପର୍ଯ୍ୟନ୍ତ ଖୋଲାଅଛି ।’’

 

ବଡ଼ ଆଶ୍ଚର୍ଯ୍ୟ ! ସେଠ୍‌ଜୀ ଭାବିଲେ ବୋଧହୁଏ ମହିଳା ଜଣକ ଶେଷରେ ବୁଝିପାରିଲେ ନାହିଁ । ବର୍ତ୍ତମାନ ସିଧା ସଳଖ ମନା କରି ଦେବାକୁ ପଡ଼ିବ । ଆଉ କେତେବେଳେ ହୋଇଥିଲେ ହୁଏତ ସେ ଆଗ୍ରହର ସହିତ ଗାଣ୍ଠି ଗାଣ୍ଠି ଲୁଗା ଖୋଲି ଚଟାଣ ସାରା ବିଛେଇ ଦେଇଥାନ୍ତେ । ସେଲ୍‌ସମ୍ୟାନ ଉପରେ କୃତ୍ରିମ କ୍ରୋଧ ପ୍ରକାଶ କରି କହିଥାନ୍ତେ–“ସୁରେନ୍, ମେମ୍ ସାହେବଙ୍କୁ ବାଁ ପଟ କେସ୍‌ରୁ ଭଲ ଭଲ ଶାଢ଼ି ଆଣି ଦେଖା । ନୂଆ ଆସିଛି–ବମ୍ବେର ଏକ କମ୍ପାନୀର ହରେକ ରକମ୍ ପ୍ରିଣ୍ଟ ଶାଢ଼ି ।’’ କିନ୍ତୁ ଆଜି ସେଠ୍‌ଜୀଙ୍କ ମନ ଓ ଦେହ ବଡ଼ ଅବଶ ହୋଇପଡ଼ିଲାଣି, ବ୍ୟବସାୟ ମଧ୍ୟ ଖୁବ୍‌ ଭଲ ହୋଇଛି ଆଜି । ତା’ଛଡ଼ା ମହିଳାଟି ଯେ ଲୁଗା ନିଶ୍ଚୟ ନେବେ, ସେଥିପାଇଁ କେଉଁ ଗ୍ୟାରେଣ୍ଟି ଅଛି ? କିଏ ବସି ଖୋଜୁଛି ଏ ଅବେଳାଟାରେ ? ପସନ୍ଦ ହେଲେ ବି ଦାମ ଯଦି ବେଶୀ ହୁଏ, କହିବେ କ’ଣ ନା ମନକୁ ଆସୁନାହଁ–ଆଚ୍ଛା ଥାଉ……କାଲିକି ଆସିବି…...ଆଉ ଦୁଇ ଜାଗା ଦେଖିଆସେ...... ଏହିପରି କେତେ ପ୍ରକାର ଛଳନାର ପ୍ରଶ୍ରୟ ନେଇ ଖସି ଯାଇ ପାରନ୍ତି । ତା’ଠାରୁ ବରଂ ସିଧା ମନାକରିଦେବା ଭଲ ।

 

‘‘ଦେଖନ୍ତୁ ବର୍ତ୍ତମାନ ବହୁତ ରାତି ହେଲାଣି । ଦୋକାନ ବନ୍ଦ କରିବାକୁ ଯାଉଛି । କାଲି ଆସନ୍ତୁ ।” ସେଠ୍‌ଜୀ ମୁହଁରେ ଏକ କୃତ୍ରିମ ହସ ଫୁଟାଇ କହିଲେ । ନିଜ ଅଭିଜ୍ଞତାରୁ ସେ ଜାଣିଛନ୍ତି ଯେ, ବ୍ୟବସାୟର ବୃଦ୍ଧି ପାଇଁ ଏଇ ହସଟା ସବୁଠାରୁ ବଡ଼ ପ୍ରୟୋଜନ । ଗୋଟିଏ ହେଲେ ଗ୍ରାହକ ଯେପରି ଅସନ୍ତୁଷ୍ଟ ହୋଇ ତାଙ୍କ ଦୋକାନ ଦ୍ଵାରୁ ନ ଫେରନ୍ତୁ । ସେଥିପାଇଁ ତାଙ୍କ ହସଟା ଭଲ ବିଜ୍ଞାପନର କାମ ଦିଏ । ତେଣୁ ନୂଆ ପ୍ରକାଶ ପାଇଥିବା ପତ୍ରପତ୍ରିକାର ଉଦ୍ୟୋକ୍ତାମାନେ ତାଙ୍କ ପାଖକୁ ବିଜ୍ଞାପନ ସଂଗ୍ରହ ପାଇଁ ଆସିଲେ ସେଠ୍‌ଜୀ ବାଁରେଇ କହନ୍ତି–“ବ୍ୟବସାୟ ଭଲ ଚଳୁ ନାହିଁ-। ବଜାର ମାନ୍ଦା । ଇନ୍‍କମ ଟେକ୍‌ସବାଲା ଯଦି ଦେଖିବେ, ତେବେ ଚିଲ ପରି ମାଡ଼ିବସିବେ-। ‘‘କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରୁ ନ ଥିଲେ । କିନ୍ତୁ ଟୋକା ସେଲ୍‌ସମ୍ୟାନଟା ଜିଦ୍ ଧରିଲା ଏକ ସୁନ୍ଦରୀ ଚିତ୍ରତାକାରଙ୍କ ଛବି ଥିବା କ୍ୟାଲେଣ୍ଡର ଛପାଇବା ପାଇଁ । ଅବଶେଷରେ ସେଠ୍‌ଜୀ ରାଜି ହେଲେ ଯେ ଏକ ଠାକୁର ମୂର୍ତ୍ତି ଥିବା କ୍ୟାଲେଣ୍ଡର ପ୍ରକାଶ ପାଇବ । ତା’ହେଲେ କ୍ୟାଲେଣ୍ଡର ପାଇଁ ଏତେ ଡିମାଣ୍ଡ ହେବ ନାହିଁ । ସେ ବରାବର କହନ୍ତି–ହସଟା ଅଛି ବ୍ୟବସାୟର ପ୍ରଚାର ପାଇଁ; ପୁଣି କ୍ୟାଲେଣ୍ଡରର କ’ ଣ ପ୍ରୟୋଜନ ?

 

ସେଇ ପରିଚିତ ପ୍ରସାରିତ ହସଟାକୁ ମୁହଁସାରା ଆଉଟିକେ ଖେଳାଇ ଦେଇ ସେଠ୍‌ଜୀ ତାକୁ ବ୍ୟବହାର କଲେ ଏକ ଆୟୁଧ ରୂପେ । ‘‘ଆଜ୍ଞା, କିଛି ଭାବନ୍ତୁ ନାହିଁ, କାଲି ଆସନ୍ତୁ; ହଁ, କାଲି ଆସନ୍ତୁ ।” ପୁଣି କହିଲେ ସେଠ୍‌ଜୀ ।

 

ମହିଳାଟି ଅତି ବ୍ୟସ୍ତ ହୋଇ ଉଠିଲେ । ମୁହଁ ହଠାତ୍ ପାଉଁଶିଆ ହୋଇଗଲା । ଅଧୀର ହୋଇ କହି ଉଠିଲେ–‘‘ଅନୁରୋଧ କରୁଛି ଆପଣଙ୍କୁ–ମୋର ନିହାତି ଦରକାର, ଆଜି ରାତିରେ । ସମୟ ଚାଲିଯାଉଛି । କେବଳ ଖଣ୍ଡିଏ ଭଲ ନାଲିଶାଢ଼ି ଦେଖାନ୍ତୁ । ଜରିଲଗା ସିଲ୍‌କର ଏକ ଗାଢ଼୍‌ନାଲି ଶାଢ଼ି ।’’

ସେଠ୍‌ଜୀ ମହିଳାଙ୍କ ଉତ୍କଣ୍ଠାକୁ ବି ଅଧ୍ୟୟନ କଲେ । ହେଉ, ଡେରି ତ ହେଲାଣି, ଆଉ ପନ୍ଦର-କୋଡ଼ିଏ ମିନିଟ୍ ବିଳମ୍ବ ହେଲେ କିଛି କ୍ଷତି ନାହିଁ । ମହିଳାଙ୍କର ଏ ଆଗ୍ରହତାର ସୁଯୋଗ ନେଇ ଚାଳିଶ ଶଙ୍କା ଦାମ୍‌ର ଏକ ଲୁଗା ପାଇ ଅଶୀ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାବି କରାଯାଇପାରେ । ବ୍ୟବସାୟୀ ଲୋକ ସେ । ଦେଖି, ଚାହିଁ ବ୍ୟବସାୟ ନ କଲେ ଆଜିକାଲି ଯୁଗରେ ଅନ୍ୟମାନଙ୍କ ସହ ତାଳ ଦେଇ କୋଠା ପିଟିବେ କିପରି ? ପୁଣି ଆଜି କେଉଁ ରାଜନୈତକ ଦଳକୁ ଚାନ୍ଦା....କଲି କେଉଁ ରିଲିଫ୍ ପାଣ୍ଠି ପାଇଁ ଦାନ ଇତ୍ୟାଦି ଇତ୍ୟାଦି କେତେ କ’ଣ ଖର୍ଚ୍ଚ ଅଛି । ଭାବି ଭାବି ଶେଷରେ ସେଠ୍‌ଜୀ ସେଲ୍‌ସମ୍ୟାନକୁ କହିଲେ, “ସୁରେନ୍ ମେମ୍ ସାହେବଙ୍କୁ ଲୁଗା ଦେଖା ।”

ସେଲ୍‌ସମ୍ୟାନ ମନେମନେ ବିରକ୍ତ ହୋଇଉଠିଲା–ଆଚ୍ଛା ବେଳରେ ଆସି ପହଞ୍ଚିଲା ଏ ଉଇଚଟା । ହଷ୍ଟେଲ ଆଗରେ ପ୍ରମିକା ସହ ଗୋଟିଏ ଜରୁରୀ ଏନଗେଜମେଣ୍ଟ ଅଛି । ଶୀଘ୍ର ଯିବାକୁ ହେବ । ଏଇ ଆସି ସବୁ ମର୍ଡ଼ର କରିଦେଲା । ବିରକ୍ତରେ ହାତରେ ଧରିଥିବା ରଡ଼୍‌ଟାକୁ ତଳେ ପକାଇ ଦେଇ ଦୁଇ ତିନିଟା ସୋ କେଶ୍ ଖୋଲି ତା’ ଭିତରୁ ବାହାର କଲା ଗଦାଏ ଶାଢ଼ି । ମହିଳାଙ୍କ ସାମ୍ନାରେ ଗଦା କରି ଦେଇ କହିଲା, ‘‘ଦେଖନ୍ତୁ–ଜଲ୍‌ଦି ବାଛନ୍ତୁ, ଆପଣଙ୍କର କେଉଁଟା ପସନ୍ଦ ହେଉଛି ।’’

ମହିଳାଟି ଗୋଟିକ ପରେ ଗୋଟିଏ ଶାଢ଼ି ମନୋନିବେଶ ସହକାରେ ଦେଖିଗଲେ । ବୋଧହୁଏ କୌଣସିଥିରେ ପସନ୍ଦ ଆସୁ ନ ଥାଏ । ସେଥିପାଇଁ ଦୋକାନର ଚାରିଦିଗ ଆଖି ବୁଲାଇ ଆଣୁଥାନ୍ତି, ହୁଏତ ନିଜ ମନ ଅନୁଯାୟୀ ଶାଢ଼ି ଗୋଟିଏ ପାଇଯିବେ ଦୈବାତ୍ l

“ଦେଖିଲେ ଏଇ ଛାପା ଶାଢ଼ିଟା ହେବନା’’ ? ଗୋଟିଏ ଥାକର ଖଣ୍ଡିଏ ଶାଢ଼ି ଟାଣିଆଣି ସେଠ୍‌ଜୀ ଧରିଲେ ମହିଳାଙ୍କ ଆଗରେ ।

ହଠାତ୍ ବୁଲିପଡ଼ି ମହିଳାଟି ଚାହିଁଲେ ସେଠ୍‌ଜୀଙ୍କ ହାତରେ ଥିବା ଲୁଗାଟି ଆଡ଼େ । ଆଖି ପଡ଼ିବା କ୍ଷଣି ହଠାତ୍ କହି ଉଠିଲେ–“ନାଁ, ନାଁ, ଏଇଟା ତ ଗୋଲାପି ରଙ୍ଗ, ତା’ଛଡା ମୋର ପ୍ରିଣ୍ଟ ଶାଢ଼ିର ଦରକାର ନାହିଁ । ମୋର ଦରକାର ଜରିଲଗା ସିଲ୍‌କର ନାଲଶାଢ଼ି ଖଣ୍ଡିଏ । ଗାଢ଼ ନାଲି ।” ଏତିକି ଗଦ୍‌ ଗଦ୍ ହୋଇ କହି ସାରିବା ପରେ ସେ ପୁଣି ଲାଗିଗଲେ ଲୁଗା ଦେଖାରେ । ବିଭିନ୍ନ ସୋ କେଶ୍ ଭିତରେ ଥିବା ଶାଢ଼ିଗୁଡ଼ିକ ଦେଖୁଥାନ୍ତି । କେତେବେଳେ ବା ଚଟାଣରେ ଗଦା ହୋଇଥିବା ଶାଢ଼ିଗୁଡ଼ିକୁ ହାତରେ ଏପଟ ସେପଟ କରି ଲେଉଟାଇ ଥାନ୍ତି । ସେଲ୍‌ସମ୍ୟାନଟି ବିରକ୍ତ ହୋଇ ଉଠୁଥାଏ । ବାଛି ବାଛି ଯେତେ ପ୍ରକାର ଶାଢ଼ି ଦେଖାଇଲେ ବି ଇଆର ପସନ୍ଦ ଆସୁନାହଁ । ରାଗରେ ମନେମନେ କହୁଥାଏ–ତୋ ବାପ ଜନ୍ମରୁ ପିନ୍ଧିଛୁନା ଶାଢ଼ି ? ଅନ୍ୟ ବେଳ ହେଇଥିଲେ ସେ ହୁଏତ ରଙ୍ଗୀନ ଆଲୋକ ସୁଇଚ୍‌ଟାକୁ ଟିପି ଦେଇ ଦୋକାନ ସାରା ଏକ ସ୍ଵପ୍ନିଳ ପରିବେଶ ସୃଷ୍ଟି କରିଦେଇଥାନ୍ତା । ସେଥିରେ ସେ ସିଦ୍ଧ ହସ୍ତ । ସେଇ ଆଲୋକରେ ଗାଧୋଇ ଲୁଗାଗୁଡ଼ିକ କିପରି ଭିନ୍ନ ଭିନ୍ନ ଦେଖାଯାଉଥାନ୍ତେ । ଗ୍ରାହକମାନଙ୍କ ମନରେ ସେ ଆଣି ଦେଇ ପାରିଥାନ୍ତା ଏକ ସୁନ୍ଦର ଭ୍ରାନ୍ତି ଏବଂ ଲୁଗା ପରେ ଲୁଗା ଖୋଲି ଦେଇ ବର୍ଣ୍ଣନା କରି ଯାଇଥାନ୍ତା ସେମାନଙ୍କ ବଂଶର ଇତିହାସ ଏବଂ ଅନର୍ଗଳ କହି ଚାଲିଥାନ୍ତା–“ଏଇ ଲୁଗାଟା । ଏଇଟା ମୋଷ୍ଟ ମଡ଼ର୍ଣ୍ଣ ଡିଜାଇନର–କଲେଜ ଝିଅମାନଙ୍କ ପାଇଁ ଫେସନ ପେରେଡ଼, ଫାଷ୍ଟ କଲର ।”

ସେଲସ୍‌ମ୍ୟାନସିପ୍ ମଧ୍ୟ ଏକ ସୂକ୍ଷ୍ମ କଳା । ସେଥିପାଇଁ ସିନା ସୁରେନ୍ ଚୌଧୁରୀ ମୂର୍ତ୍ତିଟ୍ୟୁଟାଏଲ୍‌ ଇନ୍‌ଷ୍ଟିଚ୍ୟୁଟରୁ ପୋଷ୍ଟାଲ ଟିଉସନ ଦ୍ଵାରା ଏ ବିଦ୍ୟାଟା ହାସଲ କରି ଆଜି ପାଇଛି ଏତେ ବଡ଼ ଚାକିରିଟା । କିଏ କହିବ ସୁରେନ୍ ଭେଗାବଣ୍ଡ ? ବେକାର ?

କିନ୍ତୁ ଆଜି ତା’ର ଆଗ୍ରହ ନଥିଲା ତା’ ସେଲ୍‌ସମ୍ୟାନସିପର ସେଇ ଯାଦୁକରୀ ପ୍ରତିଭା ଦେଖାଇବା ପାଇଁ । ପ୍ରମିଳା ସହ ଏତେ ବଡ଼ ଏନଗେଜମେଣ୍ଟଟା ମାଟି ହେବା ପାଇଁ ଯାଉଛି ।

“ଆଜ୍ଞା ! ଏଇ ଶାଢ଼ିଟା ହେବନା ଦେଖିଲେ ।’’ ଇତ୍ୟବସରରେ ସେଠ୍‌ଜୀ ଅନ୍ୟ ଏକ ଆଲମିରା ପାଖକୁ ଉଠିଯାଇ, ତା’ ଭିତରୁ ଆଉ ଗୋଟିଏ ଲୁଗା ବାହାର କରି ଦେଖାଇଲେ ।

ସୁରେନ ଲୁଗାଟିକୁ ନ ଦେଖି ମଧ୍ୟ ମହିଳାଙ୍କ ଉପରେ ଏକ ମାନସିକ ଚାପ ପକାଇବା ଉଦ୍ଦେଶ୍ୟ ନେଇ, ପ୍ରକାରାନ୍ତରେ ସେଇଟାକୁ କିଣି ନେବାକୁ ଉତ୍ସାହିତ କରିବା ପାଇଁ କହି ଉଠିଲା–ହଁ, ହଁ ଏଇଟା ତ ନାଲି ରଙ୍ଗର ଶାଢ଼ି । ଖୁବ୍ ଭଲ ହୋଇଛି । ଏକ୍‌ସଲେଣ୍ଟ୍ ! ଆପଣଙ୍କ କଲରକୁ ବେଶ୍‌ ମ୍ୟାଚ କରିବ !

କିନ୍ତୁ ମହିଳା ଜଣକ କୌଣସି ଆନନ୍ଦ କିମ୍ବା ଆଗ୍ରହ ପ୍ରକାଶ କଲେ ନାହଁ । ଭଗ୍ନ ମନରେ ଶାଢ଼ିଟିକୁ ହାତକୁ ନେଇ କହିଲେ ‘‘ନା, ଫିକା ନାଲି । ମୋର ପରା ଦରକାର ଗାଢ଼ ନାଲି ରଙ୍ଗର ଶାଢ଼ି ।’’

ଏହା କହୁଁ କହୁଁ ଆସ୍ତେ ଆସ୍ତେ ମୁହଁ ତାଙ୍କର ହତାଶ ଓ ଦୁଃଖରେ କଳା ପଡ଼ି ଆସୁଥାଏ, ଠିକ୍ ସୂର୍ଯ୍ୟାସ୍ତ ପରେ କ୍ରମବର୍ଦ୍ଧମାନ ଅନ୍ଧକାର ପରି । ମୁହଁର ଜ୍ୟୋତି କ୍ରମେ ହଜିଯାଇଥାଏ । ଜ୍ଵଳନ୍ତ ଆଖିଗୁଡ଼ିକ ଦେଖା ଯାଉଥାଏ ପାଂଶୁଳ । ମନରୁ ମରିଯାଉଥାଏ ଚଞ୍ଚଳତା ଓ ସରସତା ।

ସେଠ୍‌ଜୀ ଲକ୍ଷ୍ୟ କଲେ, ଅତି ନିବିଡ଼ତାର ସହ ନିରୀକ୍ଷଣ କଲେ ମହିଳାଙ୍କର ମୁହଁକୁ । ଏପର୍ଯ୍ୟନ୍ତ ସେ ଭଲଭାବେ ଚାହିଁ ନଥିଲେ ତାକୁ । ହଠାତ୍ ଏକ ଶିଶୁ ପରି ଚମକି ଉଠିଲେ–ଆଖିକୁ ବିଶ୍ଵାସ ଆସୁ ନଥାଏ । ଚଷମାର ଲେନ୍‌ସକୁ ଲୁଗାରେ ପୋଛି ଦେଇ ଆଉଥରେ ଗାଢ଼ ଭାବରେ ଚାହିଁଲେ ମହିଳାଙ୍କ ମୁହଁକୁ । ଦେଖିଲେ ମହିଳାଙ୍କ ଶରୀରରେ ବୈଧବ୍ୟର ଚିହ୍ନ । ଅନୁମାନ କଲେ ବୟସ ହେବ ଚବିଶ–ପଚିଶ ମଧ୍ୟରେ । ସେଠ୍‌ଜୀ ବଡ଼ ଆଶ୍ଚର୍ଯ୍ୟ ହେଲେ ମହିଳାଟି ଆସିଛନ୍ତି ନିଜପାଇଁ ଶାଢ଼ି ନେବାକୁ ନା ଅନ୍ୟ କାହା ପାଇଁ ? ସେ କିଛି ଭାବି ସ୍ଥିର କରିପାରିଲେ ନାହିଁ । ପଚାରି ଦେବେ ? ଏପରି ପ୍ରଶ୍ନରେ ମହିଳାଟି ହୁଏତ କିଛି ଭାବିପାରନ୍ତି କିମ୍ବା ତାଙ୍କ ମନରେ ବ୍ୟଥା ଲାଗିପାରେ ।

‘‘ସୁରେନ୍, ଉପର ଥାକରେ ସେଇ ଯେଉଁ ନୂଆମାଲ ଅଛି ସେଇ ଗାଣ୍ଠିଟାକୁ ଆଣ ।” ଗୋଟିଏ ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରି ସେଠ୍‌ଜୀ ସେଲ୍‌ସମ୍ୟାନକୁ କହିଲେ–ବର୍ତ୍ତମାନ ତାଙ୍କ ସ୍ଵରରେ ଥିଲା କିପରି ଏକ ଅସ୍ଵାଭାବିକତା । ସେଲ୍‌ସମ୍ୟାନ୍‌ଟି ଆଶ୍ଚର୍ଯ୍ୟ ହେଲା । କିନ୍ତୁ ବାଧ୍ୟ ହୋଇ ଦୋକାନ କାନ୍ଥରେ ଆଉଜା ହୋଇଥିବା ଲୁହା ସିଡ଼ିଟାକୁ ଉଠାଇ ଆଣିଲା । ହାତକୁ ଲାଗିଲା ଖୁବ୍ ଥଣ୍ଡା । ମନେମନେ ସେଠ୍‌ଜୀ ଓ ମହିଳାଙ୍କ ଉଦ୍ଦେଶ୍ୟରେ ଗାଳିବର୍ଷଣ କଲା । ତା’ପରେ ମାଙ୍କଡ଼ ପରି ସିଡ଼ି ସାହାଯ୍ୟରେ ଉଠିଗଲା ସିମେଣ୍ଟର ରାକ୍‍ ଉପରକୁ । ଦୁଲ୍ କରି ତଳକୁ ଫିଙ୍ଗିଲା ଗାଣ୍ଠିଏ ଲୁଗା । ସେଠ୍‌ଜୀ ସେଟାକୁ ଉଠାଇ ଦେଇ ତା’ ଦେହରୁ ଫିତାଟିକୁ ଟାଣିଦେଲେ । ତା’ ଭିତରୁ ବାଛି ବାଛି ଖଣ୍ଡିଏ ଲୁଗା ରଖିଲେ ମହିଳାଙ୍କ ଆଗରେ । କହିଲେ–‘‘ଦେଖିଲେ ଏଇଟା ହେବନା । ମୋ ଦୋକାନରେ ଏହାଠାରୁ ଆଉ ନାଲି ଶାଢ଼ି ନାହିଁ ।”

ବହୁ ବାଞ୍ଛିତ ପଦାର୍ଥ ଏକ ଅପ୍ରତ୍ୟାଶିତଭାବେ ପାଇଲେ ଯେପରି ଆଖି ଦୁଇଟି ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠେ, ସେହିପରି ମହିଳାଙ୍କର ଚକ୍ଷୁ ଦ୍ୱୟ ହଠାତ୍ ହୋଇଗଲା ଦୀପ୍ତିବାନ-। ସାରା ଶରୀରଟା ତାଙ୍କର ଆନନ୍ଦୋଚ୍ଛ୍ୱାସରେ ଫୁଲି ଉଠିଲା । ଶରୀରଟା ଯେପରି ଏକ ଫେନିଳ ଉତ୍ସୃଙ୍ଖଳ ଢେଉ ! ଏଇପରି ଶାଢ଼ିଟିକୁ ଯେପରି ସେ ମନେମନେ ଖୋଜୁଥିଲେ । ହଁ, ଠିକ୍ ଏଇ ଶାଢ଼ି; ଗାଢ଼ ନାଲି ରଙ୍ଗର ଜରିଲଗା ସିଲ୍‌କ ଶାଢ଼ିଟାକୁ ସତେଯେପରି କେହି ସାତ ଭାଙ୍ଗ କରି ସାଇତି ରଖିଛି ତାଙ୍କ ପାଇଁ–ଆଉ କାହାର ପାଇଁ ସେଟା ହୋଇପାରେନା ।

“ହଁ, ଏଇଟା ହେବ–ବାଃ କି ସୁନ୍ଦର ! କି ଚମତ୍କାର !!” ଏକ ହିଷ୍ଟିରିକ ଚିତ୍କାର କରି ଉଠିଲେ ଆନନ୍ଦର ଆତିଶଯ୍ୟରେ । ଶିଶୁଟିକୁ ତା’ର ହାତ ନ ପାଇବା ଭଳି ସ୍ଥାନରେ ଏକ କ୍ରୀଡ଼ନକ ରଖି ଦେଖାଇଲେ ସେ ଯେପରି ଆନନ୍ଦରେ ଝାମ୍ପଦିଏ ସେ’ଟାକୁ ନେବାପାଇଁ, ସେହିପରି ମହିଳାଟି କ୍ଷୀପ୍ରଗତିରେ ଟାଣିଆଣିଲେ ସେଠ୍‌ଜୀଙ୍କ ହାତରୁ । ନିଜ ଲିଳାୟିତ ଆଙ୍ଗୁଳି ସାହାଯ୍ୟରେ ଅତି ଶୀଘ୍ର ଶାଢ଼ିର ଆବୃତ ପାତଳ କାଗଜଟିକୁ କାଢ଼ି ପକାଇ ଖୋଲିଦେଲେ । ରଙ୍ଗୀନ ଶାଢ଼ିଟିକୁ ଭିଣାତୁଳା ଭଳି ଦୁଇ ହାତରେ ଜାବୁଡ଼ି ଧରିଲେ ଛାତି ପାଖରେ । ଦେହଟା ସାରା ବିଦ୍ୟୁତ୍ ବେଗରେ ଖେଳିଗଲା ଉତ୍ତେଜନା ଓ ଭାବାବେଶର ଢେଉ । କଥାରେ ଓ ମୁହଁରେ ପୁଣି ଫିଟି ଫିଟି ଆସିଲା ପୂର୍ବର ସେ କ୍ଷୀପ୍ରତା ଓ ସରସତା ।

“ଆପଣଙ୍କୁ ବହୁତ ଧନ୍ୟବାଦ–ବହୁତ କଷ୍ଟକଲେଣି ମୋ’ପାଇଁ । କେତେ ଟଙ୍କା ଦେବି-? .....କହନ୍ତୁ । ଇଆର ଦାମ କେତେ ? ଓଃ କି ସୁନ୍ଦର ହୋଇଛି ସତେ ! ଠିକ୍ ଏଇପରି ଶାଢ଼ି ଏକ ମୁଁ ଖୋଜୁଥିଲି ।” ଶାଢ଼ିଟି ଏପଟ ସେପଟ ବାରମ୍ବାର ଲେଉଟାଉଥାନ୍ତି ଏବଂ କହି ଚାଲିଥାନ୍ତି । ସେ ତୃପ୍ତିର ଏକ ଜୀବନ୍ତ ମୂର୍ତ୍ତି ସତେ ।

ମହିଳାଙ୍କର ଉତ୍ସାହ ଓ ଆନନ୍ଦର ପରିଣାମ ଯେଉଁ ବେଗରେ ବୃଦ୍ଧି ପାଉଥାଏ, ସେଠ୍‌ଜୀ ନିଜ ମନ ମଧ୍ୟରେ ତା’ର ଏକ ତୁଳନାତ୍ମକ ଦର ଜୋରରେ ବଢ଼ାଇ ଚାଲିଥାନ୍ତି । ପଇଁଚାଳିଶ ଟଙ୍କାର କୃତ୍ରିମ ସିଲ୍‍କର ଏ ଶାଢ଼ିଟାର ମୁଲ୍ୟକୁ ବଢ଼ାଇ ଦେବେ ଷାଠିଏ ଟଙ୍କା ? ସତୁରି ? ଅଶୀ-? ଯଦିଓ ନବେ ଟଙ୍କା ପର୍ଯ୍ୟନ୍ତ କହିବେ ତଥାପି ମହିଳାଟି ଆଗ୍ରହର ସହ ନେଇଯିବେ ।

“ପଇଁଚାଳିଶ ଟଙ୍କା ଦିଅନ୍ତୁ ।” ସେଠ୍‌ଜୀ କହିଲେ । ‘‘ପଇଁଚାଳିଶ ଟଙ୍କା !” ଲୁଗାଗୁଡ଼ିକ ବାନ୍ଧୁ ବାନ୍ଧୁ ସେଲ୍‌ସମ୍ୟାନଟି ଆଶ୍ଚର୍ଯ୍ୟ ହୋଇ ଥରେ ସେଠ୍‌ଜୀଙ୍କ ଆଡ଼େ ମୁଁହ ବୁଲାଇ ଚାହିଁଲା । ମୁଣ୍ଡରେ ସତେଯେପରି ତା’ର ସିଲିଂଟା ଖସି ପଡ଼ିଲା । ନେଟ୍‍ ତିରିଶ ଚାଳିଶ ଟଙ୍କାର ଲାଭ ଉଡ଼ିଗଲା, ଆଖି ପିଛୁଳାକେ । ସେଠ୍‌ଜୀ ଯେ ଏପରି ଅବିବେକୀ କାମ କରନ୍ତି, ସେ ସ୍ଵପ୍ନରେ ସୁଦ୍ଧା ଭାବି ପାରି ନଥିଲା । ମନେମନେ ଭାବିଲା ହ୍ୟୁମେନ ଉଇକନେସ୍‌–ମାନବିକ ଦୁର୍ବଳତା । “ଆପଣଙ୍କୁ ବହୁତ ଧନ୍ୟବାଦ । ଏଇ ରଖନ୍ତୁ ଟଙ୍କା । ମୋତେ ଆଉ ପଞ୍ଚାବନ ଟଙ୍କା ଦିଅନ୍ତୁ । ଏହା କହି ମନିପର୍ସରୁ ଶହେ ଟଙ୍କିଆ ନୋଟ୍‍ କାଢ଼ି ମହିଳାଟି ବଢ଼ାଇ ଦେଲେ ସେଠ୍‌ଜୀଙ୍କ ହାତକୁ, ଖୁବ୍ ଧନ୍ୟବାଦ । ଯାହାହେଉ ମୋ ମନଲାଖି ଶାଢ଼ିଟିଏ ପାଇଗଲି ।” ଲୁଗାଟିକୁ ନିରୀକ୍ଷଣ କରୁ କରୁ କହି ଚାଲିଥାନ୍ତି ସେ ।

ସେଠ୍‌ଜୀ କେସ୍ ବାକ୍‌ସ ଖୋଲି ଦେଖିଲେ ସବୁ ଶହେ ଟଙ୍କିଆ ନୋଟ୍ । ବିଡ଼ା ବନ୍ଧା ହୋଇ ରହିଛି । ଅନ୍ୟ ପରିମାଣର ନୋଟ୍ ଆଦୌ ନାହିଁ । ଜଣେ ବ୍ୟବସାୟୀଙ୍କୁ କିଛି ସମୟ ପୂର୍ବରୁ ସବୁ ଦେଇ ଦେଇଛନ୍ତି ସେ ।

“ମୋ ପାଖରେ ବର୍ତ୍ତମାନ ପଞ୍ଚାବନ ଟଙ୍କାର ଖୁଚୁରା ହେବ ନାହିଁ, ଆପଣଙ୍କ ପାଖରେ ଯଦି ରେଜା ଟଙ୍କା ଅଛି, ତେବେ ଦିଅନ୍ତୁ ।” ସେଠ୍‌ଜୀ ନୋଟ୍‌ଟି ବଢ଼ାଇ ଦେଉଁ ଦେଉଁ କହିଲେ ।

“ନାଁ ମୋ ପାଖରେ ମୋଟେ ଚେଞ୍ଜ ନାହିଁ । ଆଚ୍ଛା, କିଛି ଚିନ୍ତା କରନ୍ତୁ ନାହିଁ । ମୁଁ ପରେ ଆସି ନେଇଯିବି । ମୋର ବେଳ ହୋଇଯାଉଛି । ମୋ’ପାଇଁ ଯେଉଁ କଷ୍ଟ କଲେଣି ସେଥିପାଇଁ ଅଶେଷ ଧନ୍ୟବାଦ ଜଣାଉଛି । ପ୍ରତ୍ୟେକ ବର୍ଷ ଏଇ ଗୋଟିଏ ରାତିର ଗୋଟିଏ ମୁହୂର୍ତ୍ତ..... ଗୋଟିଏ ଭଗ୍ନ ସ୍ୱପ୍ନ.....ପୁଣି ଥରେ ଅଭିସାରିକା ହେଇ…..ଆଃ ! ନମସ୍କାର ଖୁବ୍ ଧନ୍ୟବାଦ ଆପଣଙ୍କୁ ।” ଭାବାବେଶରେ କଥା କହୁ କହୁ ହଠାତ୍ ରହିଯାଇ ଝଡ଼ ବେଗରେ ଦୋକାନ ଭିତରୁ ଆସି ବସିଗଲେ ଅପେକ୍ଷାରେ ଥିବା ରିକ୍‌ସାରେ ।

ସୁରେନ୍ ନଇଁପଡ଼ି କାଗଜ ଖୋଳ ଖୋଜୁଛି ଶାଢ଼ିଟିକୁ ଭର୍ତ୍ତିକରି ପଞ୍ଚ କରିବ ବୋଲି । କିନ୍ତୁ ମହିଳାଟି ଅପେକ୍ଷା ନକରି ଶାଢ଼ିଟିକୁ ନିଜ ହାତରେ ଧରି ଚାଲିଗଲେଣି । ଖାଲି ଖୋଳଟାକୁ ହାତରେ ଧରି ସୁରେନ୍ ଭାବୁଥିଲା–ପ୍ରମିଳା ସହ ତା’ର ଏନଗେଜମେଣ୍ଟ ଆଜି ମର୍ଡ଼ର ହୋଇଗଲ ।

ସେଠ୍ ବାବୁଲାଲଜୀ କିଂକର୍ତ୍ତବ୍ୟବିମୂଢ଼ ହୋଇ ଛିଡ଼ା ହୋଇଗଲେ କିଛିକ୍ଷଣ । ମହିଳାଟିର ବିଚିତ୍ର ବ୍ୟବହାର ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଥିଲା । ଏଇ କେତୋଟି ମିନିଟ୍ ମଧ୍ୟରେ ସେଠ୍‌ଜୀ ଲକ୍ଷ୍ୟ କରିଲେ ମହିଳାଙ୍କ କଥା ଓ ଭାବଭଙ୍ଗୀରେ ବ୍ୟତିକ୍ରମ । ଆଶ୍ଚର୍ଯ୍ୟ ବ୍ୟାପାର ଇଏ । ମହିଳାଟି ଆସିଛନ୍ତି ଏକାକିନୀ ଏତେ ରାତିରେ ଖଣ୍ତିଏ ନାଲିଶାଢ଼ି କିଣିବା ପାଇଁ । ତାଙ୍କ ନିଜ ପାଇଁ ନା ଅନ୍ୟ କାହା ପାଇଁ ? କଥାବାର୍ତ୍ତାରୁ ଜଣାପଡ଼େ ଏଟା ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ହୋଇପାରେନା । ନିଜ ପାଇଁ ନିଶ୍ଚୟ ହୋଇଥିବ । କିନ୍ତୁ ସେ ଯେ ବିଧବା । ମହିଳାଙ୍କର ଶେଷ କଥାଗୁଡ଼ିକ ଗୋଟିଏ ରାତିରେ ଗୋଟିଏ ମୁହୂର୍ତ୍ତ… । ଟୋଟିଏ ଭଗ୍ନସ୍ଵପ୍ନ’ ଏହାର ଅର୍ଥ କ’ଣ ହୋଇପାରେ ? ପୁଣି କାହିଁକି କେବଳ ନିର୍ଦ୍ଦିଷ୍ଟ ଗାଢ଼ ନାଲିଶାଢ଼ି ପାଇଁ ମହିଳାଙ୍କର ଏତେ ଉତ୍କଣ୍ଠା......ସେଠ୍‌ଜୀ ଭାବି ଭାବି କିଛି ଠିକ୍ କରିପାରିଲେ ନାହିଁ । ସବୁ କିଛି ଗଣ୍ଡଗୋଳ ହୋଇଗଲା ମଥା ଭିତରେ । ରାତିର ଗୁରୁତା ସହ ମଥାଟା ଭାର ହୋଇଉଠିଲା । ନାଁ, ସେ କାଲି ଆସନ୍ତୁ ତାଙ୍କ ଟଙ୍କା ପାଇଁ । ନିଶ୍ଚୟ ମୁହଁ ଖୋଲି ତାଙ୍କୁ ଏକଥା ପଚାରିବେ ନିଜର ସନ୍ଦେହ ମୋଚନ କରିବା ପାଇଁ-

ପରଦିନ ସେଠ୍‌ଜୀ ପ୍ରତୀକ୍ଷା କରି ରହିଲେ ମହିଳାଙ୍କ ଆସିବା ବାଟକୁ । ସାରାଦିନ ଅତିକ୍ରାନ୍ତ ହୋଇଗଲା । କିନ୍ତୁ ମହିଳାଟି ଆସିଲେ ନାହିଁ କିମ୍ବା ଅନ୍ୟ କେହି ଲୋକ ଆସିଲେ ନାହିଁ ଅବଶିଷ୍ଟ ପଞ୍ଚାବନ ଟଙ୍କା ନେବାକୁ । ସେଠ୍‌ଜୀ ଭାବିଲେ ବୋଧହୁଏ ମହିଳାଟି କାଲି ନିଶ୍ଚୟ ଆସିବେ । କିନ୍ତୁ ଦିନପରେ ଦିନ, ମାସପରେ ମାସ ଏଇପରି ବହୁବର୍ଷ ବିତିଗଲା । ମହିଳାଟି ଆଉ ଆସି ନାହାନ୍ତି ଟଙ୍କା ନେବା ପାଇଁ । ସେଠ୍‌ଜୀଙ୍କ ମନ ଭିତରେ ସେଇ ରାତ୍ରିର କୌତୂହଳ ସବୁ ଚିରଦିନ ପାଇଁ ଖୋଦିତ ହୋଇ ରହିଗଲା । ଦୋକାନ ଶୂନ୍ୟ ହୋଇ ଆସିଲେ, କେଉଁ ଅଳସ ମୁହୂର୍ତ୍ତରେ ବସି ବସି ସେ ଭାବନ୍ତି–ଗାଢ଼ନାଲି ରଙ୍ଗର ଶାଢ଼ି ଉପରେ ମହିଳାଙ୍କର ଏତେ ଜୋର୍‌ ଦେବା ଉଦ୍ଦେଶ୍ୟ କ’ଣ ? ନାଲି ରଙ୍ଗର କିଛି ଗୋଟାଏ ତାତ୍ପର୍ଯ୍ୟ ଅଛି ନା ଏହା ଏକ ଖିଆଲ ମାତ୍ର-? ଜଣେ ବିଧବାଙ୍କର ରାତିକ ପାଇଁ ଏକ ସୁନ୍ଦର ଜରିଲଗା ନାଲିଶାଢ଼ି ପାଇଁ ଏତେ ବ୍ୟାକୁଳତା କାହିଁକି.......

Image

 

ପଳାତକ

 

ଅଶୋକବାବୁଙ୍କର ଚଟ୍‌କିନା ନିଦ ଭାଙ୍ଗିଗଲା । ଆଲୁଅରେ ସେ ଶୋଇପାରନ୍ତି ନାହିଁ । ଡବାଟିର ଫିକା ନୀଳ ଆଲୁଅଟା ବି ଯଥେଷ୍ଟ ଥିଲା ତାଙ୍କ ନିଦ ଭାଙ୍ଗିଦେବା ପାଇଁ । ଶୋଇବା ପୂର୍ବରୁ ସେ ଲିଭାଇ ଦେଇଥିଲେ । ଡବାର କଣ୍ଡକ୍ଟର ବୋଧହୁଏ ଜଳେଇ ଦେଇଥିବ, ଅଥବା କିଏ ବାଥ୍‌ରୁମ୍‌କୁ ଯାଇଥାଇପାରେ ।

 

ଗାଡ଼ି କୌଣସି ଏକ ଷ୍ଟେସନରେ ରହିଲା । କେଉଁ ଷ୍ଟେସନଟା ବୋଲି ଜାଣିବା ପାଇଁ ଅହେତୁକ ଭାବେ, ସେ ମୁହଁକୁ ଝିଙ୍କି ଦେଇ ଚାଲିଯାଉଥିବା ଚା’ ବିକାଳିକୁ ପଚାରିଲେ । ବୋଧହୁଏ ଚା’ ବିକାଳିଟି ଶୁଣିପାରିଲା ନାହିଁ; କାରଣ ସବୁ ଝରକାଗୁଡ଼ିକ ବନ୍ଦ । କାଚ ବାଟେ ଚାହିଁଲେ । କୁହୁଡ଼ି ଝାପ୍‌ସା ପ୍ଲାଟଫର୍ମରେ ବେଶୀ ଲୋକ ନାହାନ୍ତି । କେତୋଟି ଚା’ ବିକାଳି ଓ ଖଲାସିଙ୍କ ଛାଇ କେବଳ ପଇଁତରା ମାରୁଛି ଏପଟ ସେପଟ ।

 

ନିଦାତା ବେଶ୍ ଲାଗିଆସୁଥିଲା । ଦଶ ମାସ ଟ୍ରେନିଂ ସମୟର ଝାଳନାଳ, ପରିଶ୍ରମ, ଭାଷା, ବ୍ୟାକରଣ ସହ ସଂଘର୍ଷ; ରାତ୍ରି ଉଜାଗର; ପରୀକ୍ଷା, ସବୁଠାରୁ ଯନ୍ତ୍ରଣାଦାୟକ କ୍ୟାମ୍ପସ ପରିସରର ସ୍ନାୟବିକ ଉତ୍ତେଜନା ତାଙ୍କୁ ସୁଯୋଗ ଦେଇନାହିଁ ଭଲଭାବେ, ଅଚିନ୍ତାରେ ଟିକିଏ ଶୋଇବା ପାଇଁ । ସେଥିପାଇଁ ଯେଉଁ ମୁହୂର୍ତ୍ତରେ ସେ ଟ୍ରେନିଂର ଶେଷ ପରୀକ୍ଷାର ଦଶଦିନ ଆଗରୁ ଟିକେଟ କାଟି ବାର୍ଥ ରିଜର୍ଭ କଲେ । ମନେମନେ ଭାବିନେଲେ ଅନ୍ତତଃ ଘରେ ପହଞ୍ଚିବା ପୂର୍ବରୁ, ଏ ଦୁଇଦିନ ଦୁଇରାତି ବାର୍ଥରେ ବିଛଣା ବିଛାଇ ବେଶ୍ ଆରାମରେ ଶୋଇଯିବେ ଓ ସେଇ ସ୍ନାୟୁ ଉତ୍ତେଜନାର କ୍ଳାନ୍ତି ସବୁ ଧୋଇଦେବେ ଏ ଦୁଇଦିନର ଭାଷା-ବ୍ୟାକରଣହୀନ ନିଦ୍ରାର କୋମଳ ସ୍ପର୍ଶରେ ।

 

ଶୋଇଦେବେ ନାହିଁ । ମନେମନେ କେଉଁ ଅଜ୍ଞାତ ବ୍ୟକ୍ତି ପ୍ରତି ଅସ୍ପଷ୍ଟ ଶବ୍ଦ କେତୋଟି ଉଚ୍ଚାରଣ କରି ହାତଟାକୁ ବଢ଼ାଇ ଦେଲେ ସୁଇଚ୍ ପାଖକୁ । ଟିପି ଦେବାପାଇଁ ବସିଛନ୍ତି, ନଜର ପଡ଼ିଲା ତଳ ବାର୍ଥ ଉପରେ । ସୁଇଚ୍ ଉପରେ ଆଙ୍ଗୁଳିଟା ରହିଗଲା । ଏକ କଳା ସମୀକ୍ଷକ ଚିତ୍ରକୁ ନିଗୂଢ଼ ଭାବରେ ଲକ୍ଷ୍ୟ କରି ଅଧ୍ୟୟନ କଲା ପରି । ଅଶୋକବାବୁଙ୍କର ସମୀକ୍ଷକ ଆଖି ଦୁଇ ସେଇ ବାର୍ଥ ଉପରେ ରହିଗଲା ।

 

କିନ୍ତୁ ତାଙ୍କ ମନ ଓ ଦେହରେ କଳା ସମୀକ୍ଷକର ସ୍ଥିରତା ନ ଥିଲା । ସାରା ଶରୀରରେ ଲାଗିଲା ଜମାନବନ୍ଦୀର ସ୍ନାୟୁ ଉତ୍ତେଜନା, ଯେଉଁ ଉତ୍ତେଜନା ତାଙ୍କ ଆଖି ଦୁଇଟିକୁ କରିଦେଲା ସ୍ଥାଣୁ ଅଥଚ ଅଚଳ; ଆଣିଦେଲା କପାଳରେ ସାମାନ୍ୟ ଜଳବିନ୍ଦୁ ଓ ଉତ୍ତାପ ଓ ଯେଉଁ ଉତ୍ତାପର ତାତି ସେ ହଠାତ୍ ଅନୁଭବ କଲେ କପାଳରୁ ଓହ୍ଲାଇ ଯାଉଛି ପାଦକୁ ଓ ପୁଣି ପାଦରୁ ପାରଦରେଖା ପରି ବଢ଼ିଆସୁଛି କପାଳକୁ । ଛାତିରେ ପୁଣି କିଏ ପିଟୁଛି ହାତୁଡ଼ି ।

 

ଧୀରେ ଅବାକ୍‌ଘାତ ହାତଟିକୁ ସୁଇଚ୍ ପାଖରୁ ଫେରାଇ ଆଣିଲେ । ହାତ ଉପରେ ଝୁଲିପଡ଼ିଥିବା ଚଦରଟିର ଏକ ଅଂଶକୁ ଅନ୍ୟ ହାତ ସାହାଯ୍ୟରେ ଛାଟିଦେଲେ ।

 

ସେଇ ଫିକା ନୀଳ ଆଲୁଅରେ ତଳକୁ ଚାହିଁ ରହିଲେ । ନିର୍ବାକ, ଅଥଚ ଉତ୍ତେଜିତ । ବିଶ୍ଵାସ ହେଉନାହିଁ ନା,–ସେ କେଭେ ହୋଇପାରେନା । ସେ କାହିଁକି ହେବେ ?

 

ଏଥର ଦେହରୁ ଚାଦରଟା ଫିଙ୍ଗି ଦେଇ ସେ ଉଠିବସିଲେ । ନିଃଶବ୍ଦରେ ଦେହକୁ ସାମାନ୍ୟ ଘୋଷାଡ଼ି ଆଣି, କଡ଼େଇ ପଡ଼ି ଚାହିଁଲେ ତଳ ବାର୍ଥକୁ । ଦୁଇ ଆଖିକୋଣ ପୋଛିଦେଇ ବାର୍ଥ ଓ ସିଲିଂକୁ ସଂଯୋଗ କରୁଥିବା ଲୁହା ରେଲିଂକୁ ଧରି ସାମାନ୍ୟ ଝୁଙ୍କିପଡ଼ିଲେ ତଳକୁ ।

 

କମ୍ପାର୍ଟମେଣ୍ଟର ଏ ଫିକା ନୀଳ ଆଲୁଅରେ ସ୍ପଷ୍ଟ ଦିଶୁନି । ସ୍ପଷ୍ଟ ଭାବେ ଚିହ୍ନି ହେଉ ନାହିଁ-। ନା, ସେ କାହିଁକ ହେବେ ?

 

ନିଜ ବାର୍ଥର ଠିକ୍ ସାମନାରେ ଥିବା ଉପର ବାର୍ଥକୁ ଚାହିଁଲେ । ସହଯାତ୍ରୀ ଜଣକ ଚିତ୍ ହୋଇ ଶୋଇଯାଇଛନ୍ତି । ଦେହ ଉପର ଚାଦରଟା ଖସି ଅଧେ ଝୁଲିପଡ଼ିଛି ତଳକୁ । ସାର୍ଟ୍‍ଟା ଦେହ ଉପରକୁ ସାମାନ୍ୟ ଉଠିଯାଇଛି । ପାଇଜାମାର ଫିତାଟା ତଳକୁ ଖସିଯାଇଥିବାରୁ ନାଭିଟା ସ୍ପଷ୍ଟ ଦେଖିହେଉଛି । ସେହି ସହଯାତ୍ରୀଟି କେରଳୀ–ମି. ଆୟାର । ଚାଟାର୍ଡ ଏକାଉଣ୍ଟାଣ୍ଟ । କଲିକତା ଯାଉଛନ୍ତି । ସିକନ୍ଦରାବାଦ ଷ୍ଟେସନଠାରେ ପରିଚୟ ଓ ଆଳାପ ହେଲାପରେ ଏଇ ଘଣ୍ଟାକ ପୂର୍ବରୁ ଶୁଭରାତ୍ରି ଜଣାଇ ସେ ଶୋଇଯାଇଛନ୍ତି । ମଝି ଦୁଇ ବାର୍ଥରେ ଦୁଇଜଣ ମାରୱାଡ଼ି ଦମ୍ପତି । ନିଘୋଡ଼ ନିଦରେ ଶୋଇଯାଇଛନ୍ତି ମାରୱାଡ଼ି ମହିଳାଟି । ଗୋଟିଏ ଦିଗକୁ ମୁହଁ କରି ଶୋଇଛନ୍ତି ତାଙ୍କୁ ପିଠି କରି । ଦେହରେ ଧୂସର ରଙ୍ଗର ଏକ ପଶମ ଚାଦର । ପାଚିଲା କେଶରେ ନୀଳ ଆଲୁଅ ପଡ଼ି କୁହୁଡ଼ିର ଢେଉ ସୃଷ୍ଟି କରୁଛି । ସାରା ଦେହଟା ବାର୍ଥର ଏକ କଡ଼କୁ ଲାଗି ଯାଇଛି, ଭୟ ହେଉଛି ଖସିପଡ଼ିବେ । ଯେତେବେଳେ ସେ ମହିଳାଟି ଉପରକୁ ଉଠିଲେ, ଅଶୋକବାବୁ ଓ ମି. ଆୟାର ସାହାଯ୍ୟ କରିଥିଲେ ତାଙ୍କୁ ଉଠେଇ ଦେବା ପାଇଁ । ଚେନ୍‌ଟା ଟାଣି ଆଣି, ପଟାଟିକୁ ଉଠାଇ ସେ ବାର୍ଥକୁ ସଜାଡ଼ି ଦେଇଥିଲେ ଓ ତାଙ୍କ ସ୍ଵାମୀ ତାଙ୍କ ବିଛଣା ବିଛାଇ ଦେଇଥିଲେ । ବିଚରା ଭଦ୍ରବ୍ୟକ୍ତି ତଳ ଦୁଇ ବାର୍ଥ ପାଇଁ ବହୁତ ଚେଷ୍ଟା କରିଥିଲେ । ସେ ମଧ୍ୟ କଣ୍ଡକ୍ଟରଙ୍କ ସହ ଯୁକ୍ତିତର୍କ କରିଥିଲେ–ଯଦି ଅନ୍ୟ ପାଇଁ ରିଜର୍ଭ ହୋଇଛି, ତେବେ ସେମାନେ ଆସନ୍ତୁ, ଆମେ ଉଠିଯିବା । ତାଙ୍କ ସହ କଥାବାର୍ତ୍ତା କରି ଆମେ ଏଡ଼୍‌ଜଷ୍ଟ କରନେବା–ମ୍ୟୁଚୁଆଲ୍ ଏଗ୍ରିମେଣ୍ଟ । କିନ୍ତୁ କଣ୍ଡକ୍ଟର ରାଜି ହୋଇ ନ ଥିଲେ । ସେଥିପାଇଁ ଆୟାର ଓ ତାଙ୍କ ସହ କଣ୍ଡକ୍ଟରଙ୍କର ଝଗଡ଼ା ହୋଇଯାଇଥିଲା ।

 

ମାରୱାଡ଼ି ଭଦ୍ରବ୍ୟକ୍ତି ମଧ୍ୟ ନିଘୋଡ଼ ନିଦରେ ଶୋଇଯାଇଛନ୍ତି । ଗୋଟିଏ ଗୋଡ଼ ଭାଙ୍ଗିପଡ଼ି ଛୁଇଁଛି ବାର୍ଥର ପଟାକୁ, ଅନ୍ୟ ଗୋଡ଼ ଲମ୍ବ ହୋଇ ଛୁଇଁଛି ଝରକା କାଚକୁ । ମୁଣ୍ଡ ଉପରେ ତାଙ୍କର ୱାଟରବଟଲ ଚଷମା ଓ କ୍ୟାନ୍ ବ୍ୟାଗ୍ ।

 

ଅଶୋକବାବୁ ଦକ୍ଷିଣ ପାଖ ଝରକାକୁ ଚାହିଁଲେ । ତଳଉପର ଦୁଇ ବାର୍ଥରେ ଦୁଇଜଣ ଛାତ୍ର ଶୋଇଛନ୍ତି । କାହାର ସମ୍ଭାବ୍ୟ ମିଳନର ସ୍ଵପ୍ନ ହୁଏତ ଦେଖୁଛନ୍ତି । ଛୁଟିରେ ସେମାନେ ଫେରୁଛନ୍ତି ବ୍ରହ୍ମପୁର । ବାଣିଜ୍ୟ ପରିଚାଳନରେ ଅଧ୍ୟୟନ କରୁଛନ୍ତି ହାଇଦ୍ରାବାଦରେ । ସିକନ୍ଦରାବାଦଠାରେ ଗାଡ଼ିରେ ଉଠିବା ସମୟରେ ହଠାତ୍ ଓଡ଼ିଆରେ କଥାବାର୍ତ୍ତା ହେବାରୁ, ପରିଚୟ ଓ ସଂଳାପ, ଚିହ୍ନା ପରିଚୟ । ଛାତ୍ର ଦୁଇଜଣ ଅଶୋକବାବୁଙ୍କର ପରିଚୟ ପାଇବାଠାରୁ, କିପରି ଏକ ସମ୍ମାନନୀୟ ଦୂରତା ରକ୍ଷା କରୁଛନ୍ତି ଓ ଅଶୋକବାବୁ ବେଳେବେଳେ କିପରି ଏକ କୃତ୍ରିମ ଗମ୍ଭୀରତା ପ୍ରକାଶ କରୁଛନ୍ତି । ଷ୍ଟେସନ ଛାଡ଼ିବା ସମୟରେ, ଏଇ ଛ’ଜଣ ସହଯାତ୍ରୀ କଥାବାର୍ତ୍ତା ପାନ, ସିଗାରେଟ୍ ଆଦାନପ୍ରଦାନ, ଖବରକାଗଜ ପତ୍ରିକା ବିନିମୟ ମାଧ୍ୟମରେ କିପରି ଏକ ସଙ୍ଗଠିତ ପରିବାରିର ସଦସ୍ୟ ବନିଯାଇଥିଲେ ଓ ଏକପ୍ରକାର ପାରିବାରିକ ସୌହାର୍ଦ୍ଦ୍ୟତାରେ ସେମାନେ ସବୁ ବାନ୍ଧି ହୋଇଯାଇଥିଲେ । ମାରୱାଡ଼ି ଦମ୍ପତିଙ୍କ ପାଇଁ ଶେଷ ତଳ ଦୁଇବାର୍ଥ ଦେବାପାଇଁ ସମସ୍ତେ ଏକତ୍ରିତ ଆକ୍ରମଣ କରିଥିଲେ କଣ୍ଡକ୍ଟରଙ୍କ ଉପରେ । ସେଇ ମିଳିତ ଆକ୍ରମଣ ଓ କୋପ ସେମାନଙ୍କୁ ଆହୁରି ନିକଟତର କରିଦେଇଥିଲା ଓ ଖାଲି ପଡ଼ିଥିବା ବାର୍ଥ ଦୁଇଟାରେ କେହି ନବାଗତ ଯାତ୍ରୀ ଆସି ତାଙ୍କର ନୂଆ ଆକସ୍ମିକ ପ୍ରତିଷ୍ଠିତ ପାରିବାରିକ ସଂସାରରେ ହସ୍ତକ୍ଷେପ ନ କରୁ, ଏ ଭାବନା ସମସ୍ତଙ୍କ ମନ ଭିତରେ ଅଜ୍ଞାତରେ ଉଙ୍କି ମାରୁଥିଲା–ଶୋଇବା ପୂର୍ବରୁ ଖାଲି ବାର୍ଥ ଦୁଇଟା ସେମାନଙ୍କୁ ବେଶ୍ ସନ୍ତୋଷ ଦେଉଥିଲା ଓ କେହି ଯଦି ବାର୍ଥ ଦୁଇଟାକୁ ଦଖଲ ନ କରିବା ପାଇଁ ଆସନ୍ତି, ତେବେ କଣ୍ଡକ୍ଟରଙ୍କ ଉପରେ ଦୁହୁରା ଏକ ଚଢ଼ାଉ କରିବେ ବୋଲି କଳ୍ପନା କରି ନେଇଥିଲେ ।

 

ଆଉ ଏବେ କଣ୍ଡକ୍ଟରଙ୍କ ଉପରେ ଆକ୍ରମଣ କରି ହେବନି ।

 

ଅଶୋକବାବୁ ତଳକୁ ଆଉ ଟିକିଏ ଝୁଙ୍କି ପଡ଼ିଲେ । ତେବେ ଏମାନଙ୍କ ପାଇଁ ଏଇ ବାର୍ଥ ଦୁଇଟି ରିଜର୍ଭ ଥିଲା ଯେଉଁଥିପାଇଁ ଏତେ ବଚସା, ଝଗଡ଼ା ଓ ଯୁକ୍ତିତର୍କ । ତଳର ଗୋଟିଏ ବାର୍ଥରେ ଜଣେ ସୁଶ୍ରୀ ଯୁବକ, ବୟସ ତିରିଶ ପାଖ ହେବ । ନାଇଟ୍ ଗାଉନ୍ ପିନ୍ଧି ଶୋଇଛନ୍ତି । କୋର୍ଟ ଓ ଟାଇ ତାଙ୍କର ଗୋଡ଼ ଉପରେ ଥିବା ହୁକରେ ଝୁଲୁଛି । ଅନ୍ୟ ବାର୍ଥ ଉପରେ…ପୁଣି ଆଖି ଚାଲିଗଲା ସେଇ ଦିଗକୁ–ସେ କିଏ ?

 

ନା, ଏ ନିଶ୍ଚୟ ଚିତ୍ରା । ଆଉ ସନ୍ଦେହ କରିବାର ନାହିଁ ।

 

ଆର ସୁଇଚ୍‌ଟାକୁ ଚିପିଦେଲେ ସ୍ପଷ୍ଟଭାବେ ଦେଖି ହେବ । ସେ ସ୍ପଷ୍ଟ ଶୁଭ୍ର ଆଲୁଅରେ ଆଉ ଭ୍ରମ କରିବାର ନଥିବ । ହଁ, ଇଏ ଚିତ୍ରା ନିଶ୍ଚୟ ।

 

ହାମୁଡ଼େଇ ଘୁଞ୍ଚିଗଲେ ସୁଇଚ୍‌ ପାଖକୁ । ହାତଟାକୁ ବଢ଼ାଇ ଦେଲେ । ନା, ପୁଣି ରହିଗଲା ହାତଟା । ହଠାତ୍‌ ଆଲୁଅ ପଡ଼ିଲେ ହୁଏତ ପାଟି, ଯୁକ୍ତିତର୍କ ଆରମ୍ଭ ହେଇଯିବ–ତା’ଛଡ଼ା.....ତା’ଛଡ଼ା…. ।

ଓହୋ ! ...କି ଶୀତ...ଟିକିଏ ବାଥ୍‍ରୁମ୍‍ରୁ ଆସେ….ମନକୁ ମନ ଅସ୍ପଷ୍ଟ ଭାବେ କେତୋଟି ଶବ୍ଦ ଉଚ୍ଚାରଣ କଲେ–ବାଥ୍‌ରୁମ୍‍କୁ ଯିବା ବାହାନାରେ ସୁଇଚ୍‌ଟାକୁ ଅନ୍‌ କରିହେବ । ଅନ୍ଧାରରେ କିପରି ବାଥ୍‌ରୁମ୍‍କୁ ଯିବି ?

ସୁଇଚ୍‌ଟାକୁ ଟିପିଦେଲେ ।

ଫିକା ନୀଳଆଲୁଅଟା ଯୁଗପତ୍‌ ଶଙ୍ଖଶୁଭ୍ର ପାଲଟି ଯାଇ ଡବାଟିକୁ ବୁଡ଼ାଇଦେଲା ସ୍ଵଚ୍ଛ ଜଳନ୍ତା ଆଲୋକର ଏକ ପ୍ରଚଣ୍ଡ ଢେଉରେ ଏବଂ ଅଶୋକବାବୁ ଦେଖିଲେ ସେଇ ଶୁଭ୍ରତରଙ୍ଗରେ ଭାସୁଛି ତାଙ୍କ ଅତୀତ ଜୀବନର ଏକ ଆହତ ଭଗ୍ନାଂଶ ।

ଚିତ୍ରାର ସେଇ ସନ୍ଧ୍ୟାରାଗର ତନୁଶ୍ରୀ । ମୁଦ୍ରିତ ଆଖିତଳେ ସେଇ ଆହତ ବେଦନା, ଓଠତଳେ ସେଇ କ୍ଷତ ଚିହ୍ନ । ଟିକଏ ବୋଲି ପରିବର୍ତ୍ତନ ହେଇ ନାହିଁ ଏଇ ବାରବର୍ଷର ବ୍ୟବଧାନ ପରେ ବି ।

ଆଉ ଟିକିଏ ଝୁଙ୍କିପଡ଼ିଲେ ସେ । ନା, ବାରବର୍ଷ ପରେ ବି ତା’ର ଆଦୌ ପରବର୍ତ୍ତନ ହେଇ ନାହିଁ । ତା’ର ବିଶେଷ ଖବର ସେ ରଖିବାକୁ ଚେଷ୍ଟା କରିନାହାନ୍ତି । କାହିଁକି କରନ୍ତେ ? ଅନାବଶ୍ୟକ ଭାବେ ଯାହା ଯେତେବେଳେ ତା’ର ସ୍ମୃତି ତାଙ୍କୁ ଉଖାରେ, ଚିଡ଼ାଏ, ଚାବୁକ୍‌ ମାରେ । ସେତିକି ଯାହା, ସେତିକି ।

 

ସମୟ ପରା ସବୁ ଧୋଇଦିଏ । ସବୁ କ୍ଷତ ଭଲ କରିଦିଏ । ପୁଣି ନୂଆ ବନ୍ଦରରେ ଲଙ୍ଗର ପାରିବା ପାଇଁ ସାହାଯ୍ୟ କରେ । ମଣିଷ ଅଦ୍ଭୁତ ଜୀବ !

 

କିନ୍ତୁ ସେ କାହିଁକି ସେଇ ଟୁକୁରା ସ୍ମୃତିକୁ ଫୋପାଡ଼ି ଦେଇପାରୁ ନାହାନ୍ତି ? ତାକୁଇ ଭୁଲିଯିବା ପାଇଁ ତ, ତା’ର ସବୁ ଗୋପନ ପତ୍ରକୁ ସେ ନଷ୍ଟକରି ଦେଇଛନ୍ତି, ଯେଉଁ ପତ୍ରଗୁଡ଼ିକ ଅତୀତରେ କେତେଥର ତାଙ୍କୁ ଦୋହଲାଇ ଦେଇଛି–ମନେହେଉଛି ମସ୍ତିଷ୍କର ତନ୍ତୁଗୁଡ଼ିକ ଛିଡ଼ିଯିବ ଟିକି ଟିକି ହୋଇ । ସେଥିପାଇଁ ଗୋପନରେ ସାଇତି ରଖିଥିବା ଏକ ମହାର୍ଘ୍ୟ ଦ୍ରବ୍ୟପରି, ସୁଟକେଶ୍‍ର ସେ ସାଇତା ଚିଠିସବୁ ପୋଡ଼ିଥିଲେ ଗୋଟି ଗୋଟି କରି କେଉଁ ନିଶାର୍ଦ୍ଧରେ, ଗୋପନରେ ।

 

ଆଃ ! ସେ ଚିଠିଗୁଡ଼ିକ ଥା’ନ୍ତା କି ! ଥାଆନ୍ତା କି ସେଇ ଡାଏରିଟି ଯେଉଁଥିରେ କି ବନ୍ଦୀ ହୋଇ ରହିଥିଲେ ତା’ ହାତଲେଖାର କେତୋଟି ସୁର !

 

ଏଇ ବାରବର୍ଷ ଭିତରେ ସେ ନାଗଫେଣୀ ସ୍ମୃତି ସବୁ କେତେବେଳେ ଚେତନାର ପାହାଡ଼ ପଛପଟେ ଲୁଚିଯାଇ ଲୁଚକାଳି ଖେଳେ, କେତେବେଳେ ଅସ୍ତ ହେଇଯାଏ, ମନେହୁଏ ଆଉ ଉଦୟ ହେବନି କେଭେ । ପୁଣି କେତେବେଳେ ବା ନିର୍ମମ ଭାବେ ଚାବୁକ ମାରି ରକ୍ତାକ୍ତ କରେ । ସେ ରକ୍ତାକ୍ତରେ ସେ ଆନନ୍ଦ ପାଆନ୍ତି–ଏକପ୍ରକାର ରୋମାଣ୍ଟିକ୍‌ ବେଦନାଦଗ୍ଧ ଆନନ୍ଦ ।

 

ସେ ସ୍ମୃତି ବେଳେ ବେଳେ ବି ବାସ୍ତବିକ୍‌ ତାଙ୍କୁ ପାଗଳ କରିଦିଏ । କେତେଥର ଭାବନ୍ତି ସେ ପାଗଳ ହୋଇଯିବେ । ମନର ଭାରସାମ୍ୟ ହରାଇ ବସନ୍ତି । ଅର୍ଦ୍ଧରାତ୍ରିରେ ହଠାତ୍‌ ନିଦ୍ରା ଭାଙ୍ଗିଗଲେ, ଅସହାୟ ହେଇ ଉଠି ବସନ୍ତି । ଭୟଙ୍କର ନିର୍ଜନତା ଓ ଶୂନ୍ୟତା ଦାଉରୁ ରକ୍ଷା ପାଇବା ପାଇଁ ସେ ବନ୍ଧୁମାନଙ୍କ ପାଖକୁ ଧାଇଁ ଯାଇଛନ୍ତି । ଡାକ୍ତର ପରାମର୍ଶ ଦିଅନ୍ତି–ଏକପ୍ରକାର ଡିପ୍ରେସନ୍‌-। କ୍ୟାମ୍ପସ୍‌ ଖାଆନ୍ତୁ ।

 

ଅଶୋକବାବୁ ତଳବାର୍ଥ ଉପରୁ ମୁହଁ ବୁଲାଇ ଆଣିଲେ । ଆରପଟୁ କେହି ଜଣେ ମହିଳା ଯାତ୍ରୀ ମଚ୍‌ ମଚ୍‌ ଶବ୍ଦକରି ବାଥ୍‌ରୁମ୍‍କୁ ଯାଉଛନ୍ତି । ସେ ମୋତେ ଦେଖିଲେ କି ? କ’ଣ ଭାବିଥିବେ ? ତରୁଣୀଟିକୁ ଏପରି ଭାବେ ଅନାଇ ରହିବାଟା…

 

ଅଶୋକବାବୁ କିଛିକ୍ଷଣ ପଡ଼ି ରହି କାନ ଡେରିଲେ । ବାଥ୍‌ରୁମ୍‍ର କବାଟ ଖୋଲବା ଓ କିଛିକ୍ଷଣ ପରେ ବନ୍ଦ ହେବା ଶବ୍ଦ ଶୁଣାଗଲା । ତା’ପରେ ମଚ୍‌ ମଚ୍‌ ଶବ୍ଦ...... । ତା’ପରେ ଟ୍ରେନର ସେଇ ଅନବରତ ଝନତ୍‌କାର... ।

 

ଓଃ ! ....କି ଶୀତ... ଅଶୋକବାବୁ କଡ଼ ଲେଉଟାଇ ଚାହିଁଲେ ତଳ ବାର୍ଥକୁ । ନା, କେହି ଉଠି ନାହାଁନ୍ତି । ଏହା ଭିତରେ ମାରୱାଡ଼ି ଭଦ୍ରମହିଳା କଡ଼ ଲେଉଟାଇ ତାଙ୍କରି ଦିଗକୁ ମୁହଁ କରି ଶୋଇଛନ୍ତି । ମି. ଆୟାରଙ୍କର ସାର୍ଟ୍‍ଟା ଆହୁରି ଉପରକୁ ଟେକି ହେଇ ଯାଇଛି, ଚଦରଟି ପଡ଼ିଛି ଗୋଡ଼ତଳେ । ଛାତ୍ର ଦୁଇଜଣ ନିବିଡ଼ ନିଦ୍ରାରେ ସ୍ଵପ୍ନବିଭୋର ।

 

ଅଶୋକବାବୁ ପୁଣି ଚାହିଁଲେ ତଳ ବାର୍ଥକୁ । ଚିତ୍ରା ପାଖରେ ଶିଶୁଟି । ଇଚ୍ଛାହେଲା ଉଠିଯାଇ ସନ୍ତର୍ପଣରେ ପୂର୍ବଭଳି ତା’ ଅଯତ୍ନ କେଶରେ ଆଙ୍ଗୁଳି ବୁଲାଇ ଆଣିବେ ଓ ତା’ ବକ୍ଷ ଉପରେ ମୁଣ୍ଡଦେଇ ତା’ ହୃତ୍‌କମ୍ପନ ଶୁଣିବେ–ଶୁଣିବେ ସେଇ ଅତୀତ ବେଳାଭୂମିର ସଙ୍ଗୀତ ।

 

ଚା’.....ଚା’.......

 

ନିଜ ଦେହକୁ ଝିଙ୍କିଦେଇ ଗାଡ଼ି ରହିଗଲା ଏକ ଷ୍ଟେସନରେ । ହାତ ଘଣ୍ଟାକୁ ଚାହିଁଲେ ଅଶୋକବାବୁ । ରାତି ଚାରିଟା ବାଜି ଦଶମିନଟ ହେଇଛି । ସେ ପାଗଳ ହେଇଯିବେନି ତ ? ଚିତ୍ରା ଯଦି ବର୍ତ୍ତମାନ ଉଠିପଡ଼େ ? ତା’ର ମନର ପ୍ରତିକ୍ରିୟା କ’ଣ ହେବ ମୋତେ ଦେଖି ? ସେ ହୁଏତ ତା’ ସ୍ଵାମୀଙ୍କ ସହ ମୋତେ ପରିଚୟ କରିଦେବ । ଏକପ୍ରକାର ଅଭିନୟ କରି ବସିବ–ହି ଇଜ୍‌….ସେ ହେଉଛନ୍ତି….ହାଉ ଡୁ ୟୁ ଡୁ ? ... କିପରି ଅଛନ୍ତି ? …. ଗ୍ଲାଡ୍‍ ଟୁ ମିଟ୍‌ ଇଉ.... ବେଶ୍‌ ଖୁସି ହେଲି ସାକ୍ଷାତ କରି…ବସନ୍ତୁ….ବସନ୍ତୁ.....ହୁଏତ ତାଙ୍କର ଆହତ ପୁରୁଷ…ହେଇ ହେଇ…ସେ ପ୍ରଳାପ କରି ଉଠୁଛନ୍ତି…ସମସ୍ତେ ଉଠିପଡ଼ି କହିବେ ଆରେ ପାଗଳାଟ... !

 

ହଁ, ଆଶ୍ଚର୍ଯ୍ୟ । ସିମ୍‌ପ୍ଲି ସର୍‌ପ୍ରାଇଜିଂ । ଭଦ୍ରବ୍ୟକ୍ତି, ତ କହୁଥିଲେ କଟକରେ ଓହ୍ଲାଇବେ ବୋଲି । ମି: ଆୟାର କହିଲେ ହାଉଡ଼ା ଏକ୍‌ସପ୍ରେସ ବେଗମ୍‌ପଟ୍‌ରେ ଲାଗିଲା ।

 

ବାଟରେ ବୋଧହୁଏ କିଛି ଦରକାର ପଡ଼ିଲା, ଅଗତ୍ୟା ଓହ୍ଲାଇ ପଡ଼ିଲେ । ଚଷମା ପୋଛୁ ପୋଛୁ ମାରୱାଡ଼ି ଭଦ୍ରବ୍ୟକ୍ତି ଯୋଗଦେଲେ ।

 

‘କିଏ’ ? ତରୁଣୀ ପଚାରିଲେ । ଏହା ଭିତରେ ଏ ଦୁଇ ଆଗନ୍ତୁକ ପରିବାରର ସଦସ୍ୟ ହୋଇଗଲେଣି । ଯେଉଁ ବାର୍ଥ ଦୁଇଟି ପାଇଁ ଏତେ ପାଟିତୁଣ୍ଡ, ସେଇ ବାର୍ଥ ଦୁଇଟିର ଅଧିବାସୀ ଦୁଇଜଣ ନିଜ ନିଜକୁ ଖାପଖୁଆଇ ନେଲେଣି ପୁରୁଣା ପରିବାର ସହ । କଲେଜ ଛାତ୍ର ଦୁଇଜଣ ବିଛଣାପତ୍ର ବନ୍ଧାବନ୍ଧି କରି ପ୍ରସ୍ତୁତ ହେଉଛନ୍ତି, ତଳକୁ ଯାଇ ଚା’ ଖାଇବେ ।

 

“ହଁ, ସାର୍‌ଙ୍କର କିଛି ଦରକାର ଥାଇପାରେ । ବୋଧହୁଏ ପଛ ଷ୍ଟେସନରେ କେଉଁଠି ଓହ୍ଲାଇଗଲେ ।’’ ସେମାନଙ୍କ ଭିତରୁ ଜଣେ କହିଲେ ।

 

“ହ୍ୱାଟ୍‌, ଷ୍ଟ୍ରେନ୍‌ଜ । ଅଦ୍ଭୁତ ଲୋକ ।’’ କହିଲେ ମି. ଆୟାର । “ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?” ଯୁବକଟି ଟୁଥ୍‌ବ୍ରସରେ ପ୍ୟାଷ୍ଟ ଲଗାଉ ଲଗାଉ କହିଲେ । ‘‘ସେ ବ୍ରେକ୍‌ ଜର୍ଣ୍ଣି କରିପାରନ୍ତି ।’’

 

‘ହେ, ଭଦ୍ରବ୍ୟକ୍ତି ତାଙ୍କ ବହିଟିକୁ ଛାଡ଼ିଯାଇଛନ୍ତି । ବାର୍ଥର ଗୋଟିଏ କୋଣରେ ପଡ଼ିଥିବା ବହିଖଣ୍ଡିକୁ ଉଠାଇ ଆଣି କହିଲେ ମି. ଆୟାର ।’

 

“ଆପଣଙ୍କର ତାହାହେଲେ ସେଇଟା ହେଲା–ରଖନ୍ତୁ । ଭଲ ଉପହାରଟିଏ ପାଇଲେ ।” ହସି ହସି କହିଲେ ତରୁଣୀଟି । ତା’ପରେ ଟିକିଏ ରହି ମାଗିଲେ–‘‘ଅଚ୍ଛା, ଦେଖି, ମୋତେ ଟିକିଏ ଦେଲେ ।” ମି. ଆୟାର ପ୍ରଥମେ କିପରି ଅନିଚ୍ଛା ଓ ସଂକୋଚ ପ୍ରକାଶ କଲେ । ପ୍ରଚ୍ଛଦପଟରେ ଏକ ଅଶ୍ଳୀଳ ତରୁଣୀର ଚିତ୍ର । ବହିଟିକୁ ଝାଡ଼ି, ଅନିଚ୍ଛାରେ ମି. ଅୟାର ବଢ଼ାଇଦେଲେ ।

 

ତରୁଣୀଟି ବହିକୁ ହାତରୁ ନେଇ ମଲାଟ ଉପରେ ଆଖି ବୁଲାଇ ଆଣିଲେ–ମୁହଁରେ ସଲ୍ଲଜ ହସ । ତା’ପରେ ପୃଷ୍ଠାଟିଏ ଓଲଟାଇ ଦେଲେ, ଆଖିପଡ଼ିଲା ବହିର ପ୍ରଥମ ପୃଷ୍ଠାର ଗୋଟିଏ କୋଣରେ । ହସିଲା ଆଖି ଦୁଇଟି ହେଇଗଲା ଅବାକ୍‌-ସ୍ଥିର । ଗାଢ଼ କଳାକାଳିରେ କେତୋଟି ପରିଚିତ ଅକ୍ଷର–ସେ ଅକ୍ଷରର ଚକ୍ଷୁପାତରେ ତା’ ସଲ୍ଲଜ ମୁହଁ କ୍ରମେ ଫିକା ପଡ଼ିଆସିଲା । ବହି ଉପରୁ କ୍ଷଣେ ମୁହଁ ଉଠାଇ, ଉପରର ଖାଲି ବାର୍ଥକୁ ଚାହିଁଲେ । ପୁଣି ଆଖି ନିବଦ୍ଧ ହେଲା ପୃଷ୍ଠାଟିର ଅକ୍ଷରଗୁଡ଼ିକ ଉପରେ…କି ଏକ ଭୟଙ୍କର ଅନ୍ତର୍ଦାହୀ ବେଦନାରେ ତାଙ୍କର ସନ୍ଧ୍ୟାରାଗର ମୁହଁ ଅଗ୍ନିଦଂଷ୍ଟ୍ର ପତଙ୍ଗ ପରି ସଂକୁଚିତ ହେଇ ଉଠିଲା.... ।

Image

 

ଚମସ୍‌କି

 

ଆଃ ! …..ନନସେନ୍‌ସ ... ପ୍ରକାଶବାବୁ ଜାଣ୍ଡଭୁଟ୍‌କୁ ଖଣ୍ଡେ ଦୂରକୁ ଫିଙ୍ଗିଦେଲେ ବିରକ୍ତି ଓ କ୍ଳାନ୍ତିରେ ।

 

ମଧ୍ୟାହ୍ନ ଭୋଜନ ପରେ ସାରା ସକାଳର ଉତ୍ତେଜନା କ୍ଳାନ୍ତ ଶରୀରକୁ ବିଛଣାରେ ଗଡ଼ାଇ, ସେ ବହିଥାକର ବହି ଖଣ୍ଡିଏ ଆଣି ଆଖି ପକାଇ ନେଉଥିଲେ ଓ ମାନସିକ ପ୍ରସ୍ତୁତି ହେଉଥିଲେ । ସର୍ବନାମ ଉପରେ କିପରି ଏକ ପ୍ରବନ୍ଧ ଲେଖିବେ ଓ ତା’ର ଗୁଣସବୁ ବାହାର କରି ଅଧ୍ୟାପକଙ୍କୁ ଦାଖଲ କରିବେ ଏକ ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ–ଏହା ଏକ ବିଧିବଦ୍ଧ ପରୀକ୍ଷା ।

 

ଜାଣ୍ଡଭୁଟ୍‌ଙ୍କଦ୍ଵାରା ରଚିତ ଇଂରାଜୀ ବ୍ୟାକରଣ… ।

 

ଧୀରେ ଧୀରେ ଆଖିପତା ଭାରି ହୋଇ ଆସୁଛି ଓ ତା’ ସଙ୍ଗେ ସଙ୍ଗେ ଧୋଇଆସୁଛି ସକାଳର ବ୍ୟସ୍ତତା ଓ ଉତ୍ତେଜନା ଜନିତ କ୍ଳାନ୍ତି ଓ ଅବସାଦ । ହେ ପ୍ରଭୁ ! ନିଦ ହୋଇଯାଉ । ମୁଣ୍ଡଟା ସକାଳୁ ବିନ୍ଧୁଛି କ୍ଲାସରେ ବସି ବସି; ସକାଳୁ ଭାଷା ଓ ବ୍ୟାକରଣ ଉପରେ ବକ୍ତୃତା ଶୁଣି ଶୁଣି-

 

ନା, ନିଦ ହେଉ ନାହିଁ । ସର୍ବନାମଟା ମୁଣ୍ଡ ଭିତରେ ଘଣା ପେଲୁଛି । ...ପ୍ରକାଶବାବୁ ନିଜ ମନକୁ ସାନ୍ତ୍ୱନା ଦେଉଛନ୍ତି । ନିଦ ନହେଉ, ଖରାବେଳେ ଶୋଇବା ନିଷେଧ–ଯୋଗଶାସ୍ତ୍ର ମନା କରେ–ଡାକ୍ତରମାନେ ମନା କରନ୍ତି–ଦିନରେ ଶୋଇବା ବିଷ । ଛ’ ଘଣ୍ଟା ରାତିରେ ଶୋଇଲେ ଯଥେଷ୍ଟ ।

 

ଆଖିଖୋଲି ଅନେଇଲେ । ବହିଟି ଟେବୁଲ ତଳେ ଚିତ୍‌ପଟାଙ୍ଗ ହୋଇପଡ଼ିଛି । ବଡ଼ ବିକଳ ଦେଖାଯାଉଛି । ବଡ଼ ବିକଳ ଦେଖାଯାଉଛନ୍ତି ଜାଣ୍ଡଭୁଟ୍‌ । ଦୟା ହେଲା । ନା, ଠିକ୍‌ ହେଇଛି-। ଅନ୍ୟକୁ ଯନ୍ତ୍ରଣା ଦେଇ ସେ ଖୁସିହୋଇ ଉଠିଲେ ।

 

ଜୀବନରେ ପୁଣି ଏହାର ଉପାଦୟତା ଥିଲା ? ପ୍ରକାଶ ମହାପାତ୍ର ଇଂରାଜୀ ସାହିତ୍ୟର ଅଧ୍ୟାପକ । ବିଗତ ଦଶବର୍ଷ ହେଲା କିଟ୍‌ସ, ସେକ୍‌ସପିୟର, ୱାଡ଼୍‌ସୱାର୍ଥ ପଢ଼ାଇ ଆସୁଛନ୍ତି–ସେଇମାନଙ୍କୁ ରାଜ୍ୟରେ ବୁଲି ବୁଲି, ଏଇ ଦଶବର୍ଷ ସେ କେତେ ସୁନା ସଂଗ୍ରହ କରିଛନ୍ତି ...ଭୋକଶୋଷ ଭୁଲିଛନ୍ତି... ସେମାନଙ୍କୁ କରି ଦେଇଛନ୍ତି ଆପଣାର ନିଜ ବନ୍ଧୁ, ସହଯୋଗୀ, ପରାମର୍ଶଦାତା ସବୁ କିଛି ।

 

କିନ୍ତୁ, ଏବେ ପରା ଚକ ବଦଳୁଛି । ସାହିତ୍ୟ ଉପରେ ଗୁରୁତ୍ଵ ନଦେଇ, ଭାଷା ଓ ବ୍ୟାକରଣ ପଢ଼ାଅ । ପିଲେ ଠିକ୍‌ ଭା‍ବରେ ଉଚ୍ଚାରଣ କରିପାରିବେ । ଠିକ୍‌ ଭାବେ ଦରଖାସ୍ତ ଖଣ୍ଡେ ଲେଖିପାରିବେ, ନିଜ ମାତୃଭାଷାର କିଛି ଉନ୍ନତି କରିପାରିବେ । ସେଥିପାଇଁ ଭାଷା ଓ ବ୍ୟାକରଣ, ଧ୍ୱନି ଓ ଉଚ୍ଚାରଣ, ଶିକ୍ଷା ପଦ୍ଧତି, ବିଷୟବସ୍ତୁ ପ୍ରସ୍ତୁତି କରିବା ପ୍ରଣାଳୀ ଶିଖ । ହାଇଦ୍ରାବାଦ ଯାଅ ।

 

ପ୍ରକାଶ ମହାପାତ୍ର ଆସିଛନ୍ତି ଭାଷା ଓ ବ୍ୟାକରଣ କିପରି ଶିକ୍ଷା ଦିଆଯିବ, ତା’ର ଅଧ୍ୟୟନ କରିବା ପାଇଁ । ଇଂରାଜୀ ଭାଷା । ପ୍ରାକ୍‌ଟିକେଲ ଜ୍ଞାନ ଅର୍ଜନ କରି ନିଜ ପ୍ରଦେଶକୁ ଫେରିଯିବେ । ଇଂରାଜୀ ଶିକ୍ଷାର ମାନ ବୃଦ୍ଧିପାଇବ । ଡାଉନ୍‌ ଉଇଥ୍‌ ସେକ୍‌ସପିୟର ! କିଟ୍‌ସ ! ଥ୍ରୀ ଚିଏର୍‌ସ ଫର୍‌ ଚମସ୍‌କି !

 

ଚମସ୍‌କି ଆଧୁନିକ ଜଗତର ବିଶ୍ଵବିଖ୍ୟାତ ପାଣିନି ଯାହାଙ୍କର ଦର୍ଶନ ଆଧୁନିକ ବ୍ୟାକରଣ ବିଜ୍ଞାନରେ ଆଣି ଦେଇଛି ଏକ ବିପ୍ଳବ–ସୃଷ୍ଟି କରିଛି ଏକ ନୂତନ ଦିଗ୍‌ଦର୍ଶନ ।

ହେ ପ୍ରଭୁ ! ନିଦ ହୋଇଯାଉ ।

ହାଇଦ୍ରାବାଦରେ ଅବସ୍ଥିତ କେନ୍ଦ୍ରୀୟ ଇଂରାଜୀ ସଂସ୍ଥାର ହଷ୍ଟେଲ । ସମସ୍ତ ଅଧ୍ୟାପକ-ଛାତ୍ର ମଧ୍ୟାହ୍ନ ଭୋଜନ ପରେ ବିଛଣାରେ ଗଡ଼ୁଛନ୍ତି–ମିଡ୍‍ ଡେ ସିଏସ୍‌ଟା–

ପ୍ରକାଶବାବୁ ଆଖି ଖୋଲିବାକୁ ଚେଷ୍ଟାକରି ପୁଣି ବନ୍ଦକରି ଦେଲେ । ଆଖି ଖୋଲବାକୁ ଭୟ । କାଳେ ନିଦ ନହେବ । ଭୟ ତାଙ୍କର ଚମସ୍‌କିକୁ–ଜାଣ୍ଡଭୁଟ୍‌କୁ–ତାଙ୍କ ମୁନାର ଯେପରି ଭୟ ବେଙ୍ଗ ଓ ଝିଟିପିଟିକୁ ।

ହାଃ.... ।

ଷ୍ଟୁପିଡ୍‍ । ଶୋଇଦେବେ ନାହିଁ । ଜୋରରେ ଏକ କୋରମରେ ଶବ୍ଦ ମାଡ଼ି ଆସିଲା ଝରକା ଦେଇ । ମନଜିତ୍‌ ସିଂହ ଓ କେରଳୀ ମୋହନନ୍‌ ଟେବୁଲ୍‌ ଟେନିସ୍‌ ଖେଳୁଛନ୍ତି କମନ୍‌ ରୁମରେ । ଭାଷାରେ ଭଲ କରୁଛନ୍ତି ବୋଲି ବାହାଦୁରି ଦେଖାଉଛନ୍ତି । ସେଥିପାଇଁ ରୁମ୍‌କୁ ନଯାଇ, ଖରାବେଳଟାରେ ଖେଳୁଛନ୍ତି ଟେନିସ୍‌ । ସିମ୍‌ପ୍ଲି ଡିସ୍‌ଟାରବିଂ–ୱାର୍ଡ଼ନଙ୍କ ପାଖରେ ମୁଁ ଏହାର ପ୍ରତିବାଦ କରିବି ।

ଆଃ…ଧୀରେ ଧୀରେ ପୁଣି ଆଖିପତା ମୁଦି ହୋଇଯାଉଛି । କଳ୍ପନା କରି ନେଉଛନ୍ତି–ସେପରି ପଦ୍ମଫୁଲ ପାଖୁଡ଼ାଗୁଡ଼ିକ ଆସ୍ତେ ଆସ୍ତେ ସନ୍ଧ୍ୟାରାଗର ସ୍ପର୍ଶରେ ମୁଦି ହୋଇ ପଡ଼ୁଛି । ନିଦ ହେବା ପାଇଁ ସେ ବେଳେ ବେଳେ ଏଇପରି ଏକ ଫୁଲ କିମ୍ବା ପକ୍ଷୀ କିମ୍ବା ମେଘକୁ କଳ୍ପନାରେ ଦେଖି ଶୋଇବାକୁ ଚେଷ୍ଟା କରନ୍ତି, ଆଉ ଚେଷ୍ଟା କରନ୍ତି ବର୍ତ୍ତମାନର ସ୍ଥିତିକୁ ଭୁଲିଯିବା ପାଇଁ । ଓଃ…କି ପ୍ରଶାନ୍ତି–ଡାଉନ୍‌… ଉଇଥ୍‌ ଚମସ୍‌କି–ଡାଉନ୍‌ ଉଇଥ୍‌... ।

 

କିଏ ଗୀତ ଗାଉଛି ? ….ଅନୁରାଧ.... ? ନା, ଅନୁରାଧା ହୋଇପାରେନା । ସେ ତା’ର ଭାରି ତନୁକୁ ବିଛଣାରେ ଗଡ଼ାଇ ଦେଇଥିବ ଅନ୍ୟମାନଙ୍କ ପରି ସେପଟ ମହିଳାମାନଙ୍କ ଆବାସରେ ଏକ ନିବୁଜ କୋଠରୀରେ ଆଉ ଭାବୁଥିବ କାଲି ସନ୍ଧ୍ୟାରେ, ଲନରେ ସେଇ ମୃଦୁ ଝଡ଼ କଥା ... ।

 

ନା, ଇଏ ଅନୁରାଧାର ସ୍ଵରତ ନୁହେଁ–ଦୂରରୁ ପବନ ଲହରରେ ରହି ରହି ଭାସିଆସୁଚି ଏକ ସ୍ଵର–ଏକ ଚଳଚିତ୍ର ସଙ୍ଗୀତର ସ୍ଵର । ଭାରି ଜନପ୍ରିୟ, ପ୍ରାଣସ୍ପର୍ଶୀ ଓ ମଧୁର ଗୀତଟିଏ । ଏଇ ଗୀତଟିର କୋମଳ ଲତାରେ ସେ କେତେବାର ଛନ୍ଦି ହୋଇଛନ୍ତି, ତା’ର ହିସାବ ସେ ରଖିନାହାନ୍ତି । ସେଥିପାଇଁ ସେଥିର ଏକ ରେକର୍ଡ଼ କେଉଁ ବନ୍ଧୁଙ୍କ ଦ୍ୱାରା ମଗାଇ ପଠାଇଥିଲେ ସେ କଲିକତାରୁ ।

 

ଏଥର ନିଦ ନିଶ୍ଚୟ । ଆଖିପତା ଖୋଲିବାକୁ ଚେଷ୍ଟାକଲେ–ଅଠା ଅଠା ଲାଗିଲାଣି । ନିଦ ନିଶ୍ଚୟ ହେବ, ଆଉ ଭାଙ୍ଗିବା ଭୟ ନାହିଁ । ହେ ଭଗବାନ ନିଦ ହୋଇଯାଉ । ଉଠିଲେ ପଛେ ଲେଖିଦେବି ।

 

ପ୍ରକାଶବାବୁ ଅର୍ଦ୍ଧସୁପ୍ତ ଅବସ୍ଥାରେ ଶୁଣିବାକୁ ଲାଗିଲେ ସେଇ ସଙ୍ଗୀତଟିକୁ । ଶବ୍ଦଗୁଡ଼ିକ ସହ ବେଶ୍‌ ପରିଚିତ, କିନ୍ତୁ ଏବେ ସ୍ପଷ୍ଟ ଧରି ହେଉନାହିଁ । କିନ୍ତୁ ଏଇ ସ୍ଵର ସହ ସେ ବେଶ୍‌ ଘନିଷ୍ଠ । ଇଫ୍‌ ମିଉଜିକ୍‌ ବି ଦି ଫୁଡ଼ ଅଫ୍‌ ଲଭ,...ସଙ୍ଗୀତ ଯଦି ପ୍ରେମପାଇଁ ଖୋରାକ ଯୋଗାଏ….

 

ପ୍ରକାଶ ବାବୁଙ୍କୁ ଛାଡ଼ି ଧଡ଼୍‌ପଡ଼୍‌ ହେଇ ଉଠିଲା,–ପ୍ରଭୁ ଏଇ ଅବସ୍ଥାଟିର ଶେଷ ନହେଉ-। ପୂର୍ଣ୍ଣଚ୍ଛେଦ ନ ପଡ଼ୁ । କି ଆନନ୍ଦ । କି ଶାନ୍ତି ! ଗଭୀର ନିଦ୍ରା ଓ ଜାଗ୍ରତ ଅବସ୍ଥା ମଧ୍ୟରେ ଏ ଯେଉଁ ସନ୍ଧିର କେତୋଟି ମୁହୂର୍ତ୍ତ–ବେଶ୍‌ ଲେଭନୀୟ, ଆଦରଣୀୟ । ଏ ଅବସ୍ଥାରେ ବର୍ତ୍ତମାନର ଅଳ୍ପ କିଛି ଶଙ୍କା ଅଛି, ଆଉ ଅଛି ବି ଗଭୀର ନିଦ୍ରାର କିଛିଟା ବିସ୍ମୃତି । ସେଥିପାଇଁ ନିଦ୍ରାଠାରୁ ଇଏ ବେଶୀ ଲୋଭନୀୟ, ଆକର୍ଷଣୀୟ, କାରଣ ଏ ଅବସ୍ଥାରେ କିଛି ଭାବି ହୁଏ, କିଛିଟା ରୋମାଣ୍ଟିକ୍ ଛାଇ ଛାଇକା ଚିନ୍ତା, ଏଣୁ ତେଣୁ ଭିଜା ଭିଜା ବିଷୟ । ସ୍ମୃତିଗୁଡ଼ିକ ଗୋଟାଇ ଆଣିବା ପାଇଁ ଇଚ୍ଛା ହୁଏ, ଫେରିଯାଇ ହୁଏ ଅତୀତକୁ….ଦେଖିହୁଏ, ଅନୁଭବ କରିହୁଏ ଆଉ ସ୍ପର୍ଶ ବି କରିହୁଏ...

 

ସେଇ ସଙ୍ଗୀତର ଲହରରେ ପ୍ରକାଶବାବୁଙ୍କର ଉଦାସିଆ ମନ ଓ ଦେହ ଭାସି ଭାସି ଚାଲିଥାଏ ନିଜାମି ସହରର କାନ୍ଥ ପାଚେରୀ ଭାଙ୍ଗି ତାଙ୍କ ଜନ୍ମଭୂମି ଚାନ୍ଦବାଲିକୁ...ପୁଣି ବାଲ୍ୟକ୍ରୀଡ଼ା ଭୂମି ବାରିପଦା ଆଉ ରାଉରକେଲା ଯେଉଁଠି ଚାକିରିର ପ୍ରଥମ ଦିନଗୁଡ଼ାକ ସେ କଟାଇଥିଲେ ।

 

ଷ୍ଟେ ଅନ୍ ମ୍ୟୁଜିକ୍… ଷ୍ଟେ ଅନ୍–

 

“ଦବୁନି, ମୋ ଆଲିଗୁଡ଼ାକ ?”

 

‘‘କାହିଁକି ? ମୁଁ ଜିତିଲି ।”

 

“ଦେ, ଦେବୁନି ?”

 

ରମା କାନ୍ଦ କାନ୍ଦ ହେଉଛି । ହାରିଯାଇ ମୋତେ ମାଗୁଛି ତା’ ଆଲି ଗୁଡ଼ାକ । ମୁଁ ତା’ଠାରୁ ଚାରିବର୍ଷ ବଡ଼ ହେବି ବୋଧହୁଏ । ଭାରି ଚାଲାକ ! ମୁଁ ଜିତିଲି, ମୁଁ କାହିଁକି ଫେରେଇବି ? ହେଇ ରମା କାନ୍ଦି କାନ୍ଦି ତା’ ନାଲି ଫ୍ରକରେ ଆଖି ପୋଛି ପୋଛି ଚାଲି ଯାଉଛି । ଆଠ ବର୍ଷର କୁନି ଝିଅ, ପଡ଼ିଶା ଘରର–ଭାରି ଫୁଲେଇ । ...କେଉଁଠି ସେ ବର୍ତ୍ତମାନ ? ...ମନେପକାଇବାକୁ ଚେଷ୍ଟା କଲେ ପ୍ରକାଶବାବୁ । କାହିଁ, ମନେତ ପଡ଼ୁନାହିଁ । ତା’ ଚେହେରାଟା ଝାପ୍‌ସା ଝାପ୍‌ସା କେବଳ ଦେଖାଯାଉଛି । ହୁଏତ କେଉଁଠି ସେ ତିନି ଚାରୋଟି ସନ୍ତାନର ମା ହୋଇ, ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଘୋଷାଡ଼ି ହେଉଥିବ ବର୍ତ୍ତମାନର ଚଟାଣ ଉପରେ । ବର୍ତ୍ତମାନ ଯଦି କେଉଁଠି ହଠାତ୍‌ ଦେଖାହୁଏ ସେ କ’ଣ ମୋତେ ଚିହ୍ନି ପାରିବ ? କିନ୍ତୁ ଏଇ ଅବସ୍ଥାରେ ମୁଁ ତାକୁ ଦେଖି ପାରୁଛି, ଚିହ୍ନି ପାରୁଛି, ଚିଡ଼େଇ ପାରୁଛି….ସେ ଯଦି ଏଇପରି ଏକ ଅବସ୍ଥାରେ ମୋ କଥା ଭାବୁଥାନ୍ତା–ଆଲି ଖେଳ କଥା–

 

ଆଃ‍–କାହିଁକି ତା’ ଆଲିଗୁଡ଼ାକ ଫେରେଇ ଦେଲିନି !!

 

ହ୍ୟାଲୋ ମି. ମିଶ୍ର !

 

ଷ୍ଟୁପିଡ୍‍ । ନାୟାର ଆସି ପାଖ କବାଟରେ ଠକ୍‌ ଠକ୍‌ କରୁଛି–ସଦାନନ୍ଦ କବାଟରେ । ଦୁଇଜଣ ଏକାଠି ବସି ଆଲୋଚନା କରିବେ ଓ ସର୍ବନାମ ଉପରେ ପ୍ରବନ୍ଧ ଲେଖିବେ । ଅସମ୍ଭବ ଜୀବଗୁଡ଼ାକ ! ଖରା ବେଳଟାରେ ନିଦ ନାହିଁ । ସାଉଥ୍‌ ଇଣ୍ଡୀଏନ୍‌ସ୍‌ଗୁଡ଼ାକ ଭାରି ପରିଶ୍ରମୀ ।

 

ସଙ୍ଗୀତଟି ପିଚ୍‍କୁ ଉଠୁଚି । ଗାୟିକା କି ଏକ ମର୍ମନ୍ତୁଦ ଯନ୍ତ୍ରଣାରେ ତା’ ଅନ୍ତରାତ୍ମାକୁ ଖୋଲି ଦେଇଚି–

 

ସେ ଯନ୍ତ୍ରଣାରେ ସେ ବି ଭାଗୀଦାର–

 

“ହେ, ଛାଡ଼ନା–ସେମାନେ ଦେଖୁଥିବେ ।”

 

“ଦେଖନ୍ତୁ । କ’ଣ ପାପ କରି ଦେଲି ?’’ ଅରୁଣା ତା’ ହାତଟିକୁ ଛଡ଼ାଇ ନେଉଛି । ‘‘ଏତେ ଡରିଲେ କିପରି ହେବ ?” ରାଉରକେଲା ୱାଟର ୱାର୍କସର ଗୋଲାପ ଉଦ୍ୟାନରେ ମାଳି ପାଣି ଦେଉଛି–ଏଇ କେତେଦିନ ଭିତରେ, ସେ ନିଶ୍ଚୟ ଆମ ବିଷୟରେ କିଛି ଏକ ଧାରଣା କରି ନେଇଥିବ–ହୁଏତ ଏମାନେ ନିକଟରେ ବିଭା ହେବେ କିମ୍ବା ସେ ବିରକ୍ତ ହେଉଥିବ କାରଣ ମୁଁ ଗୋଲାପ ସବୁ ତା’ ଅଗୋଚରରେ ଛିଣ୍ଡାଇ ଆଣି ଅରୁଣାର ଗଭାରେ ଖୋସି ଦିଏ । ଯା–କ’ଣ କରିବୁ । କ’ଣ ପ୍ରମାଣ ଅଛି ମୁଁ ଏଇ ବଗିଚାରୁ ଗୋଲାପ ନେଇଛି ବୋଲି–

 

“ସାହେବ–ଆପ ରୁମାଲ ଛୋଡ଼ ଦିୟା ।”

 

ଆହା–ବେଶ୍ ଭଲ ଲୋକଟା । କେତେ ତାକୁ ଆମେ ଭୁଲ୍ ବୁଝୁଥିଲୁ ।

 

ଅରୁଣା ! ସେ ଅତୀତର କେବଳ ସ୍ଵପ୍ନ ମାତ୍ର । ଯା’ର ସୌନ୍ଦର୍ଯ୍ୟର କଦମ୍ବ ସ୍ପର୍ଶରେ କଲେଜର କରିଡର ଶିହରିତ ହୋଇ ଉଠୁଥିଲା ଓ ଯା’ର ଟିକିଏ ହସର ପ୍ରସାଦ ପାଇଁ ନିର୍ବାଚନ ସଂଘର୍ଷ–ସ୍କେଣ୍ଡାଲ–କାନ୍ଥ ବାଡ଼ରେ ପୋଷ୍ଟର–

 

ଆଃ ! –ପ୍ରଭୁ ଫେରେଇ ଦିଅ । ଫେରେଇ ଦିଅ ମୋର ସେ ଅତୀତକୁ । ସେଇ ମୋର ଶଙ୍ଖାଳି । ସେଇ ମୋର ଜୀବନ–

 

ହେ ପ୍ରଭୁ, ନିଦ ହେଇ ଯାଉ, ଉଠିଲେ ପଛେ ଲେଖି ଦେବି ।

 

ପ୍ରକାଶ ବାବୁ କିପରି ଅନୁଭବ କଲେ ଏକ ରୋମାଣ୍ଟିକ୍ ଯନ୍ତ୍ରଣା–ସେଇ ସଙ୍ଗୀତଟି ଏବେ ବି ରହି ରହି ମୁହୁର୍ମୁହୁଃ ବାଜି ଉଠୁଚି ଦୂରରେ ଓ ଛାଇ ଛାଇକା ନିଦରେ କେତେ ସ୍ପଷ୍ଟ ଅସ୍ପଷ୍ଟ ସିରିଏଲିଷ୍ଟ ଇମେଜ୍‌ ସବୁ ତାଙ୍କ ମନ ପଟ୍ଟରେ ନାଚି ଉଠି ଚାଲି ଯାଉଛନ୍ତି–

 

ଠନ୍-ଠନ୍-ଠନ୍ ଜୋରରେ ହଷ୍ଟେଲ ଘଣ୍ଟା ବାଜି ଉଠୁଚି ସନ୍ଧ୍ୟାର ଚା’ ପାନ ପାଇଁ ନିମନ୍ତ୍ରଣ ଜଣାଇ । ପ୍ରକାଶ ବାବୁ ଧଡ଼୍ କରି ବିଛଣାରେ ଉଠିବସିଲେ । ଛାତି ଭିତରେ ତାଙ୍କର କିଏ ଯେପରି ହାତୁଡ଼ି ପିଟୁଚି ଜୋରରେ ।

 

ଏବେ ବି ରହି ରହି ସେଇ ଗୀତଟି କିଏ ମାଇକରେ ବଜାଉଛି । ପ୍ରକାଶ ବାବୁ ଶୁଣିବାକୁ ଚେଷ୍ଟା କଲେ । ଇସ୍ କି ବାଜେ ରେକର୍ଡ଼ଟା ! ସିମ୍‌ପ୍ଲି ଡିଷ୍ଟରବିଙ୍ଗ୍ ! ମୁଁ ଏହାର ପ୍ରତିବାଦ କରିବି । ଥାନାରେ ରିପୋର୍ଟ କରିବି–କି କ୍ଳାନ୍ତିକର–ସେଇ ଗୋଟିଏ ଗୀତ, ଡିଷ୍ଟରବିଂ !

 

ସେପଟ ଘରୁ ସଦାନନ୍ଦ ଓ ନାୟାର ଏବେ ବି ଆଲୋଚନା କରୁଛନ୍ତି । ‘‘ବାଟ’’ଟା (କିନ୍ତୁ) ସର୍ବନାମ କି କନ୍‌ଜକସନ୍ ।

 

ବ୍ୟାକରଣ ବହିଟିକୁ ଯନ୍ତ୍ରବତ୍ ଟେବୁଲ ତଳୁ ଉଠାଇ ଆଣି ପ୍ରକାଶ ବାବୁ ରଖି ଦେଲେ ଥାକରେ–ଅନେଇ ରହିଲେ ଉଦ୍ଦେଶ୍ୟହୀନ ଭାବେ ।

 

ତଥାପି ସେଇ ଗୀତ । କିନ୍ତୁ ସେ ଗୀତରେ ତ ବର୍ତ୍ତମାନ ଆଉ ସେଇ ଛାଇ ଛାଇକା ସ୍ଵପ୍ନ ନାହଁ ? ରୋମାଣ୍ଟିକ୍ ଯନ୍ତ୍ରଣା ନାହିଁ ? କେବଳ ସିଏ ଏଇ ବାସ୍ତବତା–ବ୍ୟକ୍ତିତ୍ଵର ଏକ ଅଂଶ ହେଇ ଘୂରିବୁଲୁଚି ଉଦ୍ଦେଶ୍ୟହୀନ ଭାବେ ସିନା ! ପ୍ରକାଶ ବାବୁ ଭାବୁଛନ୍ତି–ସେ ଗୀତଟିର ସ୍ରୋତରେ ସେ ତ କାହିଁକି ଆଉ ଡଙ୍ଗା ବାହି ଫେରିଯାଇ ପାରୁନାହାନ୍ତି ଅନ୍ୟ ଦ୍ୱୀପ ସବୁକୁ…… ।

Image

 

ଶୋକ ସମ୍ବାଦ

 

“ଓଡ଼ିଶାର ଆକାଶରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡ଼ିଲା–ନାଃ, ହେଲାନି । ଶିରୋନାମାଟିର ଗତାନୁଗତିକ ରୂପକଳ୍ପଟାକୁ ବଦଳାଇବାକୁ ହେବ । ପାଠକର ସ୍ଥାଣୁ କଳ୍ପନାକୁ ଧକ୍‌କା ଦେଇ, ତାକୁ ଦୋହଲାଇ, ସେଇ ଇମେଜ୍‌ଟା କଳ୍ପନା ଓ ପ୍ରଜ୍ଞାକୁ ସମ୍ପ୍ରସାରିତ କରିପାରିବ ନାହିଁ ।

“କୁଚିଣ୍ଡାବାହିନୀ”ର ସମ୍ପାଦକ ମହାଶୟ କଲମଟାକୁ ପାଟିରେ ଗୁଞ୍ଜି, ପୁଣି ଭାବି ବସିଲେ ଗମ୍ଭୀର ହେଇ । ଉଜ୍ଜ୍ୱଳ ଇଲେକ୍‌ଟ୍ରିକ୍ ଆଲୋକ ମୁଖର ଦୀପ୍ତିକୁ ଆହୁରି ଦୀପ୍ତିମାନ କରୁଥାଏ । ତୁଷାର ଶୁଭ୍ର କେଶରାଶି ତାଙ୍କର ପଙ୍ଖା ପବନରେ ଲହଡ଼ି ଖେଳୁଥାନ୍ତି ।

“ଉତ୍କଳ କିରୀଟ ଡ. ହଟନାଗର ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚାଲିଗଲେ ।’’ ନାଃ, ତଥାପି ମନକୁ ପାଉ ନାହଁ । ଶୋକସାଗର, ଭବସାଗର, ନା, ନା, ଏ ସବୁତ ପୁରୁଣାକାଳିଆ ପ୍ରୟୋଗ ପରିତ୍ୟାଗ କରିବାକୁ ହେବ । ଅଗ୍ରଲେଖାଟିକୁ ଶାଣିତ, ମନୋଜ୍ଞ ଓ ମାର୍ଜିତ କରିବାକୁ ହେଲେ, ଏକ ଅଭିନବ, ଯୁଗାନ୍ତକାରୀ ରୂପକଳ୍ପର ପ୍ରୟୋଗ ଦରକାର । ପଚାଶ ବର୍ଷ ସାମ୍ବାଦିକତାର ଅଭିଜ୍ଞତା ନେଇ, ଆଜି ଯେ କାହିଁକି ଗୋଟିଏ ବାକ୍ୟ ତାଙ୍କ କଲମ ମୁନରେ ଧରା ନ ଦେଇ, ତାଙ୍କୁ ମଶାରି ଭିତରର ଗରିଲା ମଶାଟି ପରି ଅସ୍ତବ୍ୟସ୍ତ କରୁଛି, ସେ ବୁଝିପାରୁ ନାହାନ୍ତି ।

ହ୍ୟାଲେ, ହ୍ୟାଲୋ……

ହଁ, ହଁ, ଚକ୍ରଧର, ଦିଅ ।

ପ୍ରେସର ବୟୋଜ୍ୟେଷ୍ଠ କର୍ମଚାରୀ ଚକ୍ରଧର ସମ୍ପାଦକଙ୍କ ହାତକୁ ଫୋନ୍‌ଟି ବଢ଼ାଇ ଦେଇ, ତାଙ୍କ ମୁହଁକୁ ଉତ୍କଣ୍ଠାର ସହ ଚାହିଁ ରହିଲେ ।

ହଁ, କ’ଣ ହେଲା ? ....କ’ଣ କହିଲେ ? ...ଶୁଭୁନି; ଜୋରରେ କହନ୍ତୁ…” କିଛି ସମୟ କଥାବାର୍ତ୍ତା କରି ସମ୍ପାଦକ ଫୋନ୍‍ଟି ରଖିଦେଇ ଅସ୍ଥିରଭାବେ ପଦଚାଳନା କରିବାକୁ ଲାଗିଲେ ରୁମରେ । ରୁମରେ ପଡ଼ିଥିବା ସପ ଉପରେ ଛୋଟ ଛୋଟ କାଗଜଗୁଚ୍ଛା; ତା’ ଉପରେ ସବୁ ଛୋଟ ଛୋଟ ପଥର ଖଣ୍ଡ ।

ଚକ୍ରଧରଙ୍କ ସାହସ ନଥିଲା କିଛି ପଚାରିବାକୁ ।

ସମ୍ପାଦକ ଗଳା ଖଙ୍କାର ମାରିଲେ–ଚକ୍ରଧର !

ସ୍ଵରରୁ ଚକ୍ରଧର ଜାଣିଲେ, କିଛି ଗୋଟାଏ ଅଶୁଭର ସୂଚନା । ସମ୍ପାଦକଙ୍କ ଗଳାସ୍ଵରର ଉତ୍‌ଥାନ, ପତନ, ଗମ୍ଭୀରତା ଗ୍ରାଫ୍‌ରୁ ସେ ସମ୍ପାଦକଙ୍କ ମନୋଭାବର ପରଚୟ ପାଇଥାନ୍ତି ।

–ସାର୍ ।

–ଆଉ ଆଶା ନାହିଁ ।

–ଆଶା ନାହିଁ ?

–ନା ।

–କ’ଣ ଖବର ଆସିଲା ?

–ଶେଷ ପର୍ଯ୍ୟନ୍ତ ଡାକ୍ତରମାନେ ଲାଗିଛନ୍ତି । ନର୍ସିଂହୋମ୍‌ରୁ ଫୋନ ଆସିଲା ସେ ଆଶା କ୍ଷୀଣ । କିନ୍ତୁ ଜୀବନ ପାଇଁ ସଂଗ୍ରାମ କରି ଚାଲିଛନ୍ତି ।

ସମ୍ପାଦକ ମହାଶୟ ସପ ଉପରେ ବସିପଡ଼ି, ପୁଣି ଲେଖିବାକୁ ଲାଗିଲେ ।

‘‘ଜୀବନ କାଳ ଭିତରେ ଯେପରି ଦୈନ୍ୟ, ଦୁଃଖ, ଅତ୍ୟାଚାର, ବ୍ୟଭିଚାର, ଅନାଚାର, ଅପଚାର, ମନ୍ଦାଚାର ବିରୁଦ୍ଧରେ ସଂଗ୍ରାମ କରି ଆସିଥିଲେ, ଶେଷ ଶଯ୍ୟାରେ ମଧ୍ୟ ମୃତ୍ୟୁ ବିରୁଦ୍ଧରେ ଯୁଦ୍ଧ କରି ସେ ଟଳି ପଡ଼ିଲେ ।”

ଗୋଟିଏ ବାକ୍ୟରେ ଏକ ସଙ୍ଗରେ ଯମକର ପ୍ରୟୋଗ, ‘ଚାର’ ଶବ୍ଦ ବିନ୍ୟାସ ବାକ୍ୟଟିକୁ ନିଶ୍ଚୟ ଉତ୍କର୍ଷ କରୁଛି । ଲେଖିସାରି କାଗଜଟି ଉପରେ ଇଟା ଖଣ୍ଡିଏ ଲଦି ଦେଲେ । ପଙ୍ଖା ପବନରେ କେତେଖଣ୍ଡି କାଗଜ ଅସ୍ତବ୍ୟସ୍ତ ହେଇ ଉଡ଼ୁଥାନ୍ତି ।

ସମ୍ପାଦକ ଉଠିପଡ଼ି, ପୁଣି ଚାଲିବାକୁ ଲାଗିଲେ–ସେଇ ଅସ୍ଥିରତା ଓ ଉଦ୍‌ବିଗ୍ନତା ।

‘ସାର୍‌, ସାର୍’, ଘର ଭିତରକୁ ଜଣେ କର୍ମଚାରୀ ପଶି ଆସିଲେ । ଧଇଁ ପେଲୁଚି । ‘କ’ଣ ହେଲା, କଥା କ’ଣ ?’ ଏକା ସଙ୍ଗରେ ଜିଜ୍ଞାସି ଉଠିଲେ ଚକ୍ରଧର ଓ ସମ୍ପାଦକଜୀ ।

‘ସାର୍, ଆଉ ଆଶା ନାହିଁ । ନର୍ସିଂହୋମ୍ ପାଖରେ ଲୋକାରଣ୍ୟ । ହରି ବାବୁ, ଅଜୟ ବାବୁ, କୁଳମଣି ବାବୁ ସବୁ କନ୍ଦାକଟା କରୁଛନ୍ତି । ‘ଆତ୍ମ ପୀଡ଼ନ’, ‘ପଣସ ଅଠା’ର ସମ୍ପାଦକମାନେ ପ୍ରେସ ରୁମରେ ମୁଣ୍ଡ ପୋତି ବସିଛନ୍ତି । ଆଉ ଧୈର୍ଯ୍ୟ ଧରି ରହିହେଲା ନାହିଁ ସାର୍ । ପାଞ୍ଚ ଦଶ ମିନଟ୍ ଭିତରେ ସବୁ ହେଇଯିବ ।’ କର୍ମଚାରୀ ଜଣକ ଅନର୍ଗଳ ଢାଳିଗଲେ ।

ଚକ୍ରଧର, ପାଣି ଗ୍ଲାସେ ଫ୍ରିଜରୁ ଆଣିଲ ! –ସମ୍ପାଦକ ଧୀର ଗଳାରେ କହିଲେ । ତାଙ୍କୁ ବୋଧ ହେଲା ଯେପରି ମୃତ୍ୟୁର କ୍ରମଲମ୍ବ ଛାଇ ନର୍ସିଂହୋମ୍‍ ଆଡ଼ୁ ଧୀରେ ଅଗ୍ରସର ହେଇ, ଅନନ୍ତ ବଜାର ଛକ ଡେଇଁ, ତାଙ୍କ ଅଫିସ ଆଡ଼କୁ ମାଡ଼ି ଆସୁଛି । ସେ ବି ସ୍ପର୍ଶ କରୁଛନ୍ତି ଏକ ଶୀତଳ କଳା ଛାଇ । ତାଙ୍କ ସମୟ ମଧ୍ୟ ହେଇ ଆସୁଛି । ଉତ୍କଳ କିରୀଟ ଓ ସେ ସମସାମୟିକ–କେତେ ଶିକ୍ଷା, ରାଜନୈତିକ, ସାମାଜିକ, ଅର୍ଥନୈତକ ଆନ୍ଦୋଳନରେ ସେ ଦୁହେଁ ଭାଗ ନ ନେଇଛନ୍ତି ! ଜେଲବରଣ ନ କରିଛନ୍ତି ! ଦୁଃଖ ନିର୍ଯ୍ୟାତନା ନ ସହିଛନ୍ତି ! କାହା ପାଇଁ ? ନିଜ ସ୍ୱାର୍ଥ ପାଇଁ ନା ଦେଶର ମଙ୍ଗଳ ପାଇଁ ? ତା’ର ଉତ୍ତର ଦେବେ ଦେଶବାସୀ । କିନ୍ତୁ ଦେଶବାସୀ ବୁଝୁଛନ୍ତି ତ ? ଏଜ୍ ୟୁ ସୋ, ସୋ ୟୁ ରିପ୍ । ସାଥି ତାଙ୍କର ଚାଲି ଯାଉଛନ୍ତି ଆଗରେ, ତାଙ୍କ ପାଳି ପଡ଼ିବ ପଛରେ……ତଳ ବରଡ଼ା ଖସୁଛି…… ।

‘ଚକ୍ରଧର, ଆଣିଲ ସେ ଢଗଢମାଳି ବହିଟା ।’

ଚକ୍ରଧର ସିଡ଼ି ପକାଇ, ଉଠିଗଲେ ଉପରେ ଥାକକୁ । ନାଲି କନା ବନ୍ଧାଇ ଏକ ଜୀର୍ଣ୍ଣ ପୁସ୍ତକ ଆଣି ସପ ଉପରେ ବସିପଡ଼ିଲେ ।

 

‘‘ଚକ୍ରଧର ଦେଖୁଛ, ଆମ ସମ୍ବାଦପତ୍ରର କାଟୁତି କିପରି ଆଗ ବଢ଼ି ବଢ଼ି ଚାଲିଛି । ସାମ୍ବାଦିକତାର ଇଏ ଏକ ରିନାସା–ପୁର୍ନଜନ୍ମ । ଆମ ଢଗଢମାଳି, ପ୍ରବାଦ ପ୍ରବଚନ ଏସବୁ ସମୟର, ମହାକାଳର କଷଟି ପଥରରେ ପରୀକ୍ଷିତ ସତ୍ୟାବଳୀ । ସେ ସବୁର ବହୁଳ ପ୍ରୟୋଗ ଆମ ମାତୃଭାଷାକୁ ରୁଦ୍ଧିମନ୍ତ କରିବା ସଙ୍ଗେ ସଙ୍ଗେ, ସମ୍ପାଦକର ଦୃଷ୍ଟିକୋଣ ପାଠକଙ୍କ ପାଖରେ ସରଳ ଓ ସହଜ ଭାବେ ପହଞ୍ଚାଇ ଦେଇ ପାରିବ ।’

 

ସମ୍ପାଦକ ପ୍ରଗଳ୍‌ଭ ହେଇଉଠିଲେ । ଉତ୍ତେଜନାରେ ଥରିବାକୁ ଲାଗିଲେ । କେଉଁ ଅଦୃଷ୍ଟ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ବିରୁଦ୍ଧରେ ଯେପରି ଇଏ ଏକ ଆକ୍ରମଣ । ଚକ୍ରଧର ପ୍ରସାଦ ଗଣିଲେ ।

 

–ସାର୍, ନିଶ୍ଚୟ, ନିଶ୍ଚୟ । କ’ଣ ଦେଖିବି ?

 

–‘ମ’ ଖୋଲ ।

 

–ହଁ, ସାର୍……ମୁଗୁରା ତଳେ…....

 

–ମୁଗୁରା ତଳ ମେଲା…….ରୁହ, ରୁହ । ସମ୍ପାଦକ ମହାଶୟ ଚର୍ ଚର୍ କରି କେଇଧାଡ଼ି ଲେଖିଗଲେ । ତଳକୁ ମୁହଁପୋତି ପୁଣି ନିର୍ଦ୍ଦେଶ ଦେଲେ–ବର୍ତ୍ତମାନ ‘ଆ’ ଦେଖ ।

 

କ……..ଖ…….ଗ……

 

କ, ଖ, ଗ, କ’ଣ କରୁଚ ମ ? ଡିକ୍‌ସନାରୀ ଖଣ୍ଡିଏ ଏବେ ମଧ୍ୟ ଦେଖିଆସିଲା ନାହିଁ ? କେତେଦିନ ଆଉ କାମ କଲେ ଶିଖିବ ? ‘ଆ’ଟା ତ ପ୍ରଥମରେ ଥିବ, ‘ଅ’ ପରେ ।

 

–ହଁ ସାର୍ ପାଇଲି ।

 

–ପଢ଼ିଯାଅ ।

 

ଚକ୍ରଧର ‘ଆ’ରେ ଥିବା ପ୍ରବାଦଗୁଡ଼ିକ ପଢ଼ିଗଲେ । ‘ହଁ, ରୁହ, ରୁହ,....’ ସମ୍ପାଦକ କଲମଟାକୁ ହଲେଇ ଇଙ୍ଗିତ ଦେଲେ ରହିବାକୁ ।

 

‘କ’ଣ ପଢ଼ିଲ …. ହଁ, ଆ ବଳଦ ମୋତେ ବି…ନ୍ଧ….

 

ବାସ୍ ‘–ରଖିଦିଅ ।’ ସମ୍ପାଦକ ପୁଣି କେଇଧାଡ଼ି ଲେଖିସାରି, ଶୂନ୍ୟ ସିଲଂକୁ ଚାହିଁ ରହିଲେ ।

 

ପୁଣି କ୍ରିଂ, କ୍ରିଂ ।

 

‘ମୋତେ ଦିଅ, ମୋତେ ଦିଅ ।’ ସମ୍ପାଦକ ଉଠିପଡ଼ିଲେ । କଚ୍ଛା ଫିଟିଯାଇ ଘୋସାରି ହେଉଛି ।

 

‘ହ୍ୟାଲୋ,…କିଏ କହୁଛନ୍ତି ? ......ହଁ, ହଁ…କ’ଣ ହେଲା ? .....ଅକ୍‌ସିଜେନ…. ଶୁଭୁନି…. ଜୋରରେ କୁହ…. ଡାକ୍ତରମାନେ କ’ଣ କହୁଛନ୍ତି ? …. ଆଏଁ ? … ହେଉ, ହେଉ, ମୋତେ ପୁଣି ଖବର ଦେବ… ତୁମେ ସେଇଠି ଥିବ ସଙ୍ଗେ ସଙ୍ଗେ ରିଙ୍ଗ୍ କରିବ ?

 

 

ଚକ୍ରଧରଙ୍କ ଆଖିରେ ପୁଣି ଜିଜ୍ଞାସା । କିନ୍ତୁ ଏଥର ପଚାରିବାକୁ ସାହାସ ନଥିଲା । କାଳେ କ’ଣ ହେଇଯାଇଥିବ !

 

–ଚକ୍ରଧର !

 

–ସାର୍

 

–ଆଉ ଆଶା ନାହିଁ ।

 

–ନଟ କହୁଥିଲା ?

 

ହଁ ।

 

–କ’ଣ କହିଲା ?

 

–ବେଳ ହେଇ ଗଲାଣି ।

 

ଚକ୍ରଧରଙ୍କ ପାଟିରୁ କେବଳ ‘ଚ’ ବାହାରିଗଲା ।

 

–ଆଚ୍ଛା ଚକ୍ରଧର, ମୁଁ ସେଠାକୁ ଚାଲିଯିବି କି ? ସମ୍ପାଦକ ପରାମର୍ଶ ଲୋଡ଼ିଲେ ।

 

–ସାର୍, ଗଲେ ତ ଭଲ ହୁଅନ୍ତା । ଆମ ଷ୍ଟାଫ୍ ଫଟ୍ରୋଗ୍ରାଫ୍‌ର ସବୁ ପହଞ୍ଚିଗଲେଣି । ଶବ ଶଯ୍ୟା ପାଖରେ ଛିଡ଼ା ହେଇ, ଫଟୋ ଉଠାଯିବ, ଆପଣ ନ ଥିଲେ, ସେ ଫଟୋ ସୁନ୍ଦର ଦେଖାଯିବନି ।

 

–ହଁ, ଗଲେ ହୁଅନ୍ତା ଯେ,..... କିନ୍ତୁ ଏଣେ କାଗଜ ଯେ ପ୍ରେସକୁ ଯିବ,–ଫାଇନାଲ ପ୍ରୁଫ୍ ଓ ବିଶେଷତଃ ଏ ସମ୍ବାଦଟା…ତୁମେ କ’ଣ ଏସବୁ କରିପାରିବ ? …ନା, ତୁମ ଉପରେ ଛାଡ଼ି ଯାଇ ହେବନି ।

 

–ତେବେ ଫଟୋ…..

 

–ଆଚ୍ଛା, କେଉଁ ଫଟୋଗ୍ରାଫର୍‌ ଯାଇଛନ୍ତି ?

 

–ସୁଧୀର ଅଛି ସାର୍ ।

 

–ସୁଧୀର–ବୁଡ଼ବକ୍, ହୋପଲେସ୍‌ । ତାକୁ ବାରମ୍ବାର କହିଥିଲି, ମୁଁ ଯେକୌଣସି ସଭାସମିତି ଉତ୍ସବକୁ ଯାଇଥିବି, ମୁଁ ହାତ ଉଠାଇ, ତିରିଶି ଡିଗ୍ରୀ କୋଣ ହାତ ଛାତିରେ ରଖି ସାରିଲେ ଯାଇ ଫଟୋ ଉଠାଇବ, ଏଇ ଷ୍ଟାଣ୍ଡିଂ ରୁଲଟା ତା’ର ମନେ ରହୁନି ? ବାରମ୍ବାର କହିଲି, ଫୋକସ୍‌ଟା ମୋ ଉପରେ ରଖ, କିନ୍ତୁ ଦେଖିଲା ବେଳକୁ ଅନ୍ୟ ପ୍ରକାର… ।

 

–ସାର୍, ମୁଁ ତ ସୁଧୀରକୁ ସେଇକଥା କେତେଥର କହିଲିଣି । ଥରେ ଯେମିତି କହିଛି, ସାର୍‌ଙ୍କୁ କାଗଜରେ ଲୋକେ ଚିହ୍ନିପାରୁ ନାହାନ୍ତି, କିଏ କହୁଛି ସାର୍ ମାଙ୍କଡ଼ ପରି ଦେଖାଯାଉଛନ୍ତି ତ କିଏ କହୁଛନ୍ତି ଫଟୋ ନା ମେଞ୍ଚାଏ କାଳି… ସୁଧୀର ତ ସାର୍ ମୋ ଉପରେ ଖପା; ମାରେ ନ ମାରେ… କହିଲା କ’ଣ ନା, ମୋ ଚାକିରି ଦରକାର ନାହିଁ–ଇଏ କ’ଣ ରେଡ଼ିଓ ଫଟୋ ହେଇଛି ? ... ମୁଁ କଲିକତା ଚାଲିଯିବି ।

 

–ଏତେ ସାହସ । ବୁଡ଼ବକ୍ ଫେରୁ ଆଜି ।

 

ଉଦ୍‌ଗୀରଣ । ସମ୍ପାଦକ ରାଗି ଉଠିଲେ ଗୌରତନୁ ତାଙ୍କର ବାଳସୂର୍ଯ୍ୟର ରଙ୍ଗ ଧରେ । ଚକ୍ରଧର ବାତାବରଣକୁ ହାଲୁକା କରିବା ପାଇଁ କଥାର ମୋଡ଼ ଭାଙ୍ଗିଲେ–

 

–ସାର୍, ସେ ଗଳଘଣ୍ଟ ବାବା ଆସିବେ–ସାକ୍ଷାତକାର ଅଛି ।

 

ନା, ନା, ଆଜି ଥାଉ–ଦେଖୁଛ ଆଜି କ’ଣ ହେବାକୁ ଯାଉଛି । ଫୋନରେ କହିଦିଅ, ଅନ୍ୟ ଦିନ ଆସନ୍ତୁ । ମୁଁ ତ କହିଛି, ପ୍ରତିଶ୍ରୁତି ଦେଇଛି, ତାଙ୍କ ଧର୍ମର ଅଭିମୁଖ୍ୟ, ଜୀବନ ଦର୍ଶନ କାଗଜରେ ଭଲଭାବେ ପ୍ରକାଶ କରିବି ।

 

–ହେଉ ସାର୍ କହି ଦେଉଛି । ହଁ, ସାର୍‍ ଆଉ ଗୋଟିଏ କଥା ମନେପଡ଼ିଲା । ସେ ଯେଉଁ ଭଦ୍ରବ୍ୟକ୍ତି ସମ୍ବାଦଟି ଛପାଇବାକୁ କହିଥିଲେ, ମୁରଲିବାବୁଙ୍କର ବୃଦ୍ଧା ମାତାଙ୍କର ଅକାଳ ମୃତ୍ୟୁ ସମ୍ବାଦଟି ଦେବାପାଇଁ; ସେଟା କ’ଣ କରିବି ?

 

–ମୋ କଥା ଖରାପ କରି ଦେବ ! ଆମର ଯେଉଁ ମୃତ୍ୟୁ ସମ୍ବାଦଗୁଡ଼ିକ ଅଛି, କେଉଁଟା ଖାପ୍ ଖାଇବ ଦେଖୁନ ! ସେଇ ‘‘ଦୟାଶୀଳ, ପତିପରାୟଣା’’ ଲେଖାଟିର ଡ୍ୟାସ ସ୍ଥାନରେ ତାଙ୍କ ନାମଟା ବସାଇ ଦେଇ ଛାଡ଼ିଦିଅ ।

 

–ହଁ, ସାର୍ ଯାଉଛି ।

 

ଚକ୍ରଧର ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି, ସମ୍ପାଦକ ପୁଣି ଡାକିଲେ–ଚକ୍ରଧର ! ଏ ଲେଖାଟି ନିଆଁ…ନା, ନା, ଥାଉ…ଦରକାର ଆଉ କ’ଣ ? ହଁ, ଆଜି ଆଉ ଦରକାର କ’ଣ ? କେବଳ କଳା ଲାଇନ କେତୋଟି । ସମ୍ପାଦକଙ୍କ କଣ୍ଠ ଭାରି ହୋଇଉଠିଲା…. ସେ କିଛି ସମୟ ଚୁପ୍ ହେଇପଡ଼ି, ଆଉ ଖଣ୍ଡିଏ କାଗଜ ଚକ୍ରଧରଙ୍କୁ ବଢ଼ାଇ ଦେଇ କହିଲେ–ଟିକିଏ ଆଖିବୁଲାଇ ଆଣିଲ-

 

–ସାର୍, ଆପଣ ଯେତେବେଳେ ଲେଖିଛନ୍ତି......

 

–ଓଃ ଦେଖ ନା ।

 

ଚକ୍ରଧର ପଢ଼ିଗଲେ–ପଢ଼ୁ ପଢ଼ୁ ଓଠରେ କିଛି କିଛି ହସ ଚାପିଦେଉଥାନ୍ତି ।

Image